ଚିତ୍ର- ଅଜିତ କେଶରୀ ରାୟ, ଫେସବୁକ ପୃଷ୍ଠା

ଅଜିତ୍ କେଶରୀ ରାୟ ଥିଲେ ଓଡ଼ିଶା ମାଟିର ଶେଷ ଅମାୟିକ ଶିଶୁ ପରି ସରଳ, ଏକଦମ୍ ସାଧାସିଧା ବ୍ୟକ୍ତିତ୍ୱଧାରୀ ଜଣେ ପ୍ରମୂଖ ଚିତ୍ରଶିଳ୍ପୀ । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନର ମୂଳଦୁଆ ପକାଇଥିବା ତ୍ରିମୂର୍ତ୍ତି (ଆଚାର୍ଯ୍ୟ ଶରତ ଚନ୍ଦ୍ର ଦେବ, ଅଜିତ୍ କେଶରୀ ରାୟ ଓ ଅନନ୍ତ ପଣ୍ଡା)ଙ୍କ ମଧ୍ୟରୁ ଅନ୍ୟତମ । ଚିକିଟି ରାଜ ପରିବାରର ଶରତ ଚନ୍ଦ୍ର ଦେବ ଖଲ୍ଲିକୋଟ ସରକାରୀ କଳା ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାର କିଛି ଦିନ ପରେ ଅଜିତ୍ କେଶରୀ କଳା ବିଦ୍ୟାଳୟର ଭାରତୀୟ ଚିତ୍ରକଳା ବିଭାଗରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଓ ଶେଷରେ ସେଉଠୁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ ।

ନିଆଳିର ପ୍ରଖ୍ୟାତ ଜମିଦାର ପରିବାରରେ ୧୯୨୨ ମସିହାରେ ଅଜିତ୍ କେଶରୀ ରାୟ ଜନ୍ମ ଗ୍ରହଣ କରିଥିଲେ। ପାଞ୍ଚ ଭଉଣୀ, ତିନି ଭାଇ ଓ କଡ଼ା ମିଜାଜ୍ ର ଡାକ୍ତର ବାପା । ବାପା କ୍ୟାପ୍ଟେନ୍ କ୍ଷେତ୍ରମୋହନ ରାୟଙ୍କର ଇଛା, ପୁଅମାନେ ତାଙ୍କର ଜଣେ ଜଣେ ନାମକରା ମଣିଷ ହୁଅନ୍ତୁ । ସେଥିପାଇଁ ସେ ବଡ଼ ପୁଅ ଅଜିତ୍ କେଶରୀ ଓ ସାନପୁଅ ରଣଜିତ୍ଙ୍କ କଟକ ଷ୍ଟୁଆର୍ଟ ସ୍କୁଲ୍ ରୁ ନେଇ ୧୯୩୫ ମସିହାରେ ସେତେବେଳର ପ୍ରସିଦ୍ଧ ଡେରାଡୁନ୍ ର ଡୁନ୍ ସ୍କୁଲ୍ ରେ ଛାଡ଼ି ଦେଇଥିଲେ । ଇଂରେଜ ଶାସିତ ସେତେବେଳର ଭାରତ ବର୍ଷରେ ଡୁନ୍ ସ୍କୁଲ୍ ଥିଲା ଧନୀ ଲୋକଙ୍କ ପିଲାମାନଙ୍କ ପାଇଁ ପାଠ ପଢ଼ିବାର ଅନ୍ୟତମ ଶ୍ରେଷ୍ଠବିଦ୍ୟାଳୟ । ସେଇଠି ପାଠ ପଢ଼ିଲା ବେଳେ ହିଁ ବିଦ୍ୟାଳୟର ତତ୍କାଳୀନ କଳା ଶିକ୍ଷକ ସୁଧିର ରଞ୍ଜନ ଖାସ୍ତଗିରିଙ୍କ ସହ ପରିଚୟ ହୁଏ ଅଜିତ୍ କେଶରୀଙ୍କର । ସାରା ଜୀବନ ପାଇଁ ଚିତ୍ର ପ୍ରେମରେ ପଡ଼ିବାର ମୂଳଦୁଆ ତାଙ୍କର ଏଇଠି ହିଁ ପଡ଼ିଥିଲା । ସୁଧିର ରଞ୍ଜନଙ୍କ ପାଖରେ ସେଦିନ ସେ ଦେଖିଥିଲେ ବେଙ୍ଗଲ୍ ସ୍କୁଲ୍ ର ପ୍ରମୂଖ ଚିତ୍ରଶିଳ୍ପୀମାନଙ୍କ ହାତଅଙ୍କା ଚିତ୍ରଗୁଡ଼ିକୁ ।

ବେଙ୍ଗଲ୍ ସ୍କୁଲ୍ ସାଙ୍ଗରେ ସେହି ଯେଉଁ ପ୍ରାଥମିକ ପରିଚୟ ହେଇଥିଲା ତାହା ହିଁ ତାଙ୍କୁ ଦିନେ ଶାନ୍ତିନିକେତନ ଟାଣିଆଣିଲା । ବାପା ତ ଆଦୌ ରାଜି ନଥିଲେ ପୁଅ ତାଙ୍କର ଚିତ୍ରକଳାରେ ପାଠ ପଢୁ ଓ ପଢ଼ା ଶେଷରେ ଗୋଟେ ସାଧାରଣ ଡ୍ରଇଂ ମାଷ୍ଟ୍ର ହୋଇ ଗୁଜୁରାଣ ମେଣ୍ଟାଉ । କିଛି ଉପାୟ ନ ପାଇ ଅଜିତ୍ କେଶରୀ ଡୁନ୍ ସ୍କୁଲ୍ ର ପ୍ରଧାନ ଶିକ୍ଷକ ମିଃ ଫୁଟ୍ଙ୍କୁ ଚିଠି ଲେଖିଲେ । ମିଃ ଫୁଟ୍ ଏଥର ବୁଝେଇ ଶୁଝେଇ କ୍ୟାପଟେନ୍ କ୍ଷେତ୍ରମୋହନ ରାୟଙ୍କୁ ଚିଠି ଲେଖିଲେ ଯେ, ଅଜିତ୍ଙ୍କୁ ତା’ ଇଛାରେ ଜୀବନ ଓ ଜୀବିକା ବାଛିବାକୁ ସ୍ୱାଧୀନତା ଦିଆଯାଉ । ୧୯୪୦ ରେ ଅଜିତ୍ କେଶରୀ ଦାଖଲ ହେଲେ ଶାନ୍ତିନିକେତନରେ । ଯେଉଁମାନଙ୍କ ଛବି ଦେଖି ଚିତ୍ରଶିଳ୍ପୀ ହେବେ ବୋଲି ସେ ସିଦ୍ଧାନ୍ତ ନେଇଥିଲେ, ସେହିମାନଙ୍କୁ ଏଥର ପ୍ରତ୍ୟକ୍ଷ କଲେ । ନନ୍ଦଲାଲ ବୋଷ, ବିଶ୍ୱରୂପ ବୋଷ, ରାମକିଙ୍କର ବେଜ୍, ବିନୋଦ ବିହାରୀ ମୁଖାର୍ଜିଙ୍କୁ ଅତି ପାଖରୁ ଦେଖିଲେ । ସେଇମାନଙ୍କ ପାଖରେ ପାଠ ପଢ଼ିଲେ । ଡୁନ୍ ସ୍କୁଲ୍ ର ବିଦେଶୀ ଆଦବ କାଇଦା ଛାଡ଼ି ଶାନ୍ତିନିକେତନରେ ସ୍ୱଦେଶୀ ମନ୍ତ୍ରରେ ଦିକ୍ଷୀତ ହେଲେ ଏଥର ଅଜିତ୍ କେଶରୀ ।

ଶାନ୍ତିନିକେତନର ସମୟ ଖୁବ୍ ଭଲରେ କଟିଛି । ବଙ୍ଗାଳି, ପଞ୍ଜାବୀ, ମାଡ୍ରାସି, ଗୁଜୁରାଟି, ଚିନା ଓ ଜାପାନୀ ଛାତ୍ରଛାତ୍ରୀମାନଙ୍କ ସହ ବନ୍ଧୁତା ହୋଇଛି । ଡୁନ୍ ସ୍କୁଲ୍ ର ମାପଚୁପ ଜୀବନଠାରୁ ଢେର୍ ଅଲଗା ଥିଲା ଶାନ୍ତିନିକେତନର ଜୀବନ । ଡୁନ୍ ର ବିଦେଶୀ ଖାଦ୍ୟ, ଇଂରେଜୀ ଭାଷା, ବିଦେଶୀ ପୋଷାକ ଓ ବିଦେଶୀ ଆଦବ କାଇଦା ଠାରୁ ଶାନ୍ତି