ଚିତ୍ର: ଉଇକିପିଡ଼ିଆ

କୁହାଯାଇଛି ଭଲ ଶିଳ୍ପୀ ଅନୁକରଣ କରେ ଓ ମହାନ ଶିଳ୍ପୀ ଚୋରି କରେ । ଅନ୍ୟର ମୌଳିକ ଲେଖା କିମ୍ବା ଚିତ୍ର ଅବା ଚିନ୍ତନ ଦ୍ୱାରା ପ୍ରଭାବିତ ହେଇ ଅନେକ ନିଜର ସୃଜନ କର୍ମ ଚଳାଇଥା’ନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏ କଥା ଅନେକଙ୍କ ଜୀବନରେ ଘଟେ । କିନ୍ତୁ ଅନୁସରଣ ନକରି ଅନେକ ଅନୁକରଣ କରି ବିପଦରେ ପଡିଥାନ୍ତି । ଅନୁକରଣ ପାଇଁ କାହିଁରେ କେତେ କାଣ୍ଡ କାରଖାନା ହୁଏ । ଆଗରୁ ଏ ସିଧା ସଳଖ ଟିପାଟିପି କର୍ମଟି ଏତେ ଧରା ପଡୁନଥିଲା । ଆଜିର ସୋସିଆଲ ମିଡିଆ ଯୁଗରେ ଏ ସବୁ ଚୋରି କାମ ସହଜରେ ଧରା ପଡିଯାଉଛି ଓ କଥାଟି ଦାଣ୍ଡରେ ପଡି ଘାଟରେ ଗଡୁଛି । ଚିତ୍ରକଳା ଦୁନିଆରେ ମୁଖ୍ୟଧାରାର ବଜାର ଠାରୁ ଏହାର ଫେକ୍ ବଜାର ଅନ୍ତତଃ ପକ୍ଷେ ତିନିଗୁଣା ବଡ । ପ୍ରଖ୍ୟାତ ଓ ବିଖ୍ୟାତ ଚିତ୍ରଶିଳ୍ପୀ ମାନଙ୍କର ରାଶି ରାଶି ଫେକ୍ ପେଣ୍ଟିଂ ବଜାରରେ ଅରିଜିନାଲ ଭାବରେ ମୋଟା ଦରରେ କିଣାବିକା ହୁଏ । ଲିଓନର୍ଡୋଙ୍କ ମୋନାଲିସା ଛବି, ଯେଉଁଟି ଲ୍ୟୁଭ୍ ମ୍ୟୁଜିୟମରେ ଅଛି ସେଇଟି ଥରେ ଚୋରି ହେଇଯାଇଥିଲା । ଯିଏ ଚୋରି କରିଥିଲେ ସେ ଛବିଟିର ଅନେକ ଗୁଡିଏ ଅବିକଳ ଫେକ୍ ପ୍ରତିଲିପି ପ୍ରସ୍ତୁତ କରିଥିଲେ । ଅବଶ୍ୟ ସେ ପରେ ଧରା ପଡିଲେ । ତେବେ ଅନେକ ସନ୍ଦେହ କରନ୍ତି ଯେ, ଏବେ ମ୍ୟୁଜିୟମରେ ମହଜୁଦ ଥିବା ଛବିଟି ମୂଳ ଛବି ନୁହେଁ ଫେକ୍ ।

