ଚିତ୍ର- ୱିକି ପିଡିଆ

ଲାହୋର୍ ର ଲକ୍ଷ୍ମୀ ମାନସନ୍ ବୋଲି ଏକ ଖୁବ୍ ସୁନ୍ଦର ଫ୍ଲାଟ୍ ରେ ବସି ସାଦାତ୍ ହାସନ ମଣ୍ଟୋ ଏଇ ଲେଖାଟିକୁ ନିଜର ଦୈନନ୍ଦିନ ଅଭାବକୁ ମେଣ୍ଟାଇବା ପାଇଁ ଲେଖିଥିଲେ । କହିବାକୁ ଗଲେ ଏହି ବିଶେଷ ଫ୍ଲାଟ୍ ଟି ମଣ୍ଟୋଙ୍କୁ ଏକ ଶରଣାର୍ଥୀ-ସଂପତ୍ତି ଆକାରରେ ମିଳିଥିଲା । ଏହି ଛୋଟ ଲେଖାଟିରେ ସାଧାରଣତଃ ଜଣେ ଲେଖକକୁ ଆପଣ କାହିଁକି ଲେଖନ୍ତି ବୋଲି ପ୍ରଶ୍ନ ପଚରାଗଲେ ତାହାର ସଂଭାବିତ ଉତ୍ତର ଆକାରରେ ଯାହା ଯାହା ଲେଖାଯାଇଥାଏ ସେହିଭଳି କିଛି ଉତ୍ତରକୁ ସେ ଏଠାରେ ଲେଖିଛନ୍ତି । ସାଧାରଣତଃ "ଦି ପ୍ୟାରିସ୍ ରିଭିଉ" ବୋଲି ଏକ ପ୍ରସିଦ୍ଧ ସାହିତ୍ୟ ପତ୍ରିକା ବିଶ୍ୱବିଖ୍ୟାତ ଲେଖକ ମାନଙ୍କ ଠାରୁ ଏହିଭଳି କିଛି ନିଜ ଲେଖା ସଂପର୍କିତ ପ୍ରଶ୍ନର ଉତ୍ତର ସଂଗ୍ରହ କରିଥାଏ । ବସ୍ତୁତଃ ମଣ୍ଟୋଙ୍କର ଏଇ ଭଳି କୌଣସି ସାହିତ୍ୟିକ ସାକ୍ଷାତକାର କେବେ ନିଆ ଯାଇନାହିଁ । ତଥାପି ସେ ନିଜଆଡୁ ନିଜ କଥା କହିଛନ୍ତି । ସେ ଏହି ଯେଉଁ ଲକ୍ଷ୍ମୀ ମାନସନ୍ ଫ୍ଲାଟ୍ ବିଷୟରେ ଲେଖିଛନ୍ତି ସେଇଠି ସଂପ୍ରତି ମଣ୍ଟୋଙ୍କ ବଡ ଝିଅ ନିଘାତ୍ ନିଜର ପରିବାର ସହ ବସବାସ କରୁଛନ୍ତି ।

ଭଦ୍ର ମହୋଦୟ ଓ ଭଦ୍ର ମହିଳା ଗଣ!

ମୋତେ ପ୍ରାୟତଃ ପଚରାଯାଏ ଯେ ମୁଁ କେଉଁପରି ଲେଖିଥାଏ । ବର୍ତ୍ତମାନ ସତରେ କହିବାକୁ ଗଲେ ମୁଁ ଏହି ପ୍ରଶ୍ନଟିକୁ ବୁଝିପାରୁ ନାହିଁ, ବିଶେଷରେ "କେଉଁପରି ଲେଖେ" ସେଇ କଥାଟି ଅସଲରେ କ'ଣ ? ମୋ ଭିତରର ଅଭିଧାନ ମୋତେ କହୁଛି ଯେ ଏହାର ଅର୍ଥ ହେଉଛି, "କେଉଁ ପ୍ରକାର ବାଟରେ ତମେ ଲେଖା ଲେଖି କରିଥାଅ ?"