ନିକେତନର ସାଦା ସରଳ ଡାଲି, ଭାତ, ଧୋତି, ପାଇଜାମା, କୁର୍ତ୍ତା ଓ ଶାଢ଼ୀ କାହିଁରେ କେତେ ଅଲଗା ଥିଲା । ଶାନ୍ତିନିକେତନର କଳା ଭବନରେ ସେତେବେଳେ ଇଣ୍ଡିଆନ ପେଣ୍ଟିଂ, ଭାସ୍କର୍ଯ୍ୟ, ଗ୍ରାଫିକ୍ ଆର୍ଟ, ବାଟିକ୍, ଆଲପିନା ଡିଜାଇନ୍ ଓ ଲେଦର୍ କ୍ରାଫ୍ଟ ଆଦି ଶିକ୍ଷା ଦିଆଯାଉଥିଲା । ସେତେବେଳକୁ ମାଷ୍ଟର ମୋସାଏ ନାମରେ ପରିଚିତ ନନ୍ଦଲାଲ ବୋଷ ଯଦିଓ ସିଧାସଳଖ କୌଣସି ଶ୍ରେଣୀରେ ପାଠ ପଢ଼ାଉ ନଥିଲେ ତଥାପି ପ୍ରତିଟି ପିଲାର ପାଠପଢ଼ା ଓ କଳାକର୍ମକୁ ପ୍ରତ୍ୟକ୍ଷ ଭାବରେ ନିରୀକ୍ଷଣ କରୁଥିଲେ । ଅଜିତ୍ କେଶରୀ ବିଶ୍ୱରୂପ୍ ବୋଷ୍ (ନନ୍ଦଲାଲ ବୋଷଙ୍କ ପୁଅ)ଙ୍କ ପାଖରୁ ଉଡ୍ କଟ୍ ଓ ଲିନୋକଟ୍, ଗୌରୀ ଦି’ଙ୍କ ପାଖରୁ ଆଲ୍ପିନା ଓ ଲେଦର୍ କ୍ରାଫ୍ଟ, ରାମକିଙ୍କରଙ୍କ ପାଖରୁ ମଡେଲିଂ ଓ ବିନାୟକ ମାସୋଦାଙ୍କ ପାଖରୁ ଚିତ୍ର ଶିକ୍ଷା ଆରମ୍ଭ କଲେ । ଶାନ୍ତିନିକେତନରେ ଥିବା ସମୟରେ ଅଜିତ କେଶରୀଙ୍କର ପରବର୍ତ୍ତୀ ସମୟର ବିଶିଷ୍ଠଚଳଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ସହ ବନ୍ଧୁତା ହୋଇଛି । ପ୍ରଖ୍ୟାତ ଭାରତୀୟ ସ୍ଥପତି ଶଂଖ ଚୌଧୁରୀଙ୍କ ସହ ଭଲରେ ଚିହ୍ନା ପରିଚୟ ହୋଇଛି ବି । ସତ୍ୟଜିତ୍ ରାୟ ତାଙ୍କର ସହପାଠୀ ଥିବାବେଳେ ଶଂଖ ଚୌଧୁରୀ ଉପର ଶ୍ରେଣୀରେ ପାଠ ପଢୁଥିଲେ ।

ଶାନ୍ତିନିକେତନରୁ ଅଜିତ୍ କେଶରୀ ୧୯୪୫ ମସିହାରେ ଡିପ୍ଲୋମା ସହ ଡିଷ୍ଟିଙ୍କସନ୍ ନେଇ ବାହାରିଲେ । ଶାନ୍ତିନିକେତନରୁ ବାହାରି ଚିଠି ଲେଖିଲେ ଡୁନ୍ ସ୍କୁଲ୍ ର କଳା ଶିକ୍ଷକ ସୁଧିର ଖାସ୍ତଗିରିଙ୍କୁ । ଉଦ୍ଦେଶ୍ୟ କର୍ମ ସଂସ୍ଥାନ । ଯୋଗକୁ ଅଜିତ୍ କେଶରୀଙ୍କ ସେଇ ଡୁନ୍ ସ୍କୁଲ୍ ର ଇଂରାଜୀ ଶିକ୍ଷକ ଆର୍.ଏଲ୍.