ମୀନା କୁମାରୀ, ଏ ନାଁ ଇ ଏକ ଇତିହାସ । ହିନ୍ଦୀ ସିନେମାରେ ଏମିତି ଏକ ଚେହେରା ଯିଏ କରୁଣ ରସର ଏକ କବିତା ପରି । ମୀନା କୁମାରୀଙ୍କ ମୁହଁ ବୋଧେ ତାଙ୍କ ସମୟର ଅଭିବ୍ୟକ୍ତିକୁ ରେଖାଙ୍କିତ କରୁଥିଲା । ଷାଠିଏ ଓ ସତୁରୀ ଦଶକର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ମୀନା କୁମାରୀ ବେଶ୍‌ ପରିଚିତ । ମୀନା କୁମାରୀଙ୍କ ଅଭିନୟର କରୁଣ ମୂର୍ଚ୍ଛନା ତାଙ୍କୁ ବଲିଉଡ୍‌ର ଟ୍ରାଜେଡି କ୍ବିନ୍ ଭାବେ ବେଶ୍‌ ପରିଚିତି ଆଣିଦେଇଥିଲା । ଏହି ଅଭିନେତ୍ରୀଜଣକ ୧୯୩୨ ମସିହା ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୀନାଙ୍କ ପ୍ରକୃତ ନାମ ଥିଲା ମହଜବୀନ୍‌ । ଭାରତୀୟ ସିନେମାର ସବୁଠୁ ସଫଳ ଓ ଚର୍ଚ୍ଚିତ ସିନେମା ‘ସାହେବ ବିବି ଔର ଗୁଲାମ୍‌’, ‘ପାକିଜା’, ‘ମେରେ ଅପନେ’, ‘ବୈଜୁ ବାୱ୍ରା’, ‘ଦିଲ୍‌ ଅପ୍‌ନା ପ୍ରୀତ୍‌ ପରାୟେ‘, ‘ପରିଣୀତା’, ‘ଆଜାଦ୍‌’, ‘ଏକ ହୀ ରାସ୍ତା’, ‘ମିସ୍‌ ମେରୀ’, ‘ଶାରଦା’, ‘କୋହିନୂର୍‌’, ‘ମେଁ ଚୁପ୍‌ ରହୁଙ୍ଗୀ’ ‘ଔରତ’ ଇତ୍ୟାଦିରେ ନିଜର ଅଭିନୟ ଦେଖାଇ ବଲିଉଡ୍‌ରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ ମୀନା କୁମାରୀ । ନିଜ ଅଭିନୟ ଯାଦୁରେ ସେ ଭାରତୀୟ ସିନେମାର ସିଣ୍ଡ୍ରେଲା ରୂପେ ବେଶ ପରିଚିତ । କେବଳ ଅଭିନୟ ନୁହେଁ ବରଂ ସେ ଏକାଧାରରେ ପାର୍ଶ୍ଵଗାୟିକା, କଷ୍ଟଯୁମ ଡିଜାଇନର ଭାବରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

ସଂଘର୍ଷମୟ ଥିଲା ତାଙ୍କର ଜୀବନ । ସାନଟି ବେଳୁ ସେ ଜୀବନରେ ବହୁ ଦୁଃଖ ଓ ଯନ୍ତ୍ରଣା ଦେଖି ବଡ଼ ହୋଇଛନ୍ତି । ତାଙ୍କ ଜୀବନର ଆରମ୍ଭ କାନ୍ଦ ଆଉ ଦୁଃଖରେ ଆରମ୍ଭ ହୋଇ ସେଇ ଦୁଃଖରେ ହି ଶେଷ ହୋଇଥିଲା । ଜନ୍ମ ହେବାଠାରୁ ଯେମିତି ଦୁଃଖ ତାଙ୍କ ପାଖ କଦାପି ଛାଡ଼ି ନଥିଲା । ତାଙ୍କ ବାପା ଓ ମା’ଙ୍କ ପାଖରେ ପଇସା ନଥିବାରୁ ସେ ଜନ୍ମ ହେଉ ହେଉ ତାଙ୍କୁ ଏକ ଅନାଥାଶ୍ରମରେ ଛାଡ଼ି ଦେଇଥିଲେ । କିନ୍ତୁ ତାଙ୍କ ଦୁଃଖ ସେତିକିରେ ସରି ନଥିଲା । ନବଜାତ କନ୍ୟାଟିକୁ ମଧ୍ୟ ଅନାଥ ଆଶ୍ରମ ସାହା ହୋଇପାରି ନଥିଲା । ତାଙ୍କ ବାପା ତାଙ୍କୁ ଅନାଥ ଆଶ୍ରମ ବାହାରେ ଛାଡିଦେଇଥିଲେ ସତ କିନ୍ତୁ ତାଙ୍କ ହୃଦୟ ଏହାକୁ ଗ୍ରହଣ କରି ନଥିଲା । ଯେତେବେଳ ତାଙ୍କ ବାପା ଆନଥ ଆଶ୍ରମ ନିକଟକୁ ଫେରିଥିଲେ, ଦେଖିଲେ ତାଙ୍କର ଶିଶୁଟି ପିମ୍ପୁଡ଼ି ମେଳରେ ପଡି ରହିଛି । ଅନାଥ ଆଶ୍ରମର କବାଟ ବନ୍ଦ ରହିଛି । ପିତାର ହୃଦୟ ଏହି ଦୃଶ୍ୟ ଦେଖି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ସେ ଶିଶୁଟିକୁ ସେଠାରୁ ଉଠାଇ ଆଣିଲେ । ଶିଶୁଟି ଦେହରେ ହୋଇଥିବା ପିମ୍ପୁଡ଼ି କାମୁଡା ଦାଗ ସିନା ଠିକ ହୋଇଗଲା କିନ୍ତୁ ସେଇ କୋମଳମତି ଶିଶୁ ମନରେ ଲାଗିଥିବା ଦାଗ ଯେମିତି ଶେଷ ନିଶ୍ଵାସ ପାଇଁ ରହିଗଲା ମୀନାଙ୍କ ଜୀବନରେ ।

