ବହି, ପେନ ଇନ ବୁକ୍ସ ଯୁବ ଲେଖକ, ୨୦୧୮ ପୁରସ୍କାର ପ୍ରାପ୍ତ କବିତା ବହି "ସମୁଦ୍ରେ ଶୋଷ" । ଚଉତିରିଶିଟି କବିତା, ପଂଚାନବେ ପୃଷ୍ଠା ର ବହି । କବି ଡାକ୍ତର ପ୍ରତ୍ୟୁଷ ମିଶ୍ର, ଘର ଭୁବନେଶ୍ୱର, ପେଶାରେ ଡାକ୍ତର ହେଲେ ନିଶାରେ ସାହିତ୍ୟିକ ।

ଖୁବ ସରଳ ଓ ଛୋଟ ଛୋଟ କଥା ସେ କହିବାକୁ ପସନ୍ଦ କରନ୍ତି । କହିବାର ଢଙ୍ଗ ଏକଦମ ସାଧାରଣ ଓ ନିଜସ୍ୱ ।

ତାଙ୍କ କବିତାରେ ପ୍ରେମ, ବିଦ୍ରୋହ, ବାସ୍ତବତା, ଓ ଦର୍ଶନ ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ପ୍ରେମ କହିଲେ ସେ କୁହନ୍ତି କାହାର ଛଳନା, ପ୍ରତାରଣା ଓ ବିଶ୍ୱାସଘାତ ବି ପ୍ରେମର ଏକ ସୁନ୍ଦର ଉପଲବ୍ଧି -

"କିଛି ବି ତ ନୁହଁ ତୁମେ
କିନ୍ତୁ କିଛି ତ ନିଶ୍ଚିତ ହୋଇଥିବ ତୁମେ,
ତୁମେ କାହାର କିଛି ନହୋଇ ପାର
କିନ୍ତୁ ତୁମେ, ତୁମର ସବୁ କିଛି ନୁହଁ କି...
ପ୍ରକୃତରେ କିଏ ତୁମେ ? "

ଉଦାହରଣ ତ ଦେଖିଲେ, ଭାବ ଓ କଥ୍ୟ ଏକଦମ ସ୍ପଷ୍ଟ । ଗୋଟେ ହାତୀ ଘୋଡା କହିବାର ଉଦେଶ୍ୟ କିମ୍ବା ଚିନ୍ତାଧାରା ଡାକ୍ତର ପ୍ରତ୍ୟୁଷ ମିଶ୍ରଙ୍କ କବିତାରେ ନାହିଁ ।

ସେ ନୂଆ ନୁହଁ, ତାଙ୍କ କଥା ନୁହଁ । କେହି ଏଠି ନୂଆ ନୁହଁ କାହାର କଥା ବି ନୂଆ ନୁହଁ । କେବଳ ଗୋଟେ ସମୟ ଓ ବଞ୍ଚିବାର ଢଙ୍ଗ ଯାହା ନିଆରା, ମୁଁ କହୁନି କବି କୁହନ୍ତି -

"କାହିଁକି ପଚାରୁଛ ମୋ ନାଁ , ମୌସୁମୀ !
କେଉଁ ନାଁ ଟି କହିବି ?
ଯାହା ଏଇ ମାଟିରେ ଜନ୍ମ ହେଲା ପରେ ପାଇଛି,
ନା ସମସ୍ତଙ୍କ ନାଁ ମାନଙ୍କୁ ଲିଭେଇଲା ପରେ
ଏ ଜନ୍ମରେ ମୋତେ ମିଳିଛି ସେଇ ନାଁ କହିବି ?

ଏକ ଜଳନ୍ତା କ୍ଷୁଧା
ଏକ ଅସରନ୍ତି ତୃଷ୍ଣା
ମୋ ଆତ୍ମାରେ ତେଜି
କାଳେ କାଳେ, ଭିନ୍ନ ଢାଞ୍ଚାରେ
ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ସାଜି
ଭିନ୍ନ ଭିନ୍ନ ମୁଖାରେ
ଏମିତି ମୁଁ ହିଁ ଘୁରି ବୁଲୁଛି
କେଉଁ ନାଁ କହିବି ମୌସୁମୀ ?

ମୌସୁମୀ କଣ ତାଙ୍କ ପ୍ରେମିକା ? ହେଇ ପାରେ, କିନ୍ତୁ ମୋତେ ଲାଗିଲା ସେ ପ୍ରେମିକା ନୁହଁ କେବଳ ମୌସୁମୀ । ଯିଏ ଆକାଶ ଆଖିକୁ ଆସିଲେ ଆସେ ବର୍ଷା, ଭିଜେ ମାଟି । ସୁତରାଂ ମୌସୁମୀ କୁ ମୁଁ ମୌସୁମୀ କହିବି ଯାହା ଭେଦାଏ ପ୍ରତ୍ୟୁଷ ମିଶ୍ରଙ୍କ ଛାତିକୁ ।

