କବିତା ସଂକଳନ: ଆଞ୍ଜୁଳାଏ ଆକାଶ ପ୍ରକାଶକ: ଟାଇମ ପାସ, ଭୁବନେଶ୍ୱର

ସୁମିତ ପଣ୍ଡା, ଯାଜପୁରରେ ଜନ୍ମ । ପେସାରେ ସଫ୍ଟୱେର ଇଞ୍ଜିନିୟର । ପାଠ ଟେକନିକାଲ କିନ୍ତୁ ମନ କବିତାରେ । ତାଙ୍କ ବିଷୟରେ ଶକ୍ତି ମହାନ୍ତି ଥରେ କହିଥିଲେ ଯେ - " ଆମର ମଗ୍ନତା ଅବା ଅନ୍ୟମନସ୍କତାକୁ ଭାଙ୍ଗିଦେଇ, ନିଜର ନୂତନ କବିତା ପୁଞ୍ଜ ଧରି ଉଭା ହୋଇଛନ୍ତି ଆଜି ଆମ ସାମ୍ନାରେ ସୁମିତ ପଣ୍ଡା । ତାଙ୍କ କବିତାରେ ଆହୁରି ଇନ୍ଦ୍ରିୟ ଭରି ଦେବାପାଇଁ , ଅନୁଭବର ତୀବ୍ରତା ଏବଂ ଶବ୍ଦରେ ତା'ର ଉତ୍ତରଣକୁ ଆମର ଅପେକ୍ଷା ।"

ତେଣୁ ସୁମିତ ପଣ୍ଡାଙ୍କ ବିଷୟରେ ବିଶେଷ ଆଲୋଚନା ଅପେକ୍ଷା ମୁଁ କହିବି ତାଙ୍କ କବିତାକୁ ଭଲ ପାଉଥିବା ସମସ୍ତ ପାଠକ ଥରେ ଅନ୍ତତଃ ତାଙ୍କୁ ଭେଟିବା ଆବଶ୍ୟକ । ତାଙ୍କ କବିତା... ଚଢେଇକୁ ଆଖି ମରା ଭଳି, ସୂର୍ଯ୍ୟଙ୍କୁ ଆଞ୍ଜୁଳେ ପାଣି ଛାଟି ଦେଲା ଭଳି । ତାଙ୍କର ପ୍ରଥମ କବିତା ସଂକଳନ "ଆଞ୍ଜୁଳାଏ ଆକାଶ" (ଟାଇମ ପାସ ପ୍ରଥମା ପୁରସ୍କାର ପ୍ରାପ୍ତ କବିତା ସଂକଳନ, ୨୦୧୭) ଯାହା ଆଜିଯାଏଁ ମୋତେ ଖୁବ ନିରୀହ, ସରଳ, ବୁଦ୍ଦୁ ହବାର ପ୍ରେରଣା ଦିଏ । କବିତାର ଅନ୍ତସ୍ବର ଯୁବ ବୟସର ପ୍ରେମକୁ ନେଇ, କୁହାଯାଇପାରେ ଫୁଲ ଉପରେ ଭଅଁରର ପଦଚିହ୍ନ ଭଳି । କବିତାରେ ଆକାଶ, ଜହ୍ନ, ଫିକା ରାତିର ଗାଢ଼ ବାଦଲ ତଥା ପ୍ରେମରେ ଅଳ୍ପ ଅଳ୍ପ ସାମାଜିକ ବ୍ୟାଘାତ ଓ ତା' ର ଦୁଃଖ ଦେଖିବାକୁ ମିଳେ । ସେଇ ଦୁଃଖ ବୋଧେ କବିଙ୍କୁ ଭୋଗାଏ ବିରହ, ଉଜାଗର ରାତି, ଅସଜଡ଼ା ଜୀବନ । 

ସେ କୁହନ୍ତି - 

ଏ ଦୁନିଆଁ ବି ସତରେ କେତେ ଅଜବ 

ଭଲ ପାଇବା ପାଇଁ ବି ଅନୁମତି ଦର୍କାର । 

ତାଙ୍କର କବିତା ଓ କବିତାର ଗଠନଶୈଳୀ ହାଲକା ପବନରେ ହଲୁଥିବା ପତ୍ର ଭଳି । ଜଟିଳତା, ବୌଧିକତା, ଗୋଟେ ଜବରଦସ୍ତ ଦର୍ଶନରେ ଭରପୁର ନୁହେଁ । 

