ଫଟୋ- ସୁମିତ୍ରା ପାଢୀ

ହିମାଚଳର କୁଲୁରୁ ମଣ୍ଡି ହୋଇ ପରାଶର ଯିବା ବାଟରେ ଭେଟ ହେଲା କିଛି କୁନି କୁନି ପିଲାଙ୍କ ସହ । ହାତରେ ଲଙ୍ଗଡ଼ି (ପାଣି କଡେ଼ କଡେ଼ ହେଉଥିବା ଛୋଟ ଛୋଟ ବୁଦା ଯାହାକୁ ହିମାଚଳର ଲୋକେ ଆଚାର ପାଇଁ ବ୍ୟବହାର କରନ୍ତି) ଧରି ଠିଆ ହୋଇଥା’ନ୍ତି ସେମାନେ । ବର୍ଷା ମାଡ଼ି ଆସୁଥାଏ । ହାତରେ ସେମାନଙ୍କର ଛତା ବି ନଥାଏ । ପିଲାମାନେ କାଳେ ବର୍ଷାରେ ଓଦା ହେଇଯିବେ ବୋଲି ଆମ ଗାଡ଼ିର ଡ୍ରାଇଭର ଶୁଭମ୍ ସବୁଗୁଡ଼ାକ ଲଙ୍ଗଡ଼ି କିଣିଆଣିଲା । ଏଇ କିଣା-ବିକା ଚାଲିଥିବା ବେଳେ ମୁଁ ଟିକେ କଥା ହୋଇଗଲି ସେ କୁନିକୁନି ପିଲାମାନଙ୍କ ସହ । ସ୍କୁଲ ସାରି ବ୍ୟାଗଟିକୁ ଘରେ ଥୋଇଦେଇ ରାସ୍ତା ବାଟେ ନଆସି ପାହାଡ଼ି ଝରଣାର କୂଳେ କୂଳେ ହୋଇଥିବା ଏଇ ଛୋଟ ଗଛଗୁଡ଼ିକ ଗୋଟେଇ ଏମାନେ ଏମିତି ଚାଲି ଆସନ୍ତି ସବୁଦିନ ଚାରି, ପାଞ୍ଚ କିଲୋମିଟର । ନା କେହି ତାଙ୍କୁ ସାଙ୍ଗ ହେବାକୁ ମନା କରନ୍ତି, ନା ଏକା ଯିବାକୁ ନା ବୁଲିବାକୁ ।

ଜଣେ ଦୂର ସମ୍ପର୍କୀୟା ଛୋଟ ଭଉଣୀର କଥା ମୋର ମନେ ପଡ଼ିଗଲା ଏଇ କଥାରୁ । ତାକୁ ଏବେ ଛଅ ପୁରି ସାତ ଚାଲିଛି । ସକାଳ ସାତରୁ ସେ ବିଦ୍ୟାଳୟକୁ ଯାଏ ଯେ ଫେରେ ଚାରିଟାରେ । ସେଠାରେ ଦୁଇ ଓଳି ପାଠ ପଢେ଼, ଦ୍ୱିପହରେ ଖାଇ ଶୁଏ ଓ ଠିକ୍ ଖେଳ ସମୟ ପୂର୍ବରୁ ଘରକୁ ଫେରେ । ଫେରିଆସି ଟିକେ ସାହିପଡ଼ିଶାକୁ ସାଙ୍ଗମାନଙ୍କ ସହ ଖେଳିବା ଲାଗି ଯିବାକୁ ବାହାରିବା ବେଳକୁ ମାଆ ତା’ର କିଛି ନା କିଛି ବାହାନା କରି ଘରେ ଅଟକାଇ ଦେବାର ଚେଷ୍ଟା କରେ । କିଛି ଉପାୟ ନ ମିଳିଲେ ବି ୱୁଫର୍ ରେ ଓଡ଼ିଆ ଆଲବମ୍ କି ଚଳଚ୍ଚିତ୍ରର ଗୀତ ସବୁ ଲଗାଇ ଦିଏ ଖୁବ୍ ଜୋରରେ । ଗୀତ ଶୁଣିଲେ ସଙ୍ଗୀତ ବିଷୟରେ ଟିକିଏ ବି ଧାରଣା ଥିବା ମଣିଷକୁ ‘ଏତେ ସୁନ୍ଦର ରୁଚିବୋଧ କେଉଁଠୁ ଆସିଲା’ବୋଲି ପଚାରିବାକୁ ଇଚ୍ଛା ହେବ ପରା!

