ଊର୍ମିଳା, ନାଟ୍ୟକାର: ରମେଶ ପାଣିଗ୍ରାହୀ

ସମୀକ୍ଷା: ଡ଼କ୍ଟର ନିଖିଲେଶ ମହାନ୍ତ

ଉର୍ମିଳା ବାଲ୍ମିକୀ ରଚିତ ସଂସ୍କୃତ ରାମାୟଣର ଏକ ଅଣୁ ଚରିତ୍ର । ମାତ୍ର ଚାରିଧାଡ଼ି ଲେଖା ହୋଇଛି ଉର୍ମିଳାଙ୍କ ବାବଦରେ । କମ୍ବନ ରାମାୟଣରେ ମଧ୍ୟ ଅତି ଗୌଣ । ନନ୍ନେୟାଙ୍କ ତେଲୁଗୁ ରାମାୟଣରେ ଉର୍ମିଳା ମୁଖ୍ୟ ଚରିତ୍ର । ଦାକ୍ଷିଣାତ୍ୟ ରାମକଥାରେ ଉର୍ମିଳାର ନିଦ୍ରା ଏକ ମୁଖ୍ୟ ପ୍ରସଙ୍ଗ ମାତ୍ର ଓଡ଼ିଆ ସାହିତ୍ୟ କିମ୍ବା ଓଡ଼ିଶା ଜନମାନସରେ ଉର୍ମିଳା ଅବହେଳିତ ତଥା ଅନାଲୋଚିତ ।

ଉର୍ମିଳା ଯେ ପକ୍ଷୀଭାଷା ବିଶାରଦ, କୀଟ ସ୍ନେହୀ, ପକ୍ଷୀ ବୈଦ୍ୟ ଓ ବୀଣାବାଦିକା, ଖଣ୍ଡା ଯୁଦ୍ଧ, ନୃତ୍ୟ, ଅଶ୍ୱଚାଳନା, ତନ୍ତ୍ରବିଦ୍ୟା ପ୍ରବୀଣା ଏକଥା ବେଶି କେହି ଜାଣନ୍ତି ନାହିଁ ।

ଉର୍ମିଳା ମନସ୍ତାତ୍ତ୍ୱିକ ଦିଗରୁ ସଂଯମଶୀଳା, ସ୍ୱାଧିନ ଚେତନାର ଉପୁଜୁଥିବା ରାଜପ୍ରସାଦର ନିୟନ୍ତ୍ରିକା; ମାତୃସେବିକା, ଅଯୋଧ୍ୟାର ପ୍ରଜା ସ୍ନେହୀ ଏକଥା ଭୁଲିଯିବା ଉଚିତ୍ ନୁହେଁ ।

ଏହି ଅବହେଳିତ ଉର୍ମିଳା ଚରିତ୍ରକୁ ନେଇ ନାଟ୍ୟ ଶୈଳୀ ପ୍ରକରଣକାର ରମେଶ ପାଣିଗ୍ରାହୀ ବହୁ ଗବେଷଣାତ୍ମକ ପ୍ରୟାସ ସିଦ୍ଧ ଜ୍ଞାନ ସହଯୋଗେ ଅଣୁ ମିଥିକ୍ ନାଟକଟିଏ ଓଡ଼ିଆ ନାଟ୍ୟଭଣ୍ଡାରକୁ ଭେଟି ଦେଉଛନ୍ତି ।

