ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର (୧୮୬୧-୧୯୪୧) ଙ୍କର ଜନ୍ମଦିନ ମଇ ୭ ତାରିଖରେ ଗଲା । ଆମର ଅନେକ ସାହିତ୍ୟିକ ଓ ରବୀନ୍ଦ୍ରପ୍ରେମୀ ରବୀନ୍ଦ୍ରନାଥଙ୍କ ବିଷୟରେ କେତେ କ’ଣ ଲେଖିଲେ । ତେବେ ବେଶୀ ଭାଗ ଲେଖା ସାହିତ୍ୟିକ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ଥିଲା । ରବୀନ୍ଦ୍ରନାଥ ଏକ ବିସ୍ମୟ ନିଶ୍ଚୟ । ଶହ ଶହ କବିତା, ଆଠଟି ଉପନ୍ୟାସ, ନାଟକ, ଅନେକ କ୍ଷୁଦ୍ରଗଳ୍ପ, ଦୁଇ ହଜାରରୁ ଅଧିକ ସଂଗୀତ ଓ ସେମାନଙ୍କର ସ୍ୱର ସଂରଚନା । ସାହିତ୍ୟରେ ନୋବେଲ୍ ପୁରସ୍କାର । ଶିକ୍ଷାବିତ୍, ଦ୍ରଷ୍ଟା ଓ ଜଣେ ମୌଳିକ ଚିନ୍ତକ । ଶାନ୍ତିନିକେତନର ପ୍ରତିଷ୍ଠାତା । ଏମିତି ଅନେକ ପରିଚୟମାନଙ୍କ ଭିତରେ ବିଶ୍ୱକବିଙ୍କର ଆହୁରି ଏକ ପ୍ରମୂଖ ପରିଚୟ ହେଲା, ସେ ଭାରତର ପ୍ରଥମ ଆଧୁନିକ ଚିତ୍ରଶିଳ୍ପୀ ମଧ୍ୟ ।

ରବୀନ୍ଦ୍ରନାଥ ବେଶ୍ ବିଳମ୍ବରେ ଛବି ଆଙ୍କିବା ଆରମ୍ଭ କରିଥିଲେ । ବିଧିବଦ୍ଧ ଭାବରେ ଛବି କଲାବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇସାରିଥିଲା । ରବୀନ୍ଦ୍ରନାଥଙ୍କର ଛବି କଥା ଉଠିଲେ କେହି କେହି ପ୍ରଶ୍ନ ଉଠାନ୍ତି ଯେ, ସତରେ କ’ଣ ଚିତ୍ରଶିଳ୍ପୀ ଭାବରେ ତାଙ୍କର କିଛି ଅବଦାନ ରହିଛି ନା ଜଣେ ପ୍ରଖ୍ୟାତ ଲୋକର ଅବସର ବିନୋଦନର ଅନ୍ୟ ଏକ ସହଜ ବିଳାସ ଭାବରେ ଏହାକୁ ଧରିନିଆଯିବ ?

ରବୀନ୍ଦ୍ରନାଥ ଖୁବ୍ ପିଲାଦିନରୁ ଚିତ୍ରକଳା ପ୍ରତି ଆକର୍ଷିତ ଥିଲେ । ସେ ସାନ ଥିବାବେଳେ ତାଙ୍କର ବଡ଼ ଭାଇ ଜ୍ୟୋତିରିନ୍ଦ୍ରନାଥଙ୍କ ସ୍କେଚ୍ ସବୁକୁ ବଡ଼ ଆଗ୍ରହରେ ସେ ଦେଖୁଥିଲେ । ବହୁତ କମ୍ ବୟସରୁ ତାଙ୍କର କବିତା ଲେଖା କିନ୍ତୁ ଆରମ୍ଭ ହୋଇସାରିଥିଲା । ଏପରିକି ମାତ୍ର ୧୭ ବର୍ଷ ବୟସରେ ତାଙ୍କର ପ୍ରଥମ କବିତା ବହି ପ୍ରକାଶିତ ହୋଇଥିଲା । ଏଇ ଲେଖାଲେଖିରୁ ତାଙ୍କର ଛବି ଅଙ୍କା ଓ ଚିତ୍ରଶିଳ୍ପୀ ଜୀବନ ଆରମ୍ଭ ହୋଇଥିଲା । ହାତଲେଖାମାନଙ୍କୁ ସଂଶୋଧନ କରିବା ସମୟରେ ହିଁ ପ୍ରକୃତ ଛବି ଅଙ୍କା ପ୍ରୟାସ ସେ ଅଜାଣତରେ କରିଥିଲେ । ଲେଖାକୁ ସଂଶୋଧନ କରିବା ସମୟରେ କଟାଯାଇଥିବା ଅକ୍ଷର, ଶବ୍ଦ ଓ ଧାଡ଼ିମାନଙ୍କୁ ନେଇ ସେ ବିଭିନ୍ନ ଆକାର-ପ୍ରକାର ଦେଉଥିଲେ । ପୁରା ପୃଷ୍ଠାର ପ୍ରଥମ ଧାଡ଼ିରୁ ଶେଷ ଧାଡ଼ି ପର୍ଯ୍ୟନ୍ତ କାଟିଦିଆଯାଇଥିବା ସ୍ଥାନମାନଙ୍କୁ ସେ ତାଙ୍କ ଇଛା ମୁତାବକ ଯୋଡି ଦେଉଥିଲେ । ଫଳରେ ସେଠି ଦୁଇଟି ଘଟଣା ଏକକାଳୀନ ଘଟୁଥିଲା । ଶବ୍ଦ ପରେ ଶବ୍ଦ ଓ ଧାଡ଼ି ପରେ ଧାଡ଼ିରେ ସେ ତାଙ୍କର ଲେଖାରେ କହିବା କଥାଟି କହିଦେଉଥିବା ବେଳେ, କବିତାର ଦେହରେ କଟାଯାଇଥିବା ଅଂଶକୁ ସଂଯୋଜିତ ଓ ସଂଗଠିତ କରି ଏକ ଭିନ୍ନ ଚିତ୍ରଭାଷାରେ ଅନ୍ୟ କିଛି କଥା ମଧ୍ୟ କହୁଥିଲେ ।

