ଫଟୋ: ଫେସବୁକ୍

ଖୁବ୍ ଭଲଲାଗେ ମୋତେ ମଞ୍ଜା । ବାର୍ ଲାଇଟ୍ ପରି ଦିଶେ । ୧୯୯୯ ମହାବାତ୍ୟାରେ ଆମ ଘର ଆଗରେ ଥିବା ୧୦୦ ସରିକି କଦଳୀ ଗଛ ଭୂଇଁରେ ଲୋଟିପଡିଥିଲା ଯେ, ଯାହାକୁ ଯେତେ ବଣ୍ଟା ହେଲା ଆଉ ଖିଆ ହେଲା । ରକମ ରକମର ତୁଣ । କେତେବେଳେ ସୋରିଷ ପକେଇ ମଞ୍ଜା ରାଈ ତ କେତେବେଳେ ଭଜା ଅବା କେତେବେଳେ ସନ୍ତୁଳା ନହେଲେ ମୁଗ ଡାଲିରେ ପକେଇ ବଘରା । ଘରେ ଖୁଡି, ନାନୀ କି ଜେଜେମା ମଞ୍ଜାକୁ ସରୁ ଚେକା ଚେକା କରି କାଟିବା ବେଳେ ପାରୁ ସବୁକୁ ଆଙ୍ଗୁଳିରେ ଘୁରେଇବାର ଦେଖିବାକୁ ମୋତେ ଭାରି ଭଲଲାଗେ । ମୁଁ କ୍ୟାରମ୍ ଡଟ୍ ପରି ଦିଶୁଥିବା ପତଳା ମଞ୍ଜା ଚେକାମାନଙ୍କୁ ନେଇ ସାଙ୍ଗମାନଙ୍କ ସହ ମିଛିମିଛିକା କ୍ୟାରମ୍ ଖେଳେ ।

ଆମ ପାରମ୍ପରିକ ରୋଷେଇରେ ଜେଜେମା ହାତ ତିଆରି ମଞ୍ଜା ରାଈର ସ୍ୱାଦ ସତରେ ନିଆରା । ମୋ ଜେଜେମା ଭାରି ନିଠେଇ ନିଠେଇ ଏ କାମଟି କରେ । ଚେକା ଚେକା କରି କାଟି ସାରିବା ପରେ ପୁରା ଚୁନି ଚୁନି କରି ମଞ୍ଜାକୁ କାଟେ । ତାକୁ ପୁଣି ହାତରେ ବାରମ୍ବାର ଚକଟି ନରମ କରେ । ଏତକ ହେଲେ ହିଁ ସୁଆଦଟି ନିଆରା ହୁଏ ବୋଲି ସେ କହେ । କୌଣସି ନିର୍ଦ୍ଦିଷ୍ଟ ଋତୁର ହୋଇ ନଥିବାରୁ ଏ ଚିଜଟି ପୁଣି ବର୍ଷ ସାରା ମିଳେ ।

ଆମ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତଃ ଭାବରେ କଦଳୀ ଗଛ ସମ୍ପୃକ୍ତ । ଆମର ଯେ କୌଣସି ମାଙ୍ଗଳିକ କାମରେ କଦଳୀ ଓ କଦଳୀ ଗଛ ଦରକାର ପଡେ । ଦୁଆର ମୁହଁରେ ଶୁଭର ପ୍ରତୀକ ଭାବରେ ପୂର୍ଣ୍ଣ କୁମ୍ଭ ସାଙ୍ଗରେ କଦଳୀ ଗଛ ଅଙ୍କା ମଧ୍ୟ ଯାଏ । ଓଡ଼ିଆ ଘରେ କଦଳୀ ଓ କଦଳୀ ଗଛର ବ୍ୟବହାର ସାରା ବର୍ଷ ଲାଗିରହିଥାଏ । କୁହାଯାଏ, କଦଳୀ ହିଁ ବିଶ୍ୱର ପ୍ରଥମ ଚାଷ କରି ଉତ୍ପାଦନ କରାଯାଇଥିବା ପ୍ରଥମ ଫଳ । ଭାରତ ବର୍ଷକୁ ୧୪.୨ ମିଲିୟନ୍ ଟନ୍ କଦଳୀ ଉତ୍ପାଦନ କରେ । ଚୀନ ଓ ଭାରତ ମିଶି ସାରା ବିଶ୍ୱର ୩୮ ପ୍ରତିଶତ କଦଳୀ ଉତ୍ପାଦନ କରନ୍ତି । ଅନୁମାନ କରାଯାଏ କଦଳୀ ପ୍ରଥମେ ଦକ୍ଷିଣ ପୂର୍ବ ଏସିଆରେ, ମୂଖ୍ୟତଃ ଭାରତରେ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଖ୍ରୀ.ପୂ. ୮୦୦୦ ରୁ ଖ୍ରୀ.ପୂ. ୫୦୦୦ ବେଳରୁ ରହିଛି । ଖ୍ରୀ.ପୂ ୩୨୭ ସମୟକୁ ଆରବୀୟ ମାନଙ୍କ ଦ୍ୱାରା ପାଶ୍ଚାତ୍ୟ ଦେଶକୁ ଏହା ଯାଇଛି । କୁହାଯାଏ ଗ୍ରୀକ୍ ବୀର ଆଲେକଜାଣ୍ଡାର ଭାରତରେ ପ୍ରଥମ କରି କଦଳୀ ଖାଇଥିଲେ ଓ ଏଇ ସ୍ୱାଦିଷ୍ଟ ଫଳକୁ ଭାରତ ବାହରେ ପରିଚୟ କରାଇଥିଲେ ।