ମୁଁ ଏଇ ଅଳ୍ପଦିନ ତଳେ କେବେ ଥରେ ‘ଏସବୁ କ’ଣ ପାଇଁ ବଜାଉଛ’ ବୋଲି ପଚାରିଥିଲି ଯେ ଉତ୍ତର ମିଳିଲା, ‘କ୍ୟାସେଟ୍ ଗୁଡ଼ାକ ପଡ଼ି ପଡ଼ି ନଷ୍ଟ ହେଉଛି ତ ତେଣୁ ବଜାଇ ଦେଉଛୁ ଆଉ ।’ ଏମିତି ଉତ୍ତରର ପ୍ରତ୍ୟୁତ୍ତର କେମିତି ଦିଆଯିବ ବୁଝିନପାରି ମୁଁ ଚୁପ୍ ରହିଲି । ମୋର ଏହି ଦୂର ସମ୍ପର୍କୀୟଙ୍କ ଘର ଭଦ୍ରକ ଜିଲ୍ଲାର ଏକ ନିପଟ ମଫସଲ ଗାଁରେ । ଗାଁ ସାହିପଡିଶାଙ୍କଠୁ ଅର୍ଥ ରୋଜଗାରରେ ଏମାନେ ଟିକିଏ ଉଚ୍ଚରେ । ତେଣୁ ଅନ୍ୟମାନଙ୍କ ସହ ତାଙ୍କୁ ତୁଳନା କଲେ ରାଗିଯାଆନ୍ତି । ତେଣୁ ମୁଁ ସେମିତି କିଛି କରେନି । ‘ପିଲାଙ୍କୁ କ’ଣ ଟିକେ ଭଲ ମ୍ୟୁଜିକ୍ ଓ ଜୀବନର କଥା ଥିବା ଗୀତ ଶୁଣାଇଲେ ଭଲ ହୁଅନ୍ତାନି’ ବୋଲି କହିଲାରୁ ‘ହେ, ଭଲ ଗୀତର ସବୁ ସ୍ଲୋ ମ୍ୟୁଜିକ୍ ଥିବ, ଭଲ ଲାଗିବନି’ ବୋଲି କହିଲେ । ‘ଗୀତ ନହେଲା ନାହିଁ ପିଲାଙ୍କୁ ଟିକେ ବାଲି, କାଦୁଅ, ପାଣିରେ ଖେଳିବାକୁ ଦିଅ ବୋଲି ବି ଥରେ କହିଲି । ୟା ପାଇଁ ବି ସେମାନଙ୍କ ପାଖେ ଉତ୍ତର ସଜା ହୋଇ ରହିଥିଲା । ‘କାଦୁଅ ହେଲେ ଅପରିଷ୍କାର ହେବେ, ବାରବାର କେତେ ଥର ତାଙ୍କୁ ଧୂଆଧୋଇ କରି ଲୁଗା ବଦଳାଇବି ଯେ ? ତାପରେ କାଦୁଅ ହେଲେ କି ଓଦା ହେଲେ ପିଲାଗୁଡ଼ାଙ୍କୁ ଥଣ୍ଡା ଧରିଯିବ ।’ ଏଥର ମୁଁ ବୁଝିଗଲି ଏମାନଙ୍କ ପାଖେ ମୋ ସବୁ ମତାମତର ଉତ୍ତରଟିଏ ଅଛି । ପ୍ରକୃତରେ ତାଙ୍କର ଧାରଣାଟି ଏଇଆ ଯେ, ‘ଆମର ଏତେ ପଇସାପତ୍ର ଥାଉ ଥାଉ ଆମ ପିଲା ପ୍ଳାଷ୍ଟିକ, ରଙ୍ଗୀନ୍ କ୍ଲେ, ମୋବାଇଲ୍, ଲାପଟପ୍ ରେ ନଖେଳି ବାଲି, କାଦୁଅରେ ଖେଳିବେ କାହିଁକି ଯେ ? ୱୁଫର୍ ରୁ ଗୀତ ନଶୁଣି ତବଲା, ତାନପୁରା କି ବଂଶୀ ବାଦନ ଶୁଣିବେ କାହିଁକି ନା ଧୀର ଶବ୍ଦରେ ଗୀତ ଶୁଣିବେ କାହିଁକି ? ସାହିପଡ଼ିଶା ଲୋକଙ୍କର ଏସବୁ ନାହିଁ ତେଣୁ ଶୁଣାଉଛନ୍ତି ।’