ଏକଥା ସତ ଯେ, ଅନ୍ୟର ଲେଖାକୁ ସିଧାସଳଖ ଟିପି ପକାଇବା କିମ୍ବା ଅନ୍ୟର ଛବିକୁ ଅବିକଳ ଆଙ୍କି ପକାଇବାକୁ ଭଲ ଆଖିରେ ଦେଖାଯାଏ ନାହିଁ । କିନ୍ତୁ ଆମେରିକାର ଏଲେନ୍ ଫ୍ରାନ୍ସିସ୍ ଷ୍ଟର୍ଟେଭାଣ୍ଟ (Elaine Frances Sturtevant) ନାମରେ ଜଣେ ଭଦ୍ରମହିଳା ଥିଲେ ଯିଏକି ତାଙ୍କର ସମସାମୟିକ ଚିତ୍ରଶିଳ୍ପୀ ମାନଙ୍କ ଚିତ୍ରକୁ ଅବିକଳ କପି କରି ଜଣେ ଚିତ୍ରଶିଳ୍ପୀ ଭାବରେ ବେଶ୍ ଭଲ ପରିଚିତି ତିଆରି କରିଥିଲେ ଓ ଅର୍ଥ ବି ରୋଜଗାର କରିଥିଲେ । ଷ୍ଟର୍ଟେଭାଣ୍ଟ ଙ୍କ ଜନ୍ମ ମସିହା ନେଇ ଭିନ୍ନ ଭିନ୍ନ ମତ ରହିଛି । ଗୋଟେ ମତ ଅନୁସାରେ ସେ ୧୯୨୬ ରେ ଜନ୍ମ ନେଇଥିଲେ ଓ ଅନ୍ୟ ମତ ଅନୁସାରେ ୧୯୩୦ରେ । ଚିତ୍ରଶିଳ୍ପୀ ହେବା ଆଗରୁ ସେ ସାଇକୋଲୋଜିରେ ଡିଗ୍ରୀ ହାସଲ କରିଥିଲେ ଓ ଆର୍ଟ ଷ୍ଟୁଡେଣ୍ଟ ଲିଗ୍, ନ୍ୟୁୟର୍କରେ ପାଠ ମଧ୍ୟ ପଢିଥିଲେ । ଷ୍ଟର୍ଟେଭାଣ୍ଟ ପରେ ନ୍ୟୁୟର୍କ ଆସିଥିଲେ। ଷ୍ଟର୍ଟେଭାଣ୍ଟ ପ୍ରଥମେ ଅଲଗା ପ୍ରକାର ଛବି କରୁଥିଲେ, କିନ୍ତୁ ୧୯୬୪ ବେଳକୁ ତାଙ୍କ ସମସାମୟିକ ପୁରୁଷ ଚିତ୍ରଶିଳ୍ପୀ ମାନଙ୍କ ଛବିକୁ କେବଳ ନକଲ କରିବା ଆରମ୍ଭ କଲେ । ସେତେବେଳକୁ ଆମେରିକାର କଳା ରାଜ୍ୟରେ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସ୍ନିଜିମ୍ ଓ ପପ୍ ଆର୍ଟର ରାଜୁତି । ଷ୍ଟର୍ଟେଭାଣ୍ଟ ବୁଝିଥିଲେ ଯେ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଷ୍ଟ ମାନେ ପୃଷ୍ଠଭାଗର ପ୍ରବଣତାରେ ବ୍ୟସ୍ତ ଆଉ ପପ୍ ଆର୍ଟିଷ୍ଟମାନେ ଲୋକପ୍ରିୟ ସଂସ୍କୃତି ପଛରେ । ତେଣୁ ସେ କ’ଣ କରିବେ ବୋଲି ଭଲରେ ଭାବିଥିଲେ । ଭାବିଥିଲେ ଓ କଳାର ଅସଲ ଶକ୍ତି କୋଉଠି ଅଛି ତା’ର ସନ୍ଧାନ କରିଥିଲେ । ଭାବିଚିନ୍ତି ଠିକ୍ କରିଥିଲେ ଯେ, ତାଙ୍କ କଳା ଚିନ୍ତନ ଓ କଳା କୌଶଳ କ’ଣ ହେବ ଓ ଶେଷରେ କେମିତି ରୂପ ପାଇବ ।

ଷ୍ଟର୍ଟେଭାଣ୍ଟଙ୍କର ଚିତ୍ରଶିଳ୍ପୀ ରବର୍ଟ ରସେନବର୍ଗ ଓ ଜାସପର ଜୋନ୍ସଙ୍କ ସହ ଭଲ ବନ୍ଧୁତା ଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରୟେ ଲିଚେନଷ୍ଟାଇନ୍, ଆଣ୍ଡି ୱାରହଲ୍, ଓଲଡେନବର୍ଗ, ଫ୍ରାଙ୍କ ଷ୍ଟେଲା ଓ ଜାସପର ଜୋନ୍ସ ଆଦି ଆମେରିକୀୟ ଚିତ୍ରଶିଳ୍ପୀଙ୍କ ଛବିକୁ ସେ ନକଲ କଲେ । ସେତେବେଳକୁ ଏଇ ଚିତ୍ରଶିଳ୍ପୀମାନେ ବେଶ୍ ପରିଚିତି ତିଆରି କରିସାରିଥିଲେ । ଏମିତି ଦେଖିଲେ ଷ୍ଟର୍ଟେଭାଣ୍ଟଙ୍କ ନକଲ ଛବି ସବୁକୁ ଏକଦମ୍ ଅର୍ଥହୀନ ନକଲ କି ଜାଲି ବୋଲି କୁହାଯାଇ ପାରିବନି । ତାଙ୍କର ଉଦ୍ଦେଶ୍ୟ ବି ସେଇଆ ନଥିଲା । ଏମିତିକି ତାଙ୍କ ଛବିସବୁ ସେ ଚିତ୍ରଶିଳ୍ପୀ ପ୍ରତି ଶ୍ରଦ୍ଧାଂଜଳୀ ମଧ୍ୟ ନୁହେଁ । ହୁଏତ କିଛି ମାତ୍ରରେ ପାରୋଡି ବୋଲି କୁହାଯାଇପାରେ । ସେ ଛବିକୁ ଆଙ୍କିଲା ବେଳେ ଆପଣା ସ୍ମୃତି ଶକ୍ତି ଓ ଚିତ୍ରଶିଳ୍ପୀଙ୍କ ମୂଳ କୌଶଳକୁ ଅନୁସରଣ କରୁଥିଲେ । କୌଣସି ପ୍ରକାର ଯାନ୍ତ୍ରିକ କଳା କୌଶଳ ବ୍ୟତିରେକ ସଂପୂର୍ଣ୍ଣ ଭାବରେ ଆପଣା ହାତରେ ହିଁ ସେ ମୂଳ ଛବିକୁ ମନେ ପକାଇ ଆଙ୍କୁଥିଲେ ।

ଷ୍ଟର୍ଟେଭାଣ୍ଟ ଯେଉଁ କଳାକାର ମାନଙ୍କ ଛବି ନକଲ କରୁଥିଲେ ସେଇ ସଂପୃକ୍ତ ଶିଳ୍ପୀଙ୍କର ଅନୁମତି ଆଦୌ ନେଉନଥିଲେ । ଯେମିତି ଆଣ୍ଡି ୱାରହଲ୍ କୌଣସି ଏକ ପତ୍ରିକା କି ଖବର କାଗଜରୁ ଇମେଜ ଉଠାଉଥିଲେ ଠିକ୍ ସେମିତି ସେ ଆଣ୍ଡିଙ୍କ ଛବିକୁ ଉଠାଉଥିଲେ । ଇମେଜ୍ ଜଣଙ୍କ ବ୍ୟବହାରରୁ ଅନ୍ୟଜଣଙ୍କ ବ୍ୟବହାରକୁ ଚାଲିଯାଉଥିଲା । ଅବଶ୍ୟ ଏନେଇ ଆଣ୍ଡିଙ୍କର କୌଣସି ଆପତ୍ତି ନଥିଲା । ଏପରିକି ସେ ଷ୍ଟର୍ଟେଭାଣ୍ଟ ଙ୍କୁ ତାଙ୍କ ଛବିର ମୂଳ ସିଲ୍କ ସ୍କ୍ରିନ୍ ବି ଦେଇଦେଇଥିଲେ ।

