କବି ଶଙ୍ଖ ଘୋଷ, ଫଟୋ: ୱିକି କମନ୍ସ

ଆଜି ଦେହାବସାନ ହୋଇଛି ପ୍ରସିଦ୍ଧ କବି ଶ୍ରୀଶଙ୍ଖ ଘୋଷ (୧୯୩୨-୨୦୨୧) ଙ୍କର । ଶ୍ରୀଯୁକ୍ତ ଶଙ୍ଖ ଘୋଷ ପ୍ରତିବେଶୀ ବଙ୍ଗଳା ଭାଷାର ଜଣେ ଅତ୍ୟନ୍ତ ସମ୍ମାନୀତ ଓ ପ୍ରତିନିଧିଶ୍ରେଣୀୟ ଅଗ୍ରଜ କବି । କବିତା ସହିତ ଅନେକ କବିତା ବିଚାରର ସେ ଲେଖକ ।ତାଙ୍କର ଅନେକ କବିତା ଆମ ଭାଷାରେ ଅନୁସୃଜିତ ହୋଇଛି ।

ତାଙ୍କର ସ୍ମରଣରେ ସନ୍ନିବେଶିତ ପ୍ରଥମ କବିତାଟି ୨୦୧୯ ର ଏକ ଶାରଦୀୟ ବିଶେଷାଙ୍କରେ ପ୍ରକାଶିତ ହୋଇଥିଲା।

ଏହି କବିତାକୁ ପାଠ କଲାବେଳେ ଏହି ଉପସ୍ଥିତ ଲେଖକ ମନକୁ ଯେଉଁ ପ୍ରଶ୍ନ ଗୁଡିକ ଉଠିଛି ସମ୍ଭବତଃ ଆପଣମାନଙ୍କର ମନକୁ ବି ସେମିତି କିଛି ପ୍ରଶ୍ନ ଉଠିଥାଇ ପାରେ । ସିଧାସଳଖ ଓ ଅନେକାର୍ଥବିହୀନ ଏହି ଗଦ୍ୟାକାର ଲେଖାକୁ ଆମେ ପଦ୍ୟ ହିସାବରେ ସୁମାରି କଲାବେଳେ କିଛି ପରିମାଣରେ ଅସହଜ ବୋଧ ହୁଏତ କରିପାରୁ ।

ଏଇ କବିତାରେ କାହାଣୀର ବିନ୍ୟାସ ରହିଛି ଏବଂ କହିବାକୁ ଗଲେ ଏହି କାହାଣୀଭାଗ ହିଁ ସମଗ୍ର କବିତାର ସାର୍ବଭୌମ ନିୟନ୍ତ୍ରକ ।ଏହା କବିତାକୁ ଭୂଇଁରେ ଜାବୁଡି ଧରିଛି, ଇଂଚଟିଏ ଜାଗା ଛାଡି ଦେଉନାହିଁ ତାହାକୁ ଆକାଶମନସ୍କ ହେବାପାଇଁ ।ଏହା କବିତାର ଦୋଷ ଓ ଗୁଣ, ଊଭୟ ।

ଭାରତୀୟ ସାହିତ୍ୟର ଏହି ଅନ୍ୟତମ ଅଗ୍ରଜ କବି ବିଶେଷତଃ କବିତା କ'ଣ ବେଶ୍ ବୁଝିଥିବା ଅଗ୍ରଜ କବି ଜଣକ ଭଲଭାବରେ ଜାଣନ୍ତି, କୌଣସି ସ୍ଥିତାବସ୍ଥାର ପ୍ରତିବାଦ ଯେତେବେଳେ ପଦ୍ୟରୂପ ନେବ ସେତେବେଳେ ତାହା ଆମର ରୂପାମ୍ବରା କବିତାସମୂହର କାବ୍ୟିକ ଆୟୋଜନର ତୁଳନାରେ ନିରାଭରଣା ଆଉ ରୁକ୍ଷ ଦିଶିବାକୁ ଏକ ପ୍ରକାର ବାଧ୍ୟ ।