ଏହିସବୁ କାରଣ ଶୁଣିବା ବେଳେ ବମ୍ବେରେ ରହୁଥିବା ମୋର ଜଣେ ସାଙ୍ଗର ଝିଆରି କଥା ମନେପଡ଼ିଗଲା । ତା’ ବାପାଙ୍କର ନିଜସ୍ୱ ବ୍ୟବସାୟ ଅଛି । ମାଆ ଗୋଟିଏ ଏମ୍.ଏନ୍.ସିରେ ଚାକିରି କରିବା ସହ ସମାଜ ସେବାରେ ସମ୍ପୃକ୍ତ । ପଇସା ଯେମିତି ଯଶ ଖ୍ୟାତି ବି ସେମିତି ଅଛି ଉଭୟଙ୍କର । ହେଲେ ତାଙ୍କ ଝିଅ ସବୁବେଳେ ସତୁରୀ, ଅଶୀ ଦଶକର ଗୀତ ନହେଲେ ମିକ୍ସ ଇନଷ୍ଟ୍ରୁମେଣ୍ଟାଲ୍ ସବୁ ଶୁଣେ । ଛୁଟି ମାସରେ ଦଉଡ଼ି ଆସେ ବେଙ୍ଗଲ୍ ର ଗୋଟେ ଅଚିହ୍ନା ଗାଁରେ ଥିବା ତା’ର ମାମୁଁ ଘରକୁ । ଗାଁକୁ ଯାଇ ଶିଖେ ମାଟି ହାଣ୍ଡି ଗଢ଼ା, ନହେଲେ ବାଉଲ୍ ଅବା ବଇଁଶୀ ବଜା, ଶିଖେ ବି କପଡ଼ାର କଣ୍ଢେଇ ତିଆରି । କେବେ ହାତ ସାରା ରଙ୍ଗ ବୋଳିହେଇ ତୁଳୀ ଧରି ଘର କାନ୍ଥରେ ରଙ୍ଗ ଦିଏ ତ, କେବେ ଛାତ ଉପରେ ଭର୍ତ୍ତି ହୋଇଥିବା ଫୁଲକୁଣ୍ଡଗୁଡ଼ିକୁ ମାଟି, ଖତ ଦେଇ ଗଛ ଲଗାଇବାରେ ଆଈକୁ ତା’ର ସାହାଯ୍ୟ କରେ । ଏଇ ଉଦାହରଣଟି କଥା ପ୍ରସଙ୍ଗରେ ଅନେକ ଥର ମୋର ସମ୍ପର୍କୀୟଙ୍କୁ କହିଛି । ତଥାପି ତାଙ୍କୁ ଭେଦେନି କି ବାଧେନି । ଆପଣାର ପିଲାକୁ ଖାନ୍ଦାନୀ ଶୈଳୀରେ ଗଢ଼ିବାକୁ ହେଲେ ଏସବୁ ବାଧକ ହେବ ବୋଲି ସେ ବେଶ୍ ବୁଝିଯାଇଛନ୍ତି । ତେଣୁ ଓଥରାଙ୍କ ଭଳି ସବୁ ଶୁଣି ଅଶୁଣା ରହନ୍ତି ।

ଏହି ସବୁ ଘଟଣା କହିବା ଭିତରେ ମୁଁ ପ୍ରକୃତରେ ଯାହା ପାଇଁ ଭିତରେ ଖୁବ୍ ବ୍ୟସ୍ତ ଅନୁଭବ କରୁଛି ସେ ଅମ୍ଳାନ । ଏଇଥର ଯୁକ୍ତ ଦୁଇ ପରୀକ୍ଷା ଦେଇଛି । ୯.୬ ସି.ଜି.ପି.ଏ ରଖିଛି । ସେ କୁଆଡେ଼ ଏବେ ବାପାମାଆଙ୍କ ଉପରେ ଖୁବ୍ ରାଗୁଛି । ହାତ ଉଠାଇ ମାରୁଛି ମଧ୍ୟ । ଗାଳି ମନ୍ଦ ତ ସବୁଦିନ କରୁଛି । ହେଲେ ଘର ବାହାରେ କେହି କେବେ ତା’ର ଏମିତି ବ୍ୟବହାର ଦେଖିନାହାନ୍ତି । ଓଲଟି ସବୁ ସାଙ୍ଗ-ସାଥି, ବନ୍ଧୁ-ବାନ୍ଧବ ସମସ୍ତଙ୍କ ସହ ତା’ର ଖୁବ୍ ଭଲ ସମ୍ପର୍କ । କେହିବି