ଷ୍ଟର୍ଟେଭାଣ୍ଟ ଏଇ ନକଲ କାମରେ ଏତେ ପାରଦର୍ଶିତା ହାସଲ କରିଥିଲେ ଯେ, ଏକଦା ଆଣ୍ଡି ୱାରହଲ୍ଙ୍କୁ ତାଙ୍କ କଳାର କୌଶଳ ସମ୍ପର୍କରେ ପଚରା ଯିବାରୁ ସେ କହିଲେ ଯେ,ଏକଥା ଷ୍ଟର୍ଟେଭାଣ୍ଟକୁ ପଚାର, ସେ ମୋ ଠାରୁ ଭଲରେ ବାଖ୍ୟା କରିପାରିବ । ତାପରେ ରବର୍ଟ ରସେନବର୍ଗଙ୍କ ଗୋଟେ କଳାକୃତିର ଅଂଶ ଭାବରେ ସ୍ଥାନିତ ଜାସପର୍ ଜୋନ୍ସଙ୍କ ଆମେରିକୀୟ ପତାକା ଛବିଟି ଚୋରୀ ହେଇଯିବାରୁ ସେଇଟିକୁ ଅବିକଳ ଆଙ୍କିବା ପାଇଁ ଷ୍ଟର୍ଟେଭାଣ୍ଟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପରେ ସେ ମାର୍ଶେଲ ଦୁସୋଁ ଓ ଜୋସେଫ୍ ବୟେସ୍ ଙ୍କ କଳାକୃତିକୁ ମଧ୍ୟ ନକଲ କରିଥିଲେ । ୧୯୨୪ ମସିହାରେ ମାନରେ ଗୋଟେ ଫଟୋ ଉଠାଇଥିଲେ, ଯେଉଁଥିରେ ମାର୍ଶେଲ ଦୁସୋଁ ଓ ବ୍ରୋଗନା ପର୍ଲମଟର (Brogna Perlmutter) ସୁଦୁ ଲଙ୍ଗଳା ହେଇ ଆଦାମ ଆଉ ଇଭ୍ ର ଭଙ୍ଗୀରେ ଠିଆ ହେଇଥିଲେ । ସେଇ ଫଟୋର ଅବିକଳ ନକଲ କରି ଷ୍ଟର୍ଟେଭାଣ୍ଟ ଓ ରସେନବର୍ଗ ସମାନ ଭଙ୍ଗୀରେ ଠିଆହେଇ ୧୯୬୭ ରେ ଗୋଟେ ଫଟୋ ଉଠେଇଲେ । ୧୯୯୧ ରେ ସେ ଆଣ୍ଡି ୱାରହଲ୍ଙ୍ ଙ୍କ ଫୁଲ ସିରିଜ ଛବିର ନକଲ ମାନଙ୍କୁ ନେଇ ଗୋଟେ ପୂର୍ଣ୍ଣାଙ୍ଗ ପ୍ରଦର୍ଶନୀ ଆୟୋଜନ କରିଥିଲେ ।

୧୯୭୦ ବେଳକୁ ଷ୍ଟର୍ଟେଭାଣ୍ଟ ତାଙ୍କର ଏଇ ନକଲ କାମର ଛବି ଅଙ୍କା ବନ୍ଦ କରିଦେଇ ନିଜର କନସେପଚୁଆଲ ଆର୍ଟ ପ୍ରାକ୍ଟିସ୍ କୁ ଫେରିଯାଇଥିଲେ । ପୁରା ଦଶ ବର୍ଷ ଧରି ସେ କୌଣସି ପ୍ରଦର୍ଶନୀ ଆୟୋଜନ କରିନଥିଲେ କିମ୍ବା