କବିଗୁରୁଙ୍କ ଚିତ୍ରଶାଳା-୧ କବିଗୁରୁଙ୍କ ଚିତ୍ରଶାଳା-୧

ଏମିତି ଦେଖିଲେ ପୃଷ୍ଠାଟିରେ ଚିତ୍ରଭାଷାଟି ଅନେକ ଗୁଣରେ ଲିଖିତ ଭାଷାକୁ ଆବୁରି କରି ରହୁଥିଲା । ଶବ୍ଦ-ଚିତ୍ର-ଶବ୍ଦ ଏକଦମ୍ ସାରା ପୃଷ୍ଠାରେ ହାତ ଧରାଧରି ହୋଇ ଠିଆ ରହୁଥିଲେ । ଲେଖାଲେଖିରୁ ସେ ଯେତିକି ଆନନ୍ଦ ପାଉଥିଲେ, ତାକୁ ସଂଶୋଧନ କଲାବେଳେ ଯେଉଁ ଚିତ୍ର କରୁଥିଲେ ସେଥିରୁ ବି କିଛି କମ୍ ଆନନ୍ଦ ପାଉନଥିଲେ । ଏହି ପ୍ରକାର ଚିତ୍ରକର୍ମକୁ ଡୁଡୁଲ୍ (Doodle) କୁହାଯାଏ । ରବୀନ୍ଦ୍ରନାଥ ଠାଏ ସ୍ୱୀକାର କରିଯାଇଛନ୍ତି ଯେ ଏଇ ଡୁଡୁଲ୍ ହିଁ ତାଙ୍କର ଚିତ୍ର କରିବାର ପ୍ରଥମ ପାହାଚ ଥିଲା ।