ସାଂସ୍କୃତିକ ପରଂପରାରୁ ହିଁ ମିଥ୍ ଉତ୍ପନ, ମିଥ୍ ଏକ ସାଂସ୍କୃତିକ ଅଧ୍ୟୟନ, ରୂପକ କିମ୍ବା ଉପମା ଆଳରେ, ଗୋଟିଏ ପ୍ରତୀକ କିମ୍ବା ସାଙ୍କେତିକ ଚିହ୍ନ ଭାବେ ଆମେ ମିଥ୍ ର ବିଦ୍ୟମାନତା ପାଇପାରିବା । କିନ୍ତୁ ଆଧୁନିକ ଜୀବନ ସହ ସଂଯୁକ୍ତ ହେବାବେଳେ ପ୍ରାଚୀନ ଭାବ ସଂକେତ ସାଂପ୍ରତିକ ପୁନଃନିର୍ମାଣରେ ଉଜ୍ବଳ ରୁ ଉଜ୍ବଳତର ହୋଇ ମିଥ୍ ରୂପ ଗ୍ରହଣ କରେ । ସେ ଦୃଷ୍ଟିରୁ ଉର୍ମିଳାର କାବ୍ୟ ଲୀଳା ଓ ନାଟ୍ୟଲୀଳାରେ ପାର୍ଥକ୍ୟ ଅଛି । ଉର୍ମିଳା ଶଦ୍ଦାତୀତ ଦେହର ସଂକେତ, ଆଖିର ସଂକେତ, ପଦଛନ୍ଦର ସଂକେତ । ସମଗ୍ର ଶରୀରର ଛନ୍ଦ ଓ ତଥାକଥିତ ଲାବଣ୍ୟର ସଂକେତ ଭିତରେ ରଂଗମଂଚୀୟ ଭାଷାଟିଏ ଦର୍ଶକ ପାଖକୁ ପ୍ରକ୍ଷେପିତ ହୋଇଥାଏ । ଯାହା ଦର୍ଶକୀୟ ଅନୁଭବକୁ ନାନ୍ଦନିକ ସାନ୍ଦ୍ରତାରେ ଆଚ୍ଛନ୍ନ କରେ ତାହା ଉର୍ମିଳା । ଚଉଦ ବର୍ଷର ତପସ୍ୱିନୀ । ଏକ ବିଭକ୍ତ ଆତ୍ମସତ୍ତା । ମାନବିକତାର ମୃତନଦୀରେ ଜୀବନର ବନ୍ୟା । ଶୋକାକୁଳ ରାଜପ୍ରସାଦର ସ୍ନେହ ସଂଜୀବନୀ । ସମସ୍ତ ଅପ୍ରାପ୍ତି ମାନଙ୍କୁ ଅତିକ୍ରମ କରି ତ୍ୟାଗର ପ୍ରତିବିମ୍ବଟିଏ ।

