ପ୍ରକାଶକ: ବ୍ଲାକ ଇଗଲ ବୁକ୍ସ, ଡବଲିନ୍, ଆମେରିକା
ମୂଲ୍ୟ: ୧୫୦ ଟଙ୍କା, ପୃଷ୍ଠା: ୧୦୪

କେଦାର ମିଶ୍ରଙ୍କର "ଏ ନୁହେଁ ମୋର ଦେଶ" କବିତା ସଙ୍କଳନଟି ବ୍ଲାକ୍ ଇଗଲ୍ ବୁକସ୍ ପ୍ରକାଶନ, ଆମେରିକା ଦ୍ୱାରା ପ୍ରକାଶିତ ।

ଯେଉଁ ସମସାମୟିକ ଓଡ଼ିଆ କବିମାନେ ବୟସର ଉତ୍ତର ଚାଳିଶି ବା ପଚାଶ ଦଶକର ପ୍ରାରମ୍ଭରେ କବିତା ଜଗତରେ ମଜବୁତ ହୋଇ ଠିଆ ହୋଇଛନ୍ତି, ସେମାନଙ୍କ ବିଷୟରେ ଏବେ କଥାହେବାର ସମୟ ଆସିଛି । ରମାକାନ୍ତ ରଥଙ୍କ ପରି ବରିଷ୍ଠ କବିମାନଙ୍କର ସମୟ ଏବେ ଅତିକ୍ରାନ୍ତ । ସେମାନେ ସେମାନଙ୍କର ପ୍ରାପ୍ୟ ଭାବରେ ଯଥେଷ୍ଟ ଗୁରୁତ୍ୱ, ଆଲୋଚନା ଓ ଲୋକପ୍ରିୟତା ପାଇ ସାରିଛନ୍ତି ।

କେଦାର ଓ ତାଙ୍କ ସମସାମୟିକ କବିମାନେ ସେମାନଙ୍କ ଜୀବନର ମଧ୍ୟଭାଗରେ ହିଁ କବି ଭାବରେ ଏକ ନିଜସ୍ୱ ପରିଚୟ ତିଆରି କରିପାରିଛନ୍ତି। ସେମାନଙ୍କ ଭିତରୁ ଯେଉଁ କେତେଜଣ କବିତାରେ ସେମାନଙ୍କ ନିଜସ୍ୱ ସ୍ୱର ସୃଷ୍ଟି କରିପାରିଛନ୍ତି କେଦାର ମିଶ୍ର ସେଇ ଅଳ୍ପ କେଇଜଣଙ୍କ ଭିତରୁ ଜଣେ । ବ୍ଲାକ୍ ଇଗଲ୍ ପ୍ରକାଶିତ ତାଙ୍କର ସଦ୍ୟତମ କବିତା ପୁସ୍ତକ "ଏ ନୁହେଁ ମୋର ଦେଶ" ରେ ତାଙ୍କର ନିଜସ୍ୱ ସ୍ୱର ଓ ବିଚାରକୁ ପ୍ରତିନିଧିତ୍ୱ କରୁଥିବା ଏମିତି କିଛି କବିତା ଅଛି, ଯାହା ତାଙ୍କର ରାଜନୈତିକ ଚିନ୍ତାଧାରାକୁ ସ୍ପଷ୍ଟ ଭାବେ ଦର୍ଶାଇବାରେ ସାହାଯ୍ୟ କରିଛି । ବିଷୟବସ୍ତୁର ନିର୍ଯ୍ୟାସ ଓ ବହିର ନାଆଁଟି ଏକଦମ୍ ମେଳ ଖାଇଯାଉଛି । ସଙ୍କଳନରେ ଥିବା କବିତାଗୁଡ଼ିକୁ ଯେତେ ବ୍ୟକ୍ତିଗତ ବା ଆଧିଭୌତିକ ବୋଲି କୁହାଗଲେ ବି ଏହା କବିତାର ରାଜନୈତିକ ଅର୍ଥକୁ ଲୁଚାଇଦେଇ ପାରିବ ନାହିଁ କି କ୍ଷୁଣ୍ଣ କରିପାରିବ ନାହିଁ । ଦେଖିବାକୁ ଗଲେ ଏଥିରେ ଏମିତି କେତେକ କବିତା ରହିଛି ଯାହା ଅସନ୍ତୋଷ ବା ପ୍ରତିବାଦ ଉପରେ ଆଧାରିତ ।