ରବୀନ୍ଦ୍ରନାଥ ତାଙ୍କର ପାଣ୍ଡୁଲିପିରେ ଡୁଡୁଲ୍ କରୁଥିଲେ, କିନ୍ତୁ ୧୯୨୪ରେ ଯେତେବେଳେ ଆର୍ଜେଣ୍ଟିନା ଗସ୍ତରେ ଗଲେ ଓ ତାଙ୍କର ‘ପୁରବୀ’ କବିତାର ପାଣ୍ଡୁଲିପି ଭିକ୍ଟୋରିଆ ଓକାମ୍ପୋଙ୍କ ହାତରେ ପଡ଼ିଲା, ସେତେବେଳେ ଘଟଣାଟିର ଗୁରୁତ୍ୱ ବଢ଼ିଗଲା । ଭଦ୍ରମହିଳା ପୁରବୀର ପାଣ୍ଡୁଲିପି ପଢ଼ିଲା ବେଳେ ହଠାତ୍ ବିଭିନ୍ନ ପୃଷ୍ଠାରେ ଅନେକ ଆକାର ପ୍ରକାରର ରୂପ, ମୁହଁ ଓ ଅଚିହ୍ନା ପଶୁ-ପକ୍ଷୀମାନଙ୍କୁ ଭେଟିଲେ । ସେ ରବୀନ୍ଦ୍ରଙ୍କ ସୃଜନଶୀଳ ବ୍ୟକ୍ତିତ୍ୱର ଏକ ଅଲଗା ଦିଗ ସଂପର୍କରେ ହଠାତ୍ ସଚେତନ ହୋଇଗଲେ ଓ ଏହାର ଗୁରୁତ୍ୱ ବୁଝିଲେ ଏବଂ ରବୀନ୍ଦ୍ରନାଥଙ୍କୁ ବୁଝେଇ ବି ଦେଲେ । ସେହି ଭଦ୍ରମହିଳା ହିଁ ରବୀନ୍ଦ୍ରନାଥଙ୍କ ପ୍ରଥମ ଚିତ୍ର ପ୍ରଦର୍ଶନୀ ୧୯୩୦ ମଇ ମାସରେ ପ୍ୟାରିସ୍ ମହାନଗରୀର ପିଗାଲ୍ ଗ୍ୟାଲେରୀରେ ଆୟୋଜନ ହେବାର ପ୍ରମୁଖ ଭୂମିକା ନେଇଥିଲେ । ପରେ ପ୍ରଦର୍ଶନୀଟି ୟୁରୋପ ଓ ଆମେରିକାର ଅନେକ ସହର ଭ୍ରମଣ କରି ୧୯୩୧ରେ ଫିଲାଡେଲଫିଆରେ ଶେଷ ହୋଇଥିଲା । ପ୍ରକୃତରେ ଭିକ୍ଟୋରିଆ ଓକାମ୍ପୋଙ୍କ ଆବିଷ୍କାର ପରେ ହିଁ ରବୀନ୍ଦ୍ରନାଥ ଟିକେ ଅଧିକ ସଚେତନ ଓ ଅଧିକ ଗମ୍ଭୀର ଭାବନାରେ ତାଙ୍କର ଡୁଡୁଲ୍ ମାନଙ୍କୁ ଆଙ୍କିଥିଲେ । ୧୯୨୮ ବେଳକୁ ସେ ଡୁଡୁଲ୍ ରୁ ବାହାରି ଅଲଗା କିଛି ଆଙ୍କିବାର ସଚେତନ ପ୍ରୟାସ କରିଥିଲେ ।

କବିଗୁରୁଙ୍କ ଚିତ୍ରଶାଳା-୨ କବିଗୁରୁଙ୍କ ଚିତ୍ରଶାଳା-୨

ରବୀନ୍ଦ୍ରନାଥଙ୍କ ପ୍ରଦର୍ଶନୀ ସମୁହ ବିଭିନ୍ନ ଦିଗରୁ ସେତେବେଳେ ବେଶ୍ ସଫଳ ହୋଇଥିଲା । ଶିଳ୍ପୀ ଓ କଳା ସମାଲୋଚକମାନେ ତାଙ୍କର ଛବି ମାନଙ୍କୁ ଖୁବ୍ ପସନ୍ଦ ବି କରିଥିଲେ । ବର୍ଲିନ୍ ର ନ୍ୟାସନାଲ୍ ମ୍ୟୁଜିୟମ୍ ତାଙ୍କର ପାଞ୍ଚଟି ଛବି ବି କିଣିନେଇଥିଲା । ଏପରି ସଫଳତାରେ ଖୁସି ହେଇ ଓ ନିଜର ଶିଳ୍ପୀ ଜୀବନର ପାରଦର୍ଶିତା ଉପରେ ଆସ୍ଥା ପ୍ରକଟ କରି ରବୀନ୍ଦ୍ରନାଥ ନିଜ ପୁଅ ଓ ଝିଅଙ୍କୁ ଚିଠି ବି ଲେଖିଥିଲେ ।

