ଚିତ୍ର: ୱିକି କମନ୍ସ

ଓଡିଆ ସାହିତ୍ୟ ଓ ସୋସିଆଲ ମିଡିଆର ସମ୍ପର୍କ ବିଷୟରେ କିଛି କହିବା ଆଗରୁ ମୁଁ ଗୋଟେ ବହି ଏବଂ ସିନେମା ଉପରେ କିଛି କହିବାକୁ ଚାହୁଁଛି । ବହିଟିର ଶୀର୍ଷକ ହେଉଛି “ଟେନ ଆର୍ଗ୍ୟୁମେଣ୍ଟସ ଫର ଡ଼ିଲିଟିଙ୍ଗ ୟୋର ସୋସିଆଲ ମିଡିଆ ଏକାଉଣ୍ଟ ରାଇଟ ନାଓ” । ଆପଣ ନିଜ ସୋସିଆଲ ମିଡିଆ ବନ୍ଦ କରିବା ସପକ୍ଷରେ ଦଶଟି ଯୁକ୍ତି । ବହିର ଲେଖକ ଜାରନ ଲେନିଅର । ସମକାଳୀନ ପୃଥିବୀରେ ଲେନିଅରଙ୍କୁ ଜଣେ ଡିଜିଟାଲ ଦାର୍ଶନିକ ବୋଲି କୁହାଯାଉଛି । ଇଣ୍ଟରନେଟ ଆସିବା ପରେ ମଣିଷର ମନସ୍ତାତ୍ତ୍ଵିକ ଏବଂ ସାମାଜିକ ଜୀବନ କେମିତି ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି ସେ ବିଷୟରେ ଲେନିଅର ଆମକୁ ସତର୍କ କରାଇ ଦେଇଛନ୍ତି । ଲେନିଅରଙ୍କ ମତ ସହିତ ଆହୁରି କିଛି ସୋସିଆଲ ମିଡିଆ ନେତୃତ୍ବଙ୍କ ମତାମତକୁ ଏକାଠି କରି ଗୋଟେ ପ୍ରାମାଣିକ ସିନେମା ଆସିଛି ଯା’ର ନାଁ ହେଉଛି “ସୋସିଆଲ ଡିଲେମା”। ସୋସିଆଲ ମିଡିଆ ମାଧ୍ୟମରେ ଆମେ ଏକ ଦ୍ରୁତଗାମୀ ମନସ୍ତାତ୍ତ୍ଵିକ ଗୋଲାମିର ଶିକାର ହେବାର ଚିତ୍ର ଏହି ସିନେମାରେ ଆପଣ ପାଇବେ । କେତୋଟି ସୁପର କମ୍ପ୍ୟୁଟର ଓ ଧନୀଲୋକ, ପୃଥିବୀର ୫୦୦ କୋଟି ଲୋକଙ୍କ ମନ ଓ ମସ୍ତିସ୍କକୁ ନିୟନ୍ତ୍ରଣ କରୁଥିବାର ଭୟଙ୍କର ବାସ୍ତବତା ବିଷୟରେ ଏ ବହି ଓ ସିନେମା ଆମକୁ ସତର୍କ କରାଇ ଦେଇଛନ୍ତି ।

ମୁଁ ଯଦିଓ ଜାରନ ଲେନିଅରଙ୍କ କଥା ମାନି ମୋ ସୋସିଆଲ ମିଡିଆ ଆକାଉଣ୍ଟ୍କୁ ବନ୍ଦ କରିନାହିଁ, ତଥାପି ସୋସିଆଲ ମିଡିଆକୁ ଚିହ୍ନିବା ଓ ଜାଣିବା ଲାଗି ଗୋଟେ ସଚେତନ ଚେଷ୍ଟା ମୋ ଭିତରେ ଅଛି । ମୋର ଇଚ୍ଛା ହେଉଛି, ଏ ବହି ଓ ସିନେମାଟିକୁ ପ୍ରଥମେ ମୁଁ ଓଡିଆ ସାହିତ୍ୟର ସବୁ କବି ଓ ଲେଖକଙ୍କ ପାଖରେ ପହଞ୍ଚାଇ ଦିଅନ୍ତି । ସୋସିଆଲ ମିଡିଆ ଜରିଆରେ ଓଡିଆ ସାହିତ୍ୟକୁ କେହିଜଣେ କୁକୁଡା ଲଢେଇର କ୍ଷେତ୍ର କରିଦେଇଛି ଆଉ ସେ ଜଣକ କିଏ, ସେ କଥା କାହାକୁ ମାଲୁମ ନାହିଁ । ଆମେ ରୋଜ ଫେସବୁକ୍ ବା ଟ୍ୱିଟରରେ ଲଢେଇ କରୁଛୁ । ରାମ୍ପୁଡି କାମୁଡି ଆମେ ନିଜେ ନିଜକୁ ରକ୍ତାକ୍ତ କରୁଛୁ । ଅଶାଳୀନ ଓ ଅଶ୍ରାବ୍ୟ ହେବା ଆମର ଲେଖକୀୟ ଧର୍ମ ବୋଲି ଆମେ ମାନି ନେଇଛୁ । ଓଡିଆ ସାହିତ୍ୟ ପାଇଁ ସୋସିଆଲ ମିଡିଆ କ୍ରମଶଃ ଏକ ଅଭିଶାପ ପାଲଟି ଯାଉଛି ।