“ମଧୁର ବିଷ” ଠାରୁ ବି ମଧୁରତର ଯେଉଁ ମଧୁରତା ବର୍ତ୍ତମାନର ସମୟ ଖଣ୍ଡ ଉପରେ ମାଡ଼ିଯାଇଛି ତାହାକୁ "ଏବେ ଅନ୍ଧାର ଅମଳର ସମୟ" ବୋଲି ମଧୁର ବ୍ୟଙ୍ଗୋକ୍ତିର ସହ କହନ୍ତି କବି । “ମଧୁର ବିଷର ସମୟ” କବିତାରେ କବିଙ୍କୁ ଲାଗୁଛି ଯେ, ଯେତେବେଳେ ନିଜ "ଦେଶ" ବିଜୟ ଉତ୍ସବ ପାଳିବାର ଇଚ୍ଛାରେ ମାତିଛି ସେତେବେଳେ ନିଜ "କଟାମୁଣ୍ଡ" ଠାରୁ କ’ଣ ବା ଆଉ ଅଧିକ ଭଲ ଜିନିଷ ଅଛି ପତାକା କରି ଉତ୍ତୋଳନ କରିବା ପାଇଁ ଯେଉଁଥିରୁ ଖସି ପଡ଼ୁଛି ନିଜ "ବାପା ଆଉ ଭାଇଙ୍କର କଟା ଆଙ୍ଗୁଠି", "ମାଆ ଓ ଭଉଣୀର ରକ୍ତ ପିଣ୍ଡୁଳା ଟିକି ଟିକି ଫୁଲ ପାଖୁଡ଼ା ହୋଇ" । ଶରୀରର ବିଭିନ୍ନ ଅଙ୍ଗର ଏଇ ପ୍ରତୀକାତ୍ମକତା ମନେପକାଇ ଦେଉଛି ଶିଳ୍ପପତିଙ୍କ ଦ୍ୱାରା ଜମି ଅଧିଗ୍ରହଣ ବିରୁଦ୍ଧରେ ହୋଇଥିବା କଳିଙ୍ଗନଗର ହତ୍ୟାକାଣ୍ଡର ବର୍ବରତାର ଦୃଶ୍ୟକୁ । ଏହି କବିତାଟି ଚିରଦିନ 'ବିସ୍ମୃତି' ବିରୁଦ୍ଧରେ 'ସ୍ମୃତି'ର ଏକ ଦୃଢ଼ ପ୍ରତୀକ ହୋଇ ଠିଆ ରହିବ । "ଅନ୍ଧକାର" ହେଉଛି ଏହି କବିତା ସଙ୍କଳନର ମୁଖ୍ୟସ୍ୱର । ଏବଂ "ଶାହିନ୍ ବାଗ" ଏହି ସ୍ୱରକୁ ପ୍ରତିନିଧିତ୍ୱ କରୁଥିବା ଏକ ଶକ୍ତିଶାଳୀ କବିତା । ଏହା ସେଇ “ଶାହିନ୍ ବାଗ” ଯିଏ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ପ୍ରତିବାଦର ସ୍ୱର ଅଭିବ୍ୟକ୍ତ କରିବା ଲାଗି ପରିଚୟ ପାଇଛି । ଏହି କବିତାରେ କବି ଆଲୋକ ପାଖରେ ପହଞ୍ଚିବା ଲାଗି ନିଜ ସମୟର ଅନ୍ଧକାରର ପଥତକ ପାରେଇ ଯିବାକୁ ଚେଷ୍ଟା କରିଛନ୍ତି ।

“ଯେମିତି ହେଲେ ବି ପହଞ୍ଚିବାର ଅଛି ସ୍ୱାଧୀନତାର ସେ ବଗିଚାରେ ଆମକୁ ।

ସେ ବଗିଚାରେ ପହଞ୍ଚିବାକୁ ଯେତେ ନିଆଁ, ଯେତେ ଗୁଳି, ଯେତେ ବାରୁଦ

ସବିକିଛିକୁ ସାମ୍ନା କରିବାର ସାହସ

କେବଳ ଭରିଛି ତୋ ହାତ ମୁଠାରେ ।”

କେଦାର ମିଶ୍ରଙ୍କର କବିତାରେ ଯେ କେବଳ ପ୍ରତିବାଦର ସଶବ୍ଦ ସ୍ୱର ଅଛି ବା ଶକ୍ତ ଆଘାତ ରହିଛି ସେକଥା ଆଦୌ ନୁହେଁ । ତାଙ୍କ କବିତା ପ୍ରେମ ଓ ପ୍ରତିବାଦର ଏକ ଯୁଗଳବନ୍ଦୀ, ଯାହା ପ୍ରେମ ଓ ରାଜନୀତି କ୍ଷେତ୍ରରେ ମଧ୍ୟ ଠିକ୍ ଖାପ ଖାଇଯାଇପାରେ । "ଦଙ୍ଗାକାରୀ" ଓ "ପ୍ରାର୍ଥନା ପାଇଁ କିଛି ଅନାବନା ଶବ୍ଦ" ଆଦି କବିତାରେ ଏଇ ବିପରୀତଧର୍ମୀ ବିଷୟବସ୍ତୁର ସମ୍ମିଶ୍ରଣ ଖୁବ୍ ସ୍ପଷ୍ଟ ଦିଶେ । "ପ୍ରାର୍ଥନା ପାଇଁ କିଛି ଅନାବନା ଶବ୍ଦ" କବିତାଟିର ଆବେଦନ ଏକ ପ୍ରାର୍ଥନା ପରି ହୋଇଥିଲେ ବି ସେଥିରେ ଉଭୟ ମୃତ୍ୟୁ ଓ ଦେବତାଙ୍କୁ ଏକାସାଙ୍ଗରେ ବିଦାୟ ନେବାର କଥା କବି କହିଛନ୍ତି ଅତି ପ୍ରିୟ ଶବ୍ଦମାନଙ୍କରେ ।