ରବୀନ୍ଦ୍ରନାଥ ନିଜ ଚିତ୍ର ଓ ଚିତ୍ରର ମୂଲ୍ୟାୟନ ସମ୍ପର୍କରେ ବେଶ୍ ସଚେତନ ଥିଲେ । ସେ ସ୍ପଷ୍ଟ ଭାବରେ ବୁଝିଥିଲେ ଯେ, ତତ୍କାଳୀନ ସମସାମୟିକ ଭାରତରେ ଯେଉଁ ପ୍ରକାରର କଳାଚର୍ଚ୍ଚା ଚାଲିଥିଲା ସେ ତା’ଠାରୁ ଢେର୍ ଅଲଗା ଧରଣର ଛବି ଆଙ୍କୁଛନ୍ତି । ତେଣୁ ସେ ଭାବି ନେଇଥିଲେ ତାଙ୍କ ଛବି ଭାରତ ବାହାରେ ହିଁ ସ୍ୱୀକୃତି ପାଇପାରିବ । ସେ ଠିକ୍ ହିଁ ଭାବିଥିଲେ । ବିଦେଶ ମାଟିରେ ତାଙ୍କର ଛବି ଅନେକ ଚିତ୍ରଶିଳ୍ପୀ, କଳା ସମାଲୋଚକ ଓ କଳାର ସଂଗ୍ରାହକଙ୍କୁ ଭଲ ଲାଗିଥିଲା । ପାଶ୍ଚାତ୍ୟର କିଛି କଳା ସମାଲୋଚକ ରବୀନ୍ଦ୍ରନାଥଙ୍କ ଛବିକୁ ଭାରତୀୟ କଳାଧାରାରୁ ଅଲଗା ବରଂ ପାଶ୍ଚାତ୍ୟ କଳାଧାରାର ଅଧିକ ନିକଟତର ବୋଲି ଚିହ୍ନଟ କରିଥିଲେ । ବିଦେଶ ମାଟିରେ ସଫଳ ରବୀନ୍ଦ୍ରନାଥଙ୍କ ଛବି ସବୁ ଭାରତରେ ତା’ର ଉପଯୁକ୍ତ ସ୍ଥାନ ଦଖଲ କରିବାରେ ସାମାନ୍ୟ ବିଳମ୍ବ ଅବଶ୍ୟ ହୋଇଥିଲା । କିନ୍ତୁ ଜର୍ମାନୀରେ ଜର୍ମାନ ଛାତ୍ରମାନେ ପାଗଳ ପରି ରବୀନ୍ଦ୍ରନାଥଙ୍କ ଛବିକୁ ସେତେବେଳେ ପସନ୍ଦ କରିଥିଲେ । ମ୍ୟୁନିକ୍ ର ଜଣେ ୨୦ ବର୍ଷୀୟ ରବୀନ୍ଦ୍ରନାଥପ୍ରେମୀ ଓସୱାଲ୍ଡ ମାଲୁରା ନାମକ କଳାଛାତ୍ର ତାଙ୍କ ଦେଶରୁ ତିନିବର୍ଷ ପାଇଁ ବୃତ୍ତି ଲାଭ କରି ଭାରତ ଆସିଥିଲେ । ସେ ହିଁ ସେତେବେଳେ ଶାନ୍ତିନିକେତନରେ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ବାର ମିନିଟିଆ ଏକ ସିନେମା ତିଆରି କରିଥିଲେ । ଯେଉଁଥିରେ ରବୀନ୍ଦ୍ରନାଥ କେମିତି ଚିତ୍ର କରୁଛନ୍ତି ତା’ର ବିରଳ ଦୃଶ୍ୟ ରହିଛି ।

ବିଧିବଦ୍ଧ ଭାବରେ କଳାଶିକ୍ଷା ନ ପାଇବା ପରୋକ୍ଷରେ ତାଙ୍କ ପାଇଁ ଆଶୀର୍ବାଦ ହୋଇଥିଲା । ଚିତ୍ର ସୃଷ୍ଟିର ପାରମ୍ପରିକ ଭାଗ ମାପ ସେ ଜାଣିନଥିଲେ । ତେଣୁ ଛବିଟିକୁ ସାଧାରଣ ଆଖିରେ ସୁନ୍ଦର କରି ଆଙ୍କିବାର ହାତକୌଶଳ ତାଙ୍କର ନଥିଲା । ତେଣୁ ତାଙ୍କର ଚିତ୍ରସର୍ଜନାରେ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଆର୍ନ୍ତଃସୌନ୍ଦର୍ଯ୍ୟର ଗୁରୁତ୍ୱ ଆପେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା ।

କବିଗୁରୁଙ୍କ ଚିତ୍ରଶାଳା-୩କବିଗୁରୁଙ୍କ ଚିତ୍ରଶାଳା-୩

ରବୀନ୍ଦ୍ରନାଥଙ୍କ ଛବିରେ ରେଖାର ବଳିଷ୍ଠ ଭୂମିକା ରହିଛି । ରେଖାରେ ରେଖାରେ କବିତା ଲେଖିବା ହିଁ ମୋର ଛବି ବୋଲି ସେ ଏକଦା କହିଥିଲେ । ଜଳରଙ୍ଗ, ଲେଖା ଲେଖି ପାଇଁ ବ୍ୟବହୃତ ସ୍ୟାହି, ଇଣ୍ଡିଆନ୍ ଇଙ୍କ୍, କ୍ରେଅନ୍, ପାଷ୍ଟେଲ୍, ବିଭିନ୍ନ ପତ୍ର ଓ ଫୁଲର ରସ ଆଦିକୁ ନେଇ ସେ ଏକ ସ୍ୱତନ୍ତ୍ର ଶୈଳୀରେ ଛବି ଆଙ୍କୁଥିଲେ । କଲମ, ତୁଳୀ ଛଡ଼ା ନିଜର ଆଙ୍ଗୁଳି ବି ଚିତ୍ର ଅଙ୍କାରେ ବ୍ୟବହାର କରୁଥିଲେ । ସେ ମୁଖ୍ୟତଃ କାଗଜ ଉପରେ ହିଁ ଛବି ଆଙ୍କିଛନ୍ତି । ଦିନ ଦିନ ମାସ ମାସ ଧରି ଗୋଟିଏ ଛବି ପଛରେ ଲାଗି ରହିବା ତାଙ୍କର ପସନ୍ଦ ନଥିଲା । ତାଙ୍କ ପାଇଁ ଛବିଟି ଯଥାଶୀଘ୍ର ସରିଯିବା ହିଁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ସେ ଛବି ଆରମ୍ଭ କଲେ ମାନେ ଏକାଥରେ ଶେଷ ବି କରୁଥିଲେ । ଶୁଖିବାରେ ବିଳମ୍ବ କାରଣରୁ ସେ ତୈଳରଙ୍ଗରେ ଛବି କରିବାକୁ ପସନ୍ଦ କରୁନଥିଲେ । ବୁଢ଼ା କାଳକୁ ସକାଳରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ସେ ପ୍ରାୟତଃ ସବୁଦିନ ଛବି ଆଙ୍କୁଥିଲେ ।

