୧| ପାଉଁଶ

 

ପ୍ରିୟ,

ମୋ ପ୍ରେମର ହତ୍ୟା ହେବା ବେଳରେ

କେହି ଜଣେ କବି ତାହାର ନିଜସ୍ୱ ଦୁଃଖ ବ୍ୟକ୍ତ କରିବ ନାହିଁ

ତାହାର କଲମ ଉପରେ ଲଗାମ 

ଅଲଗା ଜାଗାରେ ଅଛି ।

 

ପ୍ରିୟ,

ଦଙ୍ଗା ଆଦି ଘଟୁଥିବାବେଳେ ତମ ଉପରେ

ଯେତେବେଳେ ଲାଠି ବର୍ଷିବ

ସେତିକିବେଳେ

ପରାଜିତ ସୈନିକ ଭଳି 

ମୁଁ ବି ଉପସ୍ଥିତ ଥିବି ସେଇଠି ।

 

ପ୍ରିୟ,

ଆମ କୁଡ଼ିଆରେ ନିଆଁ ଲଗାଯିବ

ଯେବେ

ଆମେ ଜଳୁଥିବୁ

ଅନାଥ ଆଉ ଅସହାୟ ଭାବରେ ଠିକ୍ ଆମର 

ବାପାଙ୍କ ଭଳି ।

 

ପ୍ରିୟ,

ତମେ ଆସ ଘନଘୋର ଯୁଦ୍ଧ କ୍ଷେତ୍ର ଭଳି

କାହାର ଅଧିନରେ ନଥାଅ କେବେ ।

 

ଫୋପାଡିଦେବାପାଇଁ

ମୋର ପାଉଁଶକୁ ଦେଶର ତ୍ରିସୀମାର ବାହାରେ

ଏଠିକାର ଏଇ ତୀର୍ଥକ୍ଷେତ୍ର ଯେମିତି 

ସେହି କାରଣରୁ ଅପବିତ୍ର ନହୁଏ 

ସେଇଥିପାଇଁ ।

 

୨| ସୂର୍ଯ୍ୟୋଦୟ

 

ମୁଁ ମାଗୁନାହିଁ ମ ତମର 

ଆକାଶର ସୂର୍ଯ୍ୟ ଚନ୍ଦ୍ର

ବିଲବାଡ଼ି, କୋଠା ଘର ଆଦି

ମୁଁ ମାଗୁ ନାହିଁ ଈଶ୍ୱର, ଧର୍ମ,

ଜାତି, ପନ୍ଥ ଅଥବା

ତମର ମାଆ, ଭଉଣୀ, ଝିଅ ପୁଅ ।

ମୁଁ ମାଗୁଛି, ମୋର ଅଧିକାରତକ କେବଳ

ଯାହା ଆକାରରେ ଖାଲି 

ଜଣେ ମଣିଷର ।

 

ମୋର ଉଚ୍ଛ୍ୱାସରେ ଥରଥର କମ୍ପୁଥାଏ

ତମର ଯେତେକ ଶାସ୍ତ୍ର ପୁରାଣ

ଆଉ ସ୍ୱର୍ଗ ନର୍କ ବି ।

ଛୁଇଁଲେ ଅଛୁଆଁ ହୋଇଯିବ ସେଇଥିପାଇଁ

ଆମର ହାତ ଯେମିତି ତଳକୁ

ଅସହାୟ ଭାବରେ ଓହଳିପଡିବ ସେଇଥିପାଇଁ 

ଧ୍ୱଂସ କରିଦିଅ ଆମର ବସ୍ତି 

ମୋତେ ପ୍ରହାର କର, ଖଣ୍ଡ ଖଣ୍ଡ କରିଦିଅ

ମୋତେ,

ନିଆଁ ଲଗାଅ, ଲୁଟିନିଅ ମୋର ସାରାଟା ବସ୍ତି ।

 

ମାତ୍ର ବନ୍ଧୁ ମୋର !

ପୂର୍ବ ଦିଗରେ ଉଜ୍ଜଳି ଉଠିଥିବା ଏଇ ସୂର୍ଯ୍ୟ ଭଳି

ଏଇ ଶବ୍ଦକୁ କୁହ କେମିତି ଧ୍ୱସ୍ତ

କରିଦେବ ?

