ଚିତ୍ର: ୱିକି କମନ୍ସ

୨୦୧୧ ମସିହା, ଜୁନ୍ ୪ ତାରିଖ ପାଖାପାଖି ଦିନ ୧:୪୫ରେ ମୁଁ ହସ୍ପିଟାଲରେ ପହଞ୍ଚି କାର୍ଡ ପଞ୍ଚ୍ କରୁଥାଏ । ମୋ ପଛଆଡୁ ଶୁଭିଲା, "ଗର୍ଲଫ୍ରେଣ୍ଡ", ଆଉ କୁନିକୁନି ହାତ ଦୁଇଟା ମୋ ପେଟ ପାଖରେ ଜୋରରେ କୁଣ୍ଢେଇ ଧରିଲେ । ମନେମନେ ଭାରି ଖୁସି ହୋଇଗଲି ଦେବୀ ସ୍ବରଟା ଶୁଣି । ପର ମୁହୂର୍ତ୍ତରେ ମନେପଡି ଆଶ୍ଚର୍ଯ୍ୟ ହେଲି ଯେ, ଆଜି ତ ଦେବୀର ଫଲୋଅପ୍ ଡେଟ୍ ନଥିଲା !

"ବଦମାସ କେତେବେଳେ ପହଞ୍ଚିଲୁ?" ଏତିକି କହୁକହୁ ପଛକୁ ବୁଲି ଦେବୀର ମୁଣ୍ଡ ଆଉଁସିବାକୁ ଗଲା ବେଳକୁ ମୋ' ମୁହଁରୁ ହସଟା ଉଭେଇ ଗଲା । ଏ କ'ଣ, ଦେବୀ ଏତେ ଶେତା, ଏତେ ଶୁଖିଲା-ଶୁଖିଲା ଦିଶୁଛି, ଆଖି ଚାରିକଡ଼ କଳା ପଡ଼ି କୋରଡ଼ରେ ପଶିଗଲା ପରି ହୋଇଛି, ଦେହ-ହାତ ଚାରିଆଡେ ନୀଳ ନୀଳ ପ୍ୟାଚ୍ । ମୋତେ ଲାଗିଲା କିଛି ସମୟ ପାଇଁ ମୋ' ନିଶ୍ୱାସ ବନ୍ଦ ହୋଇଗଲା । ଦେବୀ ପାଖରୁ ମୁହଁ ଉଠେଇ ଅନେଇଲା ବେଳକୁ ତା' ମା' ମୋ' ମୁହଁକୁ ଗୋଟେ ଡରମିଶା ଶୁଖିଲା ହସ ଧରି ଚାହିଁରହି କହୁଥିଲେ, "ମ୍ୟାଡାମ୍, ମୋତେ ୟାର ପ୍ଲାଟିଲେଟ୍ (ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରୁଥିବା ରକ୍ତ ଉପାଦାନ) କାଉଣ୍ଟ କମ୍ ଥିବ ବୋଲି ଡର ଲାଗୁଛି । " କିନ୍ତୁ ମୋ ମନରେ ଆଉ ଗୋଟେ ପ୍ରଶ୍ନ ଓ ଆଉଗୋଟେ ଶବ୍ଦ ଉଚ୍ଚାରିତ ହେଉଥିଲା, "ରିଲାପ୍ସ (ରୋଗର ପୁନରାବର୍ତ୍ତନ)"! ସେଠୁ ସିଧା ଦୌଡ଼ିଲି ଅଙ୍କୋଲୋଜିଷ୍ଟଙ୍କ ରୁମ୍ କୁ । ମନେମନେ ଭଗବାନଙ୍କୁ ଡାକୁଥାଏ ଯେ, ମୋର ସବୁ ପାଠ, ସବୁ ଅଭିଜ୍ଞତା, ସବୁ ଆଶଙ୍କା ଭୁଲ୍ ପ୍ରମାଣିତ ହେଉ ଆଜି ।