ମେହେଟ୍ଟା ରାଜସ୍ଥାନ ବିକାନେର୍ ରେ ଥିବା ସାଦୁଲ୍ ପବ୍ଲିକ୍ ସ୍କୁଲ୍ ରେ ଅଧ୍ୟକ୍ଷ ଭାବରେ ଯୋଗ ଦେଇଥା’ନ୍ତି ଓ ବିଦ୍ୟାଳୟର କଳା ଶିକ୍ଷକ ପଦ ଖାଲିଥାଏ । ଯାହାହେଉ ଚାକିରି ମିଳିଗଲା । ଦରମା ମାସକୁ ୧୬୫ ଟଙ୍କା । ଖାଇବା ରହିବା ମାଗଣା । ଅଜିତ୍ କେଶରୀ ବିକାନେର୍ ରେ ପହଁଞ୍ଚିନୂଆ ଚାକିରୀରେ ଦାଖଲ ହୋଇଗଲେ । ଇଏ ୧୯୪୫ ମସିହାର ଜୁଲାଇ ମାସର ଘଟଣା । ହେଲେ ବିକାନେର୍ ତାଙ୍କୁ ଭଲ ଲାଗିଲାନି । ପ୍ରଥମ କାରଣ ହେଲା ବିକାନେର୍ ର ମରୁଭୂମିଆ ପରିବେଶ । ସ୍କୁଲ୍ ରେ ଛାତ୍ର ଭାବରେ ରାଜା ରାଜୁଡ଼ାଙ୍କ ଆତ୍ମଗର୍ବୀ ପିଲାମାନଙ୍କର ସାନିଧ୍ୟ । ଏମିତି ଶୁଖିଲା ଜାଗାରେ ଏପରି ମାଖୁନା ଚାକିରୀ ଆଉ କରିହେବନି କହି ମାତ୍ର ଛଅ ମାସରେ ଅଜିତ୍ କେଶରୀ ବାହୁଡ଼ି ଆସିଲେ ଓଡ଼ିଶା । ଭିତରେ ଇଛାଟିଏ କଅଁଳିଥାଏ ଯେ ଓଡ଼ିଶାରେ ପହଁଞ୍ଚିଆଉ ଚାକିରି ବାକିରି ଖୋଜିହେବନି, ବରଂ ସ୍ୱାଧୀନ ଭାବରେ ଜଣେ ଚିତ୍ରଶିଳ୍ପୀ ଭାବରେ ଜୀବନ ବଞ୍ଚିବେ । ସ୍ୱାଧୀନ ଭାବରେ ଚାକିରି ନକରି ଚିତ୍ରଶିଳ୍ପୀ ହୋଇ ବଞ୍ଚିବା କିଛି ସହଜ ପାଠ ନଥିଲା । ଅଜିତ୍ କେଶରୀ ଭାବିଥିଲେ ଓଡ଼ିଶାର ଧନୀ ରାଜା ଜମିଦାରମାନେ ତାଙ୍କର ଛବି କିଣିବେ । ସେମାନଙ୍କୁ ନିଜ ଛବି ବିକିବାର କେତୋଟି ବିଫଳ ପ୍ରୟାସ ପରେ ଅଜିତ୍ ପୁଣି ଥରେ ଚାକିରୀ ସନ୍ଧାନରେ ବାହାରିଗଲେ କଲିକତା । ଚାକିରି ମିଳିଗଲା ବନ୍ଧୁମାନଙ୍କ ସହେଯାଗରେ । କଲିକତାର ବିରଳା ବ୍ରଦର୍ସ କମ୍ପାନୀରେ ଜଣେ କମର୍ସିଆଲ୍ ଆର୍ଟିଷ୍ଟ ଭାବରେ ଯୋଗଦେଲେ ସେ । କଲିକତାରେ ଚାକିରୀ କରୁଥିବା ସମୟରେ ଅଜିତ୍ କେଶରୀଙ୍କ ମା ଓ ବଡ଼ ଭଉଣୀ ବୀଣା ଦେଈ ତାଙ୍କର ବିବାହ ଠିକ୍ କରି ସାରି ତାଙ୍କୁ ଓଡ଼ିଶା ଡକାଇ ପଠେଇଲେ । ଏପରିକି କନ୍ୟା, ବିବାହ ତାରିଖ, ସ୍ଥାନ ସବୁକିଛି ଠିକ୍ ହୋଇ ସାରିଥିଲା । ୯ ଜୁଲାଇ ୧୯୪୭ ରେ ପୁରୀରେ ଅଜିତ୍ କେଶରୀଙ୍କର ବିବାହ ହେଲା କିରଣ ଦେବୀଙ୍କ ସହ । ଅଜିତ୍ କେଶରୀଙ୍କ ମା କିନ୍ତୁ ବୋହୂର ନାଁ ରଖିଲେ ଗୀତା । ୧୫ ଅଗଷ୍ଟ ୧୯୪୭ ରେ ଭାରତ ସ୍ୱାଧୀନ ହେଲା ଓ କଲିକତାର ନୂଆଖାଲିରେ ଆରମ୍ଭ ହୋଇଗଲା ସାମ୍ପ୍ରଦାୟିକ ଦଙ୍ଗା । ବିବାହ କରିବାକୁ ଘରକୁ ଆସିଥିବା ଅଜିତ୍ କେଶରୀ ଆଉ କଲିକତା ଫେରି ପାରିଲେନି ।

