ଚିତ୍ର: ଲଣ୍ଡନର ଅକ୍ସଫୋର୍ଡ ହାଉସ୍‌ ରେ ସୁରକ୍ଷିତ ଶିଳ୍ପୀଙ୍କର ଭାରତୀୟ କୃଷକର ଭାସ୍କର୍ଯ୍ୟ, ରମାକାନ୍ତ

ଅଜିତ୍ କେଶରୀ ୧୯୪୫ ରେ କଳା ଭବନରୁ ଡିପ୍ଲୋମା ଲାଭ କଲେ । ଠିକ୍ ଦୁଇ ବର୍ଷ ପରେ ଅର୍ଥାତ୍ ୧୯୪୭ ମସିହାରେ ଦୁଇଟି ବଡ଼ ଘଟଣାକୁ ଏଇଠି ମନେ ପକାଯାଇପାରେ । ପ୍ରଥମଟି ହେଲା, ଭାରତର ସ୍ୱାଧିନତା ଓ ବମ୍ବେଠାରେ ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପ୍ ର ଶୁଭାରମ୍ଭ । ପ୍ରୋଗ୍ରେସିଭ୍ ଗ୍ରୁପ୍ ର ଆଭିମୂଖ୍ୟ ଥିଲା ଔପନିବେଶିକ ମନସ୍ଥିତିରୁ ବାହାରି ବେଙ୍ଗଲ୍ ସ୍କୁଲ୍ ର ପୁନରୋତ୍ଥାନବାଦୀ ରାସ୍ତାରେ ନଯାଇ ଭାରତ ବର୍ଷରେ ଆଧୁନିକ କଳା ପ୍ରତି ନୂଆ ଏକ ସତେଜ ବିଶ୍ୱଦୃଷ୍ଟି ସହ ଅଲଗା ଏକ ରାସ୍ତା ତିଆରି କରିବା । ନୂଆ ରାସ୍ତା ସନ୍ଧାନରେ ସେମାନେ ବିଶ୍ୱକଳା ସାମ୍ରାଜ୍ୟକୁ ବେଶ୍ ଆଲୋଡ଼ିତ କରୁଥିବା ପୋଷ୍ଟ-ଇମ୍ପ୍ରେସନି୍ଜିମ୍, କ୍ୟୁବିଜିମ୍ ଓ ଏକ୍ସପ୍ରେସିନିଜିମ୍ ପରି ଆଧୁନିକ ଚିନ୍ତାଧାରା ଓ ଶୈଳୀକୁ ଭାରତରେ ପରୀକ୍ଷା କରିଥିଲେ । ତେଣୁ ଅଜିତ୍ କେଶରୀଙ୍କ ପରି ବମ୍ବେ ପ୍ରୋଗ୍ରେସିଭ୍ ଗ୍ରୁପ୍ ମଧ୍ୟ ପ୍ରଥମରୁ କ୍ୟୁବିଜିମ୍ ପ୍ରତି ଆସକ୍ତ ଥିଲେ । ଅବଶ୍ୟ ଅଜିତ କେଶରୀ ୟୁରୋପ ଗଲାପରେ ପିକାସୋଙ୍କ ପ୍ରତି ଆସକ୍ତ ହେଇଛନ୍ତି ଓ ସେଇ ଧାରାରେ ଛବି କରିଛନ୍ତି ଖଲ୍ଲିକୋଟ କଳା ବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦାନ କଲାପରେ ।