"ତୋ ଲାଗି ମୁଁ ଗୀତ ଗାଇବି

ଠିକ୍ ସେମିତି, ଯେମିତି ତୋ ବାପା ଗାଆନ୍ତି ଗୀତଗୋବିନ୍ଦ

ମୁଁ ଗୀତ ଗାଇଲାବେଳେ ତୁ ଠିଆ ହୋଇଥିବୁ ମୋତେ ଲାଗି

ଠିକ୍ ତୋ ମାଆଙ୍କ ପରି

ଆମେ ଦୁହେଁ ବୁଢା ବୁଢ଼ୀ

ଏକଲା ଠିଆ ହୋଇଥିବା ଆମେ ଗଢ଼ିଥିବା ଆମ ଈଶ୍ୱର ଆଗରେ ।"

ଯେତେ ଅନିଶ୍ଚିତ ଶୁଣାଗଲେ ବି କବି ନିଜର ଉତ୍ତରପୁରୁଷଙ୍କ ପାଇଁ ନିଜ ଦେଶ ଛାଡ଼ିଯିବାକୁ ପ୍ରତିଶୃତି ଦେଉଛନ୍ତି । ବହିଟିର ନାଁ ଏଇ କଥାଟିର ଯେତେ ବିପରୀତବୋଧ ହେଲେ ବି, ଏହି ଦେଶକୁ କବି ନିଜ ରିସ୍କରେ ଉତ୍ତର ଦାୟାଦଙ୍କ ପାଇଁ ରଖିଯିବାକୁ ଚାହୁଁଛନ୍ତି ।

ସେ ନେଉଥିବା ପ୍ରତି ପଦପାତରେ ସାମ୍ନା କରିବାକୁ ପଡ଼ୁଥିବା ଅଗଣନ ବାଧା ବିପତ୍ତି ସତ୍ତ୍ବେ ବି କେଦାରଙ୍କୁ ମନେହେଉଛି "ଭୋକର ମଝିରେ କେଇ ଠୋପା ସଙ୍ଗୀତର ଆନନ୍ଦ"; ଯାହା ପ୍ରତିବାଦ କି ଅସହମତିର ସ୍ୱରକୁ ପରାହୂତ କରିବାର କରୁଣରସ ବ୍ୟତୀତ ଅନ୍ୟ କିଛି ନୁହେଁ ।

କିନ୍ତୁ କେଦାରଙ୍କର ଅମିଶ୍ରିତ ପ୍ରେମ, କୌଣସି ରାଜନୈତିକ ପକ୍ଷଭୁକ୍ତ ନହେବାର କଥାଟିକୁ ବେଶ୍ ଭଲ ଓ ସ୍ପଷ୍ଟ ଭାବେ ଦର୍ଶାଇଛି କବିତା “ମା”।

“ତୁ ଅଛୁ ବୋଲି ମୁଁ ଅଛି ।

ଯେମିତି ମାଟିରେ ଗଜା ମେଲେଇଛି ବିହନ

ଯେମିତି ଅସରନ୍ତି ସମୁଦ୍ରର ଦୁଷ୍ଟ କୁନିମାଛ ମୁଁ

ସାରା ସାରା ସମୁଦ୍ର ପହଁରୁଛି

ତୁ ଅଛୁ ବୋଲି ମୋର ପୃଥିବୀ ଘୂରୁଛି

ତୁ ଅଛୁ ବୋଲି ଏ ପୃଥିବୀରେ କେହି ଜଣେ ଈଶ୍ୱର ଅଛି ବୋଲି ମୁଁ ବିଶ୍ୱାସ କରୁଛି ।”

କବିତାର ଏହି ଧାଡ଼ିଗୁଡ଼ିକ ସ୍ପଷ୍ଟ ଦର୍ଶାଉଛି ଯେ ଏ ନୁହେଁ ମୋର ଦେଶ ବହିଟି ଅଭିମାନ କି କ୍ରୋଧ ବା ପ୍ରତିବାଦ ଉପରେ ନୁହେଁ ବରଂ ଆଶା, ବିଶ୍ୱାସ ଓ ସମ୍ଭାବନା ଉପରେ ଆଧାରିତ । ଏହି ସଦ୍ୟତମ ସଙ୍କଳନଟି ସମକାଳୀନ ଓଡ଼ିଆ କବି ଭାବରେ କେଦାର ମିଶ୍ରଙ୍କର ଥିବା ପରିଚୟକୁ ଆହୁରି ସୁଦୃଢ଼ ଓ ସ୍ଥାୟୀ କରିବ ।

 

(ମୂଳ ଇଂରାଜୀରେ ପ୍ରକାଶିତ ଏହି ସମୀକ୍ଷାର ଓଡ଼ିଆ ଅନୁବାଦ କରିଛନ୍ତି ସୁମିତ୍ରା ପାଢୀ)