ଚିତ୍ର: ଉଇକିପିଡ଼ିଆ

ଆଜିର କାହାଣୀ ଖଣ୍ଡିଏ ବିସ୍କୁଟକୁ ନେଇ । ସେଇ ବିସ୍କୁଟ ଖଣ୍ଡିକ ହେଉଛି ବର୍ତ୍ତମାନ ସମୟରେ କହିବାକୁ ଗଲେ ପୃଥିବୀର ସବୁଠାରୁ ଦାମିକା ବିସ୍କୁଟ ।

ଏହା ସ୍ପିଲର୍ସ ଏବଂ ବେକର୍ସ କଂପାନୀର ଏକ ଉତ୍ପାଦ ଯାହାର ନାଆଁ ହେଉଛି "ପାଇଲଟ" ବିସ୍କୁଟ ।

ଏହି ବିଶେଷ ବିସ୍କୁଟ ଖଣ୍ଡିକ ନିକଟରେ ଅବିଶ୍ୱାସକର ଭାବରେ ଗୋଟିଏ ନିଲାମରେ ପନ୍ଦର ହଜାର ପାଉଣ୍ଡ ମୂଲ୍ୟ ରେ ବିକ୍ରି ହୋଇଯାଇଛି ।

ସାଧାରଣ ଖଣ୍ଡିଏ ବିସ୍କୁଟ ଏଇଭଳି ଅବିଶ୍ୱାସକର ମୂଲ୍ୟରେ କିଣିବାର ନିର୍ବୋଧପଣ ଏମିତି କେହି କରିବ ନାହିଁ ସେ ଯେତେ ବିତ୍ତବାନ ହେଉ ପଛକେ । ତେଣୁ ଏହା ପଛରେ ନିଶ୍ଚିତ ଭାବରେ କୌଣସି ଏକ ଐତିହାସିକ ମୂଲ୍ୟାଙ୍କ ରହିଥିବା କଥା ସର୍ବପ୍ରଥମ ଭାବରେ ଆମର ମନକୁ ଆସିବ । ଏଇ ବିସ୍କୁଟ ଖଣ୍ଡିକ ପଛରେ କୌଣସି ଐତିହାସିକ ନାୟକ ର ସଂପୃକ୍ତି ନାହିଁ ବା ଏହା ଏମିତି କୌଣସି ପ୍ରାକକାଳର ଏକ ବିଶେଷ ବିସ୍ମୟକର ଉପାଦାନ ନୁହଁ । ଏଇଠି ପ୍ରସଂଗକ୍ରମେ ଇତିହାସ ତତ୍ତ୍ୱ ର ଏକ ବିଚାରକୁ ରଖିବାକୁ ଚାହିଁବି । ସାଧାରଣତଃ ଆମେ ଇତିହାସ ଗବେଷଣାରେ ଯେଉଁ ଉପାଦାନ ମାନଙ୍କୁ ବିଚାର ପାଇଁ ଗ୍ରହଣ କରିଥାଉ ତାହାକୁ ଦୁଇ ପ୍ରକାରରେ ବର୍ଗୀକରଣ କରାଯାଏ । ଧରାଯାଉ ଆମେ ଗୋଟିଏ ପଥରମୂର୍ତ୍ତି ପାଇଲୁ ଆଉ ଆମେ ତାହାର ଇତିହାସ ଚର୍ଚ୍ଚାରେ ପ୍ରବୃତ୍ତ ହେବାପାଇଁ ନିଶ୍ଚୟ କଲୁ । ସେଇଠି ସେତେବେଳେ ଦେଖିବା ଯେ ସେଇ ପଥର ମୂର୍ତ୍ତି ସହିତ ତାହାର ଇତିହାସଟି ଦୁଇଟି ପ୍ରକାରରେ ଜଡିତ ହୋଇଛି, ଗୋଟିଏ ପ୍ରକାର ହେଉଛି, ସେଇ ପଥର ମୂର୍ତ୍ତି ସହିତ ଇତିହାସ ଏକ "ତଥ୍ୟ" ବା "ଫାକ୍ଟ" ଆକାରରେ ଜଡିତ ଏବଂ ଅନ୍ୟଟି ହେଉଛି ଇତିହାସ ଏକ "ଘଟଣା" ବା "ଇଭେଣ୍ଟ" ଆକାରରେ ଜଡିତ । ଇତିହାସ ଗବେଷଣାରେ ଆମେ ପ୍ରାଥମିକ ଉପାଦାନ ମାନଙ୍କୁ ଏଇଭଳି ସେମାନଙ୍କ ଭିତରେ ସଂଗୁପ୍ତ ଥିବା "ଫାକ୍ଟ" ଇତିହାସ ଆଉ "ଇଭେଣ୍ଟ" ଇତିହାସ ଆଧାରରେ ଭାଗ କରି ଗବେଷଣାର ପରବର୍ତ୍ତି ପାହାଚକୁ ଯାଇଥାଉ । ଉଦାହାରଣ ସ୍ୱରୂପ ସେଇ ପଥରମୂର୍ତ୍ତି କଥା କହିଲେ ତାହାର "ଫାକ୍ଟ" ଇତିହାସ ହେଉଛି ତାହାର ଉପସ୍ଥିତ ଇନ୍ଦ୍ରୀୟଗ୍ରାହୀ ଏକ ଆକଳନ ଅର୍ଥାତ୍ ପଥରମୂର୍ତ୍ତୀକୁ ଦେଖି ତାହାର ପ୍ରାଥମିକ ସରଜମିନ ତଦନ୍ତ କରି ଆମକୁ କ'ଣ ମିଳିଲା ସେକଥା । ତାହାର କାରୁକାର୍ଯ୍ୟ କ'ଣ ଆମକୁ କୌଣସି ସିଦ୍ଧାନ୍ତ ପ୍ରାଥମିକ ଭାବରେ ଦେଉଛି କି ସେକଥା । ତାହାପରେ ତାହାର "ଇଭେଣ୍ଟ"ଇତିହାସ କଥା ଆସିବ । ସେଇଠୁ ଆମେ ସେଇ ପଥରମୂର୍ତ୍ତିର ଭିତରକୁ ପ୍ରବେଶ କରିବା ଯେଉଁଠି ଇତିହାସ ଏକ ଘଟଣା ହୋଇ ଲୁଚିରହିଛି । ଯଦି ସେହି ଲୁଚି ବସିଥିବା ଘଟଣାକୁ ଆମେ ସଠିକ ଭାବରେ ଖୋଜି ପାଇଗଲୁ ତେବେ ଯାଇ ଆମର ଇତିହାସ ସଠିକ ମୋଡ ରେ ପହଞ୍ଚିବ, ନହେଲେ ଇତିହାସ ମିଛ କାହାଣୀର ଗୋଲକଧଂଦାରେ ଘୁରିବୁଲୁଥିବ । ତେଣୁ ଆମର ସବୁବେଳେ କୌଣସି ବସ୍ତୁର ତଥ୍ୟ" ଇତିହାସ ଅପେକ୍ଷା "ଘଟଣା" ଇତିହାସ ରେ ଅଧିକ ଧ୍ୟାନ ରହିଥାଏ ।