ସମଗ୍ର ଏସିଆ ମହାଦେଶରେ ଜାପାନୀ ଓ ଚୀନ ଚିତ୍ରଶିଳ୍ପୀମାନେ ପ୍ରଥମ କରି କ୍ୟୁବିଜିମ୍ ଦ୍ୱାରା ପ୍ରଭାବିତ ହୋଇଥିଲେ । ୧୯୧୦ ମସିହାରେ କ୍ୟୁବିଜିମ୍ ସମ୍ପର୍କରେ ଲେଖା ଜାପାନୀ ଭାଷାରେ ଅନୁଦିତ ହୋଇ ପ୍ରକାଶ ହୋଇଥିଲା । ୧୯୨୦ ମସିହା ବେଳକୁ ଜାପାନୀ ଓ ଚୀନ୍ ଦେଶର କିଛି ଛାତ୍ର, ଯେଉଁମାନେ କି ପ୍ୟାରିସ୍ ରେ କଳା ଶିକ୍ଷା କରୁଥିଲେ ସେମାନେ ନିଜ ନିଜ ଦେଶକୁ ଫେରି କ୍ୟୁବିଜିମ୍ ର ପରୀକ୍ଷା କରିଥିଲେ । ଭାରତୀୟ ଚିତ୍ରଶିଳ୍ପୀ ଗଗନେନ୍ଦ୍ର ନାଥ ଠାକୁର ୧୯୨୧-୧୯୨୫ ମସିହା ସମୟକୁ ତାଙ୍କର କିଛି ଛବିରେ କ୍ୟୁବିଜିମ୍ କୁ ନେଇ ପରୀକ୍ଷା କରିଥିଲେ । ତେଣୁ ଭାରତରେ କ୍ୟୁବିଜିମ୍ ର ପ୍ରଥମ ପ୍ରୟୋଗର ଶ୍ରେୟ ଗଗନେନ୍ଦ୍ରଙ୍କୁ ହିଁ ଦିଆଯାଏ । ଅବଶ୍ୟ କ୍ୟୁବିଜିମ୍ କୁ ସିଧାସଳଖ ପ୍ରୟୋଗ ନ କରି ସେ ନିଜର ଚିତ୍ର ଶୈଳୀ ସହ ତା’ର ସମୀକରଣ କରିଥିଲେ ।

ଅଜିତ୍ କେଶରୀ ଲଣ୍ଡନ ପହଁଞ୍ଚି ଭଉଣୀମାନଙ୍କ ସର୍ତ୍ତ ଅନୁସାରେ କୃଷି ବିଜ୍ଞାନରେ ପାଠପଢ଼ାର ଯୋଜନା ଆରମ୍ଭ କଲେ । ରହିଲେ ଲଣ୍ଡନର ଭାରତୀୟ ଛାତ୍ରାବାସରେ । ଅନ୍ତେବାସୀ ସବୁ ଭାରତୀୟ । ଖାଦ୍ୟ ଭାରତୀୟ । ଓଡ଼ିଶା, ବଙ୍ଗଳା, ବିହାର, ପଞ୍ଜାବ, ଗୁଜୁରାଟ ଆଦି ରାଜ୍ୟରୁ ଆସିଥିବା ଭାରତୀୟ ଛାତ୍ରମାନଙ୍କ ଗହଳି । ଏତେଗୁଡେ଼ ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଧରାବନ୍ଧା ରୁଟିନ୍ ରେ ହଷ୍ଟେଲ୍ ଜୀବନ ଭଲ ଲାଗୁ ନଥାଏ । ସମୟ ପାଇଲେ ସେ ବିଭିନ୍ନ ମ୍ୟୁଜିୟମ୍ ଓ ଆର୍ଟ ଗ୍ୟାଲେରୀକୁ ବୁଲିବାକୁ ବାହାରି ଯାଉଥିଲେ । ଥରେ ଏମିତି ଗୋଟେ ଗ୍ୟାଲେରୀରେ ହଠାତ୍ ଦେଖା ହେଇଗଲା ଶାନ୍ତିନିକେତନ ସମୟର ପରିଚିତ ଶଙ୍ଖ ଚୌଧୁରୀଙ୍କ ସହ । ଅଜିତ୍ କେଶରୀ ତାଙ୍କର ଲଣ୍ଡନ ଆସିବାର ପ୍ରକୃତ କାରଣ ଓ ଭଉଣୀମାନଙ୍କ ସର୍ତ୍ତ କଥା କହିଲା ପରେ ଶଙ୍ଖ ଚୌଧୁରୀ ଦାୟିତ୍ୱ ନେଲେ ଅଜିତ୍ କେଶରୀଙ୍କ ଦୁଇ ଭଉଣୀଙ୍କୁ କିପରି ବୁଝାଇବେ । ବୁଝାଇବେ, ଅଜିତ୍ ଲଣ୍ଡନରେ ଚାଷ ବାସ ପାଠ ନ ପଢ଼ି ଚିତ୍ର ବିଷୟରେ ପାଠ ପଢୁ । ଶେଷରେ ସେଇଆ ହେଲା । ଶଂଖ ଚୌଧୁରୀଙ୍କ ଅନୁରୋଧ ପରେ ଅଜିତ୍ କେଶରୀଙ୍କୁ ଚିତ୍ରକଳାରେ ପାଠ ପଢ଼ିବା ପାଇଁ ଅନୁମତି ମିଳିଲା । ସେଇ ଶଙ୍ଖ ଚୌଧୁରୀଙ୍କ ସହଯୋଗରେ ଲଣ୍ଡନର ପ୍ରମୂଖ କଳା ବିଦ୍ୟାଳୟ ଆଂଗ୍ଲୋ-ଫ୍ରେଞ୍ଚ ଆର୍ଟ ସେଣ୍ଟରରେ ଦାଖଲ ହେଲେ ଅଜିତ୍ କେଶରୀ । ଭାରତୀୟ ଛାତ୍ରାବାସ ଛାଡ଼ି ଆସି ରହିଲେ ଅକ୍ସଫୋର୍ଡ ହାଉସ୍ ନାମକ ହଷ୍ଟେଲ୍ ରେ । ସେଠି ଇଂଲଣ୍ଡ ପିଲାଙ୍କ ସହ ଫ୍ରାନ୍ସ୍ ଓ ଜର୍ମାନ୍ ରୁ ଆସିଥିବା ଉଭୟ ପୁଅ ଓ ଝିଅମାନେ ମଧ୍ୟ ରହୁଥିଲେ ।

ଅଜିତ୍ କେଶରୀଙ୍କର କଳାଶିକ୍ଷା ଆରମ୍ଭ ହେଲା । ଆଂଗ୍ଲୋ ଫ୍ରେଞ୍ଚ ସେଣ୍ଟର୍ ରେ ମଡେଲିଂ, ପଥର ଖୋଦେଇ ସହ ଗ୍ରାଫିକ୍ ଆର୍ଟ ଶିକ୍ଷା ଦିଆଯାଉଥିଲା । ଅଜିତ୍ କେଶରୀ ଏଥର ପୁରା ଦମ୍ ରେ ପଥର ଖୋଳାରେ ଲାଗିପଡ଼ିଲେ । ଇଂଲିଶ୍, ଫରାସୀ ଓ ନିଗ୍ରୋ ଉଭୟ ପୁରୁଷ ଓ ନାରୀ ମଡେଲ୍ । ଅଜିତ୍ କେଶରୀ ଲାଗିପଡି ତିନିଟା ପଥର କାଟି ପକାଇଲେ । ଶିକ୍ଷକ କ୍ରମ୍ପଟନ୍ ସାହେବ କିନ୍ତୁ ଅଜିତ୍ କେଶରୀଙ୍କୁ କହିଲେ କିଛି ଭାରତୀୟ ବିଷୟକୁ ନେଇ ସେ କାହିଁକି ଭାସ୍କର୍ଯ୍ୟ ତିଆରି କରୁ ନାହଁନ୍ତି ? ଏଥର ଅଜିତ୍ କେଶରୀ ଭାରତୀୟ ଓ ଇଜିପ୍ଟର ଭାସ୍କର୍ଯ୍ୟ ଶୈଳୀର ସମ୍ମିଶ୍ରଣରେ ଏକ ଭାରତୀୟ କୃଷକର ପଥର ଖୋଳି ଭାସ୍କର୍ଯ୍ୟ ଗଢ଼ିଲେ । କ୍ରମ୍ପଟନ୍ ସାହେବଙ୍କୁ ଭାସ୍କର୍ଯ୍ୟଟି ଭଲ ବି ଲାଗିଲା । ଏମିତି ଥରେ କଳା ବିଦ୍ୟାଳୟକୁ ବୁଲି ଆସିଥା’ନ୍ତି ପୃଥିବୀର ପ୍ରସିଦ୍ଧ ଭାସ୍କର ହେନେରି ମୁର୍ । ବିଦ୍ୟାଳୟ ପରିସରରେ ବୁଲୁବୁଲୁ ହଠାତ୍ ତାଙ୍କ ଆଖି ପଡ଼ିଲା ଅଜିତ୍ କେଶରୀଙ୍କର ଏକ ପଥର ତିଆରି ଭାସ୍କର୍ଯ୍ୟ ଉପରେ । ହେନେରୀ ମୁର୍ ବୁଝି ଯାଇଥିଲେ, ଏଇଟି ନିଶ୍ଚୟ ଜଣେ ଭାରତୀୟ ଶିଳ୍ପୀର ହାତରେ ଖୋଳା ଯାଇଥିବ । ଖୋଜା ପଡ଼ିଲେ ଅଜିତ୍ କେଶରୀ । ହେନେରୀ ମୁର୍ ସେଦିନ ଅଜିତ୍ କେଶରୀଙ୍କୁ କେବଳ ସାବାସୀ ଦେଲେନି ତା’ ସାଙ୍ଗରେ ସେଇଠି ତାଙ୍କୁ ଭାରତୀୟ ଭାସ୍କର୍ଯ୍ୟ, ଓଡ଼ିଶା ଓ ଦକ୍ଷିଣ ଭାରତୀୟ ମନ୍ଦିରର ସ୍ଥାପତ୍ୟ କଳାର ଗୁଢ଼ ରହସ୍ୟ ବୁଝାଇ ଦେଇଥିଲେ ।

ଇଂଲଣ୍ଡ ରହଣୀ ସମୟରେ ଅଜିତ୍ କେଶରୀ ବିଭିନ୍ନ ୟୁରୋପୀୟ ଦେଶ ଭ୍ରମଣ କରିଥିଲେ । ଏଇ ଭ୍ରମଣ ସମୟରେ ସେ ଅନେକ ମ୍ୟୁଜିୟମ୍ ଓ କଳା ଗ୍ୟାଲେରୀରେ ୟୁରୋପୀୟ ପ୍ରସିଦ୍ଧ ଶିଳ୍ପୀମାନଙ୍କର ଚିତ୍ର ଓ ଭାସ୍କର୍ଯ୍ୟକୁ ପ୍ରତ୍ୟକ୍ଷ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କର ଚିତ୍ର ଜୀବନରେ ସହାୟକ ହୋଇଥିଲା ।

ଅଜିତ୍ କେଶରୀଙ୍କର ଚିତ୍ରଶିକ୍ଷାରେ ଦୁଇଗୋଟି ଚିତ୍ରଧାରାର ସ୍ପଷ୍ଟ ପ୍ରଭାବ ରହିଛି । ପ୍ରଥମତଃ ସେ ଶାନ୍ତିନିକେତନରେ ଭାରତୀୟ ପୁନରୁତ୍ଥାନବାଦର ପରିସୀମାରେ ପ୍ରାଥମିକ କଳାଶିକ୍ଷା ଲାଭ କରିଥିଲେ ଓ ପରେ ସିଧାସଳଖ ୟୁରୋପରେ ପହଞ୍ଚି ୟୁରୋପୀୟ ଚିତ୍ରଧାରା ଓ ଧାରଣାକୁ ପାଖରୁ ଦେଖିଥିଲେ ।

ଦୁଇବର୍ଷ ଧରି ଆଂଗ୍ଲୋ- ଫ୍ରେଞ୍ଚ ଆର୍ଟ ସେଣ୍ଟରରେ ମଡେଲିଂ, ଷ୍ଟୋନ୍ କାର୍ଭିଙ୍ଗ୍, ଉଡ୍ ଏନଗ୍ରାଭିଂ ଓ ଏଚିଂରେ ପାଠ ପଢ଼ି ଅଜିତ୍ କେଶରୀ ୧୯୫୧ ରେ ଭାରତ ବାହୁଡ଼ି ଆସିଲେ । ମନ ଭିତରେ ଇଛା, ଓଡ଼ିଶା ଫେରି ଏକ ସରଳ ନିରାଡ଼ମ୍ବର ଚିତ୍ରଶିଳ୍ପୀର ଜୀବନ ବଞ୍ଚିବେ ଓ ଗାଁରେ ରହି ଚାଷ ବାସ କଥା ବୁଝିବେ । ୟୁରୋପରୁ ଫେରିଲା ପରେ ବି ସେ ହୁଏତ ତଥାପି ଶାନ୍ତିନିକେତନକୁ ଭୁଲି ନଥିଲେ । ଶାନ୍ତିନିକେତନୀୟ ଜୀବନଚର୍ଯ୍ୟା ଓ ଜୀବନ ଦର୍ଶନ ତାଙ୍କ ଅବଚେତନରେ ଚକା ପାରି ବସି ରହିଥିଲା । ଇଛା ପୂରଣ କରିବାରେ ବାଧକ କିଛି ନଥିଲା । ନିଆଳିରେ ଜମିଦାରୀ ଥିଲା । ଶହେ ଏକରରୁ ଅଧିକ ଜମିଜମା । ସେଥିରୁ ପୁରା ତିରିଶ ଏକର ଜମିରେ ଚାଷ ଆରମ୍ଭ କଲେ ଅଜିତ୍ କେଶରୀ । ଜମିଦାରୀର ଚାଷବାସ କଥା ବୁଝିବାକୁ ବଡ଼ ଭଉଣୀ ଦୁହେଁ ତାଙ୍କୁ ବିଲାତରେ କୃଷି ବିଜ୍ଞାନ ପଢ଼ିବାକୁ ବୋଧେ ବାଧ୍ୟ କରୁଥିଲେ । ହୁଏତ ଶେଷରେ ସେଇଆ ହିଁ ହୋଇଥା’ନ୍ତା । ଯଦି ଠିକଣା ସମୟରେ ଶଂଖ ଚୌଧୁରୀଙ୍କ ସହ ଦେଖା ହୋଇ ନଥା’ନ୍ତା । ଅଜିତ୍ କେଶରୀ ଆଂଗ୍ଲୋ-ଫ୍ରେଞ୍ଚ ସେଣ୍ଟରର ଦୁଆର ମାଡ଼ି ନଥା’ନ୍ତେ ହୁଏତ । କିନ୍ତୁ ଇଂଲଣ୍ଡରୁ ଫେରି ଗାଁରେ ରହିବା ନିଜର ଭବିତବ୍ୟ ବୋଲି କୋଉଠି ଗୋଟେ ଗ୍ରହଣ କରିନେଇଥିଲେ ସେ । ସେଥିପାଇଁ “ଡଗର” ପତ୍ରିକାରେ ୧୯୫୨ ମସିହାରେ ମୋ ଜୀବନ ଉପରେ ରୂପର ପ୍ରଭାବ ଶୀର୍ଷକରେ ଲେଖାରେ ଠାଏ ଲେଖିଛନ୍ତି ଯେ, “ମୁଁ ବହୁଦିନରୁ ତୂଳୀ ଛାଡ଼ି ନିହାଣକୁ ହିଁ ମୋର ଶିଳ୍ପୋକରଣ ରୂପେ ଧରିଛି । ବର୍ତ୍ତମାନ ମୁଁ କଟକ ଠାରୁ ତିରିଶ ମାଇଲ ଦୂରବର୍ତ୍ତୀ ନିଆଳି ଗ୍ରାମରେ ରହି ମୋର ଜମିବାଡ଼ି ବୁଝାଶୁଝା କରୁଅଛି । ମୋର ବାପାଙ୍କର ଭବିଷ୍ୟତ ବାଣୀ ସତ ହୋଇଛି । କଳା ମୋର ପେଟକୁ ଆହାର ଯୋଗାଇ ପାରିନାହିଁ କି ପାରିବ ନାହିଁ । କିନ୍ତୁ ସେଥିପାଇଁ ମୋର ଶୋଚନା ନାଇଁ । ମୁଁ କୃଷି ଓ ଶିଳ୍ପ ଉଭୟର ହିଁ ଆଶ୍ରୟ ନେଇଛି । କୃଷି ମୋର ପେଟକୁ ଓ ଶିଳ୍ପ ମୋର ମୁଣ୍ଡକୁ ଆହାର ଯୋଗାଉଛନ୍ତି! ବେଶ୍ ଲାଗୁଛି ଏଇ ଜୀବନ ।”