ଏହାର ବିଷୟରେ ମୁଁ କ'ଣ ଆଉ କହିବି ?

ସବୁଠୁ ଭଲ ଆଉ ପରିଷ୍କାର ଭାବରେ ଏବେ କହିଲେ, ଏହା ଏମିତି ହେବ, ମୁଁ ମୋ ବସିବାଘରର ସୋଫା ଉପରେ ବସେ, ପୁଳାଏ କାଗଜକୁ ଏକାଠି କରେ, କ୍ୟାପ୍ କୁ ଟିକିଏ ମୋଡି କଲମକୁ ଖୋଲେ ଆଉ ଲେଖିବାକୁ ଆରମ୍ଭ କରେ ।

ମୋର ତିନୋଟି ଯାକ ଝିଅ ବୟସରେ ବେଶ୍ ଛୋଟ, ଏଇ ଘର ଭିତରେ ଖେଳୁଥାନ୍ତି ସେମାନେ । ମୁଁ ପ୍ରାୟତଃ ମଝିରେ ମଝିରେ ସେମାନଙ୍କ ସହ କଥାବାର୍ତ୍ତା କରୁଥାଏ । ସେମାନଙ୍କ ଭିତରେ ହେଉଥିବା କଳି ତକରାଳକୁ ମୋତେ ସମାଧାନ କରିବାକୁ ପଡୁଥାଏ ସେତିକିବେଳେ, ବେଳେବେଳେ ସାଲାଡ୍ ପ୍ଲେଟ୍ ରୁ କିଛି ଉଠାଇ ପାଟିରେ ପକାଉଥାଏ । ଯଦି ସେତେବେଳେ କେହି ଅଭ୍ୟାଗତ ଘରକୁ ଆସିଥାନ୍ତି ତେବେ ମୋତେ ସେମାନଙ୍କୁ ଉତ୍ତମ ଆତିଥ୍ୟ ପ୍ରଦାନ କରିବାକୁ ହୁଏ । ଆଉ ଏହି ସବୁ କାମ ସହିତ ମୋର ଲେଖିବା କାମ ବି ନିରବଚ୍ଛିନ୍ନ ଭାବରେ ଚାଲିଥାଏ ।

ବର୍ତ୍ତମାନ ଯଦି ମୋତେ ପଚରାଯିବ ଯାହା ସବୁ ଲେଖୁଛ ତାହା "କାହିଁକି", ମୋର ତାହା ପାଇଁ ବି କିଛି ଉତ୍ତର ରହିଛି ।

ସବୁଠୁ ବଡ କାରଣ ହେଲା ଯେ ମୁଁ ମୋ ଲେଖା ପ୍ରତି ଖୁବ୍ ଆସକ୍ତ, ଯେମିତି ମୋର ନିତ୍ୟନୈମିତ୍ତିକ ମଦ୍ୟପାନ । ଯେତେବେଳେ ମୁଁ କିଛି ଲେଖୁ ନଥାଏ, ମୋତେ ଲାଗେ ଯେମିତି ମୁଁ ପୂରାପୂରି ଲଙ୍ଗଳା, ମୋର ଗାଧୁଆପାଧୁଆ କିଛି ହୋଇନାହିଁ । ଯେମିତି ମୁଁ ମୋର ପ୍ରଥମ ପିଆଲା ମଦ୍ୟକୁ ଏଯାଏଁ ଛୁଇଁପାରିନାହିଁ ।