ବିଶ୍ୱାସ କରନ୍ତିନି ପିଲାଟି ରାଗି କି ଜିଦିଆ ବୋଲି । ସେ ସବୁବେଳେ ହସେ । ସବୁ ପ୍ରକାର କାମକୁ ଆଗ ବାହାରି ପଡେ଼ । ପଢେ଼ ଇଂରାଜୀ ମାଧ୍ୟମ ସ୍କୁଲରେ । ତାଙ୍କ ଶ୍ରେଣୀର ସେ ଲିଡ଼ର । ସ୍କୁଲର ସମସ୍ତ କାର୍ଯ୍ୟକ୍ରମର ସଂଯୋଜକ (କୋ-ଅଡ଼ିନେଟର) ବି । ଭାଷଣ ଦେବାରେ ସବୁବେଳେ ଆଗ । ଅନର୍ଗଳ କହିପାରେ ସେ; ସାମାଜିକ ଅସୁବିଧା ବିଷୟରେ ହେଉ ବା ଦର୍ଶନ ବିଷୟରେ । ଶ୍ରେଣୀରେ ଦିଆଯାଉଥିବା ପ୍ରୋଜେକ୍ଟଗୁଡ଼ିକୁ ନୂଆ ସୃଜନାତ୍ମକ ଢଙ୍ଗରେ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ ବୋଲି ସାଙ୍ଗ ପିଲା ସବୁ ତା’ ପାଖେ ଭିଡ଼ ଜମାନ୍ତି ।ସାହି-ପଡ଼ିଶା ଲୋକେ ବି ଖୁବ୍ ଭଲ ପାଆନ୍ତି ।

ଆଜି କିନ୍ତୁ ସମସ୍ତଙ୍କୁ, ବିଶେଷ କରି ପରିବାର ଲୋକଙ୍କୁ ତା’ ବ୍ୟବହାର ଅତିରିକ୍ତ ମନେହେଉଛି । ସମସ୍ତେ କହୁଛନ୍ତି ସେ କୁଆଡେ଼ ମାନସିକ ଭାବେ ବିକୃତ । ଠିକ୍ ଏଇ ଏକାକଥା କହି ତା’ ସପ୍ତମ ଶ୍ରେଣୀ ବେଳେ ବି ତାକୁ ନେଇଯାଇଥିଲେ ଡାକ୍ତର (ମନୋବିଶେଷଜ୍ଞ)ଙ୍କ ପାଖକୁ । ତା’ର ଦୋଷ କେବଳ ଏତିକି ଯେ, ବାପା ମାଆ ଯେମିତି ଢଙ୍ଗରେ ତାକୁ କାମ କରିବାକୁ ବତାନ୍ତି ସେ ସେମିତି କରିବାକୁ ଭଲ ପାଏନି । ବାଧ୍ୟ କଲେ ପ୍ରତିବାଦ କରେ ।

ସକାଳେ ସଞ୍ଜେ ଠାକୁରଙ୍କୁ ଆଭୂମ ପ୍ରଣାମ କରିବାକୁ କହିଲେ ସେ କରେନି, କିନ୍ତୁ ସକାଳୁ ସକାଳୁ ଫୁଲ ତୋଳି ସୁନ୍ଦର କରି କୁଣ୍ଡରେ ସଜାଇ ଠାକୁରଙ୍କ ପାଖେ ଦିଏ । ଠାକୁର ଘରେ ଥିବା ଫଟୋକୁ ପୋଛି ଘର ଖରକି ଦିଏ । କିନ୍ତୁ ଧୂପ ଦିଏନି । ପଢ଼ିବାବେଳେ ଦୁଇ ଘଣ୍ଟା ଧରି ଗୋଟିଏ ଜାଗାରେ ବସିରହ କହିଲେ ସେ ବସେନି । କୋଡ଼ିଏ ମିନିଟ୍ ରେ ଥରେ ତା’ର ବାହାରେ ବୁଲି ଆସିବା ଦରକାର । ଟ୍ୟୁସନ୍ ହେବାକୁ କହିଲେ ସେ ରାଜି ହୁଏନି । କହେ ‘ମୁଁ ତ ସବୁ ଜାଣିଛି । ଟ୍ୟୁସନ୍ କାହିଁକି ହେବି ?’ ସବୁକଥାରେ ତା’ର ନାହିଁ । ବାପାମାଆଙ୍କ ବାଧ୍ୟବାଧକତାରେ ସେ ଖୁବ୍ ଜଲଦି ପ୍ରତିକ୍ରିୟା ପରାୟଣ ହୋଇଯାଏ ।