ସେତେବେଳକୁ ତାଙ୍କର ବଡ଼ ଦୁଇ ଭଉଣୀ ଓ ସାନ ଭାଇ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନରେ । ଅଜିତ୍ କେଶରୀଙ୍କ ଇଛା ଚିତ୍ରକଳାରେ ଉଚ୍ଚଶିକ୍ଷା ପାଇଁ ସେ ବି ଲଣ୍ଡନ ଯାଆନ୍ତେ । ହେଲେ ପାଖରେ ପଇସା ନାହିଁ । ଶିକ୍ଷା ଖର୍ଚ୍ଚ ବହନ କରିବାକୁ ବଡ଼ ଦୁଇ ଭଉଣୀଙ୍କୁ ଅନୁରୋଧ କରି ଚିଠି ଲେଖିଲେ ସେ । ଭଉଣୀମାନେ ରାଜି ବି ହେଲେ । ହେଲେ ଗୋଟେ ସର୍ତ୍ତ ରଖିଲେ । ସର୍ତ୍ତଟି ହେଲା ଅଜିତ୍ କେଶରୀ ଲଣ୍ଡନରେ ପହଞ୍ଚି, ଚିତ୍ରକଳା ନୁହେଁ, କୃଷି ବିଜ୍ଞାନରେ ପାଠ ପଢ଼ିବେ । ଭଉଣୀମାନଙ୍କର ସବୁ ସର୍ତ୍ତରେ ରାଜି ହୋଇ ଅଜିତ୍ କେଶରୀ ୧୯୪୯ ମସିହାରେ ଲଣ୍ଡନ ବାହାରିଲେ ।

ଲଣ୍ଡନରେ ପହଞ୍ଚି ସେ ପ୍ରଥମେ ବ୍ରିଟିଶ ମ୍ୟୁଜିୟମ୍, ଟେଟ୍ ଆର୍ଟ ଗ୍ୟାଲେରୀ, ଓଲସ୍ କଲେକସନ୍ ବୁଲି ଦେଖିଲେ । ପ୍ରଥମ କରି ଭାରତୀୟ ରାଜପୁତ୍ ଓ ମୋଗଲ୍ ମିନିଏଚର ସାଙ୍ଗରେ ଗଗାଁ, ମନେ, ମୋନେ, ଭ୍ୟାନଗୋଗ୍, ଡେଗା, ପିସାରୋ ଓ ପିକାଶୋ ଆଦିଙ୍କ ହାତ ଅଙ୍କା ଚିତ୍ରକୁ ଦେଖିଲେ । ଇମ୍ପ୍ରେସନିଜିମ୍, ସିନ୍ଥେଟିସିଜିମ୍, କ୍ୟୁବିଜିମ୍ ଓ ଏକ୍ସପ୍ରେସିନିଜିମ୍ ପରି ମତବାଦ ଓ ଶୈଳୀକୁ ନେଇ ଅଙ୍କିତ ଛବିଗୁଡ଼ିକ ଭଲଲାଗିଲା ତାଙ୍କୁ । ଏ ସବୁ ଚିତ୍ରକରମାନଙ୍କ ମଧ୍ୟରୁ ତାଙ୍କୁ ପିକାଶୋ ଓ ଭ୍ୟାନଗୋଗ୍ ଙ୍କ ଛବି ବେଶୀ ବେଶୀ ଭଲ ଲାଗିଲା । ଏ ସମ୍ପର୍କରେ ସେ ଓଡ଼ିଶା ଲଳିତକଳା ଏକାଡେମୀ ଦ୍ୱାରା ୨୦୦୪ ରେ ପ୍ରକାଶିତ ଆପଣା ଆତ୍ମଜୀବନୀ “ପୋଟ୍ରେଟ୍ ଅଫ୍ ପେଣ୍ଟର” ରେ ଠାଏଁ ଲେଖିଛନ୍ତି; “ବିଶେଷ କରି ପିକାଶୋଙ୍କର କ୍ୟୁବିକ୍ ଶୈଳୀରେ ଅଙ୍କିତ ଛବିଗୁଡ଼ିକ ମୋତେ ଅଭିଭୂତ କରି ପକାଇଲା । ମୁଁ ଆଗରୁ ଏମିତିକା ବଳିଷ୍ଠରେଖା ଏବଂ ରଙ୍ଗର ବ୍ୟବହାର ଦେଖିନଥିଲି ।”

