ଶେଷରେ ସେଇ ପ୍ରତୀକ୍ଷିତ ଦିନ ଆସିଲା, ଯେଉଁ ଦିନଟିକୁ ବହୁତ ଦିନ ଧରି ଅପେକ୍ଷା କରିଥିଲା ଗୁଡ୍ଡୁ । ଗୁଡ୍ଡୁ ଖୁସିରେ ନାଚି ଉଠିଲା । ସେମାନେ ସପରିବାର ଏକ ଜଙ୍ଗଲକୁ ରାତି କଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ସକାଳୁ ସକାଳୁ ଏହାର ପ୍ରସ୍ତୁତିରେ ଲାଗିପଡ଼ିଲେ । ଜଙ୍ଗଲରେ ରାତ୍ରି ରହଣି ପାଇଁ ସେମାନେ ସୁପର ମାର୍କେଟ ଯାଇ ଦରକାରୀ ଜିନିଷ କିଣିବା ପାଇଁ ବାହାରିପଡ଼ିଲେ ।

ନିଜ ପସନ୍ଦର (ମାର୍ଶମାଲୋ) କେଶର ଜାତୀୟ ଖାଦ୍ୟଟିକୁ ଆଣିବାକୁ ଭୁଲିବ ନାହିଁ କହି ଗୁଡ୍ଡୁ ସୁପରମାର୍କେଟର କରିଡର ରେ ଦୌଡ଼ିବାକୁ ଲାଗିଲା ।

ଜଙ୍ଗଲରେ ରାତ୍ରିଯାପନ ପାଇଁ ଚକୋଲେଟ୍, ଫଳ, ଫ୍ଲାସ୍ ଲାଇଟ୍ ପାଇଁ କିଛି ବ୍ୟାଟେରୀ, ମଶା ଧୂପ ଆଦି କିଣାକିଣି ସରିବା ପରେ ଗୁଡ୍ଡୁ ଖୁସି ଖୁସିରେ କାରରେ ବସି ପଡିଲା ।

ଗୁଡ୍ଡୁ ଜଙ୍ଗଲରେ ରାତ୍ରିଯାପନକୁ ନେଇ ମନ ଭିତରେ ବହୁତ କିଛି ଭାବି ରଖିଥିଲା । ସେ ବହୁତ କିଛି କରିବା ପାଇଁ ଚାହୁଁଥିଲା ଯେମିତିକି ସେ ତା ପସନ୍ଦର ଖାଦ୍ୟ ଖାଇବ, ବାଦୁଡି ଦେଖିବ, ଜୁଳୁଜୁଳିଆ ପୋକ ଧରିବ ଏବଂ ଆହୁରି ଅନେକ କିଛି, ଯାହା ସେ ତା ବହିରେ ପଢିଥିଲା । ତାହା ସବୁ ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି ଭାବି ସେ ବହୁତ ଖୁସି ହୋଇ ଯାଉଥିଲା । ଗୁଡ୍ଡୁ ଘରେ ପହଞ୍ଚି ଶୋଇବା ଘରକୁ ଚାଲିଯାଇ ଅତ୍ୟାବଶ୍ୟକୀୟ ଜିନିଷ ସବୁ ବ୍ୟାଗରେ ଭର୍ତ୍ତି କରିବାକୁ ଲାଗିଲା । ସେ ଖେଳଣା, ପୋଷାକ ଜୋତା ସବୁ ଭର୍ତ୍ତି କରିଲା ବ୍ୟାଗରେ । ସବୁ ଭର୍ତ୍ତି କରିସାରିଲା ବେଳକୁ ଗୋଟିଏ ଅଜବ ଶବ୍ଦରେ ସେ ଚମକି ପଡ଼ିଲା । ବାହାରେ ବିଜୁଳି ମାରୁଥିଲା । ଗୁଡ୍ଡୁ ସବୁକିଛି ଛାଡି ଝରକାରୁ ବାହାରର ଦୃଶ୍ୟ ଦେଖିବାକୁ ଲାଗିଲା ।

“ଏ ହେ … ନା ନା ନା … ଏମିତି ହୋଇ ପାରିବନି” କହି ଗୁଡ୍ଡୁ ଦୌଡ଼ିଲା ତଳକୁ ଏବଂ ଯାଇକି ପିତାମାତାଙ୍କୁ ଖୋଜିଲା । ସେମାନେ ମଧ୍ୟ ଝରକା ବାଟେ ବିଜୁଳିକୁ ଦେଖୁଥିଲେ ।