ଅଥଚ୍ ତା’ର ଏମିତି ବ୍ୟବହାର କେବେଠୁ ଓ କାହିଁକି ଆରମ୍ଭ ହେଲା ମୁଁ ଜାଣିପାରୁନଥିଲି । ତା’ ବାପା ମାଆ ଓ ଶିକ୍ଷକଙ୍କ ସହ କିଛି ସମୟ କଥା ହେବା ପରେ ମୁଁ କିଛିଟା ଧାରଣା କରିପାରିଲି ।

ପିଲାବେଳୁ ସୁବିଧା ସୁଯୋଗ ସବୁ ପାଇ ଖୁବ୍ ସଉକରେ ବଢ଼ିଛି ଅମ୍ଳାନ । ଅର୍ଥାତ୍ ତା’ର ସମସ୍ତ ଦାବି ଯାହାକୁ ଅର୍ଥଦ୍ୱାରା ପୂରଣ କରାଯାଇପାରେ ତାହା ପୁରା କରାଯାଇଛି । ଦାବି କରିବା ଆଗରୁ ହିଁ ଅନେକ ଜିନିଷ ଦେଇଦିଆଯାଇଛି । ‘ଆମ ଘରଟା ସଫାସୁତୁରା, ଅନ୍ୟମାନଙ୍କ ଘର ଅପରିଷ୍କାର’ କହି ମାଆ ତା’ର ତାକୁ କୁଆଡେ଼ ଯିବାକୁ ଦେଇନାହାନ୍ତି । ‘ଆମେ ଭଲରେ ଚଳୁଛନ୍ତି, ସେମାନଙ୍କର ମଳିମୁଣ୍ଡିଆ ଘର, କଥା କହି ଶିଖିନାହାନ୍ତି’ କହି କାହା ସହ ମିଶିବାକୁ ଦେଇ ନାହାନ୍ତି । ମୋ ପୁଅ ଇଂରାଜୀ ମାଧ୍ୟମରେ ପଢ଼ୁଛି, ସେ ଓଡ଼ିଆ ମାଧ୍ୟମ ପିଲାଙ୍କ ସହ ଖେଳିଲେ ପାଠ ଭୁଲି ଯିବ’ କହି କାହା ସହ ସାଙ୍ଗ ହେବାକୁ କି ଖେଳିବାକୁ ଛାଡ଼ି ନାହାନ୍ତି । ଓଡ଼ିଆ ମାଧ୍ୟମରେ ପଢ଼ିଲେ ପିଲା ମୂର୍ଖ ହୋଇଯିବ କହି ପାଖରେ ଥିବା ସ୍କୁଲକୁ ଛାଡ଼ି ନାହାନ୍ତି । ବୋଡ଼ିଂରେ ରହିଲେ ପିଲା ଯେତେବେଳେ ଯାହା ଚାହିଁବ ଖାଇ ପାରିବନି କହି ସେଠାରେ ବି ଛାଡ଼ି ନାହାନ୍ତି । ସବୁକଥା ତାକୁ ଖୁବ୍ ସହଜରେ ମିଳି ଯାଇଛି; ଏମିତିକି ସପ୍ତମ ଶ୍ରେଣୀରୁ ମୋବାଇଲ ଆଉ ଅଷ୍ଟମ ଶ୍ରେଣୀରୁ ବଡ଼ ଏଲ୍.ଇ.