ରବୀନ୍ଦ୍ରନାଥ ଜୀବନକାଳରେ ଶହ ଶହ ଚିତ୍ର ଆଙ୍କିଛନ୍ତି । ପାଖାପାଖି ତିନି ହଜାର ହେବ । ସେଥିମଧ୍ୟରୁ ୧୫୮୦ଟି ଛବି କେବଳ ଶାନ୍ତିନିକେତନରେ ଅଛି । ଏତେ କମ୍ ବୟସ ମଧ୍ୟରେ ଏତେ ପରିମାଣରେ ଛବିମାନଙ୍କୁ ଦେଖି ଏକଦା ଚିତ୍ରଶିଳ୍ପୀ ଅବନୀନ୍ଦ୍ରନାଥ ଠାକୁର କହିଥିଲେ ଯେ, ରବୀନ୍ଦ୍ରନାଥଙ୍କର କଳାସୃଷ୍ଟି ଏକଦମ୍ ଆଗ୍ନେୟଗିରି ପରି ।

ରବୀନ୍ଦ୍ରନାଥ କମ୍ ସମୟ ଭିତରେ ପ୍ରଚୁର ପରିମାଣର ମୌଳିକ ଚିତ୍ରସବୁ ସୃଷ୍ଟି କରିଯାଇଛନ୍ତି । ପ୍ରଥମ ଭାରତୀୟ ଚିତ୍ରଶିଳ୍ପୀ ଭାବରେ ୟୁରୋପ, ଋଷିଆ ଓ ଆମେରିକାରେ ଚିତ୍ର ପ୍ରଦର୍ଶନୀ କରିଛନ୍ତି । ପ୍ରକୃତରେ ରବୀନ୍ଦ୍ରନାଥଙ୍କର ଚିତ୍ର ଶୈଳୀ ଖୁବ୍ ନିଆରା, ସ୍ୱତନ୍ତ୍ର, ସରଳ, ସିଧାସଳଖ ଓ କମନୀୟ ।

ପ୍ରଥମରେ ତ ସେ ଡୁଡୁଲ୍ ରୁ ତାଙ୍କର ଛବି ଅଙ୍କା ଆରମ୍ଭ କରିଛନ୍ତି । ବିଭିନ୍ନ ମନଗଢ଼ା ଜନ୍ତୁଜୁନ୍ତା ଓ ପକ୍ଷୀମାନଙ୍କୁ ଆଙ୍କିଛନ୍ତି । କବିତାର ଛନ୍ଦ ପରି ଛବିରେ ଛନ୍ଦବଦ୍ଧତାକୁ ପରୀକ୍ଷା କରିଛନ୍ତି । ପରେ ସେ ମଣିଷର ମୁହଁ, ନିଜର ମୁହଁ ଓ ଭୂଦୃଶ୍ୟ ବି ଆଙ୍କିଛନ୍ତି । ତାଙ୍କର ଅଙ୍କିତ ପଶୁ ଓ ଚଢେ଼ଇମାନେ ଆଦୌ ପ୍ରକୃତିର ସତସତିକା ପଶୁ-ପକ୍ଷୀମାନଙ୍କର ଅବିକଳ ନକଲ ନୁହଁନ୍ତି । ଯେମିତି ସେମାନେ ଆମ ମନଗହନରେ କିମ୍ବା କୋଉ ସ୍ୱପ୍ନ ରାଇଜର ଅବା କୋଉ ପ୍ରାଗ୍ ଐତିହାସିକ ଯୁଗର । ରବୀନ୍ଦ୍ରନାଥଙ୍କର ଛବି ଯେତିକି ଆଧୁନିକ ସେତିକି ପ୍ରାଚୀନ ମଧ୍ୟ । କୁମାର ଆନନ୍ଦସ୍ୱାମୀ ସେଇଥିପାଇଁ ବିଶ୍ୱକବିଙ୍କ ଛବିମାନଙ୍କୁ ଯଥାର୍ଥରେ ଆଧୁନିକ ଯୁଗର ପ୍ରିମିଟିଭ୍ ଆର୍ଟ ବୋଲି ଚିହ୍ନିତ କରିଥିଲେ ।

