ମଶାଣି ସହର ଦିଲ୍ଲୀ, ବାସୁଦେବ ସୁନାନୀ
ପ୍ରକାଶକ: ବିଶ୍ୱମୁକ୍ତି ପବ୍ଲିକେଶନ, ଭୁବନେଶ୍ୱର

ଓଡିଆ ସାହିତ୍ୟରେ ସର୍ଜନଶୀଳ ‘ପ୍ରଜାତିକ ଆଖ୍ୟାନ (ethnographic narrative)’ ନୂଆ ନୁହେଁ । ଏ କ୍ଷେତ୍ରରେ ଭୀମାଭୂୟାଁଠୁ ଗୋପୀନାଥ ମହାନ୍ତିଙ୍କ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ହରିଜନ; ପ୍ରତିଭା ରାୟଙ୍କ ଆଦିଭୂମି, ଭଗବାଁର ଦେଶ ଆଦି ଉଲ୍ଲେଖନୀୟ । ତେବେ, ଏହା ଓଡ଼ିଆ ପ୍ରଜାତିକ ଉପନ୍ୟାସ ଗୁଡ଼ିକର ସ୍ୱୟଂ ସମ୍ପୂର୍ଣ୍ଣ ତାଲିକା ନୁହେଁ । ପ୍ରଜାତିକ କଥା ବାଚନା ସର୍ଜନଶୀଳ ଲେଖକଟିଏର କାହାଣୀ ଓ ତଥ୍ୟର ଏକ ମିଶ୍ରିତ କଳାତ୍ମକ ପରିପ୍ରକାଶ ଯେଉଁଠି ଆମେ ସମ୍ପୃକ୍ତ ଗୋଷ୍ଠୀର ସାମାଜିକ, ସାଂସ୍କୃତିକ, ରାଜନୀତିକ ଚିତ୍ର ଓ ସେହି ଗୋଷ୍ଠୀ ପ୍ରତି ଲେଖକଙ୍କ ଦୃଷ୍ଟିଭଙ୍ଗୀ ଦେଖିବାକୁ ପାଇଥାଉ । ଗୋଟିଏ ଭାଷା ଗୋଷ୍ଠୀରେ ବିଭିନ୍ନ ଜାତି ଗୋଷ୍ଠୀର ଲୋକ ବସବାସ କରୁଥାନ୍ତି ତେବେ ସେଇ ଭାଷାର ସାହିତ୍ୟରେ ସେହି ସବୁ ଗୋଷ୍ଠୀ ଜାତିର ଜୀବନ ଓ ଯନ୍ତ୍ରଣାକୁ ଆଧାର କରି ସତ୍ୟଶୀଳ ସାହିତ୍ୟ ନିର୍ମାଣ ହିଁ ସେ ଭାଷା ସାହିତ୍ୟକୁ ସମୃଦ୍ଧ କରିଥାଏ । ଏହି କାରଣରୁ ବିଶ୍ୱ ସାହିତ୍ୟରେ ‘ପ୍ରଜାତିକ ସାହିତ୍ୟ (ethnic literature)’ର ସ୍ଥାନ ସ୍ୱତନ୍ତ୍ର, ଓ ଏହାର ଆଲୋଚନାକୁ ଶୈକ୍ଷିକ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ପ୍ରଜାତିକ ଆଖ୍ୟାନ ନିର୍ମାଣକ୍ରମରେ ନିକଟରେ ପ୍ରକାଶ ପାଇଥିବା ବାସୁଦେବ ସୁନାନୀଙ୍କ ମଶାଣି ସହର ଦିଲ୍ଲୀ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥାପନ ।

ବାସୁଦେବ ସୁନାନୀ ଦିଲ୍ଲୀ ଯାଇଛନ୍ତି ଜଣେ ଉଚ୍ଚ ପଦସ୍ଥ ଅଫିସର ଭାବରେ । ଦିଲ୍ଲୀରେ ରହିବା ଭିତରେ ସେ ଭିନ୍ନ ଭାବରେ ଦେଖିଛନ୍ତି ଦିଲ୍ଲୀକୁ, ମହାନଗରୀ ଦିଲ୍ଲୀରେ ରହୁଥିବା ଉପେକ୍ଷିତ ମଣିଷମାନଙ୍କୁ । ସେ ଭେଟିଛନ୍ତି, ରାଜିନ୍ଦର, ଚନ୍ଦୁଲାଲ, ରାମ ଦୁଲାଲ, ରାଜା ସିଂ, ବିଶ୍ୱାମିତ୍ର, ସୁନୀତା ଓ ଅନ୍ୟମାନଙ୍କୁ । ସେମାନଙ୍କ ଦୁଃଖ ଓ ସୁଖକୁ ନିଜ ଦୃଷ୍ଟିକୋଣରୁ ଉପସ୍ଥାପନ କରିଛନ୍ତି ଯେଉଁଠି – “ଆମର ଶିକ୍ଷିତ ଲୋକେ ଏତେ ବ୍ୟସ୍ତ ଯେ କାହାରିକୁ ସାମାନ୍ୟ ଆଡ଼ ନଜରରେ ଅନେଇବାର ବି ଜମା ସମୟ ନଥାଏ” । ଯେମିତି କି ଏ “କୋଠା ଘରର ଏତେ ବଡ଼ ଶକ୍ତ ପାଚେରୀ ଡେଇଁ ଏଇ ଲୋକମାନଙ୍କର କରୁଣ କ୍ରନ୍ଦନରୋଳ ସାମାନ୍ୟ ପହଞ୍ଚିବାର ତ ସ୍ୱପ୍ନରେ ବି କଳନା କରାଯାଇ ନପାରେ” ।

ମଶାଣି ସହର ଦିଲ୍ଲୀ ସେଇମାନଙ୍କ କାହାଣୀ ଯେଉଁମାନେ କୁତବମିନାର, ଲାଲକିଲ୍ଲା, ଇଣ୍ଡିଆ ଗେଟ୍, ରାଷ୍ଟ୍ରପତି ଭବନ, କନଟପ୍ଲେସ୍, ସଚିବାଳୟ ଆଉ ସବୁ ଛୋଟ ବଡ଼ ଜାଗା ଗଢ଼ିଛନ୍ତି । ସବୁ କାନ୍ଥକୁ ଫଟେଇ ବାହାର କଲେ ଯେଉଁମାନଙ୍କ ଝାଳ ଗନ୍ଧ, ରକ୍ତ ଛିଟିକା ବାହାରିବ ଆଜି ବି । ଯେଉଁମାନଙ୍କୁ କେହି ଚିହ୍ନିପାରନ୍ତି ନାହିଁ । ଏମାନଙ୍କୁ ଚିହ୍ନିବା ବି ସହଜ ନୁହେଁ । କିନ୍ତୁ, ଚିହ୍ନିବାର ପ୍ରୟାସ କରିଛନ୍ତି ବାସୁଦେବ ସୁନାନୀ ।

ଉପନ୍ୟାସଟି ୩୮୪ ପୃଷ୍ଠାର ଯାହା ଏଇ ଗୋଟିଏ ଦୁଇ ଦଶନ୍ଧି ଭିତରେ ପ୍ରକାଶିତ ଉପନ୍ୟାସ ତୁଳନାରେ ଅନେକତଃ ପୃଥୁଳ ମନେହୁଏ । ତେବେ, ସରଳ ଅକୃତ୍ରିମ ଭାଷା, ବାସ୍ତବବାଦୀ ବର୍ଣ୍ଣନା ଓ ଆଖ୍ୟାନ ଶୈଳୀ ପାଠକକୁ ସହଜ କରିଦିଏ । ଏଠି ଅନେକ ଚରିତ୍ର ମାତ୍ର ନାହାନ୍ତି ତାଙ୍କ ସହିତ ଅଛି ସେମାନଙ୍କ ସଂଘର୍ଷ, ନିକଟତମ ସହାବସ୍ଥିତ ଗୋଷ୍ଠୀ, ସମାଜ ପ୍ରତି ଅବଧାରଣା । ସର୍ବୋପରି, ମଶାଣି ଉପରେ ଠିଆ ହୋଇଥିବା ସହରର ଇତିହାସର ପୃଷ୍ଠା ଓଲଟାଇଛନ୍ତି ବାସୁଦେବ । ପ୍ରଥମେ ଭକ୍ତି ନା ଭୋକ ବୁଝିପାରୁନଥିବା ବେସାହାରା ମଣିଷ କିପରି କାହାକୁ ବି ନିଜର କରିପାରୁନଥିବା ସହର ଛାଡ଼ି ଏବେ ଗାଁକୁ ମୁହାଁଇଛି ତାର ମାର୍ମିକ ଚିତ୍ର ଶେଷରେ ପାଠକକୁ ଅଭିଭୂତ କରେ ।

ମଶାଣି ସହର ଦିଲ୍ଲୀ ଯେ ଓଡ଼ିଆ ସାହିତ୍ୟର ଅନ୍ୟତମ ମାଇଲ ଖୁଣ୍ଟ ଏହା ପାଠକଙ୍କ ଗ୍ରହଣଶୀଳତା ଓ ବିଧିବଦ୍ଧ ଆଲୋଚନା ନିଶ୍ଚୟ ପ୍ରମାଣ କରିବ ।