ଅଜିତ୍ କେଶରୀଙ୍କ ହାତରେ ଚାଷ ବାସ କାମ ହେଲାନି । ୧୯୫୦ ମସିହାରେ ଜମିଦାରୀ ପ୍ରଥା ଚାଲିଯିବାରୁ ତାଙ୍କର ଅଧା ଜମି ସରକାର ହାତକୁ ନେଇଗଲେ । ପାଖରେ ରହିଲା କିଛି ଜଳଜମି ମାତ୍ର । ସେଥିରେ ପୁଉଣି କେବେ ବନ୍ୟା ତ କେବେ ମରୁଡ଼ି । ଚାଷ ବାସ କଥା ବୁଝା ରଖା କରୁଥିବାବେଳେ ଅବଶ୍ୟ ସେ ତାଙ୍କର ଛବି ଅଙ୍କା କାମ ବନ୍ଦ କରି ନଥିଲେ । ତାଙ୍କ ବିଲରେ କାମ କରୁଥିବା ସ୍ତ୍ରୀ ଲୋକମାନଙ୍କର ସ୍କେଚ୍ ନିୟମିତ କରୁଥିଲେ । ପୁରୁଣା ଘରର ମାଟି ତଳୁ ବାହାରିଥିବା ପଥର କେଇଖଣ୍ଡକୁ ନେଇ କେତୋଟି ଚମତ୍କାର ମୂର୍ତ୍ତି ଖୋଳିଥିଲେ । ସବୁକଥା ସରଳ ନିରାଡ଼ମ୍ବର ବାଗରେ ଚାଲିଥିଲା । ହେଲେ ଅଭାବ ଥିଲା ସହଚର୍ଯ୍ୟାର । ନିଆଳି ଗାଁରେ ଏ ସ୍କେଚ୍ ଓ ପଥର ମୂର୍ତ୍ତି ସବୁ ଦେଖିବାକୁ ବୁଝିବାକୁ କେହି ନଥିଲେ । କେବଳ ଯାହା ବନ୍ଧୁ ଭାବରେ ମିଳିଥିଲେ ପରବର୍ତ୍ତୀ ସମୟର ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ । ନୀଳମଣି ସାହୁ ସେତେବେଳେ ରେଭେନ୍ସା କଲେଜରେ ପାଠ ପଢୁଥା’ନ୍ତି । ଏମିତି ସମୟରେ ଖଲ୍ଲିକୋଟ ଠାରେ ଗୋଟିଏ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଖୋଲିଲା । ଖବରକାଗଜରେ ଅଧ୍ୟାପକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ଅଜିତ୍ କେଶରୀ ସୁଯୋଗଟିକୁ ହାତଛଡ଼ା ନ କରି ଏଥିପାଇଁ ଆବେଦନ କଲେ ଓ ମନୋନୀତ ବି ହୋଇଗଲେ । ଇଏ ୧୯୫୭ ମସିହା ବେଳର କଥା । ଅଜିତ୍ କେଶରୀ ଖଲ୍ଲିକୋଟ କଳା ବିଦ୍ୟାଳୟରେ ଭାରତୀୟ ଚିତ୍ରକଳା ବିଭାଗରେ ଯୋଗଦେଲେ । ପୂର୍ବରୁ ସେ ଜାଗାରେ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ ଯୋଗଦେଇ ଇସ୍ତଫା ଦେଇ କଟକ ବାହୁଡ଼ି ଯାଇଥିଲେ । ଗୋପାଳ କାନୁନଗୋ ଙ୍କ ଇସ୍ତଫା ଫଳରେ ଖାଲି ହୋଇଥିବା ସ୍ଥାନରେ ହିଁ ଯୋଗ ଦେଇଥିଲେ ଅଜିତ କେଶରୀ । ସେତେବେଳକୁ ବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଶରତଚନ୍ଦ୍ର ଦେବ, ଭାସ୍କର୍ଯ୍ୟ ବିଭାଗର ଅଧ୍ୟାପକ ଭାବରେ ବିପ୍ରଚରଣ ମହାନ୍ତି ଓ ଇନଷ୍ଟ୍ରକ୍ଟର ଭାବରେ ରବିନାରାୟଣ ନାୟକ ଯୋଗ ଦେଇ ସାରିଥା’ନ୍ତି । ପାଖାପାଖି ତିରିଶ ଜଣ ପିଲାଙ୍କୁ କଳାବିଦ୍ୟାଳୟରେ ପାଠ ପଢିବା ପାଇଁ ମନୋନୀତ କରାଗଲା ।

ଖଲ୍ଲିକୋଟରେ ଭାରତୀୟ ଚିତ୍ରକଳା ବିଭାଗରେ ପ୍ରଥମ ବର୍ଷର ପିଲାମାନଙ୍କୁ ଅଜିତ୍ କେଶରୀ ନନ୍ଦଲାଲ୍ ବୋଷଙ୍କ ଅଜନ୍ତା ଭିତ୍ତିଚିତ୍ରର ନକଲମାନଙ୍କୁ ନକଲ କରିବାକୁ ଦେଇଛନ୍ତି । ବେଙ୍ଗଲ୍ ସ୍କୁଲ୍ ଅଫ୍ ଆର୍ଟର ଚିତ୍ର ଧାରଣା ପରି ତାଙ୍କର ବିଶ୍ୱାସ ଥିଲା ଯେ, ଅଜନ୍ତା ପରି ପ୍ରାଚୀନ ଭାରତୀୟ ଛବିମାନଙ୍କରେ ଭାରତୀୟ ଚିତ୍ର ଦର୍ଶନର ମୂଳଭିତ୍ତି ଓ ମୂଳସୂତ୍ର ସବୁ ସମାହିତ ହୋଇ ରହିଛି । ଉଲ୍ଲେଖନୀୟ କଥାଟି ହେଲା, ଅଜିତ୍ କେଶରୀ କଳା ଭବନରେ ଛାତ୍ର ଥିବା ସମୟରେ ତାଙ୍କର କଳା ଶିକ୍ଷକ ମରାଠା ଚିତ୍ରଶିଳ୍ପୀ ବିନାୟକ ମାଶୋଦୀ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ ନନ୍ଦଲାଲ୍ ବୋଷଙ୍କ ଦ୍ୱାରା ନକଲ କରାଯାଇଥିବା ଅଜନ୍ତା ଭିତ୍ତିଚିତ୍ରର ରୂପାବଳୀ ଡ୍ରଇଂର ପାଦ, ହାତ, ମୂଖ ଓ ପୂର୍ଣ୍ଣ ଅବୟବ ଆଦିକୁ ନକଲ କରିବାକୁ କହିଥିଲେ । ଅଜିତ୍ କେଶରୀ କଳା ଭବନରେ ଯେମିତି କଳାଶିକ୍ଷା ଲାଭ କରିଥିଲେ ଠିକ୍ ସେମିତି ଖଲ୍ଲିକୋଟରେ ଶିକ୍ଷାଦାନ କରିଛନ୍ତି । ବିଦ୍ୟାଳୟର ଚାରିକାନ୍ଥ ଭିତରୁ ଶିକ୍ଷାର୍ଥୀମାନଙ୍କୁ ମୁକୁଳାଇ ନେଇ, ପାଖ ଆଖର ଗାଁ ଓ ଚିଲିକା ହ୍ରଦ ପାଖକୁ ନେଇଯାଇଛନ୍ତି । ପ୍ରାକୃତିକ ପରିବେଶରେ ଥିବା ମଣିଷ, ଜୀବଜନ୍ତୁ, ଚଢେଇ ଓ ଗଛଲତାକୁ ପ୍ରତ୍ୟକ୍ଷ କରି ସେମାନଙ୍କର ସ୍କେଚ୍ କରାଇବା ସହ ଚିତ୍ର ସମୀକରଣରେ ସ୍ଥିତି ଓ ପରିସ୍ଥିତିକୁ ବୁଝାଇଛନ୍ତି । ପ୍ରକୃତିକୁ ସିଧାସଳଖ କେବଳ ନକଲ କରିବା ଚିତ୍ରଶିଳ୍ପୀର ଆଦୌ ଲକ୍ଷ୍ୟ ନୁହେଁ ବୋଲି ପିଲାମାନଙ୍କୁ କହିଛନ୍ତି ।