ଦେବୀ ସହ ମୋର ପ୍ରଥମେ ଭେଟ ହୋଇଥିଲା ଅକ୍ଟୋବର ୨୦୦୯ ମସିହାରେ, ଏଇ ହସ୍ପିଟାଲରେ । ମୁଁ ପଢ଼ା ସାରି ନୂଆ ନୂଆ ଯୋଗ ଦେଇଥାଏ ହସ୍ପିଟାଲର ଅଙ୍କୋଲୋଜି ଡିପାର୍ଟମେଣ୍ଟରେ । ସେତେବେଳେ ଦେବୀ ମୋ ପାଇଁ ଖାଲି ଜଣେ ଆଠ ବର୍ଷ ବୟସର ରକ୍ତକର୍କଟରେ ପୀଡିତ ପିଲାଟେ ହିଁ ଥିଲା । ପ୍ରଥମ ଥର ଯେବେ ମୋତେ ଦେଖିଲା, କ'ଣ ଭାବିଲା କେଜାଣି, ହେଲେ ତା'ର ଏକା ଜିଦ୍, "ଆଜି ଏଇ ମ୍ୟାଡାମ୍ ହିଁ ମୋର ବ୍ଲଡ୍ ସାମ୍ପଲ୍ ଡ୍ର କରିବେ ।" ବାଧ୍ୟ ହୋଇ ଡେ- କେୟାର ଚେୟାରରୁ ଉଠି, ଯାଇ ସାମ୍ପଲ୍ ଡ୍ର କରିଥିଲି । ଗଲାବେଳେ ଦେବୀ ତା' ପକେଟ୍ ରୁ ଗୋଟେ ଚକଲେଟ୍ ବାହାର କରି ମୋତେ ଦେଇ କହିଲା, "ଲଭ୍ ୟୁ ! ଆଜିଠୁ ତମେ ମୋ ଗର୍ଲଫ୍ରେଣ୍ଡ ।" ମୋ ସହ ଡେ-କେୟାରର ସବୁ ଷ୍ଟାଫ୍, ପେସେଣ୍ଟ୍ ଆଉ ସେମାନଙ୍କ ଲୋକ ବି ହସିବାକୁ ଲାଗିଲେ ।

ତା 'ପରଠୁ ଦେବୀ ଯେବେବି ଫଲୋଅପ୍ ରେ ଆସେ, ପ୍ରଥମେ ଦୌଡ଼ି ଆସେ ମୋତେ ଦେଖାକରି ଚକଲେଟ୍ ଦେବା ପାଇଁ । ସାଙ୍ଗରେ ଆଙ୍କିକି ଆଣିଥାଏ କେବେ ମିକି-ମାଉସ, କେବେ ପ୍ରଜାପତି ତ କେବେ ଫୁଲର ଛବି । ବ୍ଲଡ୍ ଟେଷ୍ଟ ରିପୋର୍ଟ ଧରି ନିଜେ ଧାଇଁ ଆସି କହେ, "ଦେଖିଲ ଗର୍ଲଫ୍ରେଣ୍ଡ, ଏଥର ରିପୋର୍ଟ ଠିକ୍ ଅଛି ? ଦେଖିଲ ଏଥର ମେଡିସିନ୍ ଚାଲିବ ନା ନାହିଁ ?"

ଜ୍ବର ହେଲେ, ତା' ମା'ଙ୍କ କହିବା ଆଗରୁ ନିଜେ ଫୋନ୍ କରି ପକେଇବ, "ଗର୍ଲଫ୍ରେଣ୍ଡ, କୁହତ ଏଇଠି ବ୍ଲଡ୍ ଟେଷ୍ଟ କଲେ ଚଳିବ ନା ଭୁବନେଶ୍ୱର ଯିବାକୁ ପଡିବ ?"