ବହୁତ କମ୍‌ ବୟସରୁ ମୀନା ଘରର ସମସ୍ତ ବୋଝକୁ ନିଜ କାନ୍ଧରେ ବୋହିଥିଲେ । ସାତ ବର୍ଷ ବୟସରୁ ସେ ଫିଲ୍ମରେ କାମ ଆରମ୍ଭ କରିଥିଲେ । ବେବି ମୀନା ଭାବରେ ‘ଫରଜଦ୍‌ – ଏ ହିନ୍ଦ୍‌’ରେ ପ୍ରଥମେ ନଜର ଆସିଥିଲେ । ୧୯୪୦ ମସିହାରେ ‘ଏକ ହି ଭୁଲ’ରେ ବିଜୟ ଭଟ୍ଟ ତାଙ୍କ ନାମ ବେବି ମହଜବୀନ୍‌ରୁ ବେବି ମୀନା କରିଥିଲେ । ଏହାପରେ ମୀନା ୧୩ ବର୍ଷ ବୟସରେ ଅନ୍ୟ ଏକ ଫିଲ୍ମରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ‘ଲାଲ୍‌ ହଓ୍ବେଲୀ’, ‘ଅନ୍ନପୂର୍ଣ୍ଣା’, ‘ସନମ୍‌’, ‘ତମାସା’ ଆଦି ଫିଲ୍ମରେ ଅଭିନୟ କଲେ। କିନ୍ତୁ ୧୯୫୨ ମସିହାରେ ଆସିଥିବା ‘ବୈଜୁ ବାୱ୍ରା’ରେ ସେ ରାତାରାତି ଷ୍ଟାର ପାଲଟିଗଲେ । ଏହି ଫିଲ୍ମ ପରେ ସେ ସଫଳତାର ସିଡି ଚଢିବାରେ ଲାଗିଲେ । ଏହି ଫିଲ୍ମ ପାଇଁ ମୀନା କୁମାରୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର୍‌ ଆଓ୍ବାର୍ଡରେ ସମ୍ମାନିତ ହେଲେ । ପ୍ରଥମ ଅଭିନେତ୍ରୀ ଭାବେ ମୀନା କୁମାରୀ ଏହି ପୁରସ୍କାର ବିଜୟିନୀ ହୋଇଥିଲେ ।

ଏହି ଫିଲ୍ମରେ ମୀନା ଗୌରି ଚରିତ୍ରରେ ଅଭିନୟ କରି ଘରେ ଘରେ ପ୍ରସିଦ୍ଧି ପାଇଥିଲେ । ଏହି ଫିଲ୍ମଟି ୧୦୦ ସପ୍ତାହ ପାଇଁ ପରଦାରେ ରହିଥିଲା । ତେବେ ‘ପରିଣୀତା’ ଫିଲ୍ମଟି ମୀନାଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ କରିଥିଲା । ଏହି ଫିଲ୍ମରେ ମୀନାଙ୍କ ଅଭିନୟର ଅନନ୍ୟ ଶୈଳୀ ଓ ମନମୋହକ ସ୍ଵରର ଯାଦୁ ତାଙ୍କୁ ଦ୍ଵିତୀୟ ଥର ପାଇଁ ସର୍ବଶେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ସମ୍ମାନ ଦେଇଥିଲା ।