ଭାଗ ବି ନେଇନଥିଲେ । ଏହାର କାରଣ ହେଲା, ଏକଦା ସେ ଓଲଡେନବର୍ଗଙ୍କ ଏକ ପ୍ରଦର୍ଶନୀକୁ ଅବିକଳ ନକଲ କରିଥା’ନ୍ତି ଓ ଏ ବିଷୟରେ ଓଲଡେନବର୍ଗଙ୍କ ପାଖରେ କିଛି ସୂଚନା ବି ନଥାଏ । ୧୯୬୧ର ମୂଳ ପ୍ରଦର୍ଶନୀର ନାମ ଥାଏ ‘ଦ ଷ୍ଟୋର୍ ଅଫ୍ କ୍ଳାଏସ୍ ଓଲଡେନବର୍ଗ’ (The Store of Claes Oldenburg) । ଘଟଣାରେ ଖୋଲାଖୋଲି ଓଲଡେନବର୍ଗ ଓ ତାଙ୍କ ଡିଲର କ୍ଷୁବ୍ଧ ହେଲେ ।

ଷ୍ଟର୍ଟେଭାଣ୍ଟ ପୁଉଣି ଥରେ ତାଙ୍କ ନକଲ କାମକୁ ଯାଇଁ ଫେରିଲେ ୧୯୮୦ ବେଳକୁ । ଏଥର ସେ ପରପିଢିର କଳାକାର ମାନଙ୍କୁ ଧରିଲେ । ଅନସେଲମ୍ କିଫର, ରବର୍ଟ ଗୋବର, ପଲ୍ ମାକ୍କାରଥି, କେଇଥ ହାରିଙ୍ଗ୍, ଓି୍ୱଲିୟମ ୱେଗମାନ୍ ଆଦି କଳାକାରଙ୍କ ଛବି, ଭାସ୍କର୍ଯ୍ୟ, ଫଟୋଗ୍ରାଫି ଓ ସିନେମା ଆଦିକୁ ନକଲ କରିବା ଆରମ୍ଭ କଲେ । ବଡ କଥା ହେଲା ସେ ନକଲ କରିବା ପାଇଁ ଚୟନ କରୁଥିବା ଅନେକ ଯୁବ କଳାକାର ସେଯାଏଁ ପ୍ରସିଦ୍ଧି ପାଇନଥା’ନ୍ତି । ପରେ କଳା ସମାଲୋଚକ ମାନେ ଏନେଇ ଆଶ୍ଚର୍ଯ୍ୟ ହେଇଛନ୍ତି ଯେ ଷ୍ଟର୍ଟେଭାଣ୍ଟ କେମିତି ଆଗରୁ ଜାଣିଥିଲେ ଯେ ଏ ଶିଳ୍ପୀମାନେ ଏକଦା ପ୍ରସିଦ୍ଧି ପାଇବେ ? ଷ୍ଟର୍ଟେଭାଣ୍ଟ ସେତେବେଳେ ଯେଉଁ ଯେଉଁ ଯୁବ କଳାକାରଙ୍କୁ ତାଙ୍କ ନକଲ ତାଲିକାକୁ ନେଇଛନ୍ତି ସେ ସମସ୍ତେ ପରେ ପ୍ରସିଦ୍ଧ ହୋଇଛନ୍ତି ।

କଳାକାର ଓ କଳା ସମାଲୋଚକ ମାନଙ୍କ ସହ ବୁଝାମଣାର ଅଭାବରୁ ଷ୍ଟର୍ଟେଭାଣ୍ଟ ପୁଣିଥରେ ତାଙ୍କ କଳାକର୍ମ ବନ୍ଦ କରିଦେଲେ । ସେ ଆମେରିକାରୁ ପ୍ୟାରିସ୍ ବାହାରି ଯାଇଥିଲେ ୧୯୯୦ରେ । କାରଣ ସେତେବେଳକୁ ତାଙ୍କ କଳାକୃତି ସବୁ ୟୁରୋପର ବିଭିନ୍ନ ମ୍ୟୁଜିୟମ୍ ମାନଙ୍କରେ ପ୍ରଦର୍ଶିତ ହେଲାବେଳକୁ ଆପଣା ଦେଶ ଆମେରିକାରେ କିନ୍ତୁ ସମାଲୋଚନାର ଶିକାର ହେଉଥାଏ । ଷ୍ଟର୍ଟେଭାଣ୍ଟ ୨୦୦୦ ମସିହା ବେଳକୁ ସିନେମା ଓ ଭିଡିଓ ତିଆରିରେ ମନୋନିବେଶ କଲେ । ଆଜିର ଇଣ୍ଟରନେଟ ଯୁଗରେ ଇମେଜର ସହଜ ଉପଲବ୍ଧି, ପୁର୍ନଃବ୍ୟବହାର ଓ ମୂଳ ଆକୃତିରେ ଅଦଳ ବଦଳ କରିବାର ସ୍ୱାଧିନତା ଷ୍ଟର୍ଟେଭାଣ୍ଟଙ୍କୁ ଆଉଥରେ ଭଲରେ ବୁଝିବାକୁ ସାହାଯ୍ୟ କରୁଛି । ହେଲେ ଷ୍ଟର୍ଟେଭାଣ୍ଟ ଏକଥା ପ୍ରଥମରୁ ଜାଣିଥିଲେ । ବାସ୍ତବ ଦୁନିଆର ଇମେଜ୍ ଓ ଭର୍ଚୁଆଲ ୱାର୍ଲଡର ଇମେଜ୍ ଏବଂ ତା’ର ବ୍ୟବହାର ନେଇ ସେ ଭଲରେ ସଚେତନ ଥିଲେ ।

ଆମେରିକାରେ ମ୍ୟୁଜିୟମ ଅଫ୍ ମଡର୍ଣ୍ଣ ଆର୍ଟ ୨୦୧୪ରେ ତାଙ୍କ କଳାକୃତି ମାନଙ୍କୁ ନେଇ ଗୋଟେ ପ୍ରଦର୍ଶନୀ ଆୟୋଜନ କଲା । ସେ ପ୍ରଦର୍ଶନୀର କ୍ୟୁରେଟର ପିଟର ଇଲେ ଶୈଳୀକୁ ମାଧ୍ୟମ ଭାବରେ ପରୀକ୍ଷା କରିଥିବା ଜଣେ ଉତ୍ତର ଆଧୁନିକ ଚିତ୍ରଶିଳ୍ପୀ ଭାବରେ ଷ୍ଟର୍ଟେଭାଣ୍ଟଙ୍କୁ ଚିହ୍ନଟ କରିଥିଲେ । ପୌନଃପୌନିକତା ଷ୍ଟର୍ଟେଭାଣ୍ଟଙ୍କ କଳାକର୍ମର ଏକ ମୂଖ୍ୟ ଦର୍ଶନ । କେବଳ ଛବିରେ ନୁହେଁ ତାଙ୍କର ଅନ୍ୟ କାମରେ ସେଇ ଏକା କଥା ଦେଖିବାକୁ ମିଳେ । ଯେମିତିକି ତାଙ୍କର ଫାଇନାଇଟି ଇନଫାନାଇଟି ନାମକ ଭିଡିଓ କାମ ଗୋଟେ ଅଛି, ଯେଉଁଠି ଗୋଟେ କୁକୁର ଏକ ଅସରନ୍ତି ଦୌଡରେ ଦୌଡିଚାଲିଛି ।

ପରେ ଷ୍ଟର୍ଟେଭାଣ୍ଟ ଜଣେ ପରଫରମାନ୍ସ ଶିଳ୍ପୀ ଭାବରେ ମଧ୍ୟ ପରିଚିତି ପାଇଥିଲେ । ତାଙ୍କର ଫାଇନାଲ ଆକ୍ଟ ଅଫ୍ ସବଭର୍ସନ୍ ପରଫରମାନ୍ସ ଥିଲା ଜଣେ କଳାକାରଙ୍କ ନିଜ ବିଷୟକ ସଚିତ୍ର ବକ୍ତବ୍ୟର ଅବତାରଣା । ଘଟଣାଟି