ମୋ ମର୍ଣ୍ଣିଂ ଡ୍ୟୁଟି ଦିନ, ସକାଳୁ ଫୋନ୍ କରି ତାଗିଦ କରିବ, ରାଉଣ୍ଡରେ ଯିବା ପୂର୍ବରୁ ବ୍ରେକଫାଷ୍ଟ ସାରିଦେବା ପାଇଁ । କେଜାଣି, ଅନ୍ୟୟମନଙ୍କ ପାଇଁ ସଫଳତାର ଅର୍ଥ କ'ଣ, ହେଲେ ମୋତେ ଲାଗେ ଦେବୀର ଏ ନିସର୍ତ୍ତ ଭଲପାଇବା ଆଉ ଗର୍ଲଫ୍ରେଣ୍ଡ ଡାକଟା ହିଁ ମୋ' ପାଇଁ ସବୁଠୁ ବଡ଼ ସଫଳତା । ମୋ ସିନିୟରମାନଙ୍କଠୁ ଶୁଣିଥିଲି, ପ୍ରଥମଥର ଏଇ ହସ୍ପିଟାଲରେ ଆଡମିଟ ହେଲା ବେଳେ ଦେବୀକୁ ହୋଇଥାଏ ମୋଟରୁ ପାଞ୍ଚବର୍ଷ । ଆଉ ସେଡିକି ଟିକେ ବୟସରେ ବି ଯେତେ ଜ୍ବର କିମ୍ୱା ଯେତେ ଯନ୍ତ୍ରଣା ହେଲେ ମଧ୍ୟ ସେ ତା' ମା'ଙ୍କ ସାମନାରେ ଦାନ୍ତଚିପି ରହିଯାଏ । କେବେ କାନ୍ଦେନି । ହସ୍ପିଟାଲର ରିସେପ୍ସନ୍ ଠୁ ଆରମ୍ଭ କରି ଡକ୍ଟର୍ସ, ନର୍ସିଂ ଷ୍ଟାଫ୍, ଲ୍ୟାବ ଷ୍ଟାଫ୍ ଆଉ ଆଟେଣ୍ଡାଟ ପିଲା ପର୍ଯ୍ୟନ୍ତ, ସମସ୍ତଙ୍କର ଭାରି ପ୍ରିୟ ଥିଲା ଦେବୀ । ସବୁବେଳେ ହସୁଥିବ, ସବୁ ଷ୍ଟାଫଙ୍କ ସହ ଗପ ଯୋଡ଼ି ଥିବ । ଆଉ ଯିଏ ବି ପଚାରିବ, "ଦେବୀ ତୋ ଗର୍ଲଫ୍ରେଣ୍ଡ କିଏ ?", ନିର୍ଦ୍ୱନ୍ଦ ରେ ମୋ ନାଁ କହିବ ନହେଲେ ମୋ ଆଡ଼କୁ ହାତ ବଢେଇ ଇସାରା କରିବ । ଥରେ ମୋ' ପାଖରେ ବସି ଗପୁଗପୁ କହିଲା, "ଗର୍ଲଫ୍ରେଣ୍ଡ, ମୁଁ ବଡ଼ ହୋଇ ଚାକିରୀ କଲେ ତମ ପାଇଁ ଗୋଟେ ପର୍ପଲ୍ କଲର୍ର ଡ୍ରେସ୍ ଟେ କିଣିଦେବି ।"

ଅଙ୍କୋଲୋଜିଷ୍ଟଙ୍କ ରୁମ୍ ରେ ପଶୁପଶୁ ମୋ' ମୁହଁ ଦେଖି ସେ ଜାଣିପାରିଲେ ମୋ' ମନ ଭିତରେ ଉଠୁଥିବା ସବୁ ପ୍ରଶ୍ନକୁ, ସବୁ ଭୟକୁ, ସବୁ ଆଶଙ୍କାକୁ ଆଉ ସବୁ ଡରକୁ । ଦେବୀ ର ଫାଇଲଟା ମୋ' ହାତକୁ ବଢେଇଦେଇ କହିଲେ, "କୋର୍ଡିନେଟ୍ କରି ଆଗେ ଟେଷ୍ଟଗୁଡା କରେଇ ଦିଅତ । ରିପୋର୍ଟ ଆସିଲା ପରେ ଦେଖିବା ।"

ସବୁଥର ପରି ଏଥରବି ଦେବୀର ଜିଦ୍ ରେ ମୁଁ ହିଁ ତା' ବ୍ଲଡ୍ ସାମ୍ପଲ୍ ଡ୍ର କଲି । ମୁହଁଟା ଶୁଖି ଯାଇଥିଲେ ବି ସବୁଥର ପରି ହସୁଥାଏ ଦେବୀ । ପାହାନ୍ତି ତାରା ପରି ଚିକ୍ ଚିକ୍ ଆଖିରେ ଚାହିଁଥାଏ ମୋତେ । ମୁଁ ବ୍ଲଡ୍ ସାମ୍ପଲ୍ ଡ୍ର କରୁ କରୁ, ଦେବୀ ମୋ ଗାଲକୁ ଟିକେ ଆଉଁସି ଦେଇ କହିଲା, "ସରି ! ଏଥର ତମପାଇଁ ଚକଲେଟ୍ ଆଣିପାରିଲିନି ।" ଜୋରରେ ଛାତି ପାଖରେ ଚାପି ଧରିଲି ଦେବୀକୁ । ମନେ ମନେ ଭଗବାନଙ୍କୁ ଡାକୁଥାଏ, ମୋର କିଛି ଆୟୁଷ ପଳାନ୍ତାକି ଦେବୀ ପାଖକୁ । ହେଲେ ନିଜ ମନର ସବୁ ଡର, ସବୁ କୋହ, ସବୁ ଆଶଙ୍କାକୁ ଗୋଟେ ମିଛ ହସର ମୁଖା ପିନ୍ଧାଇ ଦେବୀକୁ କହିଲି, "ହଉ ଆର ଥରକୁ ନିଶ୍ଚୟ ଆଣିବୁ । ଆଉ ଶୁଣ, ଆଜି ମୋର ୱାର୍ଡରେ ବହୁତ କାମ ଅଛି । ତୁ ରିପୋର୍ଟ ସାରଙ୍କୁ ଓପିଡିରେ ଦେଖେଇଦେବୁ; ମୋତେ ଖୋଜିବୁନି ।" ଦେବୀ ତା' କୁନିକୁନି ଦୁଇ ହାତକୁ ମୋ ପେଟ ଚାରିପାଖରେ ଗୁଡେ଼ଇ କହିଲା, "ଓକେ ଗର୍ଲଫ୍ରେଣ୍ଡ !" ଏକା ନିଶ୍ବାସରେ ମୁଁ ଡେ-କେୟାର ଗେଟ ଖୋଲି ବାହାରକୁ ଆସିଲା ବେଳକୁ, ଦେବୀର ମା' ଠିଆ ହୋଇଥିଲେ । ମୋ ଦୁଇ ହାତକୁ ନିଜ ମୁଠା ଭିତରେ ଚାପିଧରି ସେଇ ଆଶଙ୍କା, କାନ୍ଦ ଆଉ ଡରମିଶା ହସ ନେଇ ମୋତେ ପଚାରିଲେ, "ମୋ ପୁଅ ପାଖରେ ଆଉ ବେଶୀ ଦିନ ନାହିଁନା ମ୍ୟାଡାମ୍ ?"

ଉତ୍ତରରେ ଖାଲି ଧୀରେ କିନା ମୋ' ହାତ ନେଇ ଦେବୀ ମା'ଙ୍କ କାନ୍ଧ ଉପରେ ରଖିଲି । ଦୁଇ ବର୍ଷ କାମ କଲା ଭିତରେ ମୁଁ ଭଲଭାବରେ ବୁଝିଯାଇଥିଲି ଯେ , ଜଣେ ଡାକ୍ତରର କାନ୍ଦିବାର ଅଧିକାର ନଥାଏ । ସବୁବେଳେ ତାକୁ ବଞ୍ଚିବାକୁ ପଡେ ଗୋଟେ ମିଛ ସାହସ ଆଉ ଧୈର୍ଯ୍ୟର ମୁଖା ପିନ୍ଧି । ଇଚ୍ଛା ହେଉଥାଏ, ଏ ପୃଥିବୀଟା ଏଇଠି ଦୁଇଫାଳ ହୋଇଯା'ନ୍ତା କି ଆଉ ଲୁଚି ଯା'ନ୍ତି ମୁଁ ତା' ଭିତରେ ! ସେଦିନ ଆଉ ଦେବୀର ରିପୋର୍ଟ ଦେଖିବାର ସାହାସ ମୋ'ଭିତରେ ନଥିଲା । ରାତିରେ ଅଙ୍କୋଲୋଜିଷ୍ଟଙ୍କୁ ଫୋନ୍ କରି ବୁଝିଥିଲି ଯେ, ଦେବୀର ରିଲାପ୍ସ କେସ୍ । ଆଉ ସେ ହାଇଦ୍ରାବାଦର ଗୋଟେ ଅଙ୍କୋଲୋଜି ସେଣ୍ଟର ସହ କଥା ହୋଇ ଦେବୀକୁ ସେଠିକୁ ରେଫର କରିଛନ୍ତି । ପ୍ରାୟ ଘଣ୍ଟାଏ ଯାଏ ସାର୍ ମୋତେ ବୁଝାଇଥିଲେ, ଜଣେ ଡାକ୍ତରକୁ କେମତି ଧୈର୍ଯ୍ୟ ଧରି କାମ କରିବାକୁ ପଡିବ, ଆଉ ଏମତି ବିଚଳିତ ହେଲେ ଅନ୍ୟ କେତେ କେତେ ରୋଗୀଙ୍କ କଥା କିଏ ବୁଝିବ ?

