ମାଟି ମାଟି ଆକାଶ ଆକାଶ କବି: ସୂର୍ଯ୍ୟସ୍ନାତ ତ୍ରିପାଠୀ ପ୍ରକାଶକ: ଟାଇମ ପାସ୍

‘ମାଟି ମାଟି ଆକାଶ ଆକାଶ’ ପଢୁଛି, ପଢା ସରିନାହିଁ.... ସରିବ କି ନାହିଁ, କିଏ ଜାଣେ?? ମୋ ତକିଆ ତଳେ କିଛି ବହି ରୁହେ  ଯାହାର ପୃଷ୍ଠା ଏ ଯାଏଁ  ବି ସରିନାହିଁ । ସେ ବହି ଗୁଡିକ ହେଲା କ୍ରୌଞ୍ଚ ମିଥୁନ, ଶ୍ରୀ ରାଧା, ଦୁଃଖ ଦୋହା, ଅପୁସ୍ତକ, ଅପାର୍ଥିବ ପ୍ରେମ କବିତା ଓ ତନୁଳତା ର କବିତା । ଏଇ କିଛି ଦିନ ଭିତରେ ମୁଁ ଯେଉଁ  ଅନ୍ୟମନସ୍କ ହବାର ବେମାର ଭୋଗୁଛି ସେଇଥିରୁ ଏହା ଉପଲବ୍ଧି ହୁଏ ଯେ ‘ମାଟି ମାଟି ଆକାଶ ଆକାଶ’ କବିତା ସଂକଳନଟି ନିହାତି ଭାବେ ଏକ ଅସରନ୍ତି ବହି । ଯାହା ହେଉ ତକିଆ ମୋର ଆଉଟିକେ ଉଞ୍ଚା ହେଲା,  ସ୍ଵପ୍ନ ଟିକେ ସୁନ୍ଦର ହେବ ।

ମୁଁ ଶୁଣିଥିଲି ସୃଜନ ବହୁତ ଯନ୍ତ୍ରଣା ଦାୟକ,  ଜଣେ ମାଁ’ କୁ କାଳେ ସାତ ଟି ପୁଅର ହତ୍ୟା ଦେଖିବାକୁ ପଡିଥିଲା । କେବଳ ଗୀତା ଗାଇପାରିଲା  ଭଳି ଜଣେ କବିକୁ ଜନ୍ମ ଦେବା ପାଇଁ, ତେଣୁ ‘ମାଟି ମାଟି ଆକାଶ ଆକାଶ’ ଲେଖିଥିବା କବିର ଯନ୍ତ୍ରଣା କେବଳ ଅନୁମେୟ- ଅନୁଭବ୍ୟ କାରଣ- ‘ ପତ୍ରଟିଏ ଝରି ପଡିଛି ଅବେଳ ରେ ପତ୍ର ସବୁ ଏମିତି ହିଁ ଖସି ପଡନ୍ତି କାଳେ/ ଗଛ କିନ୍ତୁ କାନ୍ଦେ ନାହିଁ/ ଗଛ ଓହଳ ଲମ୍ବେଇ ଲୁହ ପୋଛେ, ଛାଇ ଘୋଡେଇ ହେଇ ସୋଇଥିବା କ୍ଳାନ୍ତ କାଠୁରିଆ ର/.... ଓ ଗଛ ପୁଣି ଗର୍ଭ କଷ୍ଟ ଭୋଗେ, ନୂଆ ପତ୍ର ଟିଏ ପାଇଁ’ (କବିତା– ପତ୍ର/ ମାଟି ମାଟି ଆକାଶ ଆକାଶ) । 

ଯେଉଁ ବହି  ସରିନାହି, କେବେ ସରିବାର ନାହି ଓ ଯିଏ ବିତୁଛି ମୋ ଭିତରେ ଓ ମୁଁ ବିତୁଛି ଯାହା ଭିତରେ, ଧର ତାହା ଯଦି ଏକ ପୃଥିବୀ ତେବେ   ସେ ପୃଥିବୀ ବାବଦକୁ କିଛି ଲେଖିବା ଭୁଲ କିମ୍ବା ପୃଥିବୀ ର ଅପମାନ ହବ  ।  ଆପଣ ମାନେ ବି ସେ କବିତା ସଂକଳନ ‘ମାଟି ମାଟି ଆକାଶ ଆକାଶ’ ପଢନ୍ତୁ, ଏହା ଅନୁରୋଧ ନୁହେ ବରଂ ଉପଦେଶ । 

ଆଉରହିଲା ‘ମାଟି ମାଟି ଆକାଶ ଆକାଶ’ ର କବି ସୂର୍ଯ୍ୟସ୍ନାତ ତ୍ରିପାଠୀ ଙ୍କ କଥା, ସିଏ କିଏ ମୁଁ ଜାଣେନା, କିନ୍ତୁ ହଁ ଗଙ୍ଗୋତ୍ରୀର ଠିକଣା, ପରିଚୟ, ଭୌଗଳିକ ସ୍ଥିତି, ଅସ୍ତିତ୍ଵ ଇତ୍ୟାଦି, ମୋ ପାଇଁ ଏକଦମ ମୂଲ୍ୟହୀନ କାରଣ ଗଙ୍ଗା ବୋହିଯିବା ମାନେ ହିଁ ଗଙ୍ଗୋତ୍ରୀ କେଉଁଠି ନା କେଉଁଠି ଥିବ, ଗଙ୍ଗା ହିଁ  ସର୍ବ ଶ୍ରେଷ୍ଠ ପ୍ରମାଣ ଗଙ୍ଗୋତ୍ରୀ ଥିବାର । (ମୁଁ ତ ଭୁଲ କରିବାର ଚାନ୍ସ ନାହିଁ, ଦେଖନ୍ତୁ ଆପଣ ଯଦି ମୋତେ ଭୁଲ ପ୍ରମାଣ କରିବେ)