ଆମ୍ବ ପରେ ପରେ ଭାରତରେ ସର୍ବାଧିକ ଉପତ୍ପାଦିତ ହେଉଥିବା ଫଳ ହେଉଛି କଦଳୀ । ୟେ ଏମିତି ଗୋଟିଏ ଗଛ ଯାହାର ପ୍ରତ୍ୟେକଟି ଅଂଶ କାମରେ ଲାଗେ; ଫଳ, ଫୁଲ, ପତ୍ର, କଦଳୀ ପାଟୁକା, ଦେହ ସବୁ । କଦଳି ତ କଞ୍ଚା ପାଚିଲା ଉଭୟ ଖିଆଯାଏ, ଭଣ୍ଡା ଆଉ ମଞ୍ଜା ବି ଖିଆଯାଏ ତିଅଣ କରି । କଦଳୀ ପାଟୁକାରେ ପୁଣି ତିଆରି ହୁଏ ଦଉଡି, କାଗଜ, ଲୁଗା ବୁଣା ସୂତା, କାର୍ତ୍ତିକ ପୁନେଇଁ ର ଡଙ୍ଗା ଆଉ କେତେ କଅଣ । ପତ୍ର ବ୍ୟବହାର ହୁଏ ଭୋଜି ଭାତ ଖିଆପିଆରେ ଆଉ ବିଭିନ୍ନ ପୋଡା ଚିଜ ଆଉ ପିଠା ଆଦି କରିବାରେ । କଦଳୀ ପତ୍ରକୁ ଗରିବ ଲୋକର ସୁନା ଥାଳି ବୋଲି କୁହାଯାଏ । ଶୁଖିଲା କଦଳୀ ପାଟୁକାକୁ ପୋଡି ତା’ ପାଉଁଶକୁ ଲୁଗା ସଫାରେ ବ୍ୟବହାର ବି କରାଯାଏ ।

କଦଳୀର ଆମ ସ୍ୱାସ୍ଥ୍ୟ ରକ୍ଷାରେ ଅନେକ ଭୂମିକା ରହିଛି । ମଞ୍ଜାରେ ଅଛି ଫାଇବର, ଭିଟାମିନ୍, ପୋଟାସିୟମ୍ , ପୋଲିଫେନୋଲସ ଆଉ ଆଣ୍ଟି ଅକ୍ସିଡାଣ୍ଟ । ଦୈନନ୍ଦିନ ଏହା ଖାଇବା ଫଳରେ କେବଳ ଯେ ଉଚ୍ଚ ରକ୍ତଚାପ, ମଧୁମେହ କମ୍ ହୁଏ ସେକଥା ନୁହେଁ, ଓଜନ ହ୍ରାସ ପାଇଁ ମଧ୍ୟ ଏହା ଖୁବ୍ ଉପାଦେୟ । କିଛି ଡାକ୍ତରଙ୍କ ମତରେ ଏହାର ଜୁସ୍ କିଡନି ଷ୍ଟୋନ୍ ନିରାକରଣ ପାଇଁ ମଧ୍ୟ ଭଲ କାମ ଦିଏ । ଡାଇରିଆ ଓ ଇନଫ୍ଲାମେସନ୍ ପାଇଁ ବ୍ୟବହାର ହେବା ସହ ୟୁରିନ୍ ଇନଫେକସନ୍, କୋଲେଷ୍ଟରାଲ୍, ଏସିଡିଟି ଓ ଗ୍ୟାସ୍ ପାଇଁ ମଧ୍ୟ ଏହା ବ୍ୟବହୃତ ହେବାର ଦେଖାଯାଏ । ମଞ୍ଜା ରସକୁ ଜୁସ୍ କରି ପିଇବା ବେଶୀ ଲାଭଦାୟକ ।