“ଗୁଡ୍ଡୁ କହିଲା, “ନା ନା ଏମିତି ହୋଇ ପାରିବନି … ଆଜି ଏ ବର୍ଷା ମୋର ଦିନଟାକୁ ନଷ୍ଟ କରିଦେବ” ।

ଏହାଶୁଣି ଗୁଡ୍ଡୁର ବାପା କହିଲେ, “ପୁଅ ତୁ ବ୍ୟସ୍ତ ହେ ନା …ଆମେ ଅନ୍ୟ ଦିନେ ଜଙ୍ଗଲ ଯିବା ।”

ଏହିକଥା ଶୁଣି ଗୁଡ୍ଡୁ ନିଜ ଶୋଇବା ଘରକୁ ମନ ଖରାପ କରି ଦଉଡ଼କି ପଳାଇ ଆସିଲା ଏବଂ ବିଛଣା ଉପରେ ଶୋଇ ପଡ଼ିଲା । ଏତିକି ବେଳକୁ ବର୍ଷା ଆହୁରି ଜୋରରେ ହେଲା । କିଛି ସମୟ ଗଲାପରେ ତା’ ମା ଶୋଇବା ଘର ଭିତରକୁ ଆସିଲେ ।

ଗୁଡ୍ଡୁକୁ ତା ମା କହିଲେ, “ପୁଅ ତୁ ବ୍ୟସ୍ତ ହେ ନା । ଦିନଟି ନଷ୍ଟ ହୋଇନାହିଁ … ଆମେ ଘରେ କ୍ୟାମ୍ପ କରିପାରିବା ।”

ଗୁଡ୍ଡୁ ତା’ ମାଙ୍କୁ ଦେଖିଲା ଆଉ କହିଲା - କିନ୍ତୁ ଏଠାରେ ଜଙ୍ଗଲ ଭଳି ମଜା ଆସିବ ନାହିଁ ।

ତା ମା’ କହିଲେ, “ମୁଁ ଜାଣିଛି । କିନ୍ତୁ ଯଦି ତୁ ତୋ ସାଙ୍ଗମାନଙ୍କ ସହ ରାତ୍ରି କାଟିବୁ, ତୋ ପ୍ରିୟ ଖାଦ୍ୟ ଖାଇବା ସହ ଖେଳ ଓ ମଜା କରିବୁ, ତାହେଲେ ତୋତେ କଣ ମଜା ଆସିବ ନାହିଁ ?”

ଏହାଶୁଣି ଗୁଡ୍ଡୁ ପଚାରିଲା, “କଣ ମୋ ସାଙ୍ଗମାନେ ଆସିପାରିବେ ? ”

ତା’ ମା’ କହିଲେ, “ଯଦି ତୁ ଚାହିଁବୁ ଓ ସେମାନଙ୍କ ମାତାପିତା ଏନେଇ ଅନୁମତି ଦେବେ, ଏହା ସମ୍ଭବ ହୋଇପାରିବ।

ଗୁଡ୍ଡୁ ଖୁସି ହୋଇ କହିଲା, “ତେବେ ବହୁତ ଭଲ ହେବ ମା ।”

କିଛି ସମୟ ପରେ ବର୍ଷା ଟିକେ କମିଗଲା । ଗୁଡ୍ଡୁର ମା’ ଗୁଡ୍ଡୁର ସାଙ୍ଗମାନଙ୍କୁ ଫୋନ କରିବାରେ ଲାଗିଗଲେ । ସେମାନଙ୍କ ପିତାମାତା ମଧ୍ୟ ଏନେଇ ରାଜି ହୋଇଗଲେ ଏବଂ ପିଲାମାନଙ୍କୁ ଗୁଡ୍ଡୁ ଘରକୁ ପଠାଇବାକୁ ସହମତି ପ୍ରଦାନ କଲେ ।

ଗୁଡ୍ଡୁ ବହୁତ ଖୁସି ଥିଲା । ଦ୍ଵିପ୍ରହର ବେଳକୁ ତାଙ୍କ ଘରକୁ ଡ୍ୟାନି ଆସିଲା । ତାକୁ ଦେଖି ସେ ବହୁତ ଖୁସି ହୋଇଗଲା ଆଉ ସେମାନେ ପରସ୍ପରକୁ ଆଲିଙ୍ଗନ କଲେ ।

