ବିଶ୍ବର ସବୁଠାରୁ ବହୁଳ ଲୋକପ୍ରିୟ ପାନୀୟ ହେଉଛି ‘ଚା’ । ସକାଳର ଆରମ୍ଭ ତ ଏହି ଚା’ କପ୍‌ରୁ ହିଁ ହୋଇଥାଏ । ସକାଳ ଜଳଖିଆ ହେଉ କି ସନ୍ଧ୍ୟା ଭୋଜନରେ ଚା’ର ପ୍ରାଧାନ୍ୟ ବେଶ୍‌ ସୁସ୍ପଷ୍ଟ । ଘରକୁ କେହି କୁଣିଆ ବା ଅତିଥି ଆସିଲେ ତାଙ୍କୁ ସର୍ବପ୍ରଥମେ ଚା’ ହିଁ ଦିଆଯାଇଥାଏ । ଆମ ସଂସ୍କୃତିରେ ଚା’ର ପ୍ରଚଳନ ବହୁତ ପୁରୁଣା । ଆଜିକାଲି ସମୟରେ ଭିନ୍ନ ଭିନ୍ନ ଚା’ର ଲୋକପ୍ରିୟତା ବଢିଛି । କିନ୍ତୁ ଚା’ଖଟିର ଚା’ର ବାସ୍ନା ଆଜି ବି ସେମିତି ରହିଛି । ଚା ଦୋକାନରୁ ସକାଳୁ ସକାଳୁ ଚା’ର ବାସ୍ନା ସତରେ ନିଆରା । ସକାଳୁ ସକାଳୁ ଖବର କାଗଜ ସହ ଚା ନ ରହିଲେ ଆମ ଭାରତୀୟଙ୍କ ଦିନ ଆରମ୍ଭ ହୁଏନି । ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି । ଥକାପଣ ମେଣ୍ଟାଇବା, ଥଣ୍ଡା ଆଦି ସମସ୍ୟା ଦୂରେଇବା ଏପରିକି ଅନେକେ ମୁଣ୍ଡବିନ୍ଧା ହେଲେ ପ୍ରଥମେ ଚା ପିଇବାକୁ ପ୍ରାଧାନ୍ୟ ଦେଇଥାନ୍ତି ।

ଆଜି ବି କେତେକ ଲୋକ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ପାଇଁ ପ୍ରଥମେ କପେ ଚା’ ପିଅନ୍ତି ଏବଂ ତା’ପରେ ଔଷଧ ନିଅନ୍ତି । ଚା’ରେ ତୁଳସୀ ପତ୍ର ପକାଇ ଯେଉଁ କାଢା ପ୍ରସ୍ତୁତ କରାଯାଏ, ତାହା କୌଣସି ରାମବାଣ ଠାରୁ କମ୍‌ ନୁହେଁ । ଡାକ୍ତରଙ୍କ ମତ ଅନୁଯାୟୀ ଚା’ରେ ଏଣ୍ଟି-ଅକ୍ସିଡେଣ୍ଟ ପୋଲିଫେନଲ ତତ୍ତ୍ବ ରହିଥାଏ, ଯାହା ଇନପ୍ଲାମେଶନ ଭଳି କାର୍ଯ୍ୟ କରିଥାଏ । ସେହିପରି ଗ୍ରୀନ୍‌ ଟି, ହର୍ବାଲ୍‌ ଟି ଆଦି ସ୍ବାସ୍ଥ୍ୟ ପକ୍ଷେ ହିତକର । ଗ୍ରୀନ୍‌ ଟି ପିଇବା ଦ୍ବାରା ଓଜନ ନିୟନ୍ତ୍ରିତ ରହିବା ସହିତ ହାର୍ଟଆଟାର୍କରୁ ମଧ୍ୟ ରକ୍ଷା ମିଳିଥାଏ । ଚା’ ଏକ ଉପାଦେୟ ପାନୀୟ । ଏହା ଶରୀର ଉପରେ ଅନେକ ଲାଭକାରୀ ପ୍ରଭାବ ପକାଇ ଥାଏ । ମାତ୍ର ଏହାକୁ ଅତ୍ୟଧିକ ବ୍ୟହାର କରିବା କଥା ନୁହେଁ । ଅତ୍ୟଧିକ ଚା’ ପିଇଲେ ହଜମ ଶକ୍ତି ପ୍ରଭାବିତ ହୋଇଥାଏ । ବର୍ତ୍ତମାନ ୩ହଜାରରୁ ଅଧିକ ପ୍ରକାରର ଚା’ ଉପଲବ୍ଧ ଅଛି, ହେଲେ ୬ ପ୍ରକାରର ଚା’ ସର୍ବାଧିକ ସ୍ତରରେ ଥିବାର ବିକ୍ରି ହେଉଥିବାର ଜଣାପଡିଛି । ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଚା ଉପଲବ୍ଧ । ମସଲା ଚା, ଅଦା ପକା ଚା, ବମ୍ବେ କଟିଂ ଚା, କାଶ୍ମୀର କାୱା, ସୁଲମାନି ଚାଏ, ତୁଳସୀ ଚା, ତନ୍ଦୁରୀ ଚା ପରି ବିଭିନ୍ନ ଚା ମିଳୁଛି । ତେବେ ସବୁଠୁ ଅଧିକ ଲୋକପ୍ରିୟ ହେଉଛି କ୍ଷୀର ଚିନି, ଚା ପତି ଓ ଗୁଜୁରାତି ପକା ଚା ।