ମୁଁ ଅସଲରେ କାହାଣୀ ଲେଖେ ନାହିଁ, ମନେ ରଖନ୍ତୁ, କାହାଣୀମାନେ ଆପେଆପେ ନିଜକୁ ଲେଖାଇ ନେଉଥାନ୍ତି । ଆଉ ଏଇ କଥାଟି କୌଣସି ଆଶ୍ଚର୍ଯ୍ୟର କଥା ନୁହଁ । ଆପଣ ଜାଣନ୍ତି, ମୋର ସେତେ ପାଠଶାଠ ପଢା ନାହିଁ । ତଥାପି କେମିତି କେଜାଣି ମୁଁ ସଂଖ୍ୟାରେ କୋଡିଏରୁ ଉପର ବହି ଲେଖି ସାରିଲିଣି ଆଉ ମୁଁ ଅଧିକାଂଶ ସମୟରେ ଆଶ୍ଚର୍ଯ୍ୟ ହୋଇଯାଏ ଯେ ଅସଲରେ ଏଇ ସବୁ ବହିର ଲେଖକ କିଏ ହୋଇଥିବ, ପ୍ରକୃତରେ ସେ ନିଶ୍ଚୟ ଏମିତି ଜଣେ ଗୁରୁତ୍ୱପୂର୍ଣ୍ଣ ଲୋକ ହୋଇଥିବ ଯାହାକୁ ସେମାନେ ଅଶ୍ଳୀଳତାର ଦାୟରେ ବାରଂବାର ଟାଣି ଟାଣି ଆଣି କାଠଗଡାରେ ଠିଆ କରୁଥିବେ।

ମୋ ହାତରେ ଯେତେବେଳେ କଲମ ନଥାଏ, ମୁଁ ସେତେବେଳେ କେବଳ ସାଦାତ୍ ହାସନ୍ । ସେ ଏମିତି ଜଣେ ଯିଏ ନିଜ କଥା କହିବା ଟିକିଏ ଟିକିଏ ମାତ୍ର ଜାଣିଛି । ଏହି କଲମ ମୋତେ ରୂପାନ୍ତରିତ କରିଦିଏ । ମୋତେ ମଣ୍ଟୋ କରିଦିଏ ।

ଯେଉଁ କାହାଣୀ ଉପରେ ମୁଁ କାମ କରୁଥାଏ ତାହା ମୋ ମଥାରେ କି ମୋ ଭାବନାରେ ନଥାଏ । ତାହା ମୋ ପକେଟ୍ ରେ ଥାଏ, ମୋ ଅଲକ୍ଷ୍ୟରେ । ମୁଁ ମୋ ଭାବନାକୁ ଯଥେଷ୍ଟ ଚାପ ପକାଉଥାଏ ଯେମିତି କି କାହାଣୀର ପ୍ରଥମ ପାରାଗ୍ରାଫ୍ ଟି କେଉଁଠାରୁ ଚହଟି ଆସିବ । ହେଲେ ସେ ସବୁ ବୃଥା ।

ମୁଁ ଚେଷ୍ଟା କରେ ଯେମିତି ମୁଁ ସେଇ ସବୁ କାହାଣୀର ଲେଖକ ହୁଅନ୍ତି ! ସେଇଥି ପାଇଁ ଗମ୍ଭୀର ହୁଏ, ଆବଶ୍ୟକ ଠାଣିଟିଏ ନିଜ ପାଇଁ ପ୍ରସ୍ତୁତ କରେ । ଗୋଟିକ ପରେ ଗୋଟିଏ ସିଗାରେଟ୍ ରେ ନିଆଁ ଲଗାଏ । କିନ୍ତୁ କିଛି ହୁଏ ନାହିଁ ।

