ଚିତ୍ର: ୟୁଟୋପିଆର ସନ୍ଧାନରେ ଏକ ଭାସ୍କର୍ୟ, ଶିଳ୍ପୀ: ଜନ ଫେବର, ସୌଜନ୍ୟ: ୱିକି କମନ୍ସ

ରାଜା: ଜାଣ ମହାମନ୍ତ୍ରୀ, ପ୍ରଜାମାନଙ୍କୁ ଏକାଠି ଦେଖିଲେ ମୋତେ ବହୁତ ଖୁସି ଲାଗେ । ସେମାନଙ୍କ ଭଲପାଇବା ଦେଖି ମୁଁ ଗଦଗଦ ହୋଇଯାଏ । ସେତେବେଳେ ମୋର ଅଙ୍କକଷା ମନପଡେ । ଇତିହାସ, ବିଜ୍ଞାନ ଚାଲିଆସେ ମୋ ଜିଭ ଆଗକୁ ।

ମନ୍ତ୍ରୀ: ହଁ, ମହାରାଜ । କି ଅଦ୍ଭୁତ ସେ ଦୃଶ୍ୟ ! ଆପଣଙ୍କ ଭାଷଣରେ ପ୍ରଜାମାନେ ମୋହିତ । ରାଜା ପରା ମହତି ଦେବତା ଓ ନରରୂପୀ ବିଷ୍ଣୁ । ଆପଣଙ୍କ ଦର୍ଶନ ପାଇ ସେମାନେ ଧନ୍ୟ । ସେମାନଙ୍କ ଜୀବନ ବି ସାକାର ।

ରାଜା: ଏସବୁ ତ ତମେ ନିଜ ଆଖିରେ ଦେଖୁଛ । କାନରେ ଶୁଣୁଛ । କେବେ ମୁଁ କହିବାର ଶୁଣିଛ କି - ଭକ୍ତମାନେ ମୋର ପୂଜା କର । ମୋତେ ଅମକ ଦିଅ । ସମକ ଦିଅ ।

ମନ୍ତ୍ରୀ: ମହାଭାଗ, ଆପଣଙ୍କ ସଂଘର୍ଷ ହିଁ ଆପଣଙ୍କ ଜୀବନର କଥା କୁହେ । ସ୍ଵୟଂ ମା ସରସ୍ବତୀ ଆପଣଙ୍କ କଣ୍ଠରେ ବିଜେ, ଧନଦାତ୍ରୀ ମା ଲକ୍ଷ୍ମୀ ଆପଣଙ୍କ କାନ୍ଧରେ । ଆପଣ ତ ସ୍ଵୟଂ ରାମଚନ୍ଦ୍ର ।
(ମନ୍ତ୍ରୀ କାନ ଧରିଲେ ତୁରନ୍ତ)
ନା,ନା । ସରି, ସରି । ଭୁଲ କହିଦେଲି । ରାମ ତ ଯୋଧ୍ୟାର ରାଜା ଥିଲେ । ଆପଣ ତ ସମଗ୍ର ଆର୍ଯ୍ୟାବର୍ତ୍ତର ଚକ୍ରବର୍ତ୍ତୀ ସମ୍ରାଟ ।

ସେଥିପାଇଁ ଅଯୋଧ୍ୟାରେ ଆପଣ ରାମ ମୂର୍ତ୍ତି ସ୍ଥାପନ କରିବା ପାଇଁ ଯାଇଥିଲା ବେଳେ ଯୋଉ ସବୁ ଗୋଛା ଗୋଛା ତୋରଣ ଆଉ ଫଳକ ସ୍ଥାପନ ହୋଇଥିଲା, ଆପଣଙ୍କ ଅନୁଗତମାନେ ଆପଣଙ୍କ ଫଟୋକୁ ପ୍ରଭୁ ରାମଙ୍କ ଠାରୁ ଏତେ ବଡ କରିଦେଇଥିଲେ ଯେ, ଯେମିତି ଆପଣ ହିଁ ଆଙ୍ଗୁଠି ଧରି ବାଟ କଢେଇ ନେଉଛନ୍ତି ।

ରାଜା : ହେ। ହେ। ଇତିହାସ ପଢିନ କି ? ଯୁଗେ ଯୁଗେ ଈଶ୍ୱର ହିଁ ମାନବକୃତ । ମୁଁ ମୋ କର୍ତ୍ତବ୍ୟ କେବଳ କରିଛି । ବାକି ରହିଲା ତୁମ କାମ ।

ମନ୍ତ୍ରୀ : ଆଉ କ'ଣ ବାକି ରହିଗଲା ପ୍ରଭୁ ? ଏ ଧରାର ଶ୍ରେଷ୍ଠ ତ ଆପଣ । ଚାରିଆଡେ ଜୟଜୟକାର । ଖୁସିରେ ପ୍ରଜାଙ୍କ ପାଇଁ କିଛି ଘୋଷଣା କରିଦିଅନ୍ତୁ । ଚିର ଅମର ହୋଇଯିବେ ।
(ରାଜା ହସିଲେ ଠୋ ଫଠାସ ହସ । ମନ୍ତ୍ରୀ ଚମକି ପଡିବା ଆଗରୁ ସମ୍ଭାଳି ନେଲେ ନିଜକୁ । ଏମିତି ହସ ଏଇ ପ୍ରଥମ ଶୁଣିଲେ । ତେଣୁ ନ ବୁଝିପାରି ଆବାକାବା ହୋଇ ଅନେଇଲେ)

ମନ୍ତ୍ରୀ : ପ୍ରଭୁ! ପ୍ରଭୁ! ​ ରାଜା: କିଛି ବୁଝିପାରୁନ ?
(ମନ୍ତ୍ରୀଙ୍କୁ ପାଖକୁ ଟାଣି ଆଣନ୍ତି ରାଜା, ଠିକ୍ ଯେମିତି କେବଳ ରାଜାଙ୍କ ଶ୍ରୀମୁଖରୁ କଥାଟିଏ ବାହାରିବ, ମନ୍ତ୍ରୀଙ୍କ କାନ କେବଳ ଶୁଣିବ ।)

ରାଜା: ଶୁଣ, ମୁଁ ଏ ଲୋକମାନଙ୍କୁ ବିଶ୍ଵାସ କରେନି । ଯେତେଦେଲେ ବି ଏମାନେ ଅସନ୍ତୁଷ୍ଟ ।
(ପୁଣି ଚାରିଆଡ଼କୁ ଚାହିଁ, କେହି ପାଖରେ ନଥିବାର ନିଶ୍ଚିତ ହେଲାପରେ)
ମୁଁ ଏ ଲୋକଙ୍କୁ ଘୃଣା କରେ । ଏଗୁଡାକ ଡିସଗଷ୍ଟିଙ୍ଗ୍ । ​ ମନ୍ତ୍ରୀ କହିବାକୁ ଯାଇ, କହିପାରିଲେନି -
ଏମାନେ ପ୍ରକୃତରେ ଆପଣଙ୍କୁ ଜମାରୁ ଭଲପାଆନ୍ତିନି । ଏମାନେ ପରା ନାଗରିକ ।