ଚିତ୍ର- ୱିକି କମନ୍ସ

ମୁକ୍ତ ହାୱାରେ ବସି ମୁକ୍ତ ବ୍ୟକ୍ତିଟିଏ ମେଘ ମୁକ୍ତ ଆକାଶକୁ ଦିଗବଳୟର ଆର ପଟେ ମିଶିଯାଉଥିବା ଦେଖୁଥିଲା । ଅସ୍ତଗାମୀ ସୂର୍ଯ୍ୟଙ୍କ ଲାଲ କିରଣ ତାଙ୍କ ମୁକ୍ତ ଦେଶର ମାଟିରେ ଅଜାଡ଼ି ପଡ଼ି ସେଠାରେ ରକ୍ତିମ ଆଭା ସୃଷ୍ଟି କରୁଥିଲା । ଠିକ ସେତିକି ବେଳେ ପରାଧିନତାର ବେଡି ଝମ୍ ଝମ୍ ଶବ୍ଦ ଶୁଭାଗଲା । କେହିଜଣେ ଆସୁଛି । ମୁକ୍ତିର ବିପରୀତ ଦିଗରୁ କାହାର ଏ ଆଗମନ ?

ମୁକ୍ତ ମାନବ ଦେଖିଲା ବେଡି ପିନ୍ଧା ମଣିଷଟି ନାରୀ ଆଉ ତା'ର ଶରୀରରୁ ଗୋଟେ ଡୋର ଟାଣି ହେଇଯାଇଛି ଜଣେ ପୁରୁଷର ହାତକୁ । ପୁରୁଷଟି ଡୋରକୁ ଶକ୍ତ କରି ଧରିଛି । ମୁକ୍ତ ମାନବ ସ୍ତ୍ରୀଟିକୁ ଲକ୍ଷ କରି ପଚାରିଲା, "ତୁମ ନାଁ କଣ ?" ।

ନାରୀ ନିରୁତ୍ତର ।

ମୁକ୍ତ ମାନବ ପ୍ରଶ୍ନଟି ଦୋହରେଇବାରୁ ଡୋର ଧରିଥିବା ପୁରୁଷଟି ଏଥର ମୁହଁ ଖୋଲିଲା, "ସେ କିଛି କହିପାରିବନି । ତା ନାଁ ପତ୍ନୀ, ମୋ ନାଁ ସ୍ୱାମୀ (ପତି) । ତୁମ ନାଁ କଣ ?

ମୁଁ ତ ମଣିଷ । କିନ୍ତୁ ସେ କାହିଁକି କଥା କହିପାରିବେନି ? ସେ କ'ଣ ମୁକ ?

ନା ନା ସେ କହିପାରେ କିନ୍ତୁ ତା'ର କଥା କହିବା ଦରକାର ପଡେନାହିଁ । ସେ ସ୍ତ୍ରୀଟେ । ଆମ ସେପାଖେ ସ୍ତ୍ରୀ କହେନାହିଁ କିଛି । ସେ ଚୁପ୍ ରହେ ।

ତୁମେମାନେ କୁଆଡ଼େ ଆସିଛ ?

ଆମେ ମୁକ୍ତି ରାଜ୍ୟ ଦେଖିବାକୁ ଆସିଛୁ । ଦେଖିହେବ ?

ହଁ ଦେଖ । ଏଠି ସବୁ ମୁକ୍ତ ।

ସ୍ୱାମୀ ତା' ସ୍ତ୍ରୀକୁ ଧରି ମୁକ୍ତି ରାଜ୍ୟ ବୁଲିଲା । ସତରେ ମୁକ୍ତିର ଏପାଖଟା ଥିଲା ବହୁତ ସୁନ୍ଦର । ଏଠି କେହି ସ୍ୱାମୀ ନଥିଲେ । ସମସ୍ତେ ମଣିଷ । ସ୍ୱାମୀଟିର ମନକୁ ଅନେକ ପ୍ରଶ୍ନ ଆସୁଥିଲା ସେ ବୁଲି ବୁଲି ଆସି ମୁକ୍ତ ମାନବକୁ ପଚାରିଲା, "ତୁମ ପଟେ ନାରୀମାନେ ଚୁଡ଼ି ପିନ୍ଧନ୍ତିନି, ମଥାରେ ସିନ୍ଦୁର ବି ନାହିଁ । କେହି କ'ଣ ବିବାହିତା ନୁହଁନ୍ତି ? "

ଏଠି ବିବାହିତା ଅଛନ୍ତି, ଅବିବାହିତା ବି ଅଛନ୍ତି ।

ବିବାହିତାମାନଙ୍କ ହାତରେ ଚୁଡ଼ି ନାହିଁ । ତୁମର ଏଠି କି ପ୍ରକାର ନିୟମ ?