ରବୀନ୍ଦ୍ରନାଥ ସାନପିଲା ଥିବା ବେଳେ ଯେଉଁ କୋଠରୀରେ ରହୁଥିଲେ ସେ କୋଠରୀର ଝରକା ଦେଇ ଅନେକ ସମୟରେ ବାହାରର ପ୍ରାକୃତିକ ଦୃଶ୍ୟକୁ ନିରୀକ୍ଷଣ କରୁଥିଲେ । ପରେ ବଡ଼ ହେଲାପରେ ସେ ଯେତେବେବେଳେ ବଙ୍ଗଳାର ଗ୍ରାମ୍ୟ ପରିବେଶକୁ ବୁଲି ଦେଖିଲେ ସେତେବେଳେ ପ୍ରକୃତିର ଅନନ୍ତ ରହସ୍ୟମୟତା ଓ ବ୍ୟାପକତାକୁ ଆହୁରି ପାଖରୁ ଅନୁଭବ କଲେ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ତାଙ୍କୁ ବହୁତ ଭଲ ଲାଗୁଥିଲା । ତାଙ୍କର ଅଙ୍କିତ ଭୂଦୃଶ୍ୟମାନଙ୍କର ଅଧା ଛାଇ ଓ ଅଧା ଆଲୁଅର ଖେଳରେ ରହସ୍ୟମୟ ନୀରବତାରେ ମଗ୍ନ ଆକାଶ ଓ ପୃଥିବୀକୁ ଦେଖିବାକୁ ମିଳେ ।

ରବୀନ୍ଦ୍ରନାଥ ପିଲାଦିନରୁ ବାର ବାର ମୃତ୍ୟୁକୁ ପାଖରୁ ଦେଖିଛନ୍ତି । ପିଲା ଥିଲାବେଳେ ଆପଣା ମା’ଙ୍କୁ ହରାଇଛନ୍ତି, ତରୁଣ ବୟସରେ ଭାଉଜ କାଦମ୍ବରୀ ଦେବୀଙ୍କୁ । ତାପରେ ୧୯୦୨ ଓ ୧୯୦୭ ଭିତରେ ପତ୍ନୀ, ଝିଅ ଓ ସବା ସାନ ପୁଅକୁ ହରାଇଛନ୍ତି । ଏଇ ବ୍ୟକ୍ତିଗତ ଦୁଃଖ ତାଙ୍କ ଛବି ମାନଙ୍କୁ ପ୍ରଭାବିତ କରିଛି । ତାଙ୍କ ନାରୀ ଛବିର ମୁହଁ ସବୁରେ ସେଥିପାଇଁ ନୀରବ ଯନ୍ତ୍ରଣାର ଭାବ ଫୁଟିଉଠିଥାଏ ।

ରବୀନ୍ଦ୍ରନାଥଙ୍କ ଛବିର ସବୁଠାରୁ ମୌଳିକ ଦିଗ ହେଲା ତାହା ଉଭୟ ପ୍ରାଚ୍ୟ-ପାଶ୍ଚାତ୍ୟ ପ୍ରଭାବରୁ ମୁକ୍ତ । ଯେ କେହି ବି ତାଙ୍କର ଛବିମାନଙ୍କୁ ପସନ୍ଦ କରୁ ବା ନକରୁ କିନ୍ତୁ ସେଗୁଡ଼ିକ ଯେ ନିରୂତା ମୌଳିକ ଏଥିରେ ଅମତ ହୋଇପାରିବନି । ବିଧିବଦ୍ଧ ଭାବରେ କଳାଶିକ୍ଷା କରି କଳାସୃଷ୍ଟି କରିବା ଓ ଅନ୍ତରରୁ ପ୍ରେରଣା ପାଇ କଳା ସର୍ଜନା କରିବା ଏକା କଥା ନୁହେଁ । ତାଙ୍କର ଛବି ସମୂହ ତାଙ୍କର ଏକଦମ୍ ନିଜର । କୌଣସି ବାହ୍ୟ ପ୍ରଭାବରେ ପ୍ରଭାବିତ ନୁହେଁ । ରବୀନ୍ଦ୍ରନାଥଙ୍କ ଛବି ସବୁ ତାଙ୍କ ସମସାମୟିକ ଭାରତୀୟ ଚିତ୍ରଶିଳ୍ପୀମାନଙ୍କର ଛବି ଠାରୁ ଏକଦମ୍ ଅଲଗା ଥିଲା । ଏପରିକି ସେସବୁ ଆଜିର ଭାରତୀୟ ସମସାମୟିକ ଚିତ୍ରଶିଳ୍ପୀଙ୍କଠାରୁ ମଧ୍ୟ ଅଲଗା ହୋଇ ରହିଛି । ଆମେ କୌଣସି ବାଦ (Ism) ଭିତରେ ତାଙ୍କର ଛବିମାନଙ୍କୁ ବାନ୍ଧି ପାରିବାନି । ଅଜଣାର ଅନ୍ୱେଷଣ, ଆତ୍ମ ନୀରିକ୍ଷଣ, ବାହାରୁ ଭିତରକୁ ଯିବାର ଅର୍ନ୍ତଦୃଷ୍ଟି ଓ ଚିରନ୍ତନ ରହସ୍ୟମୟତା ପ୍ରତି ଉନ୍ମୁଖ ହୋଇରହିବା ତାଙ୍କର କଳାସୃଷ୍ଟିର ମୂଳତତ୍ତ୍ୱ ।