ଶେଷରେ ମୁଁ କ୍ଳାନ୍ତ ହୋଇଯାଏ, ଅବଶ ରମଣୀ ପରି ଗଡିପଡେ, ଅଲିଖିତ କାହାଣୀର ଚାପରେ ମୁଁ ଅବସନ୍ନ, ଯାହାକୁ କହନ୍ତି ତାହା ଏବେ ଏକ ପ୍ରକାରର ଶେଷ । ତାହାପରେ ମୁଁ ଉଠେ, ଅଲଗା କାମ କରିବା ପାଇଁ ଉଠିବସେ । ମୁଁ ବକମ ବକମ କରୁଥିବା ପାରାଙ୍କୁ ଦାନା ଖୁଆଏ, ଆଳୁକୁଚି ମାଳୁକୁଚି ଆଦିଙ୍କୁ ସାଥିରେ ନେଇ ମୋର ଛୋଟ ଛୋଟ ଝିଅମାନଙ୍କ ସହିତ ଖେଳେ। ସେମାନଙ୍କ ଯୋତା, ସେହି ଛୋଟ ଛୋଟ ଯୋତାମାନ ଘରଭିତରୁ କୁଆଡେ ହଜିଯାଆନ୍ତି, ମୁଁ ସେମାନଙ୍କୁ ଖୋଜି ଖୋଜି ପାଇଯାଏ ଆଉ ତାହାକୁ ଆଣି ଘର ଭିତରେ ଯଥା ସ୍ଥାନରେ ରଖିଦିଏ ।

ସେହି ବଦମାସ୍ କାହାଣୀଟା, ଅଲକ୍ଷ୍ୟରେ ମୋ ପକେଟ୍ ରେ ଥାଏ, ଭାବନାକୁ ଆସେନାହିଁ । ଯେତେବେଳେ ଅଧିକ ଚାପ ଆସେ ମୁଁ ପାଇଖାନାକୁ ଯାଏ । ବସେ । ହେଲେ କାହାଣୀ କି ଆଉ କିଛି ବାହାରି ଆସେ ନାହିଁ ।

ଲୋକେ କହିଥାନ୍ତି ସବୁ ବଡଲୋକମାନେ ପାଇଖାନାରେ ବିରାଟ ଓ ଜଟିଳ କଥାମାନ ଚିନ୍ତା କରିଥାନ୍ତି । ସେ ଦୃଷ୍ଟିରୁ କିଛି ସାକ୍ଷ୍ୟପ୍ରମାଣ ସହ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ମୁଁ ସେମିତି କୌଣସି ବିରାଟ ଲୋକ ନୁହଁ, କୌଣସି ଫଳପ୍ରଦ ଚିନ୍ତା ମୋ କ୍ଷେତ୍ରରେ ସେଇଠାରେ ଉପୁଜେ ନାହିଁ ।

ଏହା ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ମୋତେ ପାକିସ୍ଥାନର ତଥା ଭାରତର ଅନ୍ୟତମ ବିରାଟ ଲେଖକ ବୋଲି ମନେ କରାଯାଏ । ମୁଁ କେବଳ ଏତିକି କହିପାରିବି ଯେ ସମ୍ଭବତଃ ମୁଁ ସେମାନଙ୍କୁ ଏହିଭଳି ଏକ ଅପଦାର୍ଥ ବୋଲି ଭାବିବା ପାଇଁ ଛଳଟିଏ ପ୍ରସ୍ତୁତ କରିପାରିଛି ।

ମୋତେ କ୍ଷମା କରନ୍ତୁ । ମୁଁ ବର୍ତ୍ତମାନ ପାଇଖାନାର ଭାଷା କହୁଛି ।

ସତ କୁହାଯିବା ଉଚିତ। କିନ୍ତୁ ସତ କହିଲେ ମୁଁ କେଉଁପରି ଲେଖିଥାଏ ତାହାର କୌଣସି ଖିଅ ମୋ ପାଖରେ ନାହିଁ ।

ଯେତେବେଳେ ମୋ ପାଖରେ ଲେଖିବା ଭଳି କୌଣସି ଆଇଡିଆ ନଥାଏ, ମୋ ଧର୍ମପତ୍ନୀ, ଯିଏ ଘରର ଖର୍ଚ୍ଚପାତି ଆଦି ସବୁକଥା ବୁଝନ୍ତି, ସେ ଟିକିଏ ରୁକ୍ଷ ହୋଇ କହିଥାନ୍ତି, "ଦୟାକରି କିଛି ଭାବିବସନି, ଲେଖିବା ଆରମ୍ଭ କର।"