ଡ଼ି ଟିଭି ସହ ଡିସ୍ ଆଣ୍ଟିନା । ଏମିତି କୌଣସି ସିରିଏଲ୍ କୌଣସି ଚ୍ୟାନେଲରେ ଦିଏନି ଯାହା ସେ ଦେଖେନି । ସନ୍ଧ୍ୟା ଛଅରୁ ରାତି ଏଗାର ଯାଏ ସେ କେବଳ ସିରିଏଲ ଦେଖେ । ପିଲାଟେ ଦେଖୁଥାଉ ବୋଲି ଆରମ୍ଭରେ ସମସ୍ତଙ୍କ ପରି ବାପାମାଆ ତା’ର କିଛି କହୁନଥିଲେ, ପରେ ଅଭ୍ୟାସରେ ପଡ଼ିଯିବା ପରେ ମନାକଲାରୁ ଓ ପଇସା ନପକାଇବାରୁ ପ୍ରତିବାଦ କଲା ସେ । ଧମକାଇଲା ବି । ସେତେବେଳକୁ ସେ ଟିଭି ପରଦାର ଅନେକ ଚରିତ୍ର ସହ ନିଜକୁ ମିଶେଇ ଦେଇଥାଏ । ତେଣୁ ତାଙ୍କରି ପରି ବ୍ୟବହାର କରେ । ମନୋବିଶେଷଜ୍ଞ ଦିନକୁ ପ୍ରାୟ ଆଠ, ଦଶଟା ଲେଖାଏଁ ମେଡ଼ିସିନ ଖାଇବାକୁ ଦେଇଥିଲେ ଆରମ୍ଭରେ । ସେଗୁଡ଼ା ଖାଇ ଖାଇ ଛଅ ମାସ ଖଣ୍ଡେ ସେ ନିସ୍ତେଜ ବି ହୋଇ ପଡ଼ିଛି । ତେଣୁ ମେଡ଼ିସିନ୍ ଖାଇବା ବନ୍ଦ କରି ପୁଣି ଥରେ ଦ୍ୱିଗୁଣ ସାମର୍ଥ୍ୟ ନେଇ ହୋଇଉଠିଛି ଉଗ୍ର । ତା’ ଭିତରେ ପ୍ରତିଶୋଧ ପରାୟଣତାର ଗୁଣ ଆହୁରି ବଢ଼ି ଯାଇଛି । ମୁଁ ତା’ ସହ ଏଥର କଥା ହେବା ବେଳେ ଏମିତି ବ୍ୟବହାର କାହିଁକି କରୁଛୁ ପଚାରିଲାରୁ କହିଲା, ‘ମୁଁ ତ ପିଲାବେଳଠୁ ମାନସିକ ରୋଗୀ' । ମୁଁ ସାଙ୍ଗେ ସାଙ୍ଗେ ଏକଥା କିଏ କହିଲା ପଚାରିଲାରୁ, ‘ସପ୍ତମ ଶ୍ରେଣୀଠୁ ପରା ସାଇକିଆଟ୍ରିଷ୍ଟ ପାଖକୁ ନେଇ ଔଷଧ ଖାଇବାକୁ ଦେଉଥିଲେ । ମୁଁ କ’ଣ ପଢ଼ି ଶିଖିନି ନା କେଉଁମାନଙ୍କୁ ଏଭଳି ଡାକ୍ତରଙ୍କ ପାଖକୁ ନିଆଯାଏ ଜାଣିନି । ଡାକ୍ତରଙ୍କ ଦୁଆର ମୁହଁରେ ତ ଲେଖାଥିଲା ତାଙ୍କ ଉପାଧି । ମୁଁ ପଢ଼ିଥିଲି’ ବୋଲି ଉତ୍ତର ଦେଲା । କହିଲା ‘ମୁଁ ଯଦି ମାନସିକ ରୋଗୀ, ମୋର ଯଦି ମୁଣ୍ଡ ଖରାପ, ତେବେ ମୁଁ ଭଲ ମଣିଷଙ୍କ ପରି ବ୍ୟବହାର କେମିତି କରିବି’ । ତା’ର ଅସଲ କଷ୍ଟଟି ଏଇଟି ହିଁ ଗଣ୍ଠି ପଡ଼ି ଅଟକିଛି ବୋଲି ଏଥର ବୁଝିଲି । ସେଇଥିପାଇଁ ହିଁ ପ୍ରତି ମୁହୂର୍ତ୍ତରେ ସେ ଏଇ କଥାଟିକୁ ପ୍ରମାଣ କରି ଦେଖାଇ ଦେବାକୁ ଚାହିଁଛି ଏତେ ବର୍ଷ ଧରି ।