ଏଠାରେ ସ୍ପିଲର୍ସ ଏବଂ ବେକର୍ସ କମ୍ପାନୀର ଯେଉଁ "ପାଇଲଟ୍" ବିସ୍କୁଟ୍ ର କଥା କୁହାଯାଇଛି ତାହା ତଥ୍ୟ ଦୃଷ୍ଟିରୁ ୧୯୧୨ ମସିହାରେ ପ୍ରସ୍ତୁତ ହୋଇଥିବା ଏକ ବିସ୍କୁଟ । ସେଇଟି ଆଦୌ ବଡକଥା ନୁହଁ । ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶଟି ହେଉଛି ଏହା ପଛରେ ରହିଥିବା "ଘଟଣା "ଇତିହାସ ବା ଯେଉଁ ରୋମାଞ୍ଚକର ଘଟଣାଟି ଜଡିତ ରହିଛି ତାହାର ଐତିହାସିକ ମୂଲ୍ୟ ଏବେ ଅନେକ । ସେଦୃଷ୍ଟିରୁ କହିଲେ, ଏଇ ବିସ୍କୁଟ ଖଣ୍ଡିକ ଏକ ଐତିହାସିକ ଦୁର୍ଘଟଣାର ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ । ୧୯୧୨ ମସିହା ଏପ୍ରିଲ୍ ମାସର ପନ୍ଦର ତାରିଖରେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ନୌକାଡୁବି ଘଟଣା ଘଟିଥିଲା । ଏଇ ଦୁର୍ଘଟଣାର ଶିକାର ହୋଇଥିଲା ସେ ସମୟର ସବୁଠାରୁ ବ୍ୟୟବହୁଳ, ସବୁଠାରୁ ବିଳାସପୂର୍ଣ୍ଣ ଓ ସେ ସମୟରେ ସବୁଠାରୁ ସୁରକ୍ଷିତ ବୋଲି ବିଚାର କରାଯାଉଥିବା ଆର୍ ଏମ୍ ଏସ୍ ଟାଇଟାନିକ ବୋଲି ଏକ ଜାହାଜ । ଇତିହାସର ଏଇ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ପନ୍ଦରଶହ ରୁ ଅଧିକ ବ୍ୟକ୍ତିଙ୍କର ଅକାଳରେ ସଲିଳ ସମାଧି ଘଟିଥିଲା ।

