ସମ୍ପାଦିତ ଚିତ୍ର: ୱିକି କମନ୍ସ

ଗୋଟାଏ ଜିଦ ତମର
କବିତାଟେ ଲେଖ, କବିତାଟେ ଲେଖ
ହଉନି, କୋଉଠୁ ଲେଖିବି
କେତେ ଆଉ କହିବି
ଶୁଣିଛ,
କୋଉ ଜଣେ ହିରୋ କହିଥିଲେ
"କବିତା ନଳର ପାଣି ନୁହେଁ ଯେ
ଖୋଲିଦେଲେ ବାହାରିଯିବ"
ତମେ କୋଉ କଥା ଶୁଣ ଯେ ?

ଆରେ ବାବୁ !
କବିତା ଲେଖିବାକୁ
ଦୁଃଖ ଦରକାର ହୁଏ ,
ଗଙ୍ଗାରେ ଶବ ଭାସିବା ପରି
ମୋର କୋଉ ଦୁଃଖ ଭାସିଯାଉଛି
ଯେ ମୁଁ ଲେଖି ପକେଇବି ?

ଶଃ ଏ ମିଡିଆ ବାଲା ବି
ଶହେ ଶହେ ମିଛ ବାଣ୍ଟୁଛନ୍ତି ହେ
କୋଉଠି ଶୁଣିଛ ଶବ ଭାସେ ?
ମୁଁ ତ କାନ ଉଠିଲା ଦିନୁ ଶୁଣିନି !

ହେଇ ସେଦିନ ତ
ଆମ ଗାଁର ଦେବୁ ବୁଡିକି ମଲା
ପାଣିରେ ବୁଡିକି ମଲା, ବୁଝିଲ
ୟାଙ୍କର କୁଆଡେ ଭାସିଲା !

ହଉ ମାନିଲି ଭାସିଲା
କଣ ଟା ଭାସିଗଲା ସେଠୁ ?
ବନ୍ୟା ହେଲେ ଯେ
କେତେ ଗାଈ ଗୋରୁ ଭାସନ୍ତି,
ନିରୀହ ଜୀବ, ଗୋମାତା ପୁଣି
ଦି, ଚାରି ଟା ଲୋକ ଭାସିଲେ
କ'ଣ ଟା ହେଇଗଲା ଆଉ ?
ବେକାର ରେ ଯାହା ଗୋଡ଼ କଚାଡି ହଉଛ ।

ହେଇ, ଜାଣିଛ
ସିଏ କାନ୍ଦିଲେ ବା !
କିଏ ବୋଲି ପଚାରୁଛ
ଲାଜ ଲାଗୁନି ତମକୁ
ବିଚରା ଚୋର ଜଗି ଜଗି ହାଲିଆ
କଳା, ଧଳା ସବୁ ସମ୍ପତ୍ତି ଠୁଳ କଲେ
ଖାଇଲେନି, କି କାହାକୁ ଦେଲେନି
ସେଇ ମ, ଘର ଢ଼ିଙ୍କି କାନ୍ଦିଲେ !

ଆହେ, ମୋ ମନ୍ଦ ବିଧାତା
ଏଇ ଦିନ ଦେଖେଇଲୁ
ହାଏ ଏ ଆଖି
ସେଇ ଲୁହ ଦେଖିବାର ଥିଲା
ଧିକ ମୋ ଜୀବନ
ଏ ରାଷ୍ଟ୍ରଦୁଃଖ ଦେଖିଲା !

ରୁହ ! ଏବେ ଲେଖିବି କବିତା ।