ସଂବାଦ ଆଉ ତାହା ଭିତରେ କିଛି ଉହ୍ୟପଣ ଆଉ ନାଟକୀୟତାକୁ ନେଇ ଏଇ ପ୍ରତିବାଦର କବିତାଟି ସଂରଚିତ ।

ଶ୍ରୀଯୁକ୍ତ ଘୋଷଙ୍କର "ବାବରର ପ୍ରାର୍ଥନା" ବୋଲି ଯେଉଁ କବିତାଟି ଏଇଠେ ଅଛି ତାହା ଅସଲରେ ତାହାଙ୍କୁ ସାହିତ୍ୟ ଜଗତରେ ଯଥେଷ୍ଟ ଲୋକପ୍ରିୟ କରିଥିଲା ।

ଶ୍ରୀ ଶଙ୍ଖ ଘୋଷଙ୍କ ବିୟୋଗରେ ଭାରତୀୟ ସାହିତ୍ୟ ଆକାଶର ଜଣେ ଚିନ୍ତାଶୀଳ ତଥା ନିର୍ଭୀକ କବିର ଦେହାବସାନ ଘଟିଛି ।

ଶଙ୍ଖ ଘୋଷଙ୍କ ଦୁଇଟି କବିତା

ବାବରର ପ୍ରାର୍ଥନା

ଜାନୁପାତି ଏଇତ ବସିଛି,ପଶ୍ଚିମରେ
ବସନ୍ତର ଶୂନ୍ୟହାତ ଆଜି
ଯଦି ଚାହଁ ମୋତେ ଧ୍ୱଂସ କରିଦିଅ
ସଂତାନ ମୋହର ସ୍ୱପ୍ନରେ ରହୁ ।

ସ୍ୱଚ୍ଛ ଯୌବନ ତାହାର ଯାଇଛି କୁଆଡେ
କେଉଁଠାରେ ଅବିରତ ଚାଲିଥାଏ କ୍ଷୟ !
ଅଖିଳ କୋଣରେ ସମୂଳ ଇଏ ପରାଭବ
ବିଷାକ୍ତ ହୋଇଛି ଫୁସଫୁସ, ଧମନୀ ଓ ଶିରା ।

ଶୁଣାଅ ସାହାରା ର ପ୍ରାନ୍ତରେ ପ୍ରାନ୍ତରେ
ଧୂସର ଶୂନ୍ୟତାର ସେ ଆଜାନ୍ ଗୀତ
ପଥର କର ମୋତେ ନିଶ୍ଚଳ କର
ସଂତାନ ମୋହର ସ୍ୱପ୍ନରେ ରହୁ ।

ହୁଏତ ଶରୀରମୟ ସାପର ବୀଜାଣୁ
କୌଣସି ଭବିଷ୍ୟତରେ କି ନାହିଁ ପରିତ୍ରାଣ ?
ଯେତେକ ମୋହର ବର୍ବର ଜୟର ଉଲ୍ଲାସ
ମରଣକୁ ଡାକି ଆଣେ ଘରକୁ ନିଜର ।

ହୁଏତ ବା ପ୍ରାସାଦର ଉଜ୍ଜଳ ଆଲୋକ ଉତ୍ସ୍ୱାସ
ଜାଳି ଦିଏ ହୀନତା ଯେତେ ଅଛି ହୃଦୟରେ
ଏବଂ ଶରୀରରେ ବସା ବାନ୍ଧି ରହେ
ଲକ୍ଷ ଲକ୍ଷ ନିର୍ବୋଧ ପତଙ୍ଗ ମାଳ ମାଳ ।

ମୋତେ ଯାହା ଏଯାଏଁ ଦେଇଛ ସଂଭାର
ଜୀର୍ଣ୍ଣ କରି ତାହାକୁ ଏବେ ନେବ କେଉଁଠିକୁ ?
ଧ୍ୱଂସ କର ଧ୍ୱଂସ କର ମୋତେ ହେ ଈଶ୍ୱର
ସଂତାନ ମୋହର ସ୍ୱପ୍ନରେ ରହୁ ।

ଫାକ୍ଷସରାଜ

୧ - ଥାନାରୁ ଆଇଲୁ ବାପ ? କ'ଣ କହିଲେ ସେମାନେ ?

୨ - କ'ଣ ଆଉ କହିବେ କହ । ଏପରିକି ଏଫଆଇଆର ଖଣ୍ଡିକ ବି ନେଲେନି ।

୧ - କ'ଣ ନେଲେନି କହୁଛୁ ?

୨ - ଏଫଆଇଆର୍ । କିଛି ଯାହା ଘଟିଛି ତାହାର ନାଲିଶ୍ ଲେଖିବା ତ ଲୋଡା ।

୧ - ନାଲିଶ୍ ନେଲେନି ?