ମୋର କିନ୍ତୁ ତରକାରିମାନ ପସନ୍ଦ । ମଞ୍ଜା ରାଈ, ମଞ୍ଜା ତରକାରୀ, ମଞ୍ଜା ବେସର, ମଞ୍ଜା ଫ୍ରାଏ, ମଞ୍ଜା ବରା, ମଞ୍ଜା ମୁଗ ବେସର, ଦହି ମଞ୍ଜା, ମଞ୍ଜା ଭଜା, ମଞ୍ଜା ଡାଲମା ଏମିତି ଅନେକ । ମଞ୍ଜା ରାଈ ପରେ ପରେ ଭଣ୍ଡା (କଦଳୀ ଗଛର ଫୁଲ) ରେ ତିଆରି ବରାଟି ବେଶୀ ଭଲଲାଗେ, ତାକୁ ତିଆରିବାଟା ଯଦିଓ ସମୟ ସାପେକ୍ଷ । ଅନେକଙ୍କୁ କଞ୍ଚା କଦଳୀ ଭଜା ବି ଭଲଲାଗେ । ଦକ୍ଷିଣ ଭାରତରେ ପ୍ରାୟତଃ ଘରେ ଘରେ ମଞ୍ଜାକୁ ନେଇ ବିଭିନ୍ନ ତରକାରୀ କରିବା ଆରମ୍ଭ ହୋଇଥିଲା ଆଗେ । ପରେ ପରେ ସାରା ଦେଶ ବ୍ୟାପି ଲୋକପ୍ରିୟ ହୋଇଥିଲା ।

କଦଳୀ ଗଛର କଠିନ ଆବରଣଟି ବାହାର କରିଦେବା ପରେ ପୁରା ମଝାମଝିରେ ହାଲକା ସବୁଜ ରଙ୍ଗର ଆସ୍ତରଣ ଘୋଡେଇ ହୋଇ ରହିଥିବା ଲମ୍ବା ଧଳା ରଙ୍ଗର ଜିନିଷର ନାମ ହେଲା ମଞ୍ଜା । ଆଜିକାଲି ସହରୀ ହାଟ ମାନଙ୍କରେ ବି ମଞ୍ଜା ମିଳିଲାଣି, ଅନଲାଇନ୍ ରେ ବି । ନହେଲେ ଗାଁ ଗହଳରେ ସାଈ ପଡିଶାରେ ମାଗଣାରେ ଦିଆ ନିଆରେ ଯାହାକୁ ଯେତେ । ଗାଁ ରେ ମଞ୍ଜାରେ ଯେତେ ବ୍ୟଞ୍ଜନ ରନ୍ଧା ଯାଏ, ସେଥିରୁ ମଞ୍ଜା ରାଈ ସବୁଠୁ ସୁଆଦିଆ ଆଉ ତିଆରି କରିବାରେ ଖୁବ୍ ସରଳ ଓ ସହଜ । ଏଇଠି ବି ମୁଁ ମଞ୍ଜା ରାଈ ତିଆରି ବିଧିଟି ଦେଇଛି । ୟୁଟ୍ୟୁବ୍ ଖୋଲିଲେ ବି ମିଳିଯିବ ଅନେକ ଭିଡିଓ । କିନ୍ତୁ ପ୍ରତି ଘର ଓ ଘରଣୀଙ୍କର ତିଆରି ପ୍ରଣାଳୀ ସ୍ୱତନ୍ତ୍ର । ତେଣୁ ସ୍ୱାଦ ବି ଭିନ୍ନ । ଆପଣଙ୍କୁ ଘରେ ଯାହାର ବି ହାତ ତିଆରି ରାଈ ଭଲ ଲାଗୁଥିବ ତାହାଠାରୁ ତିଆରି ବିଧିଟି ବୁଝିଦେଲେ ପ୍ରିୟ ସୁଆଦଟି ପାଇବାରେ ଆପଣଙ୍କୁ ସୁବିଧା ହେବ।