ଚିତ୍ର, ଚିତ୍ରଶିକ୍ଷା, ଚିତ୍ର ଶିକ୍ଷାର୍ଥୀ, କଳା ବିଦ୍ୟାଳୟ, ଖଲ୍ଲିକୋଟର ଶାନ୍ତ ସରଳ ସବୁଜ ବନାନୀ ଘେରା ପରିବେଶ, ଅବଚେତନରେ ଶାନ୍ତିନିକେତନର ସ୍ୱଦେଶୀ ଚିତ୍ରର ପସରା ଭିତରେ ଅଜିତ୍ କେଶରୀଙ୍କୁ ତଥାପି ଆଛନ୍ନ କରିରଖିଛି ପିକାସୋଙ୍କ ଛବି । ଖଲ୍ଲିକୋଟ କଳା ମହାବିଦ୍ୟାଳୟର ଏମିତି ଗୋଟେ ଅବସନ୍ନ ଅପରାହ୍ନ । ଖଲ୍ଲିକୋଟ ରାଜ ପ୍ରାସାଦ ରାମଚନ୍ଦ୍ର ଭବନର ଦ୍ୱିତୀୟ ମହଲା ଶିଳ୍ପୀଙ୍କ ବସା ଘରର ଝରକା ସେପଟରେ କେତୋଟି ଘରଚଟିଆ ବର୍ତ୍ତୁଳାକାର ପଥରେ ଘୁରି ବୁଲୁଛନ୍ତି । ଦୃଶ୍ୟଟିରେ କୌଣସି ନୂତନତା ଅବଶ୍ୟ ନ ଥିଲା । ସବୁଦିନିଆ ଦୃଶ୍ୟଟିଏ । କିନ୍ତୁ ଝରକା ଏପଟେ ଠିଆ ଅଜିତ୍ କେଶରୀଙ୍କୁ ଦୃଶ୍ୟଟି ହଠାତ୍ ଭିନ୍ନ ମନେହେଲା । ମନେ ହେଲା କେତୋଟି ଜେଟ୍ ଉଡ଼ାଜାହାଜ କୁଣ୍ଡଳି କାଟି ମାଟିଠୁ ଆକାଶ ପର୍ଯ୍ୟନ୍ତ ତୀବ୍ର ବେଗରେ ଝପଟି ଯାଉଛନ୍ତି ।

ସାଙ୍ଗେ ସାଙ୍ଗେ ଏଇ ଭାବ ଓ ଦୃଶ୍ୟକୁ ନେଇ ସେ କେତୋଟି ସ୍କେଚ୍ କରିପକାଇଲେ । ତାପରେ କେତୋଟି ରଙ୍ଗୀନ୍ ସ୍କେଚ୍ ଓ ଶେଷରେ ଗୋଟେ ତୈଳ ଚିତ୍ର । ନାଁ ଦିଆଗଲା ‘ଦ ଫ୍ଲାଇଟ’। ସେଇବର୍ଷ, ଅର୍ଥାତ୍ ୧୯୬୨ ରେ ଓଡ଼ିଶା ଲଳିତକଳା ଏକାଡେମୀର ପ୍ରଥମ ଚିତ୍ରକଳା ପ୍ରଦର୍ଶନୀରେ ମଡର୍ଣ୍ଣ ଆର୍ଟ ବିଭାଗରେ ଛବିଟି ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେଲା । ଓଡ଼ିଶା ମାଟିରେ ଠିକ୍ ଏଇଠୁ ହିଁ ଆରମ୍ଭ ହେଲା ଆଧୁନିକ ଚିତ୍ରକଳାର ପ୍ରଥମ ପୃଷ୍ଠା ।