ଏଠି ସମ୍ପର୍କ ତିଆରି ହେଉଛି କମ, ଭାଙ୍ଗୁଛି ବେଶୀ । ସର୍ଜନା ତୁଳନାରେ କୁତ୍ସା ଓ କଳଙ୍କର ପ୍ରଭାବ ବହୁତ ବେଶୀ । ସମାଲୋଚନା ଏବେ ଗାଳି ଫଜିତ ର ସ୍ତରକୁ ଖସି ଆସିଛି । ୨୦୦୫-୦୬ ବେଳକୁ ଯେତେବେଳେ ନୂଆ ନୂଆ ଫେସବୁକ୍ ଆସିଲା, ଆମେ ସବୁ ବେଶ ଉତ୍ସାହୀ ହୋଇ ପଡିଥିଲୁ । ଘଣ୍ଟା ଘଣ୍ଟା ଧରି ସାହିତ୍ୟିକ ବିତର୍କରେ ମାତିବା, ବୌଦ୍ଧିକ ଆଲୋଚନା କରିବା ଓ ଅନେକ ନୂଆ ବନ୍ଧୁଙ୍କ ସହିତ ସହଜରେ ଯୋଡି ହୋଇଯିବାର ଆନନ୍ଦ ଆମକୁ ଉତଫୁଲ୍ଲିତ କରିଥିଲା । ହେଲେ ଯଥାଶୀଘ୍ର ସେ ଆନନ୍ଦ ହତାଶାରେ ରୂପାନ୍ତରିତ ହେଲା । ଆମେ ବିତର୍କ ଅପେକ୍ଷା ମାଡ଼ଗୋଳ ଲାଗିବା ଆରମ୍ଭ କଲୁ । ଆମ ଭିତରର ଯେତେସବୁ ନକାରାତ୍ମକ ଭାବନାକୁ ଅଜାଡି ଦେବାପାଇଁ ସୋସିଆଲ ମିଡିଆ ଏକ ନର୍ଦ୍ଦମାର ଭୂମିକା ନେବା ଆରମ୍ଭ କଲା । ଛୋଟ ଛୋଟ ଝଗଡା, ଆସ୍ତେ ଆସ୍ତେ ବିଷାକ୍ତ ବାତାବରଣ ତିଆରି କଲା । ସୋସିଆଲ ମିଡିଆ ଆସିବାର ୧୫ ବର୍ଷ ପରେ ଓଡିଆ ସାହିତ୍ୟକୁ ଏହାର ସବୁଠୁ ବଡ ଅବଦାନ ହେଉଛି, ଲେଖକ ମହଲରେ ପ୍ରଚଣ୍ଡ ଅବିଶ୍ଵାସ ଓ ଭୟର ଏକ ବିଷ୍ଫୋରଣ । ପ୍ରତିଦିନ କେହି ନା କେହି ଲେଖକ ଓ ତାଙ୍କର ପାଠକ/ଆଲୋଚକଙ୍କ ଭିତରେ କନ୍ଦଳ ଚାଲିଛି ।