 

ମୋର ଅଧିକାର: ଗୋଟିଏ ଛୁଆଁ ପାଇଁ 

ସେଇ ଜାତିଆଣ ଦଙ୍ଗା 

ବ୍ୟାପିଯାଉଛି ସହର, ଗାଆଁ ପରେ ଗାଆଁ

ମଣିଷଠୁ ମଣିଷ

ଏଇଟି ମୋର ଅଧିକାର,

ସବୁ ସ୍ଥାନ ଜିଲ୍ଲାବନ୍ଦୀ, ନାକାବନ୍ଦୀ,

ବହିଷ୍କୃତ,

 

ମୋତେ ମୋର ଅଧିକାର ଦରକାର । ମୋତେ ମୋର ଅଧିକାର ଦିଅ ।

ଅସ୍ୱୀକାର କରୁଛ, କ'ଣ ଏହା 

ବିସ୍ଫୋରଣ କାଳର ଅବସ୍ଥା ନୁହଁ  ?

ମୁଁ ଉପାଡିଦେବି ରେଳଲାଇନ୍ ଭଳି 

ଧର୍ମଗ୍ରନ୍ଥମାନ

ନିଆଁ ଲଗାଇ ଦେବି ସିଟି ବସ୍ ଭଳି

ତମର ନିୟମବର୍ଜିତ ସବୁ ଅଧିକାରକୁ,

 

ବନ୍ଧୁଗଣ !

ମୋର ଅଧିକାରର ସୂର୍ଯ୍ୟ ଭଳି ଉଦୟ ହେଉଥିବା

ମୋର ଏହି ସୂର୍ଯ୍ୟୋଦୟକୁ

ତମେ କ'ଣ ଅସ୍ୱୀକାର କରିବ ?

 

୩| ମୁଁ  କିଏ ?

 

ଏଇ ତେଜସ୍ୱୀ ସୂର୍ଯ୍ୟ କାହା ପାଇଁ ?

ଏଇ ଅନନ୍ତ ଆକାଶ କାହାର ?

କାହା ପାଇଁ ଏଇ ବିଶାଳ

ଜଳାଶୟ ?

ଏଇ ବିସ୍ତୃତ ଦେଶ କାହା ପାଇଁ  ?

ଏଇ ସଂସଦ, ଏଇ ସଂବିଧାନ, ଏଇ ଜନଗଣ 

ଏଇ ସମାଜ, ଏଇ ଆଇନ୍

କାହା ପାଇଁ  ?

ଏଇ ମଣିଷ, ମଣିଷ ଭଳି ମନେ ହୁଅନ୍ତି ନାହିଁ

ରକ୍ତପାୟୀ ଜନ୍ତୁଙ୍କ ଗହଳିରେ ଯେମିତି,

ମୁଁ ଏଇଠି ଜୀବନରେ ନାହିଁ

କେବଳ ଥରକୁ ଥର ଘୁଞ୍ଚାଇ ଚାଲିଛି ମୋର ମରଣ

ଘଡ଼ିକୁ ଘଡ଼ି ମରଣମାନ

ପୂରା ଜୀବନ ଉପରେ ମୋର 

ଟଙ୍ଗାହୋଇ ରହିଛନ୍ତି ତଥାପି । 

ଏଇ ଜୀବନ ତେବେ କ'ଣ ?

ଜଳୁଥିବା କୁଡ଼ିଆ ଭିତରୁ 

ପୋଡୁଥିବା ବେଳର ସେ

ବାଧ୍ୟ ଅସହାୟ ପ୍ରୟାସ ଗୋଟିକ ।

ମୁଁ କିଏ ? ମୁଁ କାହା ପାଇଁ  ?

ମୂକ ସତ୍ତା, ମୂକ ଜନତା, ମୂକ ସଂସ୍କୃତି

ମୂକ ବେଦ, ମୂକ ଶାସ୍ତ୍ର, ମୂକ ମନୁସ୍ମୃତି ।