ଏମିତି ଘଟିଥିଲା ଯେମିତି ଜଣେ ପରିଣତ ବୟସର କଳାକାର କିଛି କଳାସନ୍ଧିତ୍ସୁଙ୍କ ଆଗରେ ନିଜ ବିଷୟରେ ଓ ନିଜ କଳାକର୍ମ ଏବଂ କଳା ଯାତ୍ରା ବିଷୟରେ କହିବା ପାଇଁ ଛିଡା ହୋଇଛନ୍ତି ଅଥଚ୍ ଠିକଣା ସମୟରେ କିଛିବି ଠିକ୍ ରେ ଘଟୁନି । ମାଇକ୍, ଭିଡିଓ, ସ୍ଲାଇଡ୍ ମଞ୍ଚ ପରିଚାଳନା କିଛି ବି ଠିକ୍ ରେ ଚାଲୁନି । ଶେଷରେ ଷ୍ଟର୍ଟେଭାଣ୍ଟ ତାଙ୍କ ସହକର୍ମିଙ୍କ ଉପରେ ଅତ୍ୟନ୍ତ କ୍ରୋଧରେ ଚିଲ୍ଲେଇ ମଞ୍ଚ ପରିତ୍ୟାଗ କରୁଛନ୍ତି ।

ଷ୍ଟର୍ଟେଭାଣ୍ଟଙ୍କୁ ୨୦୦୮ ରେ ଫ୍ରାନସିସ୍ ଜେ ଗ୍ରୀନବର୍ଗ ପୁରସ୍କାର ଓ ୨୦୧୧ରେ କଳା କ୍ଷେତ୍ରରେ ଜୀବନ ବ୍ୟାପି ଅବଦାନ ପାଇଁ ୫୪ତମ ଭେନିସ୍ ବିନାଲେରେ ସମ୍ମାନ ଜନକ ଗୋଲ୍ଡେନ୍ ଲାୟନ୍ ଦିଆଯାଇଥିଲା । ଷ୍ଟର୍ଟେଭାଣ୍ଟଙ୍କ କଳାକୃତିର ବଜାର ଦର ବେଶ୍ ଅଧିକା । ମଜା କଥା ହେଲା ରୟେ ଲିଚେନଷ୍ଟାଇନଙ୍କ ‘କ୍ରାଇଂ ଗାର୍ଲ’ ନାମକ ଛବି ୨୦୦୭ରେ ୭୮,୪୦୦/- ଆମେରିକୀୟ ଡଲାରରେ ନିଲାମ ହେଇଥିଲା । କିନ୍ତୁ ସେଇ ‘କ୍ରାଇଂ ଗାର୍ଲ’ ଛବିରୁ ଷ୍ଟର୍ଟେଭାଣ୍ଟ ଯେଉଁ ନକଲ ଛବି କରିଥିଲେ ତାହା ୨୦୧୧ ମସିହାରେ ୭୧୦,୫୦୦/- ଆମେରିକୀୟ ଡଲାରରେ ନିଲାମ ହେଇଥିଲା ।

ଷ୍ଟର୍ଟେଭାଣ୍ଟଙ୍କ ଦେହାନ୍ତ ପ୍ୟାରିସରେ ୭ ମଇ ୨୦୧୪ ରେ ୮୯ ବର୍ଷ ବୟସରେ ହେଇଥିଲା । ସେଇ ବର୍ଷ ନଭେମ୍ବର ୯ରେ ତାଙ୍କର ଏକ ବଡ଼ ଏକକ ପ୍ରଦର୍ଶନୀ ନ୍ୟୁୟର୍କର ମ୍ୟୁଜିୟମ ଅଫ୍ ମଡର୍ଣ୍ଣ ଆର୍ଟରେ ଦର୍ଶକ ମାନଙ୍କ ପାଇଁ ଖୋଲା ଯାଇଥିଲା । ଏ ବିଷୟରେ ଆଗରୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ବେଳକୁ ଷ୍ଟର୍ଟେଭାଣ୍ଟ କିନ୍ତୁ ନଥିଲେ ।