ଚିତ୍ର: ଅଜିତ କେଶରୀ ରାୟ ଫେସବୁକ ପୃଷ୍ଠା

ଲଣ୍ଡନରେ ପହଁଞ୍ଚି ଅଜିତ୍ କେଶରୀ ପିକାସୋଙ୍କ ମାୟାରେ ଯୋଉ ପଡ଼ିଥିଲେ ତା’ର ଫଳ ଫଳିଛି ୧୯୬୨ ରେ । କ୍ୟୁବିକ୍ ଶୈଳୀରେ ଅଙ୍କିତ ତାଙ୍କର ତୈଳଚିତ୍ର ‘ଦ ଫ୍ଲାଇଟ୍’ ଓଡ଼ିଶା ଚିତ୍ରକଳାର ପରିପ୍ରେକ୍ଷୀରେ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟି ଯାଇଛି । ସେଦିନ ରାଜ୍ୟ ଲଳିତ କଳାର ପ୍ରଦର୍ଶନୀ ସେଥର ବୁଲି ଦେଖୁଥା’ନ୍ତି ପ୍ରଖ୍ୟାତ ସାହିତ୍ୟିକ ଗୋପୀନାଥ ମହାନ୍ତି । ସାଙ୍ଗରେ ଥାଆନ୍ତି ବିଶିଷ୍ଠ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ । ଚିତ୍ରବିଥିରେ ଚିତ୍ରସବୁକୁ ବୁଝାଉଥା’ନ୍ତି ସେ ଗୋପୀବାବୁଙ୍କୁ । ହଠାତ୍ ଅଜିତ୍ କେଶରୀଙ୍କ ‘ଦ ଫ୍ଲାଇଟ୍’ ଛବି ପାଖରେ ଅଟକି ଗଲେ ଗୋପୀ ମହାନ୍ତି । ଗୋପାଳ କାନୁନଗୋ ବୁଝାଇଦେଲେ ଯେ କାନଭାସ୍ ଉପରେ ଗଇଁତି ଗୁଡ଼ାକୁ ଆଙ୍କିଛନ୍ତି ଶିଳ୍ପୀ । ହେଲେ ମନ ମାନିନି ଗୋପୀନାଥଙ୍କର । ଡକା ହୋଇ ଆସିଛନ୍ତି ଅଜିତ୍ କେଶରୀ । ଅଜିତ୍ କେଶରୀ ପହଁଞ୍ଚି ଗୋପୀବାବୁଙ୍କୁ କହିଛନ୍ତି; ଆପଣ ଆଉ ଥରେ ଭଲ କରି ମୋ ଛବିକୁ ଦେଖନ୍ତୁ । ଛବିର ନାଁ ପଢନ୍ତୁ । ତାପରେ କ’ଣ ଭାବୁଛନ୍ତି ଓ ବୁଝୁଛନ୍ତି କୁହନ୍ତୁ । ଗୋପୀ ବାବୁ ଏଥର ନୀରିଖେଇ ଦେଖିଲେ ଛବିକୁ । ଛବିର ନାଁ ଅଛି ‘ଦ ଫ୍ଲାଇଟ୍’ । ହଁ . . ହଁ . . କ’ଣ ଗୁଡେ଼ ସବୁ ଉଡ଼ିଲା ପରି ମନେ ହେଉଛନ୍ତି । କିଛି ଆକାର ଉଡୁଛି । ଯାହା ବି ହେଇପାରେ; ଚଢେ଼ଇ କି ଆଉ କିଛି ବି ।