ଆମେ ଫୁଲର ମହକକୁ କେବେ ହେଲେ ବି ମାପି ପରିବା ନାହିଁ ଆଉ ଆମେ ଆମ ଇଛା ମୁତାବକ ବି ମହକକୁ ଭୋଗିପାରିବା ନାହିଁ । ମହକ ଉପଭୋଗ୍ୟ ସତ, ହେଲେ ତାହା ତାର ନିଜସ୍ୱ ଢଙ୍ଗରେ ହୁଏ । ମହକର ବି ଇଛା ଥାଏ, ମନ ଥାଏ ଯାହା ହୁଏ ତ କୌଣସି ପରୀକ୍ଷାଗାରରେ ପରୀକ୍ଷିତ ନହୋଇ ପାରେ ।

ପ୍ରତ୍ୟୁଷ ମିଶ୍ର ଏକଥା ଭଲ ଭାବେ ଜାଣନ୍ତି, ତା ପରେ ଭୋଗବାଦର ଜୀବନରେ ପରୀକ୍ଷା କଣ ନିହାତି ଆବଶ୍ୟକ ?

"ଛାଇ ପାଖେ ଛିଡା ହୋଇଛ କେବେ
ଦାନ୍ତ ଦେଖେଇ ହସିଛ ଏକଦମ ଖୋଲା ହସ
ଆଉ ସେବେ କଣ କରିଛି ତୁମ ଛାଇ ?
ତା ଦାନ୍ତ ଓଠ ଓ ଆଖି କେମିତିକା ଦେଖିନ ? "


ମୁଁ ସବୁ ବୁଝି ବି ଅବୁଝା ହୁଏ
କାରଣ ମନ ଖୁବ ବେଇମାନି,
କିଛି ବି ତ ବୁଝେ ନାହିଁ
ଗୋଟିଏ ରୁ କୋଟିଏ ଆଶା ବାନ୍ଧି ରଖିଥାଏ ।
ମୁଁ ବି ଭାରି ମନୁଆ
ମୋ ଆଶାର ଢେଉ ବେଶ ବେପରୁଆ
ଆଉ ମୋ ଭିତରେ ଅସରନ୍ତି କ୍ଷୁଧା
ଆଉ ମାତ୍ର..ସମୁଦ୍ରେ ଶୋଷ
ସେଇଥି ପାଇଁ ତ
ପ୍ରତ୍ୟେକ ମୁହୂର୍ତ୍ତରେ ବଦଳେ
ସମୁଦ୍ରର ଚେହେରା ।"

ଆକାଶର ଆଖି, ସମୁଦ୍ରର ଚେହେରା, ତାରା ମାନଙ୍କ ଦୁଃଖ ଓ ଜଙ୍ଗଲର ଭୟ ଖୋଜିବାରେ ବ୍ୟସ୍ତ ଥିବା ପ୍ରତ୍ୟୁଷ ମିଶ୍ର ସମସାମୟିକ ଘଟଣା ଓ ସମୟ ପ୍ରତି ଖୁବ ସଚେତନ ।

ଯେମିତି ସେ ନିଶବ୍ଦ ଦୀପାବଳି କବିତାରେ କୁହନ୍ତି -

"ମହାବାତ୍ୟା ପର ଏରସମାରେ
ଯେଉଁ ଶହ ଶହ ମଢ଼ଙ୍କ ଗନ୍ଧ
ଏବେ ବି ତା ନାକରେ ବାଜେ
ଅସହନୀୟ ପଚାପଣ
ମୁନା ମିଶ୍ର ଆଉ ମାରୁନାହିଁ ବାଣ

ପୂର୍ବ ପୁରୁଷଙ୍କ ଆତ୍ମା ସବୁ
ଆସି ହାତ ମାରୁଥିଲେ ଅନ୍ଧାରରେ
ଯେତିକି ଆଲୁଅ ମିଳିଛି ମିଳୁ
ଆଗକୁ ଆଉ ନ ମିଳିପାରେ ।"

କଣ କହିବେ ଓ କାହିଁକି କହିବେ ସେ ବିଷୟରେ କବି ପ୍ରତ୍ୟୁଷ ମିଶ୍ର ସ୍ଥିର ନିଶ୍ଚିତ । ସେ ଜୀବନ ଓ କବିତାରେ କୌଣସି ପରୀକ୍ଷା ନିରୀକ୍ଷାର ଅପେକ୍ଷା ରଖନ୍ତି ନାହିଁ ।

ଘାସଫୁଲ ହେଉ ନା କାହିଁକି , ଫୁଟିଯିବାରେ ବିଶ୍ୱାସ ତାଙ୍କର । ଏବେ ଘାସ ଫୁଲ ପାଖରେ କିଏ ଅଟକିବ କି ନ ଅଟକିବ ସେଥିରେ ଘାସ ଫୁଲର କଣ ଫରକ ପଡେ ?

ଆଶା କରିବି ସମସ୍ତେ କବି ଡାକ୍ତର ପ୍ରତ୍ୟୁଷ ମିଶ୍ରଙ୍କୁ ଭେଟନ୍ତୁ, ତାଙ୍କର ପ୍ରିୟ ସମ୍ବୋଧନ ମୌସୁମୀକୁ ଅନୁଭବ କରନ୍ତୁ ।