୨ - ନା । କହିଲେ ଯେ କିଛି ଘଟି ନାହିଁ । ଦିଣ୍ଡା ସୋମତ୍ତ ମାଇକିନା ଖଣ୍ଡିକ ଦେଖ କୁଆଡେ ପଳେଇଯାଇଛି କଉ ନାଗର ସହ ।

୧ - ନାଗର ସହ ପଳାଇଲା ସେ ? ଏମିତି ସୁନାର ଟୁକୁଡା ଏ ଝିଅ, ଜଳପାନି ପାଉଥିବା ଏ ଝିଅ, ପଡାର ଆଖିର ମଣି, କେତେ ଶରଧାରେ ସେଦିନ ଆସିକି କହିଥିଲା ,"ସହରର କଲେଜରେ ପଢିବି, ସହରର ସବୁଠୁ ବଡ କଲେଜ", ନାଗର ନେଇକି ପଳାଇଗଲା ସେ ? ଦିନ ଦିପହରେ ସବୁରି ଆଖି ସାମ୍ନାରେ ଟାଣିଓଟାରି ନେଇଗଲେ ସେଇ ସବୁ ଫାକ୍ଷସଗୁଡା, ଚିହ୍ନାଜଣା ମୁହଁ ତାଙ୍କର । ସେ ଝିଅ କୁଆଡେ ପଳାଇଗଲା କ'ଣ ନା ନାଗର ନେଇ ?

୨ - ଚିହ୍ନାଜଣା ମୁହଁ ବୋଲି ତ ମୁସ୍କିଲ୍ ମାଆ ଲୋ, ରୋଜ ତ ଘଟୁଛି ଏମିତି ଏଇସବୁ ଏଇଠେ ସେଇଠେ। ନେତାର ଭାଇ ପୁତୁରା ସଭିଏଁ, ତାହାକୁ ଧରିବ କିଏ ?

୧ - ତାହା ବୋଲି ଚୁପଚାପ ଚାଲି ଆସିଲୁ ? କିଛି କହିଲୁ ନାଇଁ ?

୨ - କହିଛି ମାଆ କହିଛି । ଚିତ୍କାର କରି କହିଛି । କହି କହି ଗଳା ଫାଟି ଯାଇଚି । କିନ୍ତୁ ବେଟା ସେପଟୁ କହିଲା,"ଦି ଧାଡି ଇଂଜିରି ପଢି ତୋର ଦେଖୁଚି ବଡ ଲାଞ୍ଜ! ବେଶି ଫଁ ଫଁ କଲେ ପୁଅ ଏମିତି ଧାରାରେ ଜିଅଲ୍ ଠୁଙ୍କିଦେବି ଯେ, ଜୀବନସାରା ଷଢିବୁ ଗାରଦରେ । ଯା ଏଇନେ ଘରକୁ ଯା । ଅନ୍ୟର ଭାବନା ନ ଭାବି ନିଜର ଶେଷକୁ ସଂଭାଳ।ଯା ।

୧ - ସହରର ବାବୁ ଭାୟା ? ଯାଇଥିଲୁ ?

୨ - ଯାଇ କିଛି ଲାଭ ନାହିଁ । ବାବୁମାନେ ହୁଏତ ଦିନେ ସହରର ରାଜପଥ ଭରିଦେବେ ଶୋଭାଯାତ୍ରାରେ ଶୋଭାଯାତ୍ରାରେ । ଗରମ ଗରମ ଧ୍ୱନୀ ଦେବେ । ତାହାପରେ କାମ ଶେଷ ଭାବି ତାଙ୍କର ଦିବାନିଦ୍ରା । ଆଗରେ କିଛି ବାଟ ନାଇ ଆଉ । ଅଜାତ କୁଜାତ ଆମେ, ଜଙ୍ଗଲୀ ମଣିଷ ଆମେ, ଅଛୁଆଁ ଦଳିତ-ଏକଯୁଟ ହେଇ ଆମ କଥା ଆମକୁ କହିବାକୁ ହେବ ମାଆଲୋ । ଏକଯୁଟ ହୋଇ ଲଢେଇ କରିବା ଛଡା ଆମର କିଛି ବାଟ ନାହିଁ ଆଉ ।