ଏ କନ୍ଦଳର କାରଣ ମୂଳତଃ ତିନୋଟି । ୧ - ଆମେ ସୋସିଆଲ ମିଡିଆର ରାଜନୀତି - ଅର୍ଥନୀତି ଓ ପରିଚାଳନା ବ୍ୟବସ୍ଥା ବିଷୟରେ ସଂପୂର୍ଣ୍ଣ ଅଜ୍ଞ । ତେଣୁ ଆମେ ନିଜର ନକାରାତ୍ମକ ଭାବନା ସବୁକୁ ଏଠି ବିନା କାରଣରେ ଢାଳି ଚାଲିଛୁ । ୨ - ସାହିତ୍ୟ ଲାଗି ଆମର ସାମାଜିକ ଓ ରାଜନୈତିକ ପୃଷ୍ଠପୋଷକତା ବିଲକୁଲ ନାହିଁ । ପତ୍ରିକା ସବୁ ବନ୍ଦ ହୋଇ ଗଲେଣି । ଖବର କାଗଜ ନିର୍ଦ୍ଦିଷ୍ଟ ଲେଖକ ଗୋଷ୍ଠୀଙ୍କ ଅକ୍ତିୟାରରେ । ପ୍ରକାଶନ ପାଇଁ ପ୍ରଚୁର ପଇସା ଲୋଡା । ତେଣୁ ସୋସିଆଲ ମିଡିଆ ଏକ ସହଜ ବାଟ । ତେବେ ଏହି ସହଜ ବାଟଟି ଅନେକ ସମୟରେ ଲେଖକକୁ ନିଜ “ବଳିର ଛେଳି” ଭାବେ ବ୍ୟବହାର କରୁଛି । ଲେଖକ ନିଜର ସର୍ଜନା ଓ ସମାଲୋଚନାକୁ କେବଳ “ଲାଇକ” ଓ “କମେଣ୍ଟ” ର ବନ୍ଧନୀ ଭିତରେ ଦେଖୁଛି । ଏହା ଲେଖକକୁ ଆତ୍ମମୁଗ୍ଧ (ନାର୍ଶିସିଷ୍ଟ) କରୁଛି କିମ୍ବା ଭୟଙ୍କର ଅବସାଦ ଭିତରକୁ ଠେଲି ଦେଉଛି । ୩ - ସର୍ଜନ କଳାରେ ରାଜନୀତିର ବାଚାଳତା ପାଗଳାମୀର ସ୍ତରରେ ପହଞ୍ଚି ସାରିଛି ।

ପ୍ରତ୍ୟେକ ଲେଖକର ଏକ ରାଜନୈତିକ ବିଚାର ଓ ଅବବୋଧ ଥାଏ, ହେଲେ ସେ ରାଜନେତା ନୁହେଁ । ଲେଖକର ଭୂମିକା ବୈଚାରିକ ଓ ବୌଦ୍ଧିକ । ହେଲେ ଆଜିର ରାଜନୀତିରେ କ୍ଷମତାରେ ଥିବା ଶକ୍ତିମାନେ ଲେଖକକୁ ସୋସିଆଲ ମିଡିଆ ମାଧ୍ୟମରେ ଡରେଇବା, ଧମକାଇବା ଓ ଚାପଗ୍ରସ୍ତ କରି ରଖିବାର କୁତ୍ସିତ କାମଟି କରୁଛନ୍ତି । ଏମାନେ ପ୍ରାୟତଃ ବିଭିନ୍ନ ରାଜନୈତିକ ଦଳର “ପୋଷା ଟ୍ରୋଲ” ଏବଂ ଏମାନଙ୍କ ସହିତ ସାହିତ୍ୟର କୌଣସି ସମ୍ପର୍କ ନାହିଁ । ସାହିତ୍ୟରେ ମୁକ୍ତ ବିଚାରକୁ ଚାପିଦେବା ଲାଗି ଏମାନଙ୍କୁ ପଇସା ଦେଇ କାମରେ ଲଗାଯାଇଥାଏ ।

ସୋସିଆଲ ମିଡିଆରେ ଏତେ ପ୍ରକାର ଷଡଯନ୍ତ୍ରର ମାୟାଜାଲକୁ ଆବିଷ୍କାର କରିପାରିବାର ଦକ୍ଷତା ସବୁ ଲେଖକଙ୍କର ନାହିଁ । ନ ରହିବା ସ୍ଵାଭାବିକ । ତେବେ ସୋସିଆଲ ମିଡିଆରେ ସତର୍କ ରହିବା, ନିଜ ସୀମାକୁ ବୁଝିବା ଓ ଭଦ୍ରତାର ସହିତ ଏହାର ବ୍ୟବହାର କରିବା ଭଳି ଛୋଟ ଛୋଟ କାମ ତ ଆମେ କରି ପାରିବା !! ଲେଖକ ଭାବରେ ସୋସିଆଲ ମିଡିଆରେ ଆମର କଳି ତକରାଳ ଓ ସର୍ବ ସାଧାରଣରେ ମଇଳା ଧୁଆ କାମଟିକୁ ନ କଲେ, ଚଳନ୍ତା ନାହିଁ କି ?