Source: Wikipedia

ଭାରତୀୟ ସିନେମା ଜଗତ ତଥା ରଙ୍ଗମଞ୍ଚର କିମ୍ବଦନ୍ତୀ ପୁରୁଷ ହେଉଛନ୍ତି ପୃଥ୍ୱୀରାଜ କପୁର୍ । ପ୍ରଥମ ଭାରତୀୟ ନିର୍ବାକ୍ ସିନେମାରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ପୃଥ୍ୱୀରାଜ୍, ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରବାଦ ପୁରୁଷ । ଇଣ୍ଡିଆନ୍ ପିପୁଲ୍ସ ଥିଏଟର ଆସୋସିଏସନ୍ (ଇପ୍‌ଟା)ର ସଂସ୍ଥାପକ ସଦସ୍ୟ ହେବାର ଗୌରବ ମଧ୍ୟ ପାପ୍ତ କରିଥିଲେ । ୧୯୪୪ ମସିହାରେ ମୁମ୍ବାଇଠାରେ ପୃଥ୍ୱୀରାଜ ପୃଥ୍ୱୀ ଥିଏଟରର ସ୍ଥାପନା କରିଥିଲେ । ଏହି ନାଟ୍ୟସଂସ୍ଥା ସାରା ଦେଶରେ ବୁଲି ବୁଲି ନାଟକ ପ୍ରଦର୍ଶନ କରୁଥିଲା । ପୃଥ୍ୱୀରାଜ କପୁର୍‌ଙ୍କଠାରୁ ହିଁ ଭାରତୀୟ ସିନେମାରେ କପୁର୍ ଖାନଦାନ୍‌ର ଅୟମାରମ୍ଭ ହୋଇଥିଲା । ପୃଥ୍ୱୀରାଜ କପୁର୍‌ଙ୍କଠାରୁ ଆରମ୍ଭ ହୋଇ ଏହି କପୁର୍ ପରିବାର ବଲିଉଡ୍‌ରେ ରାଜ୍ ଚଳାଇ ଆସୁଛି ।

ପୃଥ୍ୱୀରାଜ କପୁର୍ ୧୯୦୬ ମସିହାରେ ଫୈସଲାବାଦ, ପଞ୍ଜାବରେ ଜନ୍ମଗ୍ରହଣ କରିଥିଲ, ଯାହାକୁ ଏବେ ପାକିସ୍ତାନର ପଞ୍ଜାବ ବୋଲି କୁହାଯାଉଛି । ସେଠାରେ ସେ ପେଶାୱର୍ ପାକିସ୍ତାନର ଏଡ୍‌ୱାର୍ଡ କଲେଜରୁ ସ୍ନାତକ ଶିକ୍ଷା ପ୍ରାପ୍ତ କରିଥିଲେ । ଏହା ପରେ ସେ ଏକବର୍ଷ ପର୍ଯ୍ୟନ୍ତ ଆଇନ୍ ପାଠ୍ୟକ୍ରମରେ ଶିକ୍ଷାର୍ଜନ କରିଥିଲେ । ଏହାପରେ ସେ ଥିଏଟର ଦୁନିଆରେ ପାଦ ଦେଇଥିଲେ ।

୧୯୨୮ ମସିହାରେ ସେ ମୁମ୍ବାଇ ଚାଲି ଆସିଥିଲେ । ଏଠାରେ ସେ କିଛି ନିର୍ବାକ ଚଳଚ୍ଚିତ୍ରରେ ନଜର ଆସିଥିଲେ । ସେ ଅଭିନୟ କରିଥିବା ପ୍ରଥମ ଫିଲ୍ମ ହେଉଛି "ବେ ଧାରୀ ତଲ୍‌ୱାର' । ସେ ୯ଟି ନିର୍ବାକ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଭାରତର ପ୍ରଥମ ସବାକ୍ ଫିଲ୍ମ "ଆଲାମ୍ ଆରା" ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାପରେ ସେ “ବିଦ୍ୟାପତି” ରେ ନଜର ଆସିଥିଲେ । ତେବେ ତାଙ୍କ ଅଭିନୀତ ସୋହରାବ ମୋଦୀଙ୍କ ସିକନ୍ଦରରେ “ଆଲେକ୍ସଜାଣ୍ଡାର୍ ଦ ଗ୍ରେଟ୍‌” ଚରିତ୍ରଟି ବେଶୀ ଲୋକପ୍ରିୟ ହୋଇଥିଲା । ଏହାପରେ ସେ ଗ୍ରାଣ୍ଟ୍ ଆଣ୍ଡ୍ରରସନ୍ ଥିଏଟର କମ୍ପାନୀରେ ଯୋଗଦାନ କରିଥିଲେ । ଫିଲ୍ମ ଅପେକ୍ଷା ସେ ଥିଏଟର୍‌କୁ ଅଧିକ ଗୁରୁତ୍ୱ ଦେଇଥିଲେ । ୧୯୪୪ ମସିହାରେ ସେ ନିଜର ପୃଥିବୀ ଥିଏଟରର ସ୍ଥାପନା କଲେ । ପ୍ରଥମେ ସେ ଏହି ଥିଏଟର ଜରିଆରେ କାଳିଦାସଙ୍କ "ଅଭିଜ୍ଞାନ ଶକୁନ୍ତଳମ୍‌’' ନାଟକ ଆୟୋଜିତ କଲେ । ଏଥିରେ ତାଙ୍କର ବଡ଼ ପୁଅ ତଥା ବଲିଉଡ୍‌ର ସୋ' ମ୍ୟାନ୍ ରାଜକପୁର୍ ଅଭିନୟ କରିଥିଲେ । ପୃଥ୍ୱୀରାଜଙ୍କ ଦ୍ୱାରା ପ୍ରଦର୍ଶିତ ନାଟକଗୁଡ଼ିକ ବହୁ ପ୍ରଭାବଶାଳୀ ରହିଥିଲା, ସେତେବେଳେ ଏହି ନାଟକଗୁଡ଼ିକ ଯୁବକମାନଙ୍କୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେବାକୁ ପ୍ରେରଣା ଯୋଗାଇଥିଲା । ସେ ୧୬ ବର୍ଷରୁ ଅଧିକ ସମୟ ମଧ୍ୟରେ ନିଜ ଥିଏଟର ଜରିଆରେ ୨,୬୬୨ଟି ନାଟକ ପ୍ରଦର୍ଶନ କରିଥିଲା । ପୃଥ୍ୱୀରାଜ ପ୍ରତ୍ୟେକ ଶୋ'ରେ ମୁଖ୍ୟ ଅଭିନେତା ରୂପେ ନଜର ଆସିଥିଲେ । ତେବେ ତାଙ୍କ ନାଟକ ମଧ୍ୟରେ "ପଠାନ୍‌' ଟି ବେଶ୍ ଲୋକପ୍ରିୟ ହୋଇଥିଲା । ୧୯୪୭ ମସିହାରେ ପ୍ରଦର୍ଶିତ ଏହି ନାଟକଟି ଜଣେ ମୁସଲମାନ ଓ ହିନ୍ଦୁ ବନ୍ଧୁଙ୍କ କାହାଣୀ ଉପରେ ପର୍ଯ୍ୟବସିତ ହୋଇଥିଲା ।