ଅଜିତ୍ କେଶରୀ ଏ ଛବିରେ ଚଢେଇମାନଙ୍କୁ ସେମାନଙ୍କର ସରଳତମ ଆକାରକୁ ଆଣିଦେଇଛନ୍ତି । ଯେମିତିକି ଚଢେଇର ପକ୍ଷ ପାଇଁ ଦୁଇଟି ତିନିକୋଣିଆ ଆକାର । ଗୋଟିଏ ତ୍ରିକୋଣ ଦେହ ପାଇଁ ଏବଂ କିଛି ଚତୁର୍ଭୁଜ ଓ ଆୟତକ୍ଷେତ୍ର ଅଛନ୍ତି ଅଗଣା ଓ ପ୍ରଚ୍ଛଦ ପାଇଁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଲା, ଅଜିତ୍ କେଶରୀ ଓଡ଼ିଶା ମାଟିର ପ୍ରଥମ ଚିତ୍ରଶିଳ୍ପୀ ଯିଏକି ଶାନ୍ତିନିକେତନର ହାତ ଛାଡ଼ି ଦେଇଛନ୍ତି ଠିକଣା ସମୟରେ । କଳାଭବନରେ ପାଠ ପଢ଼ିଥିବା ଅଜିତ୍ କେଶରୀ ବେଙ୍ଗଲ୍ ସ୍କୁଲ୍ ଅଫ୍ ଆର୍ଟ ସାଙ୍ଗରେ ଯୋଡ଼ି ହୋଇ ରହିଥିବା ସୂତାକୁ କାଟି ପକାଇଛନ୍ତି । ନନ୍ଦଲାଲ୍, ବିନୋଦବିହାରୀ ଏବଂ ରାମକିଙ୍କର୍ଙ୍କୁ ଛାଡ଼ି ପିକାସୋଙ୍କୁ ଡାକି ଆଣିଛନ୍ତି ଓଡ଼ିଶା ମାଟିକୁ । ଓଡ଼ିଶାର ଆଧୁନିକ ଚିତ୍ରକଳାର ପରିସର ଓ ପରିସୀମାକୁ ବ୍ୟାପକ କରିଛନ୍ତି । କ୍ୟୁବିଜିମ୍ ର ସ୍ୱାଦ ଚଖାଇଛନ୍ତି ଆପଣା ରାଜ୍ୟର ଚିତ୍ର ରସିକ ମାନଙ୍କୁ । ଅବଶ୍ୟ ପୂର୍ବରୁ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ ଟେମ୍ପରାରେ କ୍ୟୁବିଜିମ୍ କୁ ନେଇ ତାଙ୍କ ବାଗରେ କେତୋଟି ପ୍ରାରମ୍ଭିକ ପରୀକ୍ଷା କରିସାରିଥିଲେ । ତଥାପି ‘ଦ ଫ୍ଲାଇଟ୍’କୁ ହିଁ ଓଡ଼ିଶାର ପ୍ରଥମ ସଫଳ କ୍ୟୁବିଷ୍ଟ ଛବି କୁହାଯାଏ ।

‘ଦ ଫ୍ଲାଇଟ୍’ ଛବି ପରେ ଅଜିତ୍ କେଶରୀ ଆଉ କ୍ୟୁବିଜିମ୍ ର ମାୟାରୁ ମୁକୁଳି ପାରି ନାହାଁନ୍ତି । ପଛକୁ ପଛ ସେ ଆହୁରି ଅନେକ ଗୁଡେ଼ ଛବି ସେହି ଧାରାରେ ଆଙ୍କିଛନ୍ତି । ପିକାସୋ ଓ ବ୍ରାକ୍ ଙ୍କୁ ଅନୁସରଣ କରି ‘ଦି ଭାଓଲିନିଷ୍ଟ୍’, ‘ବୋଟସ୍’, ‘ହାରଭେଷ୍ଟ’, ‘ଫ୍ଲାୱାର ଭେସ୍’, ‘ଆଫଟର୍ ଦ ଲଞ୍ଚ ପାର୍ଟି’, ‘ସେଟରଡ୍ ସନ୍’ ଆଦି ଛବି ଆଙ୍କିଛନ୍ତି । “ଅଜିତ୍ ସାର୍ ଷାଠିଏ ଦଶକ ଆରମ୍ଭରେ କ୍ୟୁବିଜିମ୍ ଦ୍ୱାରା ଅତିମାତ୍ରାରେ ପ୍ରଭାବିତ ହୋଇଥିଲେ ଓ ତାହା ତାଙ୍କର ସମଗ୍ର ଶିଳ୍ପୀ ଜୀବନକୁ ମୋହଗ୍ରସ୍ତ କରି ରଖିଥିଲା । ସିଏ ପକ୍ଷୀ ଆଙ୍କନ୍ତୁ, ସ୍ତ୍ରୀ ଆଙ୍କନ୍ତୁ କି ପୁରୁଷ ଆଙ୍କନ୍ତୁ ସବୁଥିରେ ଘନବାଦର ଭାବ, ସବୁଥିରେ ପିକାସୋଙ୍କ ଛାପ ।” (ପାଠୀ ଦୀନନାଥ, ଚିଲିକା ପାଣିରେ ଛାଇ, ଅବନ୍ତୀ - ୨୦୦୫)

ଅଜିତ୍ କେଶରୀ ତାଙ୍କର ଲଣ୍ଡନ ରହଣିରେ ପଥର ଖୋଳା, କାଠ ଖୋଦେଇ ଓ ଏଚିଂ ଆଦି ଶିଖିଛନ୍ତି ସିନା, ୟୁରୋପର ଚିତ୍ରକଳାର ଅନ୍ୟତମ ପ୍ରମୂଖ ମାଧ୍ୟମ କାନଭାସ୍ ଉପରେ ତୈଳଚିତ୍ରର ପ୍ରୟୋଗ ଶିଖି ନାହାଁନ୍ତି । ପିକାସୋ, ଭ୍ୟାନଗୋଗ୍ ଙ୍କ ଛବିର ଆବେଦନ ଓ ଧାରା ତାଙ୍କୁ ପ୍ରଲୁବ୍ଧ କରିଛି ସିନା ସେମାନଙ୍କ ଛବିର ମାଧ୍ୟମ ଠାରୁ ନିଜକୁ ଦୂରେଇ ରଖିଛନ୍ତି ସେ । ତୈଳ ରଙ୍ଗକୁ ମାଧ୍ୟମ କରି ସେ ଛବି ଆଙ୍କିଛନ୍ତି ପ୍ରାୟ ୧୯୬୦ ବେଳକୁ । ସେତେବେଳକୁ ସେ ଖଲ୍ଲିକୋଟ କଳା ବିଦ୍ୟାଳୟରେ ଅଧ୍ୟାପକ । ବିଦ୍ୟାଳୟର ଅଧ୍ୟକ୍ଷ ଆଚାର୍ଯ୍ୟ ଶରତଚନ୍ଦ୍ର ଦେବ ହିଁ ଅଜିତ୍ କେଶରୀଙ୍କୁ ପ୍ରରୋଚିତ କରିଛନ୍ତି କାନଭାସ୍ ଉପରେ ତୈଳରଙ୍ଗରେ ଛବି କରିବାକୁ । ଅଜିତ୍ କେଶରୀ ପୂର୍ବରୁ ଶାନ୍ତିନିକେତନ କି ଲଣ୍ଡନ କେଉଁଠି ବି ତୈଳରଙ୍ଗକୁ ମାଧ୍ୟମ ଭାବରେ ବ୍ୟବହାର କରିନାହାନ୍ତି । ଅବଶ୍ୟ ଶାନ୍ତିନିକେତନରେ ତୈଳରଙ୍ଗରେ ଛବି କେହି କରୁନଥିଲେ କି ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟରେ କଳା କୌଶଳ ବି ଶିକ୍ଷା ଦିଆଯାଉନଥିଲା । ନୂଆ ମାଧ୍ୟମ ପ୍ରୟୋଗ ଜନିତ କୁଣ୍ଠାକୁ ଦୂରେଇ ଦେବାକୁ ଶରତଚନ୍ଦ୍ର ଦେବ ସେଦିନ ତାଙ୍କୁ ବୁଝାଇ ଦେଇଥିଲେ ଯେ, ପ୍ରୟୋଗକୁ ନେଇ ଟେମ୍ପରା ଓ ତୈଳରଙ୍ଗ ଭିତରେ ସେପରି କିଛି ପ୍ରଭେଦ ନାହିଁ । ବ୍ୟବହାର ଦିଗରୁ ଦୁହେଁ ଲେପଚିତ୍ର । ଟେମ୍ପରା ରଙ୍ଗ ପାଇଁ ଜଳର ଯେମିତି ଆବଶ୍ୟକତା ଅଛି ଠିକ୍ ସେମିତି ତୈଳରଙ୍ଗ ପାଇଁ ଲିନ୍ସିଡ୍ ଅଏଲ୍ ର । ଟେମ୍ପରା ରଙ୍ଗରେ ପୂର୍ବରୁ ଚିତ୍ରାଭ୍ୟାସ କରୁଥିବା ଅଜିତ୍ କେଶରୀଙ୍କୁ ତୈଳରଙ୍ଗ ଆଉ କଷ୍ଟକର ମନେ ହେଲାନି ଏଥର ।

ଅଜିତ୍ କେଶରୀଙ୍କ ଶିଳ୍ପୀ ଜୀବନ ଖଲ୍ଲିକୋଟ ରହଣିରେ ପ୍ରସ୍ଫୁଟିତ ହୋଇଥିଲା । ୧୯୬୬ ରେ ଶରତ ଚନ୍ଦ୍ର ଦେବଙ୍କ ଅବସର ଗ୍ରହଣ ପରେ ଖଲ୍ଲିକୋଟ ଆର୍ଟ ସ୍କୁଲ୍ ର ଅଧ୍ୟକ୍ଷ ଭାର ପଡିଥିଲା ଅଜିତ୍ କେଶରୀଙ୍କ ଉପରେ । ଜଣେ ପ୍ରଶାସକ ଭାବରେ ଗୋଟେ କଳା ବିଦ୍ୟାଳୟ ଚଳାଇବାର ଦକ୍ଷତା ଅଜିତ୍ କେଶରୀଙ୍କ ପାଖରେ ନଥିଲା । ତେଣୁ ସେ ଖୁବ୍ ଶୀଘ୍ର ବିଦ୍ୟାଳୟର ଅନେକ ସମସ୍ୟା ସହିତ ଜଡ଼ିତ ହୋଇପଡ଼ିଲେ । ଭିନ୍ନ ଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବା ବାଟରେ ସବୁଠାରୁ ଅଧିକ କ୍ଷତି ପହଞ୍ଚିଲା ତାଙ୍କର ଆପଣା ଚିତ୍ର ସାଧନାରେ । ୧୯୮୦ ମସିହାରେ ସେ ଅଧ୍ୟକ୍ଷ ଭାବରେ ଖଲ୍ଲିକୋଟ କଳା ମହାବିଦ୍ୟାଳୟରୁ ଅବସର ନେଇ କଟକ ଫେରିଆସିବା ପରେ ଆଉ ପ୍ରାୟତଃ ଛବି ଆଙ୍କି ନାହାଁନ୍ତି । ତେଣୁ ଅଜିତ୍ କେଶରୀଙ୍କର ଚିତ୍ରସୃଷ୍ଟିର ଅବଧି ଦୀର୍ଘ ହୋଇପାରିନି ବିଭିନ୍ନ କାରଣରୁ । ତଥାପି ତାଙ୍କର ଚିତ୍ରସମ୍ଭାରକୁ ତିନି ଭାଗରେ ବିଭକ୍ତ କରାଯାଇପାରେ । ଯଦିଓ ବିଷୟ ବସ୍ତୁର ବେଶୀ କିଛି ଉଲ୍ଲେଖନୀୟ ଭିନ୍ନତା ତାଙ୍କର ନାହିଁ । ପ୍ରଥମ ଭାଗରେ ଅଛି କ୍ୟୁବିକ୍ ଶୈଳୀରେ ଅଙ୍କା ‘ଦ ଫ୍ଲାଇଟ୍’, ‘ଭାଓଲିନିଷ୍ଟ’, ‘ଫ୍ଲାୱାର ଭେସ୍’, ‘ଷ୍ଟିଲ୍ ଲାଇଫ୍ ଉଇଥ୍ ଫିସ୍ ଇନ୍ ଜାର’, ‘ସନ୍ଫ୍ଲାୱାର’, ‘ଆଫ୍ଟର୍ ଦି ଲଞ୍ଚ୍’ ଏବଂ ‘ବୋଟସ୍ ଏଣ୍ଡ ହର୍ସେସ୍’ ଆଦି ଛବି । ଦ୍ୱିତୀୟ ଭାଗରେ ରହିଛି କିଛି ଫିଗରେଟିଭ୍ ଚିତ୍ର । ଯଥା ‘ଫ୍ୟାମିଲି’, ‘ମଦର ଏଣ୍ଡ ଚାଇଲ୍ଡ', ‘ରେକ୍ଲାଇନିଂ ଓମ୍ୟାନ’, ’ୱିମେନ ଉଇଥ୍ ୱାଟର ପିଚରସ’ ଆଦି ଛବି । ଅଜିତ୍ କେଶରୀଙ୍କର ଛବିର ପୁରୁଷମାନେ ଡେଙ୍ଗା, ସ୍ୱଳ୍ପ ପେଶୀଯୁକ୍ତ ଓ ଚଳଚଞ୍ଚଳ ହୋଇଥିବା ବେଳେ ନାରୀମାନେ ତନୁପାତେଳୀ ଓ ଘନ ବର୍ତ୍ତୁଳସ୍ତନା । ତୃତୀୟ ଭାଗରେ ଅଛି ‘ଦ ସାଟର୍ଡ ସନ୍’, ‘ସାଇକ୍ଲୋନ୍’, ‘ମୁନ୍’ ଆଦି କିଛି ଆବଷ୍ଟ୍ରାକ୍ଟ କମ୍ପୋଜିସନ୍ । ଅଜିତ୍ କେଶରୀଙ୍କର ଆବଷ୍ଟ୍ରାକ୍ଟ କୁହାଯାଉଥିବା ଛବିରେ ମଧ୍ୟ କ୍ୟୁବିଜିମ୍ ର ପ୍ରଭାବ ସୁସ୍ପଷ୍ଟ । ମାଧ୍ୟମ ଭାବରେ ଆମେ ଅଜିତ୍ କେଶରୀଙ୍କ କାମଗୁଡିକୁ ମୋଟାମୋଟି ତିନିଭାଗରେ ଭାଗ କରିପାରିବା । ଯଥା; ପ୍ରିଣ୍ଟ (ଲିନୋ ଖୋଦେଇ, କାଠ ଖୋଦେଇ ଓ ଏଚିଂ), ଭାସ୍କର୍ଯ୍ୟ (ପଥର ଓ କାଠ), ଚିତ୍ର (ଟେମ୍ପରା ଓ ତୈଳ ଆଦି) ।

ଅଜିତ୍ କେଶରୀ ଓଡ଼ିଶାର ପ୍ରଥମ ଆଧୁନିକ ଚିତ୍ରଶିଳ୍ପୀ ଭାବରେ କେବଳ ନୁହେଁ, ଓଡ଼ିଶାର ପ୍ରାଥମିକ ପର୍ଯ୍ୟାୟର ଜଣେ ପ୍ରମୂଖ ପ୍ରିଣ୍ଟମେକର ଭାବରେ ମଧ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପୀ । କଳା