ଚିତ୍ର: ପିଟ ମୋଣ୍ଡାରିଆନଙ୍କ "ଗଛ", ୱିକି କମନ୍ସ,

ମୋର ଅସଜଡ଼ା ଶବ୍ଦସବୁ
ସତରେ କ'ଣ ବହି ଯାଉଥିବା ନଈ ର କାକଳି
ନା ଧ୍ୟାନସ୍ଥ କେଉଁ ଏକ ଋଷିର ଶ୍ଳୋକ ପରି ଉଚ୍ଚାଙ୍ଗ,
ଉଦାର ଗାମ୍ଭୀର୍ୟ ମୋର ଶବ୍ଦର ପାହାଡ ?

ମୁଁ କେତେ ଗହୀର ପାଣି ରେ ଏବେ?
ମୋ ଉପରେ ପାଦ ଥାପି ଶିଖରକୁ ଛୁଉଁଥିବା
ସେଇ ଛାୟା ଟି କ'ଣ ସୂର୍ଯ୍ୟ ?
ଯାହାର ଆଖାପାଖି ହେବା ସୂର୍ଯ୍ୟମୟତା
ଯା 'ର ଅନୁପସ୍ଥିତି ତମାମ ନିରାଶା ଓ ଶୁନ୍ୟତା ।

ଏଇନେ ମୁଁ ଶବ୍ଦମାନଙ୍କ ପାଖକୁ ଯିବି
ଶୁଣିବି ସେମାନଙ୍କ ନିଃଶ୍ୱାସକୁ ଖୁବ ପାଖରୁ
ଛୁଇଁବି, ଆଉଁସିବି, ଅନୁଭବିବି ସେମାନଙ୍କୁ।

ମଣିଷ ଖାଲି ଯାହା ଶବ୍ଦଟିଏ ଆଜିକାଲି
କୋଉ ଯାଇହେଉଛି ହେଲେ ମଣିଷ ପାଖକୁ
ଅବାନ୍ତର ଏବେ ମଣିଷ!

ଗଛ ଶବ୍ଦଟିଏ
ନିଇତି କଟିବାରେ ବିତି ଯାଉଥାଏ ତା'ର ଆୟୁଷ
କେତେବେଳେ କାଟେ କାଠହଣା ଚଢ଼େଇ ତ ପୁଣି କେବେ କାଟେ ଟାଙ୍ଗିଆ।
ଥରୁଟିଏ ହେଲେ ଯାଇଥାନ୍ତି ତା ପାଖକୁ
ଦୂରରୁ ଦେଖି ଖାଲି ଯାହା କବିତା ଲେଖିଲି,
ଗଛ ଏବେ ନିଃଶବ୍ଦ
ଚେରେଇ ଜାଣିଛି ବୋଲି ଛିଡ଼ାହୋଇଛି ମାଟିରେ।

ବିଦ୍ରୋହ ମଧ୍ୟ ଶବ୍ଦଟିଏ ।
ରାତି ଅଧରେ ଘାସଫୁଲ ବିଦ୍ରୋହ କରେ
ବିଦ୍ରୋହ କରେ ପାହାନ୍ତି ସକାଳ ରେ ଶିଶିର,
ଲାଣ୍ଡମାଇନ୍ସ ବିଛେଇ ବିଦ୍ରୋହ କରନ୍ତି ନକ୍ସ୍ଲାଇଡ଼ ଯେତେ।

ପ୍ରାର୍ଥନା ବି ଶବ୍ଦଟିଏ।
ଦି ପାହାଡ ସନ୍ଧି ରେ ଉଇଁଥାଏ ସୂର୍ଯ୍ୟ
ପ୍ରାର୍ଥନା ମୁଦ୍ରାରେ ଜଳ ସ୍ଥଳ ଆକାଶ
ମଂଦିର ମସଜିଦ ଗୀର୍ଜା ରେ ନୀରବ ଓଠ ସବୁ
ପ୍ରାର୍ଥନା କରୁଥାନ୍ତି ନୀରବ ରେ।

ନାଆ ରେ ଭାସି ଭାସି ଯାଉଥାଏ ନାବିକଟିଏ
ଲାଖିବାକୁ କୂଳରେ
ଖସିଯିବାକୁ ଯୁଝୁଥାଏ ନିଜ ସହ ଶୁଆଟିଏ ପଞ୍ଜୁରୀ ରେ ।

ପ୍ରତିଟି ଶବ୍ଦ ପାଖକୁ ଗଲି ଓ ଫେରିଆସିଲି ନିଜ ପାଖକୁ
ଖୋଜିବାକୁ ଶବ୍ଦଗୁଡାଙ୍କୁ ନିଜ ଭିତରେ ।
ବାହ୍ୟ ପୃଥିବୀଟାଏ ରୂପାନ୍ତରିତ ହେଲା ମୋରି ଭିତରେ
ମୁଁ ଏବେ ନିଜେ ନିଜର ମୁହଁ, ନିଜେ ହିଁ ଦର୍ପଣ ।

ଦିନେ ଶବ୍ଦ ଠୁ ଖୁବ ଦୁରକୁ ଗଲି
ଭେଟିଲି ନିଃଶବ୍ଦତାକୁ ଓ ସେ ଦିନଠୁ ତା'ର ପ୍ରେମରେ ପଡିଲି ।