ଏହି ନାଟକର ଶୈଳୀ ବହୁ ଅଲୌକିକତାରେ ପରିପୂର୍ଣ୍ଣ । ଉର୍ମିଳାଙ୍କ ପ୍ରବୃତ୍ତି, ଦର୍ଶନ, ବ୍ୟକ୍ତିତ୍ୱ ଓ ମାନସିକ ଯୌଗିକ-ତାନ୍ତ୍ରିକ ସନ୍ତୁଳନକୁ ନେଇ ମିଥ୍ କଣିକାଟିଏ ନିର୍ମାଣ କରାଯାଇଛି । ଏଭଳି ପଦ୍ୟଧର୍ମୀ ଓ ଗଦ୍ୟଧର୍ମୀ ଶୈଳୀ ପ୍ରୟୋଗରେ ସିଦ୍ଧହସ୍ତ ନାଟ୍ୟକାର ପାଣିଗ୍ରାହୀ ଚେତନାର ବିଶ୍ୱାସ ପ୍ରୟୋଗ କରିଛନ୍ତି । ନଚେତ୍ ଉର୍ମିଳା ବାଲ୍ମିକୀଙ୍କୁ ପ୍ରଶ୍ନ କରିନଥାନ୍ତା: ଗୋଟିଏ ଅଭିଶପ୍ତା ନାରୀ ପାଇଁ ପୃଷ୍ଠାଟିଏ ଦେବା ପାଇଁ ଆପଣ କଣ ଡ଼ରିଗଲେ ? ଏତେବଡ଼ ମହାକାବ୍ୟରେ ମୋତେ ବିସ୍ମୃତିର ଗର୍ଭକୁ ଠେଲି ଦେଲେ । ମୋର ସବୁ ପ୍ରତିଶୃତିହୀନତାର ଇତିବୃତ୍ତ କଣ ମୁଠାଏ ପାଉଁଶ ? ଚଉଦବର୍ଷର ବିନିଦ୍ରତାର ବିନିମୟରେ ଗୋଟିଏ ବି ପୃଷ୍ଠା ଭାଗ୍ୟରେ ଯୁଟିଲା ନାହିଁ । ଇନ୍ଦ୍ରଜିତ୍ର ବଧ ଲକ୍ଷ୍ମଣର ନା ଉର୍ମିଳାର ? ଏହା ଏକ ପ୍ରଶ୍ନ ହୋଇ ରହିଗଲା । ନିଦ୍ରା ନେବା ପାଇଁ ଉର୍ମିଳା ଛଡ଼ା ସଂସାରରେ କେହିବି ଜଣେ ଯୋଗ୍ୟ ନଥିଲେ ଲକ୍ଷ୍ମଣ ପାଖରେ; ତେବେ ? ତ୍ୟାଗ ଓ ବିନିଦ୍ରତା ପାଇଁ କେରଳ, କର୍ଣ୍ଣାଟକ ରାମାୟଣରେ ଉର୍ମିଳା ଧନ୍ୟା ଓ ବିଖ୍ୟାତ । ନାନ୍ମେୟା ତେଲଗୁ ରାମାୟଣରେ ଉର୍ମିଳାଙ୍କୁ ସୀତାଙ୍କଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ନାଟ୍ୟକାର ପାଣିଗ୍ରାହୀ ଏହି ଅବହେଳିତ ଚରିତ୍ରଟିକୁ ଯଥେଷ୍ଟ ସମ୍ମାନ ଓ ନ୍ୟାୟ ଦେଲେ ନାଟ୍ୟାୟିତ କରି ଜନମାନସରେ ଯୁଗଯୁଗର ବିଶ୍ୱାସ ଓ ଭକ୍ତି ସ୍ରୋତକୁ ଅତୁଟ ରଖିବାକୁ ଯେଉଁ ନୂତନ ପରିକଳ୍ପନା କରିଛନ୍ତି ତାହା ଏକ ବିଶ୍ୱାସନୀୟ ଦାଂଭିକତା ଏହା ପ୍ରମାଣ କଲେ । ମିଥିକ୍ ଚରିତ୍ର ମାନଙ୍କୁ ସହଜ ଓ ସରଳ ଭାଷାରେ ଲେଖିବା ଓ ବିଶ୍ୱାସ ନିକଟବର୍ତ୍ତୀ କରି ସାଂପ୍ରତିକ ଜୀବନର ସେତୁ ଭାବେ ପରିପ୍ରକାଶ କରିବା ଏକ ଆଭାନ୍ତଗ୍ରାଦ ଶୈଳୀ । ଏହି ଶୈଳୀ ଏକ ସର୍ବାଧୁନିକ ନାଟ୍ୟଶୈଳୀ ଭାବେ ପ୍ରଚଳିତ ହେବାବେଳେ ଓଡ଼ିଆ ନାଟ୍ୟ କ୍ଷେତ୍ରରେ ଉର୍ମିଳା ଏହାର ଏକମାତ୍ର ଉଦାହରଣ । ‘କାନୀନ’ କୁ ମିଶାଇଲେ ନବେଟି ନାଟକ ଲେଖିଥିବା ନାଟ୍ୟମଣିଷ ‘ମୁକ୍ତିମଣ୍ଡପଠୁ କାନୀନ’ ଏକ ଚଳମାନ ମିଥ ଭାବେ ଦିଶନ୍ତି । ଉର୍ମିଳା ନାଟକ ପୁରାଣକଳ୍ପର ନାଟକ ଯାହାକି ଆଧୁନିକ ସମୟର ପ୍ରତିନିଧିତ୍ୱ କରୁଥିବା ବେଳେ ସାଂପ୍ରତିକ କାଳଖଣ୍ଡର ରାଜନୈତିକ; ସାମାଜିକ ଓ ମନସ୍ତାତ୍ତ୍ୱିକ ପରିସ୍ଥିତିକୁ ମଧ୍ୟ ପ୍ରତିଫଳିତ କରୁଛି । ପୁନର୍ବାର ତ୍ରେତୟାର ମୂଲ୍ୟବୋଧକୁ ସମୀକ୍ଷା କରିବାର ସମୟ ଆସିଛି । ଯେଉଁ ଚରିତ୍ରଟି ଆଧୁନିକ ଯୁଗରେ ମଧ୍ୟ ବଞ୍ଚି ରହିବ ।

ନିଦ୍ରାଦେବୀଙ୍କ ନିଦ୍ରା ପ୍ରୟୋଗ ଏକ ତାନ୍ତ୍ରିକ ବିଦ୍ୟାର ଲୀଳାଟିଏ । ନାଟ୍ୟକାରଙ୍କ ଉର୍ମିଳା ଚରିତ୍ର ମାଧ୍ୟମରେ ସୁପ୍ତ ଜାଗ୍ରତ ର ଲୀଳା ପ୍ରୟୋଗ ଏକ ସୂକ୍ଷ୍ମ ଅଣୁ ତନ୍ତ୍ରବିଦ୍ୟାର ଉପଯୋଗ; ଯଦ୍ୱାରା ମାନସିକ ଲୀଳାମାନେ ଅମୂର୍ତ୍ତ ହୋଇ କଳ୍ପନାକୁ ଅତିକ୍ରମ କରି ସାମାଜିକ ଅବଲୀଳାକୁ ଓହ୍ଲାଇ ଆସି ଜୀବନର ସତ୍ୟକୁ ଉନ୍ମୋଚିତ କରୁଛନ୍ତି ।