ଟାଇଟାନିକ୍ ଦୁର୍ଘଟଣାର ସମ୍ମୁଖୀନ ହେବା ଖବର ପାଇବା ପରେ ସହାୟତା କରିବା ପାଇଁ ଏସ୍ ଏସ୍ କାର୍ପାଥିଆ ବୋଲି ଆଉ ଗୋଟିଏ ଜାହାଜ ଦୁର୍ଘଟଣା ସ୍ଥଳକୁ ଯାଇଥିଲା । ସେହି ଉଦ୍ଧାରକାରୀ ଜାହାଜର ଜଣେ ସଦସ୍ୟ ଜେମସ୍ ଫେନୱିକ୍ ଏହି ବିସ୍କୁଟ ଖଣ୍ଡିକ ପାଇଥିଲେ । କ୍ୟାମେରାରେ ଫଟୋ ଉଠାଇ ସାରିଲା ପରେ ନେଗେଟିଭ୍ ସବୁକୁ ଯେଉଁ ଖାମରେ ଭର୍ତ୍ତିକରି ରଖାଯାଇଥାଏ ସେଇଭଳି ଗୋଟିଏ କୋଡାକ୍ ଖାମ୍ ରେ ଜେମସ୍ ଫେନୱିକ୍ ଦୁର୍ଘଟଣା ସ୍ଥଳରୁ ପାଇଥିବା ଏଇ ବିସ୍କୁଟ ଖଣ୍ଡିକ ସହ ନିଜ ମନ୍ତବ୍ୟକୁ ଆଉ ଖଣ୍ଡିଏ ଚିରକୁଟ୍ ରେ ଲେଖି ଏକାଠି ରଖି ଦେଇଥିଲେ । ଜେମସ୍ ଫେନୱିକ୍ ଙ୍କ ମନ୍ତବ୍ୟ ଟି ଏହିପରି ଥିଲା, "ଏପ୍ରିଲ୍ ୧୯୧୨ ଟାଇଟାନିକ୍ ଲାଇଫ ବୋଟ୍ ରୁ ଖଣ୍ଡିଏ "ପାଇଲଟ୍" ବିସ୍କୁଟ୍ "।

ପ୍ରତ୍ୟେକ ଦୁର୍ଘଟଣାର ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ ଏକ ବିଚିତ୍ର ଆକର୍ଷଣ ରହିଛି । ଆମେ ଦୁର୍ଘଟଣାଗ୍ରସ୍ତ ହୋଇନାହୁଁ ବୋଲି ଆମ ପାଖରେ କୌଣସି ଅନୁଭବର ଭୟାବହତାର ଚିହ୍ନବର୍ଣ୍ଣ ନଥାଏ । ନିଖୁଣ ରହିଚୁ ବୋଲି ଆମେ ଆମର ସୁଆଦିଆ ଜୀବନକୁ ସେହି ବାହାର ଦୁର୍ଘଟଣାଟିରେ ଟିକି ନିଖି ଦେଖି ପରଖି ଉପଭୋଗ କରୁଥାଉ । ଏଇ ଭଳି ଉପଭୋଗ ହେଉଛି ଆମର ସାଧାରଣ ଜୀବନର ଏକ ଜଟିଳ ବିରୋଧାଭାସ । ଆମେ ଦୁର୍ଘଟଣାକୁ ପସନ୍ଦ କରୁନା, ମାତ୍ର ଦୁର୍ଘଟଣାର ଖବରକୁ ଟିକିନିଖି ପଢୁ । ଯଦି ଆମକୁ କିଏ କୌଣସି ଭୟାବହ ଘଟଣାର କଥା କହେ, ତାହାର ଡିଟେଲିଂ ଟି ନ ଜାଣିବା ଯାଏଁ ଆମର ତର ସହେନାହିଁ । ସେହି ଭୟାବହତାକୁ ଆମେ ଯେତେ ବିସ୍ତାରରେ ଜାଣିବା ଆମେ ଆମର ସୁରକ୍ଷିତ ଜୀବନକୁ ନେଇ ସେତେ ଆଶ୍ୱସ୍ତ ହେବାର ଆନନ୍ଦକୁ ଉପଭୋଗ କରିବା । ଏହା ହେଉଛି ସମସାମୟିକ ଅସ୍ତିତ୍ୱବାଦୀ ନାଗରିକର ଏକ ବିଶେଷ ପରିଚୟ ।