ସାରା ଦେଶରେ ବୁଲି ବୁଲି ପୃଥ୍ୱୀ ଥିଏଟର ନାଟକ ମଞ୍ଚସ୍ଥ କରୁଥିଲା । ତେବେ ଏହା କରିବା ବହୁ ବ୍ୟୟାସାପେକ୍ଷ ରହିଥିଲା । ତେବେ ଏହି ଥିଏଟର ଯୋଗୁଁ ବହୁ ଦକ୍ଷ ଅଭିନେତ୍ରୀ, ଟେକ୍ନିସିଆନମାନେ ଫିଲ୍ମରେ କାମ କରିବାର ସୁଯୋଗ ପାଇଲେ । ତେବେ ୫୦ ଦଶକ ବେଳକୁ ପୃଥ୍ୱୀରାଜ ଥିଏଟର କାର୍ଯ୍ୟ ଧୀରେ ଧୀରେ ବନ୍ଦ କରିଦେଇଥିଲେ ।

୧୯୫୧ ମସିହାରେ ସେ ତାଙ୍କ ପୁତ୍ରଙ୍କ ସହ "ଆୱାରା’' ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହାପରେ ସେ ଲଗାତାର ଭାବରେ ଫିଲ୍ମରେ ସକ୍ରିୟ ରହିଥିଲେ । ତେବେ ୧୯୬୦ ମସିହାରେ ପରଦାକୁ ଆସିଥିବା ଲୋକପ୍ରିୟ ଫିଲ୍ମ "ମୁଗଲ୍‌-ଏ-ଆଜମ୍‌’’ ରେ ସେ ସମ୍ରାଟ୍ ଆକବରଙ୍କ ଚରିତ୍ର ନିଭାଇଥିଲେ । ଜଣେ ଶକ୍ତ ତଥା କଠୋର ପିତାର ଅଭିନୟ କରି ସେ ବେଶ୍ ଚର୍ଚ୍ଚାରେ ରହିଥିଲେ । ଏହାପରେ ସେ ୧୯୭୧ ମସିହାରେ ତାଙ୍କ ପୁତ୍ର ଓ ନାତିଙ୍କ ସହ ଏକ ଫିଲ୍ମ କରିଥିଲେ । ଫିଲ୍ମ "କଲ୍ ଆଜ୍ ଔର କଲ୍‌’’ ରେ ପୁତ୍ର ରାଜ୍ କପୁର୍ ଓ ନାତି ରଣଧୀର କପୁର୍‌ଙ୍କ ସହ ନଜର ଆସିଥିଲେ । ସେ କେବଳ ହିନ୍ଦୀ ସିନେମା ନୁହେଁ ପଞ୍ଜାବୀ ଓ କନ୍ନଡ଼ ସିନେମାରେ ମଧ୍ୟ ନିଜର ସ୍ୱାକ୍ଷର ଛାଡ଼ିଯାଇଛନ୍ତି ।

ଭାରତୀୟ ସିନେ ଜଗତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୧୯୭୨ ମସିହାରେ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ "ଦାଦା ସାହେବ ଫାଲ୍‌କେ" (ମରଣୋତ୍ତର) ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଭାରତୀୟ ସିନେମା ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ୧୯୬୯ ମସିହାରେ ପ୍ରଦ୍ମଭୂଷଣ ପାଇଥିଲେ । ଏତଦ୍‌ବ୍ୟତୀତ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍‌, ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ ପୃଥ୍ୱୀରାଜ କପୁର୍ । ହିନ୍ଦୀ ସିନେମା ଜଗତରେ ପୃଥ୍ୱୀରାଜ କପୁର୍ ଚିରଦିନ ପାଇଁ ଏକ ଅମ୍ଳାନ ସ୍ୱାକ୍ଷର ହୋଇ ରହିବେ ନିଶ୍ଚୟ ।