ପ୍ରସ୍ତୁତି ପ୍ରଣାଳୀ: ଅଧ କିଲୋ ଓଜନର ମଞ୍ଜା ନିଅନ୍ତୁ । ତାକୁ ପ୍ରଥମେ ଭଲଭାବରେ ଧୋଇ ଦିଅନ୍ତୁ । ମଞ୍ଜା ଖଣ୍ଡକୁ ଗୋଲ ଗୋଲ କରି କାଟି ଦିଅନ୍ତୁ ଓ କାଟିବା ବେଳେ ସେଥିରୁ ତାର ତନ୍ତୁକୁ କାଢି ନିଅନ୍ତୁ । ତାପରେ ବଡ ଖଣ୍ଡ ଗୁଡିକୁ ଚୁନି ଚୁନି କରି କାଟି ନରମ କରିବାକୁ ଓ ମଞ୍ଜାରେ ଥିବା କଷା ଅଂଶ କାଟିବାକୁ ହାତରେ ଭଲ ଭାବେ ଚକଟି ଦେଇ କିଛି ସମୟ ଛାଡି ଦିଅନ୍ତୁ । (ନହେଲେ ମଞ୍ଜାରେ ଟିକେ ପାଣି ଦେଇ ସେଥିରେ ହଳଦି, ଲୁଣ ମିଶାଇ ଗ୍ୟାସରେ ୫-୭ ମିନିଟ୍ ପାଇଁ ବସେଇ ଦିଅନ୍ତୁ । ହେଇଗଲା ପରେ ମଞ୍ଜା ଛାଣି ନେଇ ପାଣିତକ ଫିଙ୍ଗି ଦିଅନ୍ତୁ ।) ଅନ୍ୟ ଏକ ପାତ୍ରରେ ଗୋଟେ କିମ୍ବା ଦୁଇଟି ବଡ ସାଇଜର ଆଳୁକୁ ଭଲରେ ଧୋଇ ଚୋପା ଛଡେଇ ଚୁନା ଚୁନା କରି କାଟି ରଖନ୍ତୁ । ଗୋଟେ ପିଆଜ ଓ ଟମାଟୋ ବି କାଟି ଦିଅନ୍ତୁ । ୨ ଚାମଚ ସୋରିଷ, ଗୋଟେ ଚାମଚ ଜୀରା, ୭-୮ କୋଷା ରସୁଣ, ୨ଟି କଞ୍ଚା ଲଙ୍କାକୁ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏଥର ଗ୍ୟାସରେ କଡେଇ ବସାନ୍ତୁ । କଡେଇ ଗରମ ହେବା ପରେ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହେଲା ପରେ ଯାଇ ସୋରିଷ, ଜୀରା ଫୁଟଣ ଫୁଟାଇ ଦିଅନ୍ତୁ । ତାପରେ କଞ୍ଚା ଲଙ୍କା ଓ ପିଆଜ ପକାଇ ଟିକେ ଭାଜି ଦିଅନ୍ତୁ । ପିଆଜ ବାଦାମୀ ରଙ୍ଗ ହୋଇଗଲା ପରେ ଆଳୁ, ମଞ୍ଜା ଓ ଟମାଟୋ ପକାଇ ଦିଅନ୍ତୁ । ଆବଶ୍ୟକତା ଅନୁସାରେ ଲୁଣ ଓ ହଳଦୀ ପକାଇ ଭଲଭାବରେ କିଛି ସମୟ ଘାଣ୍ଟି ଦିଅନ୍ତୁ । ତାପରେ ପ୍ରସ୍ତୁତ ହୋଇ ରହିଥିବା ସୋରିଷ ବାଟଣ ଦେଇ ପୁଣି ଥରେ ଗୋଳେଇ ଦିଅନ୍ତୁ । ଏଥର ଢାଙ୍କୁଣୀ ଦେଇ ଅଳ୍ପ ଗ୍ୟାସରେ ୧୫-୨୦ ମିନିଟ୍ ବସେଇ ଦିଅନ୍ତୁ । ସମୟ ହୋଇଗଲା ପରେ ଢାଙ୍କୁଣି ଖୋଲି ଦେଖନ୍ତୁ ମଞ୍ଜା ରାଈ ପ୍ରସ୍ତୁତ ହୋଇଯାଇଥିବ ।