ଗୁଡ୍ଡୁ ଡ୍ୟାନିକୁ ଘର ଭିତରକୁ ଡାକିନେଲା ଏବଂ ରାତିରେ ସେମାନେ କଣ କଣ କରିବେ ସେ ବିଷୟରେ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡିଲେ । ଚଳଚ୍ଚିତ୍ର ଦେଖିବା ଠାରୁ ଆରମ୍ଭ କରି ଭୟାନକ କାହାଣୀ କହିବା ପର୍ଯ୍ୟନ୍ତ ସେମାନଙ୍କର ସମସ୍ତ ବିକଳ୍ପ ବିଷୟରେ କଥାବାର୍ତ୍ତା ହେଲେ । କିନ୍ତୁ ଭୟାନକ କାହାଣୀ କହିବା ବିକଳ୍ପ ସେମାନଙ୍କୁ ଏତେ ଆକର୍ଷିତ ମନେ ହେଉ ନଥିଲା । ଧୀରେ ଧୀରେ ଗୁଡ୍ଡୁର ଅନ୍ୟ ସାଙ୍ଗମାନେ ଜଣେ ଜଣେ ହୋଇ ଗୁଡ୍ଡୁ ଘରକୁ ଆସିବାକୁ ଲାଗିଲେ ।

ଗୁଡ୍ଡୁ ତାର ସମସ୍ତ ସାଙ୍ଗମାନକୁ ଦେଖି ଖୁସି ହୋଇଗଲା । ଗୁଡ୍ଡୁର ସମୁଦାୟ ଛ ଜଣ ସାଙ୍ଗ ଆସିଥିଲେ । ଗୁଡ୍ଡୁର ମାଆ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଜଳଖିଆ ଯେପରିକି ପପକର୍ଣ୍ଣ, ଚକୋଲେଟ୍ ବଲ୍, କୁକିଜ୍, ଏବଂ ସୋଡା ଆଣିଦେଲେ । କିନ୍ତୁ ଖାଇବା ପୂର୍ବରୁ ଟିକେ ଅପେକ୍ଷା କରିବାକୁ କହିଲେ । କିଛି ସମୟ ପରେ କଲିଙ୍ଗ ବେଲ ବାଜି ଉଠିଲା । ଗୁଡ୍ଡୁର ମା ସମସ୍ତଙ୍କ ପାଇଁ ପିଜ୍ଜା ମଗାଇଥିଲେ ।

ଏହା ଦେଖି ସେମାନଙ୍କ ମଧ୍ୟରୁ ଜଣେ କହିଉଠିଲା “ହେଇ .... ପିଜ୍ଜା ଆସିଗଲା”

ତା ପରେ ଗୁଡ୍ଡୁର ମା ଦୁଆର ଖୋଲି ପିଜ୍ଜା ଆଣି ସମସ୍ତଙ୍କ ମଧ୍ୟରେ ବାଣ୍ଟିଦେଲେ । ଏବଂ ସମସ୍ତେ ମନ ଖୁସିରେ ଖାଇବାକୁ ଲାଗିଲେ ।

ଡ୍ୟାନି କହିଲା “ମୋତେ ପିଜା ଭଲ ଲାଗେ” । ଏହାଶୁଣି ଅନ୍ୟ ସମସ୍ତେ ହସିବାକୁ ଲାଗିଲେ ।

କିଛି ସମୟ ପରେ ସମସ୍ତେ ସେଠାରେ ବିଛଣା ସଜାଡ଼ି ବସି ପଡିଲେ ଏବଂ ସେମାନେ ପଢିଥିବା ରୋଚକ ଗଳ୍ପ ବିଷୟରେ ଆଲୋଚନା କଲେ । ଏହା ଏକ ଖୁସି ଏବଂ ଭଲ ସମୟ ଥିଲା! ଏହି ଅନେକ ସୁନ୍ଦର କାହାଣୀ ଶୁଣି ଗୁଡ୍ଡୁ ର ମା ଆନନ୍ଦିତ ହେଲେ |

ରାତି ଆସିଲା, ଏବଂ ଗୁଡ୍ଡୁ ର ମା ଶୋଇବାକୁ ଉପର ମହଲାକୁ ଗଲେ | ପିଲାମାନେ ତାଙ୍କୁ ବିଦାୟ ଜଣାଇଲେ ଏବଂ ଗୁଡ୍ଡୁ ତାଙ୍କୁ ଆଲିଙ୍ଗନ କଲା ।