ସେଇଥିପାଇଁ ଏମିତିରେ ବିଚାର କଲେ ପ୍ରତ୍ୟେକ ଦୁର୍ଘଟଣା ଆମ ମାନଙ୍କ ଜୀବନରେ କୌଣସି କାହାଣୀର, ଅଘଟଣ ଭଳି ଘଟଣା କ୍ରମର, କେତେ ପରିମାଣର ଗଭୀର ସଂଯୁକ୍ତି ରହିଛି ତାହାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ । ଆମ ବାହାରେ ଯେ କୌଣସି ଦୁର୍ଘଟଣା ଘଟିଲେ ପ୍ରଥମେ ଆମର ଆବଶ୍ଯକ ହୋଇଥାଏ ସେହି ମହାର୍ଘ କାରଣଟି ଯେଉଁଥିପାଇଁ ଏହି ଦୁର୍ଘଟଣା ଟି ଘଟିଗଲା । ଦୁର୍ଘଟଣାର କାରଣଟି ମିଳିଗଲେ ଆମେ ସଂତୁଷ୍ଟ । ଭୟାବହତା ପର କଥା ।

ଏହାର କାରଣ ଖୋଜିବା ଭଳି କଥାଟି ହେଉଛି ଆମର କାହାଣୀର ସ୍ୱରୂପ । କାହାଣୀର ସଂବେଦନା ଆଉ ଆମ ଜୀବନରେ କାହାଣୀର ଉପଯୋଗୀତା ।

ଚରିତ୍ରର ମୁଣ୍ଡ ଉପରେ ସମସ୍ୟାର କୁମ୍ଭାରଚକଟିଏ କୁ ଅତି ସୁନ୍ଦର ଭାବରେ ଘିରିଘିରି କରି ଘୁରୁଥିବାର ଆକର୍ଷଣ ତିଆରି କରି ଥୋଇ ରାଜରାସ୍ତାରେ ତାହାକୁ ଛାଡିଦିଏ ଆମର କଥାକାର । ତାହାଠାରୁ ନିରାପଦ ଦୂରତ୍ବ ରେ ଚାଲିଥାଏ ସେ ନିଜେ । ତାହାର ମୁଣ୍ଡରେ ରହିଛି ଗୋଟିଏ କ୍ୟାମେରା । ଯାହା କିଛି ଅଭିଲା ଦେଖିବ ଡେରି କରିବ ନାହିଁ, ତତକ୍ଷଣାତ୍ ବାଂଧି ପକେଇବ ସେଇ କ୍ୟାମେରାରେ । ଆମର କଥାକାରର ସେଇ କ୍ୟାମେରା ଟି ଆଦ୍ୟନ୍ତ "ହ୍ୱାଇ" ରେ ତିଆରି ।

ଟାଇଟାନିକ୍ ର ଭୟାବହତା ଅନେକ ବହି ଆଉ ଚଳଚ୍ଚିତ୍ରକୁ ଜନ୍ମ ଦେଇଛି । ଏହି ଭୟାବହ କାହାଣୀ ସବୁ ଆମର ବି ଖୁବ୍ ପସନ୍ଦ । ଐତିହାସିକ ଦୁର୍ବିପାକ କୁ ଅତିକ୍ରମ କରି ନିଜ ସ୍ଥିତି ଏବେବି ସାବ୍ଯସ୍ତ କରୁଥିବା ଏଇ "ପାଇଲଟ୍" ବିସ୍କୁଟ ଖଣ୍ଡିକ ବି ତାହାର ଗୋଟିଏ ଉଲ୍ଲେଖଯୋଗ୍ଯ ପୃଷ୍ଟା ।

ସବୁ ଯୁକ୍ତିର ପ୍ରତିଯୁକ୍ତି ଅଛି । ସବୁ ବିଚାରର ଆଣ୍ଟିଥେସିସ୍ ଯେମିତି । ଅନେକ ସମୟରେ ଲାଗେ ମଣିଷ ର ସାଦୃଶ୍ୟ ରହିଛି କେବଳ ଗୋଟିଏ ଭୂତ ସହିତ । କାରଣ ମଣିଷ ଓ ଭୂତ ଉଭୟଙ୍କୁ ଗୋଟିଏ ମେସିନ୍ ରେ ଭର୍ତ୍ତି କରିବା ସଂଭବ ନୁହଁ ।

ତେଣୁ ଏ ସାମାନ୍ୟ ବିସ୍କୁଟ ଖଣ୍ଡିକରୁ କାହାଣୀ କେତେ ଭୟାବହତା କେତେ ଆଉ ତାହାର ଆଜି ଉପଭୋଗ୍ୟତା କେତେ ରହିଛି, ସେ ବିଚାର ଆପଣମାନଙ୍କର ।