ଚା’ର ଲୋକପ୍ରିୟତା ବଢ଼ିବା ଦେଖି ବିଶ୍ବ ଖାଦ୍ୟ ଓ କୃଷି ସଂଘ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନର ନିଷ୍ପତ୍ତି ନେଇଥିଲା । ୨୦୦୫ରେ ଚା’ ଦିବସ ଡିସେମ୍ବର ୧୫ରେ ଦିଲ୍ଲୀରେ ହିଁ ପାଳିତ ହୋଇଥିଲା । ମେ‘ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା । ୨୦୧୯ ମସିହାରୁ ଏହାକୁ ମେ ୨୧ ତାରିଖରେ ପାଳନ କରିବା ପାଇଁ ଜାତିସଂଘର FAO ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା ଅମଳ କରାଯାଇଥାଏ । ଚା’ ବ୍ୟବସାୟରେ ଭାରତ ସମେତ ଶ୍ରୀଲଙ୍କା, ଚୀନ୍‌, ଜାପାନ୍‌, ଇଣ୍ଡୋନେସିଆ, ନେପାଳ, ବାଂଲାଦେଶ ପ୍ରମୁଖ କୋଟି କୋଟି ଟଙ୍କାର ବ୍ୟବସାୟ କରିଥା’ନ୍ତି । ଭାରତର ଆସାମ ଓ ଦାର୍ଜିଲିଂର ଚା’ ବିଶ୍ବର ପ୍ରମୁଖ ପଞ୍ଚତାରକା ହୋଟେଲରେ ନିଜର ଆଧିପତ୍ୟ ଜାହିର୍‌ କରିପାରିଛି । ଆସାମ ସହ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଚା’ ବଗିଚା ଦେଖିବା ପାଇଁ ମିଳିଥାଏ । ଏବେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବ ବୃହତ ଚା ରପ୍ତାନୀକାରୀ ଦେଶ । ଚୀନ୍‌ ସବୁଠାରୁ ଅଧିକ ଚା’ ରପ୍ତାନୀ କରୁଛି । ଭାରତ ବ୍ୟତୀତ ଚୀନ୍‌, ବଙ୍ଗଳାଦେଶ, ଶ୍ରୀଲଙ୍କା, ନେପାଳ, ଭିଏତନାମ, ଇଣ୍ଡୋନେସିଆ, କେନିୟା, ମାଲଓ୍ୱି, ମାଲେସିଆ, ଉଗାଣ୍ଡା ଏବଂ ତାଞ୍ଜାନିଆରେ ଅଧିକ ଚା’ ଉତ୍ପାଦନ କରାଯାଇଥାଏ ।

ଚା’ କୁ ନେଇ ସମସ୍ତଙ୍କ ଅନୁଭବ ଭିନ୍ନ । ଚା’ ଖଟି ର ମଜା ବି ନିଆରା । ଭାରତୀୟମାନଙ୍କ ଚା’ ଖଟିରେ ହିଁ ତ ଦେଶର ସମସ୍ତ ଖବର ଆଲୋଚନା ହୋଇଥାଏ । ରାଜନୀତିର ଚର୍ଚ୍ଚା ଏହି ଚା’ ଖଟିରେ ବେଶ୍‌ ନିଆରା ହୋଇଥାଏ । ଚା’କୁ ନେଇ ଆମ ଭାରତୀୟମାନେ ବେଶ ସମ୍ବେଦନଶୀଳ ।