୧୪ ଜୁନ୍, ୨୦୧୧ ସନ୍ଧ୍ୟା । ମୁଁ ହସ୍ପିଟାଲରୁ ଫେରି ବସିଥାଏ । ଦେବୀ ମା'ଙ୍କ ଫୋନ୍ ଆସିଲା । ମୁଁ ଫୋନ୍ ରିସିଭ କରୁକରୁ ସେ କହିଲେ, ସେଦିନ ଭୁବନେଶ୍ୱରରୁ ଫେରି ସେମାନେ ଦେବୀକୁ ନେଇ ହାଇଦ୍ରାବାଦ ଯାଇଥିଲେ । ସେଠୁ ଫେରିବାର ଦୁଇ ଦିନ ପରେ ଦେବୀର ଦେହ ଅଧିକରୁ ଅଧିକ ଖରାପ ହେବାକୁ ଲାଗିଲା । ହାଇଦ୍ରାବାଦ ଡକ୍ଟର ପ୍ଲାଟିଲେଟ୍ ଟ୍ରାସଫ୍ୟୁଜନ୍ ପାଇଁ କହିଲେ । ହେଲେ ସେଠାକାର ସବୁ ଲୋକାଲ୍ ହସ୍ପିଟାଲ୍ ଅଙ୍କୋ ପେସେଣ୍ଟ୍ ର ଟ୍ରିଟମେଣ୍ଟ କରିପାରିବେନି କହି ଫେରାଇ ଦେଇଥିଲେ ! ଆଉ ଆଗକୁ ଦେବୀର ମା' କ'ଣ କହୁଥିଲେ ମୋତେ କିଛି ଶୁଭୁ ନଥିଲା । ଘର ଭିତର ସାରା ଅନ୍ଧାର ଆଉ ନିରବତାରେ ଭରି ଯାଇଥିଲା । ଛାତି କୋହଟେ ଉଠିଆସି ଠୁଳ ହେଇ ଯାଇଥିଲା ମୋ ତଣ୍ଟି ପାଖରେ । ହେଲେ ଠୋପାଏ ବି ଲୁହ କି ସ୍ବର ବାହାରିନଥିଲା ମୋ' ଭିତରୁ ।

ଚାଲିଗଲା ଦେବୀ, ସବୁଦିନ ପାଇଁ ମୋ'ଠୁ 'ଗର୍ଲଫ୍ରେଣ୍ଡ' ଡାକଟା ନେଇ । ମୋ' ଜୀବନରେ ଗୋଟେ ଶୂନ୍ୟସ୍ଥାନ ରହିଗଲା, ଯେମିତି ମୋ' ୱାର୍ଡରୋବ୍ ରେ ଗୋଟେ ସ୍ଥାନ ସବୁବେଳେ ଫାଙ୍କା ରହିବ 'ପର୍ପଲ୍ ଡ୍ରେସ୍' ଟେ ପାଇଁ !