ଅଜିତ୍ କେଶରୀ ୟୁରୋପରେ ପହଞ୍ଚି ପିକାଶୋ ଓ ଭ୍ୟାନଗୋଗ୍ଙ୍କ ଛବି ଦେଖି ଅଭିଭୂତ ହୋଇଯାଇଛନ୍ତି । ମନେ ମନେ ପିକାଶୋଙ୍କୁ ଗୁରୁ ବୋଲି ମାନି ନେଇଛନ୍ତି । ଆମକୁ କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ୧୯୦୬ରୁ ଆରମ୍ଭ ହୋଇଥିବା କ୍ୟୁବିଜିମ୍ ର ପ୍ରଥମ ସ୍ରୋତ ୧୯୨୧ ବେଳକୁ ମନ୍ଥର ହୋଇଯାଇଥିଲା । ତା’ର ଢେର୍ ଆଗରୁ ଅର୍ଥାତ୍ ୧୮୯୦ ରେ ଭ୍ୟାନଗୋଗ୍ ଆତ୍ମହତ୍ୟା କରିସାରିଥିଲେ । ଅଜିତ୍ କେଶରୀ ପିକାଶୋ ଓ ଭ୍ୟାନଗୋଗ୍ଙ୍କ ପ୍ରେମରେ ପଡ଼ିଲା ବେଳକୁ ଆମେରିକୀୟ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଷ୍ଟ ଚିତ୍ରଶିଳ୍ପୀ ଜାକସନ୍ ପୋଲାକ୍ (୧୯୧୨-୧୯୫୬ ) ସଫଳତାର ଶୀର୍ଷରେ । ୧୯୪୯-୫୦ ମସିହା ବେଳକୁ ୟୁରୋପ ଓ ଆମେରିକୀୟ ଚିତ୍ର ଜଗତରେ ଅନେକ କିଛି ଓଲଟ ପାଲଟ ହୋଇସାରିଲାଣି । ଭାରତରେ ମଧ୍ୟ ବେଙ୍ଗଲ୍ ସ୍କୁଲ୍ ଅଫ୍ ଆର୍ଟ ଧାରାକୁ ନାପସନ୍ଦ କରି ୧୯୪୩ ରେ କିଛି ଯୁବ ଚିତ୍ରଶିଳ୍ପୀ କଲିକତାରେ ‘କାଲକାଟା ଗ୍ରୁପ୍’ ନାମରେ ଏକ ସଂଗୋଷ୍ଠୀ ଗଢି ସାରିଲେଣି । ୧୯୫୩ ରେ ଭାଙ୍ଗି ଯାଇଥିବା ଅଳ୍ପାୟୁଷ ଏହି କଳାକାରଙ୍କ ସଂଗୋଷ୍ଠୀଟିର ଚିନ୍ତାଧାରାକୁ କେବଳ ବଙ୍ଗ ପ୍ରଦେଶ ନୁହେଁ ବରଂ ସମଗ୍ର ଭାରତ ବର୍ଷର ପ୍ରଥମ କଳା ଆନ୍ଦୋଳନ ଭାବରେ ଗଣାଯାଏ । ବମ୍ବେରେ ଗଢ଼ାଯାଇଥିବା ‘ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପ୍’୧୯୪୯ରେ ସେମାନଙ୍କର ନୂଆ ଛବିମାନଙ୍କୁ ବମ୍ବେ ଓ କଲିକତାରେ ପ୍ରଦର୍ଶିତ କରିସାରିଲେଣି । ଓଡ଼ିଶାର ଆଧୁନିକ ଚିତ୍ରଶିଳ୍ପୀ ଓ ଚିତ୍ରକଳା ରାଜ୍ୟର ହାଲଚାଲ୍ ବିଷୟରେ କଥା ହେଲାବେଳେ ଏ ସମସ୍ତ ବିଷୟରେ ସମ୍ୟକ ଧାରଣା ରହିବା ନିତ୍ୟାନ୍ତ ଦରକାର ।