୩୩ ବର୍ଷର କ୍ୟାରିୟର ମଧ୍ୟରେ ସେ ୯୨ଟି ଫିଲ୍ମରେ ଅଭିନୟ କରିଛନ୍ତି । ୧୯୫୩ ମସିହାରେ ‘ପରିଣୀତା’ ଫିଲ୍ମ ପାଇଁ ମୀନା କୁମାରୀ ଦ୍ଵିତୀୟ ଥର ପାଇଁ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ । ସେହିପରି ‘ସାହେବ ବିବି ଔର ଗୁଲାମ’ ଓ ‘କଜୋଲ‘ ପାଇଁ ମଧ୍ୟ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ଫିଲ୍ମ ‘ସାହେବ ବିବି ଔର ଗୁଲାମ୍‌’ ଫିଲ୍ମଟି ପ୍ରାୟତଃ ତାଙ୍କ ଜୀବନୀ ଆଧାରରେ ହୋଇଥିଲା । ସେହିପରି ମୀନାଙ୍କ ଅଭିନୀତ ଅନ୍ୟ ଏକ ଫିଲ୍ମ ‘ଦୋ ବିଘା ଜମିନ’ ଟି ୧୯୫୪ ମସିହାରେ କାନ୍ସ୍ ଫିଲ୍ମୋତ୍ସବରେ ପୁରସ୍କୃତ ହୋଇଥିଲା ।

ବହୁତ କମ୍‌ ଲୋକ ଜାଣିଥିବେ ମୀନା କୁମାରୀ ଓ ଅଭିନେତା ଦିଲ୍ଲୀପ କୁମାରଙ୍କ ସମ୍ପର୍କ ବିଷୟରେ । ଦୁହିଁଙ୍କ ସମ୍ପର୍କ ଏପରି ନିବିଡ ଥିଲା ଯେ, ମୀନା ସବୁବେଳେ ଦିଲ୍ଲୀପ କୁମାରଙ୍କୁ ଅଚିହ୍ନା ଲୋକ ବୋଲି କହି ଥଟ୍ଟା କରୁଥିଲେ । କିନ୍ତୁ ମୀନା କୁମାରୀ ଦିଲ୍ଲୀପ କୁମାରଙ୍କ ସହିତ ‘କୋହିନୂର’, ‘ୟେହୁଦୀ’ ଓ ‘ଆଜାଦ୍‌’ ସମେତ ଆହୁରି ଅନେକଗୁଡ଼ିଏ ଲୋକପ୍ରିୟ ସିନେମା କରିଥିଲେ । ନିଜ ନିଆରା ଅଭିନୟ ପାଇଁ ୧୯୬୩ ମସିହାରେ ଦଶମ ଫିଲ୍ମଫେୟାର୍‌ ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀର ଚୟନ ଲାଗି ମୀନାଙ୍କ ଅଭିନୀତ ତିନୋଟି ଫିଲ୍ମ ‘ମେ ଚୁପ୍‌ ରହୁଙ୍ଗୀ’, ‘ଔରତ୍‌’, ଓ ‘ସାହେବ ବିବି ଔର ଗୁଲାମ୍‌’ ହିଁ ରହିଥିଲା । ତେବେ ସେଥିରୁ ‘ସାହେବ ବିବି ଔର ଗୁଲାମ୍‌’ର ମୀନାଙ୍କ ଅଭିନୀତ ‘ଛୋଟି ବୋହୂ’ ବାଜି ମାରିନେଇଥିଲା ।

ମୀନା ରିଲ୍‌ ଲାଇଫ୍‌ରେ ଯେତିକି ସଫଳତାରେ ଶୀର୍ଷରେ ଚଢିଥିଲେ, ରିଅଲ୍‌ ଲାଇଫ୍‌ରେ ସେତିକି କଷ୍ଟ ଓ ଦୁଃଖରେ ବଢିଥିଲେ । ଜନ୍ମଠାରୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁଃଖ ହିଁ ତାଙ୍କ ଚିର ସହଚର ରହିଥିଲା । ଗରିବ ଠାରୁ ଆରମ୍ଭ କରି ତିନି ତଲାକ୍‌ ପର୍ଯ୍ୟନ୍ତ ସମସ୍ତ ଦୁଃଖକୁ ସେ ଏକାକୀ ଭୋଗି ଥିଲେ ।