ଯେମିତି ସେ କୁହନ୍ତି - 

ତାକୁ ଏସବୁ ମୋର ପାଗଳାମି ଲାଗୁଛି 

କିଛି ସମୟ ତା ଆଖିରେ 

ଆଖି ମିଶେଇ ଦେଖିଲି 

ତା ଆଖି ନୀଳ ପଡିଯାଇଛି 

ଆଉ ଆକାଶ ଟା ଫିକା ଫିକା ଦିଶୁଛି ।

ସେ ପଚାରିଲା ଆଙ୍ଗୁଳିରେ କିଛି ହେଇଛି କି ?

ହଁ, କାଲି ରାତିରେ ତାରା ଗଣୁ ଗଣୁ 

ଆଙ୍ଗୁଳି ଜଳିଗଲା, ଘା' ହେଇଛି ।

ଏବେ ହୁଏତ ଆପଣମାନେ ଜାଣି ସାରିଥିବେ ସୁମିତ ପଣ୍ଡା ଓ କବିତା ପ୍ରତି ତାଙ୍କର ଥିବା ମଧୁର ସମ୍ବୋଧନର ଶୈଳୀକୁ । ଏତେ ସବୁ ସକାରାତ୍ମକ ଦିଗ ଭିତରେ ଟିକିଏ ଦୁର୍ବଳତା ମଧ୍ୟ ଅଛି । ନିଜସ୍ୱ କବିତା ହେଲେ ବି ସୁମିତଙ୍କ କବିତାରେ ଟିକେ ନଜ୍ମର ଶୈଳୀ ଭଳି ଲାଗେ ।  ତାଙ୍କ କବିତାର ଗଠନ, ଆପ୍ରୋଚ ଅଫ ପୋଏମ, କବିତାର ଅପିଲ ନଜ୍ମ ଭଳି । ଏହା ହବା ସ୍ୱାଭାବିକ ବି, ଯେତିକି ମୁଁ ତାଙ୍କ ସହ ମିଶିଛି । ପ୍ରଥମେ ଲେଖାଲେଖି ଆରମ୍ଭ କରିଥିବା ବେଳେ ସେ ଓଡ଼ିଶା ବାହାରେ ଥିଲେ, ଓଡ଼ିଆ କାବ୍ୟ ପରମ୍ପରା ସହ ସମ୍ପୂର୍ଣ୍ଣ  ଅନଭିଜ୍ଞ ଥିଲେ । କେଉଁଠି ନ କେଉଁଠି ସମ୍ବେଦନଶୀଳ ହୋଇଥିବା ହେତୁ ସେ ହିନ୍ଦୀର ଅନେକ କବିଙ୍କୁ ପଢିଥିଲେ ହେଁ, ଓଡ଼ିଆରେ ଲେଖିବା ଆରମ୍ଭ କରିଲେ । ଏଇ ସଂକଳନଟି ମଧ୍ୟ ସେଇ ଭଳି ଜନ୍ମ ହୋଇଥିଲା । 

ମୋଟ କଥା ସୁଖ ଦୁଃଖର ଖବରମାନଙ୍କୁ ସେ ପକ୍ଷୀର ଡେଣାରେ ଲଦି ଉଡେଇ ଦେଇ ପାରନ୍ତି । ସୁମିତ ପଣ୍ଡା ଓ ତାଙ୍କ କବିତା ପାହାଡ଼ ଭଳି ଗୁରୁଗମ୍ଭୀର ନୁହେଁ  କିନ୍ତୁ ସେ ଓ ତାଙ୍କ କବିତା ଗୋଟେ ପାହାଡ଼ ଯାହା କୋଳକୁ ମେଘ ଫେରେ ପ୍ରତିଦିନ ସନ୍ଧ୍ୟାରେ । ଏବେ ଆପଣ ସେ ମେଘରେ ଭିଜିବେ କି ନ ଭିଜିବେ ସେଇଟା ଆପଣଙ୍କ ହୃଦୟ ଓ ଭାଗ୍ୟ.... !

ପ୍ରଥମରୁ କହିଛି ଫୁଲ ପାଖୁଡାରେ ଭଅଁରର ପଦଚିହ୍ନ ସବୁ ଏଇ କବିତା । ଆପଣମାନେ ବି ପଢନ୍ତୁ ।