ରବୀନ୍ଦ୍ରନାଥ ତାଙ୍କର ଛବିମାନଙ୍କୁ ପ୍ରାୟତଃ କୌଣସି ନାମରେ ନାମିତ କରିନାହାଁନ୍ତି । ଦର୍ଶକକୁ ତା’ର ନିଜର ଜ୍ଞାନ ଓ ଅବବୋଧରେ ସ୍ୱାଧୀନ ଭାବରେ ବୁଝିବାକୁ ଛାଡ଼ିଦେଇଛନ୍ତି । ରବୀନ୍ଦ୍ରନାଥଙ୍କର ମଞ୍ଚ ସଂପୃକ୍ତି ମଧ୍ୟ ତାଙ୍କ ଛବିମାନଙ୍କୁ ବେଶ୍ ପ୍ରଭାବିତ କରିଛନ୍ତି । ଅନେକ ଛବିରେ କଥାଟି ସ୍ପଷ୍ଟ ଦିଶିଯାଏ । ତାଙ୍କ ଅଙ୍କିତ ମୁହଁ ଓ ମଣିଷମାନେ ସବୁବେଳେ ଭାବ ଓ ଅଙ୍ଗଭଙ୍ଗୀ ଯୋଗୁଁ ଜୀବନ୍ତ ମନେହୁଅନ୍ତି । ଅନେକ ସମୟରେ ସେମାନଙ୍କର ଅବସ୍ଥିତି ଓ ବେଶ ପରିପାଟୀ, ସ୍ଥାନିତ ଆସବାବପତ୍ର ଛବି ମଧ୍ୟରେ ମଞ୍ଚ ମାୟା ତିଆରି କରନ୍ତି ।

ରବୀନ୍ଦ୍ରନାଥ ଏକଦା ରୋମାଁ ରୋଲାଁଙ୍କ ସହ ନିଜର ଚିତ୍ରକଳା ବିଷୟରେ ଦୀର୍ଘ ଆଲୋଚନା କରିଥିଲେ । ରଙ୍ଗ ବ୍ୟବହାର ସମ୍ପର୍କରେ ସେ ରୋମାଁ ରୋଲାଁଙ୍କୁ କହିଥିଲେ ଯେ, ନାଲି ରଙ୍ଗ ତାଙ୍କୁ ଏତେଟା ଭଲ ଲାଗେନି । ସେଇଥିପାଇଁ ତାଙ୍କର ଇଟାଲୀ ଭ୍ରମଣ ସମୟରେ ସେଠାର ଗାଁ ମାନଙ୍କରେ ନାଲି ରଙ୍ଗର ପ୍ରାବଲ୍ୟ ତାଙ୍କୁ ଆଦୌ ପ୍ରଲୁବ୍ଧ କରିନଥିଲା । ବରଂ ସେ ସବୁବେଳେ ବାଇଗଣି, ନୀଳ ଓ ସବୁଜ ରଙ୍ଗକୁ ପସନ୍ଦ କରୁଥିଲେ । କେହିକେହି ରବୀନ୍ଦ୍ରନାଥଙ୍କର ଛବିର ବର୍ଣ୍ଣ ବ୍ୟବହାରକୁ ବିଶ୍ଲେଷଣ କରି କହିଛନ୍ତି ଯେ, ସେ ସାମାନ୍ୟ ବର୍ଣ୍ଣାନ୍ଧ ଥିଲେ । ବିଶେଷ କରି ନାଲି ଓ ସବୁଜ ରଙ୍ଗର ପ୍ରଭେଦ ଜାଣିପାରୁ ନଥିଲେ ।