ଆଉ ତାହାପରେ ମୁଁ କଲମକୁ ତାହାର କ୍ୟାପ୍ ରୁ ମୁକ୍ତ କରେ, କେତୋଟି ଧାଡି ଗାରେଇ ପକାଏ । ମୋ ମଥା ପୁରା ଫାଙ୍କା ଥାଏ-ମାତ୍ର ସେତେବେଳକୁ ମୋ ପକେଟ୍ ଫୁଲ୍ ।

ଆଉ ଆପେ ଆପେ ନିଜ ବାଟରେ, ମ୍ୟାଜିକ୍ ଭଳି, ଗୋଟିଏ ପରିଣତ କାହାଣୀ ମୁହଁ ଦେଖାଏ ।

ଠିକ୍ ସେହି ଅର୍ଥରେ ମୁଁ ନିଜକୁ ସେତେ ଲେଖକ ବୋଲି ମନେ କରେନାହିଁ, ଯେତିକି ପରିମାଣରେ ମୁଁ ଜଣେ ପକେଟମାର୍ । ଏମିତି ଜଣେ ପକେଟମାର୍ ଯିଏ ନିଜର ପକେଟ୍ ରେ ଥିବା ସମସ୍ତ ମାଲ୍ କୁ ହାତସଫାଇ କରି ବଢେଇ ଦେଉଥାଏ ଆପଣମାନଙ୍କୁ ।

ଆପଣମାନେ ମୋ ଭଳି ଜଣେ ନିର୍ବୋଧକୁ କେବେ ଦେଖିଛନ୍ତି ?

ମଣ୍ଟୋଙ୍କ ସମାଧିମଣ୍ଟୋଙ୍କ ସମାଧି


ସାଦାତ୍ ହାସନ ମଣ୍ଟୋ ନିଜ ବିଷୟରେ ଲେଖିଛନ୍ତି, ହୁଏତ ସାଦାତ୍ ହାସନ ର ମରଣ ହୋଇପାରେ ମାତ୍ର ମଣ୍ଟୋର ମରଣ ନାହିଁ । ଏହା ଛଡା ସେ ନିଜର ସମାଧି ଲେଖ ହିସାବରେ ଯାହା ଲେଖିଥିଲେ ତାହା ତାଙ୍କର ସମାଧି ଫଳକରେ ଲିଖିତ ଅଛି । ତାହା ଏହିପରି:

ସମାଧିସ୍ଥ ଏଇଠି ସାଦାତ୍ ହାସନ୍ ମଣ୍ଟୋ ଆଉ ତାଙ୍କ ସହିତ ସମାଧିସ୍ଥ ହୋଇଯାଇଛି ତାଙ୍କର କାହାଣୀ ଲିଖନର ସମସ୍ତ କୌଶଳ ଓ ସମସ୍ତ ଗୋପନୀୟତା । ଏବେ ଭୂମି ତଳେ ରହିଥିବା ବେଳେ ସେ ଭାବୁଛନ୍ତି ଅସଲରେ କିଏ ବଡ ଲେଖକ, ଈଶ୍ୱର ନା ସ୍ୱୟଂ ମଣ୍ଟୋ ।

ମାତ୍ର ବୟାଳିଶ ବର୍ଷ ବୟସରେ ମଣ୍ଟୋଙ୍କର ଦେହାବସାନ ଘଟିଥିଲା । ସେଦିନ ଥିଲା ୧୮ ଜାନୁଆରୀ ୧୯୫୫ । କାହାଣୀର ଏଇ ଈଶ୍ୱରଙ୍କୁ ସ୍ମରଣ ଓ ପ୍ରଣାମ ।