ରଙ୍ଗ ଉପରେ ଧଳା ରଙ୍ଗ ଓ ଧଳା ରଙ୍ଗ ଉପରେ କଳା ରଙ୍ଗକୁ ନେଇ ହୋଇଥିବା ଚିତ୍ର ତାଙ୍କର ପ୍ରିୟ ଥିଲା । ଏପରି ଛବି ଲିନୋ ଓ ଉଡ୍ କଟ୍ର ପ୍ରିଣ୍ଟ ରେ ସହଜରେ ହୋଇପାରୁଥିଲା । ଶାନ୍ତିନିକେତନର କଳାଭବନରେ ପାଠ ପଢ଼ିବା ସମୟରେ ସେ ଏଇ ଲିନୋ କଟ୍ ଓ ଉଡ୍ କଟ୍ ଅନେକ କୌଶଳ ବିଶ୍ୱରୂପ ବୋଷଙ୍କ ପାଖରୁ ଶିକ୍ଷା କରିଥିଲେ । ବିଶ୍ୱରୂପ ବୋଷ ଏ ଜ୍ଞାନ କୌଶଳ ସବୁ ଚୀନ୍ ଓ ଜାପାନରୁ ଶିକ୍ଷା ପାଇଥିଲେ । ଅଜିତ୍ କେଶରୀ ସେଇଠି କାଠ ଖୋଦେଇ କରି କିପରି ରଙ୍ଗୀନ୍ ଛାପା ନିଆଯାଇପାରେ ତା’ର କୌଶଳ ମଧ୍ୟ ଶିକ୍ଷା କରିଥିଲେ । ତାଙ୍କର କିନ୍ତୁ ଉଡ୍ ଏନଗ୍ରାଭିଂ ଓ ଏଚିଂର ଦକ୍ଷତା ବଢ଼ିଥିଲା ଲଣ୍ଡନ ରହଣି ସମୟରେ । ସେଇଠି ସେ ଅନେକ ଗୁଡେ଼ ଚମତ୍କାର କାଠ ଖୋଦେଇ କରି ବ୍ଲକ୍ ପ୍ରସ୍ତୁତ କରି ଛାପା ନେଇଥିଲେ । ଯେଉଁସବୁ ପ୍ରିଣ୍ଟରେ ତାଙ୍କର ଶାନ୍ତିନିକେତନର ଭାବପ୍ରବଣତା ଓ ପାଶ୍ଚାତ୍ୟ ଦେଶର କଳା ନୈପୁଣ୍ୟତାର ନିଦର୍ଶନ ରହିଥିଲା । ଅଜିତ କେଶରୀ ଲଣ୍ଡନରୁ ଫେରି କାଠ ଖୋଦେଇ ସମ୍ପର୍କରେ କହିଛନ୍ତି ଯେ, “ଆଧୁନିକ ଯୁଗରେ କାଠ ଖୋଦେଇ ଚିତ୍ର ହିଁ ଅଧିକାଂଶ ଶିଳ୍ପୀଙ୍କୁ ଆକୃଷ୍ଟ କରିଛି । ତାହାର ପ୍ରଧାନ କାରଣ ହେଉଛି, ପେନସିଲ୍ ଓ ରଙ୍ଗଚିତ୍ର ଅପେକ୍ଷା ଏହା ଶସ୍ତା । କାରଣ ଶିଳ୍ପୀ ନିଜେ ହିଁ ତା’ର ଚିତ୍ର ସଙ୍ଗେ ସଙ୍ଗେ ବ୍ଲକ୍ ଟାକୁ ପ୍ରସ୍ତୁତ କରିନିଏ ।” (ମୋ ଜୀବନ ଉପରେ ରୂପର ପ୍ରଭାବ, ସଂପାଦନା: ଡକ୍ଟର ସଂଗ୍ରାମ ଜେନା, ୨୦୧୬, ପ୍ର: ଇପକା ଭୁବନେଶ୍ୱର, ପୃ:୮୦)