ତାଙ୍କ ବୈବାହିକ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା । ତାଙ୍କ ଦାମ୍ପତ୍ୟ ଜୀବନରେ ସେଭଳି କିଛି ମଧୁରତା ନଥିଲା । ୧୯୫୨ ମସିହାରେ ‘ପାକିଜା’ର ନିର୍ଦ୍ଦେଶକ କମାଲ୍‌ ଅମରୋହୀଙ୍କୁ ବିବାହ କରିଥିଲେ ସେ । କିନ୍ତୁ ଦୁହିଁଙ୍କ ଭିତରେ ବୟସର ବ୍ୟବଧାନ ବହୁତ ଅଧିକ ରହିଥିଲା । ମୀନା ୧୯ ବର୍ଷ ବୟସର ହୋଇଥିବାବେଳେ ୩୪ ବର୍ଷୀୟ ଥିଲେ କମାଲ୍‌ । କୁହାଯାଏ, କମାଲ୍‌ ରାଗରେ ମୀନାକୁ ତିନି ତଲାକ୍‌ ଦେଇଥିଲେ । ଏହା ପରେ ମୀନା କୁମାରୀ ଅମାନ୍‌ ଉଲ୍ଲା ଖାନ୍‌ଙ୍କୁ ବିବାହ କରିଥିଲେ । କିନ୍ତୁ ଏହାର ଏକ ମାସରେ ମୀନକୁମାରୀ ଅମାନ୍‌ଙ୍କ ଠାରୁ ତଲାକ୍‌ ନେଇଥିଲେ । ପୁନଃ କମାଲ୍‌ଙ୍କୁ ଦ୍ବିତୀୟଥର ବିବାହ କରିଥିଲେ । ତାଙ୍କ ଜୀବନୀପୁସ୍ତକ ‘ତଲାକ୍‌’ ଓ ‘ହଲାଲ୍‌’ରେ ଏହାକୁ ଉଲ୍ଲେଖ କରିଛନ୍ତି ଲେଖକ ତଥା ସାମ୍ବାଦିକ ବିନୋଦ ମେହେତା । ସମ୍ପର୍କ ତାଙ୍କୁ ସବୁବେଳେ ଧୋକା ହିଁ ଦେଇଛି । ମୀନା କୁମାରୀଙ୍କ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ସମ୍ପର୍କ ନିବିଡ ରହିଥିଲା । ମୀନାଙ୍କଠୁ ବୟସରେ ଧର୍ମେନ୍ଦ୍ର ସାନ ଥିଲେ ମଧ୍ୟ ମୀନା ଧର୍ମେନ୍ଦ୍ରଙ୍କ କ୍ୟାରିଅର୍‌କୁ ବହୁତ ଉଚ୍ଚକୁ ନେଇଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ବିଶ୍ବାସଘାତକତା ମୀନାଙ୍କୁ ମାନସିକ ସ୍ତରରେ ବହୁତ କ୍ଷତି ପହଞ୍ଚାଇଥିଲା । ଏହା ପରେ ପରେ ମୀନା ମଦ ପ୍ରତି ଆସକ୍ତ ହୋଇଗଲେ । ଜୀବନସାରା ଯନ୍ତ୍ରଣା ଓ କଷ୍ଟରେ ରହି ରହି ମଦକୁ ସାଥୀ କରିଥିଲେ ଏବଂ ଏହି ମଦ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା । ଶେଷରେ ମାର୍ଚ୍ଚ ୩୧, ୧୯୭୨ ମସିହାରେ ମାତ୍ର ୩୯ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଥିଲେ ଟ୍ରାଜେଡି କ୍ବିନ୍ ମୀନା କୁମାରୀ ।

ମୀନା କୁମାରୀ ଅଭିନେତ୍ରୀ ଭାବରେ ଯେତିକି ପରିଚିତା, କବି ଭାବରେ ସେତିକି ଅପରିଚିତା । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଟ୍ରଙ୍କ୍ ଭର୍ତ୍ତି କବିତା ରହିଥିଲା, ଯାହାକୁ ସେ ଲେଖକ ତଥା ନିର୍ଦ୍ଦେଶକ ଗୁଲଜାରଙ୍କ ନାଁ ରେ ଉଇଲ କରି ଦେଇଥିଲେ । ମୀନାଙ୍କ ମୃତ୍ୟୁ ପରେ ଗୁଲଜାର ତାଙ୍କ କବିତାର ଏକ ଚମତ୍କାର ସଂକଳନ ପ୍ରକାଶ କରିଥିଲେ । ସତ କହିବାକୁ ଗଲେ ମୀନାଙ୍କ କରୁଣ ଅଭିନୟ ବଲିଉଡରେ ରହସ୍ୟମୟୀ ବନ ଜୋଚ୍ଛନା ପରି ସେଥିରେ ଯେତେ ହଜିଲେ ବି ମନ ବୁଝେ ନାହିଁ ।