“ଧନ୍ୟବାଦ, ମା ମୁଁ ବହୁତ ମଜା କରୁଛି! ” ଗୁଡ୍ଡୁ ତାଙ୍କୁ କହିଲା ।

ଗୁଡ୍ଡୁର ମା କହିଲେ, “ମୁଁ ଏହା ଶୁଣି ବହୁତ ଖୁସି ।” । ତେବେ ସବୁଠାରୁ ବଡ କଥା ହେଲା ତୋ ପାଖରେ ତୋତେ ଭଲ ପାଉଥିବା ଲୋକମାନେ ଅଛନ୍ତି । ଏତିକି କହି ଗୁଡ୍ଡୁ ମଥାରେ ଚୁମାଟିଏ ଆଙ୍କି ଦେଇ ଶୁଭରାତ୍ରି ଜଣାଇଲେ ଗୁଡ୍ଡୁର ମା’। ତା’ପରେ ସବୁ ପିଲାମାନେ ବିଛଣାରେ ବସି ଗପିବାରେ ଲାଗିଗଲେ । ଏତିକି ବେଳେ ଏକ ଅଜବ ଘଟଣାଟିଏ ଘଟିଲା । ଖୋଲା ଥିବା ଝରକା ଦେଇ କିଛି ଜୁଳୁଜୁଳିଆ ପୋକ ଘର ଭିତରକୁ ପଶି ଆସିଲେ ଆଉ ତାଙ୍କ ଚିକିମିକି ଆଲୁଅରେ ଘରକୁ ଆଲୋକିତ କଲେ ।

ଡ୍ୟାନି ଖୁସି ହୋଇଗଲା ଆଉ କହିଲା “ବାଃ … ଦେଖ କେତେ ଚମତ୍କାର ଦୃଶ୍ୟ”

ଗୁଡ୍ଡୁ କହିଲା - “ଏସବୁ ଦେଖି ଲାଗୁଛି ଯେମିତି ଆମେ ସବୁ ବାହାରେ କ୍ୟାମ୍ପ କରୁଛୁ ।”

ସବୁ ପିଲା ଏସବୁ ଦେଖି ଖୁସି ହେଲେ । ଧୀରେ ଧୀରେ ସମସ୍ତେ ଏସବୁ ଦେଖୁ ଦେଖୁ ଶୋଇ ପଡ଼ିଲେ । ଆଉ ରାତିରେ ସଭିଏଁ ସ୍ଵପ୍ନ ଦେଖିଲେ । ସେମାନେ ଦେଖିଲେ ଯେ ସେମାନେ ସମସ୍ତେ ଗୋଟିଏ ମନୋରମ ଜଙ୍ଗଲରେ ବୁଲୁଛନ୍ତି ଏବଂ ତାଙ୍କୁ ଅନେକ ସଂଖ୍ୟାରେ ଜୁଳୁଜୁଳିଆ ପୋକମାନେ ଦଳଦଳ ହୋଇ ରାସ୍ତା ଦେଖାଉଛନ୍ତି । ଆଉ ଏସବୁ ଦେଖି ସେମାନଙ୍କର ଖୁସିର ଠିକଣା ରହିଲା ନାହିଁ ।

ସକାଳେ, ଯେତେବେଳେ ଗୁଡ୍ଡୁ ଉଠିଲା ଆଉ ତା ସମସ୍ତ ସାଙ୍ଗମାନଙ୍କୁ ଦେଖିଲା, ସମସ୍ତଙ୍କ ସହିତ ଏକ ଚମତ୍କାର ସନ୍ଧ୍ୟା ବିତାଇ ଥିବାରୁ ସେ ଖୁସି ଅନୁଭବ କଲା । ଖୁସିରେ ରହିବାର କଳା ଶିଖିଗଲା ଗୁଡ୍ଡୁ । ଆମକୁ ଭଲ ପାଉଥିବା ଲୋକେ ଯଦି ଆମ ପାଖରେ ଅଛନ୍ତି ତାହା ଆମ ପାଇଁ ଯଥେଷ୍ଟ ବୋଲି ଜାଣିପାରିଲା ଗୁଡ୍ଡୁ । ସେ ଜାଣି ପାରିଲା ଖୁସିକୁ ସବୁଠାରେ ଖୋଜିହୁଏ, ଖାଲି ସେଥିରେ ନିଜକୁ ସାମିଲ କରିପାରିଲେ ହେଲା ।