ଏଠି ସେମିତି କିଛି ନିୟମ ନାହିଁ । ଆମେ କାହାକୁ କିଛି ପିନ୍ଧିବା ନପିନ୍ଧିବା ପାଇଁ ବାଧ୍ୟ କରୁନା । ଯିଏ ବୁଝିପାରେ ସେ ଏସବୁ ଚିହ୍ନ କିଛି ରଖେନି ଆମେ ଖୁସି ହେଉ, ଆଉ ଯିଏ ନୂଆ ଆସିଥାଏ ସେ ବୁଝିନଥାଏ ପିନ୍ଧେ ତାକୁ ବି ଆମେ ବାରଣ କରୁନା । ଆଉ କିଛି ସୁନ୍ଦର ଦିଶିବା ପାଇଁ ପିନ୍ଧନ୍ତି ସେଥିରେ ବି ହସ୍ତକ୍ଷେପ କରିବା ଆମେ ଉଚିତ ମଣୁନା । ଏଠି ସଭିଙ୍କର ନିଜସ୍ୱ ପସନ୍ଦ ନାପସନ୍ଦ ଅଛି ।

ଆଚ୍ଛା ! ଆଉ ଏଠି ଯେଉଁ ନାରୀମାନେ ରାତିରେ ବୁଲନ୍ତି, ସେମାନଙ୍କୁ କାହିଁକି ଅଟକାଇ ରଖନାହିଁ ? ଯଦି ସେମାନଙ୍କର କିଛି କ୍ଷତି ହେବ ?

କିଏ କ୍ଷତି କରିବ ? ସେମାନଙ୍କର ରାତିରେ କାମ ଥିଲେ ସେମାନେ ବାହାରକୁ ଯାଆନ୍ତି । କାମ ନଥିଲେ ଘରେ ବିଶ୍ରାମ ନିଅନ୍ତି । ସେମାନେ ମଣିଷ, ଘରର କିଛି ଦାମୀ ସାମଗ୍ରୀ ନୁହଁନ୍ତି ଯେ ନିରୋଳାରେ ଏକୁଟିଆ ପାଇଲେ ଆଉ କେହି ଅକ୍ତିଆର କରିନେବ ।

ମୁକ୍ତ ମାନବର କଥା ସ୍ୱାମୀକୁ ଭଲ ଲାଗୁଥିଲା । ସେ ତା' ସ୍ତ୍ରୀର ଡୋର ଛାଡ଼ି ଦେଉଥିଲା, କିନ୍ତୁ ସ୍ତ୍ରୀଟି ପାଦେ ବି ଆଗକୁ ନବଢ଼ି ସେମିତି ସେଇଠି ମୁହଁ ତଳକୁ କରି ଠିଆ ହେଇଥିଲା ଯେମିତି ପୋଷା ଗାଈର ଦଉଡ଼ି ଖୋଲିଦେଲା ପରେ ବି ସେ ଗୁହାଳ ଛାଡ଼ି ଯାଇପାରେ ନାହିଁ ।

"ତୁମେ ଯାଅ । ଦେଖ ବାହାରକୁ । ଓଢଣୀ ଉଠେଇ ମୁକ୍ତ ହାୱାକୁ ଅନୁଭବ କର", ସ୍ୱାମୀ କହୁଥିଲା । ସ୍ତ୍ରୀ ତଥାପି ମୁହଁ ଉଠେଇ ପାରୁନଥିଲା ।

ମୁକ୍ତ ମାନବ ବୁଝେଇ କହିଲା, "ପଞ୍ଜୁରୀରେ ରହିବା ତାଙ୍କର ଅଭ୍ୟାସ ହେଇଯାଇଛି । ତୁମେ ଛାଡ଼ିଲେ ବି ସେ ଯିବେନି । ତାଙ୍କୁ ବୁଝିବାକୁ ହେବ । ବୁଝିବାକୁ ହେବ ସେ ଜଣେ ମଣିଷ । ମୁକ୍ତ ମଣିଷ । ସେବେ ଆଉ ତୁମେ ଖୋଲିବନି । ସେ ନିଜେ ଛିଣ୍ଡେଇ ଦୌଡ଼ିବେ" ।

ସ୍ତ୍ରୀଟି ଶୁଣୁଥିଲା । ଦେଖୁଥିଲା । କିଛି ବୁଝୁଥିଲା । ମୁକ୍ତିର ଏପାଖ ଆଉ ସେପାଖ ଭିତରର ପାର୍ଥକ୍ୟକୁ ହାତରେ ଛୁଇଁ ପରଖୁଥିଲା । ମୁକ୍ତିର ହାୱାକୁ ପିଉଥିଲା । ମୁକ୍ତ ମଣିଷମାନଙ୍କୁ ଦେଖି ନିଜର ନାଁଟା କ'ଣ ଥିଲା ମନେ ପକାଉଥିଲା । ତଥାପି ସେ ଭୟ କରୁଥିଲା ମନେ ପକେଇବାକୁ, କାରଣ ମୁକ୍ତିର ସେପାଖେ ତା ମନର ମାଲିକ ବି ସେ ନିଜେ ନୁହେଁ । ନ ପଚାରି ମନେ ପକେଇବା ଉଚିତ ହେବକି ନାହିଁ ଭାବୁ ଭାବୁ ତା' ମସ୍ତିସ୍କର ଦ୍ୱାର ଆସ୍ତେ ଆସ୍ତେ ଖୋଲିବା ଆରମ୍ଭ କରୁଥିଲା ।