ଘରର ଏକୁଟିଆ ପିଲା ହିସାବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିବାରୁ ବାପାମାଆଙ୍କର ଉଚ୍ଚାକାଂକ୍ଷାରୁ ଆହୁରି ଅନେକ ଅସୁବିଧା ସାମ୍ନା କରିବାକୁ ହୋଇଛି ଅମ୍ଳାନକୁ । ଏଇ ଯେମିତି; ଭାଇ ଭଉଣୀ ନଥିବାରୁ ଏକୁଟିଆ ହୋଇଯିବାର ଅନୁଭବ । ଅନ୍ୟମାନଙ୍କ ସହ ସାଙ୍ଗ ହୋଇ କି ମେଳ ଭିତରେ ନିଜ କଥାକୁ କହିବା ବା ଅନ୍ୟକୁ ଶୁଣିବାର ଅବସର କେବେ ମିଳିନି । ବାପା ମାଆ ବି କେବେ ଅନ୍ୟମାନଙ୍କ ସହ ମିଶିବାର ସୁଯୋଗ ଦେଇ ନାହାନ୍ତି । ପୁଅର ସବୁ କାମଗୁଡ଼ିକ ନିଜ ଧାରଣା ଅନୁସାରେ ହେଉ ବୋଲି ବାରମ୍ବାର ହସ୍ତକ୍ଷେପ କରିଛନ୍ତି । ସଠିକତା ମଧ୍ୟ ଦାବି କରିଛନ୍ତି ପ୍ରତ୍ୟେକ କାମରୁ । ତା’ର ବସ୍ତୁଗତ ଆବଶ୍ୟକତାକୁ ସିନା ପୂରଣ କରାଯାଇଛି କିନ୍ତୁ ଭାବଗତ କ୍ଷେତ୍ରରେ ସେ ସେମିତି ଏକା ହୋଇ ରହିଯାଇଛି ।

ଓଡିଶାରେ କାଉନସିଲିଙ୍ଗ୍ ହେଉନି କହିଲେ ଚଳେ । କାରଣ ଆମ ଡାକ୍ତରମାନଙ୍କର ଔଷଧ ଦେବାର ଓ ବାପାମାଆଙ୍କର ଔଷଧ ଖୁଆଇବାର ପ୍ରବଣତା ବି ଖୁବ୍ ଅଧିକ । ମୁଁ ତେଣୁ ଏମିତି କ୍ଷେତ୍ରରେ କାଉନସିଲିଙ୍ଗ୍ ଆରମ୍ଭ କରିବାରେ ଆଦୌ ଡେରି କରେନି । ମୋର କିଛି ଦିନର ପ୍ରଚେଷ୍ଟା ପରେ ସେ ଯଦିଓ କିଛି ଶୁଣିବାର ସ୍ଥିତିକୁ ଆସିଛି କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସ୍ଥିତିରେ ଏଯାଏଁ ପହଞ୍ଚିନି । ମୋର ସେଇ ଭଉଣୀଟି କ୍ଷେତ୍ରରେ ବି ଠିକ୍ ଏମିତି ଅସୁବିଧା, ହୁଏତ ଟିକେ ଅଲଗା ଢଙ୍ଗରେ ହେବ ବୋଲି ମୁଁ ଜାଣିଛି । ସେଥିପାଇଁ ବାରମ୍ବାର ଚେତେଇ ଦେବା ପରେ ବି ବାପା ମାଆ ଶୁଣନ୍ତିନି । ଆମେ ସଂସ୍କାର ଦେଉଛୁ, ତେଣୁ ସେମାନେ କିିଛି ଭୁଲ୍ କରିବେନି କହି ନିଜ ଇଚ୍ଛା, ଧାରଣା ଓ ଜୀବନଶୈଳୀକୁ ପିଲାଙ୍କ ଉପରେ ଲଦି ଚାଲନ୍ତି । କିନ୍ତୁ କେତେଦିନ ଆଉ ଏମିତି ଚାଲିବ ? କେବେ ଆଉ ପିଲାଟିକୁ ତା’ ସମ୍ଭାବନା ସହିତ ଯୋଡ଼ି ଦେଖିବା ? ତାକୁ ତା’ ଜୀବନର ନିଜସ୍ୱ ଧାରାଟିଏ ତିଆରି କରିବାର ସୁଯୋଗ ଦେବା ?