ଓଡ଼ିଶା ମାଟିରେ ପଥରକୁ କାଟି ମୂର୍ତ୍ତି ତିଆରି କରିବା ଆଦୌ ନୂଆ କଥା ନୁହେଁ । ଶହଶହ ବର୍ଷ ଧରି ସେ ପରମ୍ପରା ଏବେବି ଜୀବିତ । କିନ୍ତୁ ଜଣେ ଓଡ଼ିଆ ଶିଳ୍ପୀ ଭାବରେ ପଥରକୁ କାଟି ଖୋଳି ଆଧୁନିକ ଭାସ୍କର୍ଯ୍ୟ ଗଢ଼ିବାର ଶ୍ରେୟ ମଧ୍ୟ ଅଜିତ୍ କେଶରୀଙ୍କୁ ଯିବ । ଲଣ୍ଡନର ଆଂଗ୍ଲୋ-ଫ୍ରେଞ୍ଚ୍ ସେଣ୍ଟରରେ ସେ ଖୋଳିଥିବା କିଛି ପଥର ଭାସ୍କର୍ଯ୍ୟ ଅବଦାନ ଉଲ୍ଲେଖଯୋଗ୍ୟ । ବିଲାତରେ ଦୁଇବର୍ଷ ଅଧ୍ୟୟନ କାଳରେ ସେ ଇଜିପ୍ଟର ମୂର୍ତ୍ତିକଳା ଦ୍ୱାରା ବେଶି ଭାବରେ ପ୍ରଭାବିତ ହୋଇଛନ୍ତି ।

ଅଜିତ୍ କେଶରୀଙ୍କର କର୍ମମୟ ଜୀବନର ଅବସାନ ଘଟିଥିଲା କଟକ ରାଣୀହାଟରେ ଥିବା ଆପଣା ବାସଭବନରେ ବୁଧବାର ସନ୍ଧ୍ୟା, ଅକ୍ଟୋବର ୧୦, ୨୦୧୨ ମସିହାରେ । ଅଜିତ୍ କେଶରୀଙ୍କର ମରଶରୀର ଇହଧାମରୁ ବିଦାୟ ନେଇଥିଲେ ମଧ୍ୟ ଓଡିଶାର ଆଧୁନିକ ଚିତ୍ରକଳାର ଆଦ୍ୟ ପ୍ରବକ୍ତା ଭାବରେ ଓଡିଶା ଚିତ୍ରକଳାର ଇତିହାସରେ ତାଙ୍କର ସ୍ଥାନ ନିରୂପିତ ହୋଇ ସାରିଥିଲା । ଶିଳ୍ପୀଙ୍କ ଦେହାନ୍ତର ଅଳ୍ପ ଦିନ ପରେ ତାଙ୍କ ଧର୍ମପତ୍ନୀ ଗୀତା ଦେବୀଙ୍କର ମଧ୍ୟ ଦେହାବସାନ ହୋଇଥିଲା ।

ଓଡ଼ିଶାର ଆଧୁନିକ ଚିତ୍ରକଳାର ପ୍ରଥମ ବାର୍ତ୍ତାବହ ଭାବରେ ଓଡ଼ିଶାର କଳା ଇତିହାସରେ ଅଜିତ୍ କେଶରୀ ରାୟ ନିଶ୍ଚୟ ମନେରହିବେ । ଓଡ଼ିଶା ମାଟିରେ ଆଧୁନିକ ଚିତ୍ରକଳାରେ ନୂଆ ଉତ୍ସାହ ଆଗ୍ରହ ଭରିଦେବାରେ ତାଙ୍କର ବ୍ୟାପକ ଅବଦାନ ରହିଛି । ତାଙ୍କର ପଥର ଖୋଦେଇ ଆଧୁନିକ ଭାସ୍କର୍ଯ୍ୟ ଓ ପ୍ରିଣ୍ଟମେକିଂରେ ତାଙ୍କର ପ୍ରାଥମିକ ପ୍ରୟାସ ସବୁ ରାଜ୍ୟର ପରବର୍ତ୍ତୀ ପିଢ଼ିର ଶିଳ୍ପୀମାନଙ୍କ ପାଇଁ ପଥପ୍ରଦର୍ଶନର ଭୂମିକା ନିର୍ବାହ କରିଛି ।