ରବୀନ୍ଦ୍ରନାଥଙ୍କ ପାଇଁ ବାହ୍ୟରୂପ ଅପେକ୍ଷା ଅର୍ନ୍ତଃରୂପର ଗୁରୁତ୍ୱ ସବୁବେଳେ ଅଧିକ ଥିଲା । ଜଣେ ସଫଳ କ୍ଷୁଦ୍ରଗଳ୍ପ ମାନଙ୍କର ଗାଳ୍ପିକ ଭାବରେ ସେ ମଣିଷର ଉପରକୁ ଦିଶୁଥିବା ରୂପ ତଳେ ଲୁଚିକରି ରହିଥିବା ଅସଲ ରୂପକୁ ଚିତ୍ରିତ କରିଥା’ନ୍ତି । ମଣିଷର ମୁହଁ ଆଙ୍କିଲା ବେଳେ ସେ ଠିକ୍ ସେଇ ପ୍ରକାର କାମଟି କରିଛନ୍ତି । ମୁହଁର ମୂଖା ତଳେ ଳୁଚିଥିବା ପ୍ରକୃତ ମୁହଁକୁ ଯେମିତି ଆବିଷ୍କାର କରି ଆଙ୍କି ପକାଇଛନ୍ତି ।

୧୯୭୬ରେ ଭାରତ ସରକାର ରବୀନ୍ଦ୍ରନାଥଙ୍କ ଛବି ମାନଙ୍କୁ ଜାତୀୟ ସମ୍ପତ୍ତି ଭାବରେ ଘୋଷଣା କଲେ; ଫଳରେ ତାଙ୍କ ଛବିସବୁ ଆଉ ବିଦେଶୀ ସଂଗ୍ରାହକ କିଣି ପାରିଲେନି । ତେବେ ସେ ୧୯୩୦ରେ ଯେଉଁ ଅନେକ ଗୁଡେ଼ ଛବି ଲଣ୍ଡନର ଡାର୍ଟିଙ୍ଗଟନ ହଲ ଟ୍ରଷ୍ଟ ପାଖରେ ଆଙ୍କି ଛାଡ଼ି ଆସିଥିଲେ, ସେଇଥିରୁ କିଛି ଛବି ଆର୍ନ୍ତଜାତିକ ନିଲାମ ସଂସ୍ଥା ଦ୍ୱାରା ପରେ ନିଲାମ ହେଇଛି ।

ଅନେକ ପୂର୍ବରୁ ବିଦେଶ ମାଟିରେ ରବୀନ୍ଦ୍ରନାଥଙ୍କ ଚିତ୍ର ସମୂହକୁ ସ୍ୱୀକୃତି ମିଳିଥିଲେ ମଧ୍ୟ, ଭାରତ ମାଟିରେ କିନ୍ତୁ ବିଳମ୍ବ ହୋଇଥିଲା । ରବୀନ୍ଦ୍ରନାଥଙ୍କର ଆଧୁନିକ ଭାରତୀୟ ଚିତ୍ରକଳା ପ୍ରତି ଥିବା ଅବଦାନକୁ ଆଖି ପକାଇଲେ ଆଶ୍ଚର୍ଯ୍ୟ ଲାଗେ । ଶାନ୍ତିନିକେତନରେ କଳା ଭବନ ପ୍ରତିଷ୍ଠା ଛଡା ୧୯୨୨ ରେ ତାଙ୍କରି ପ୍ରତ୍ୟକ୍ଷ ସହଯାଗରେ କିଛି ଜର୍ମାନ ଚିତ୍ରଶିଳ୍ପୀଙ୍କ ସହ ଭାରତୀୟ ଚିତ୍ରଶିଳ୍ପୀଙ୍କର ଚିତ୍ର ପ୍ରଦର୍ଶନୀ କଲିକତାରେ ଆୟୋଜିତ ହେଇଥିଲା । ସେଥିରେ ୱାସିଲ୍ କାଣ୍ଡିନସ୍କ, ପଲ୍ କ୍ଲି ପରି ବିଖ୍ୟାତ ଶିଳ୍ପୀଙ୍କ ଛବି ଆସିଥିଲା । ଦୁଃଖର କଥା ତତକାଳୀନ ଭାରତୀୟ ଚିତ୍ରଶିଳ୍ପୀ ମାନଙ୍କୁ କାଣ୍ଡିନସ୍କ ଓ ପଲ୍ କ୍ଲି ପ୍ରଭାବିତ କରିପାରିନଥିଲେ । ସେମାନଙ୍କୁ ଭାରତ ଚିହ୍ନିଲା ବେଳକୁ ବହୁତ ବିଳମ୍ବ ହେଇ ସାରିଥିଲା ।