କିଛି ହାତ କେବଳ ମୁହଁଟେ, ଯେଉଁ ମୁହଁରେ ନାକ, କାନ, ପାଟି, ଓଠ, ଜିଭ, ଦାନ୍ତ କିଛି ନାହିଁ...

ସେ ସବୁ ହାତ ମାନଙ୍କ ଦିଗ ମୋ ଆଡେ କୋଉ ହାତରେ ଆଖିଟେ ଅଛି ତ
କାହାର ଅଛି ଗୋଟେ ଜିଭ
କାହାର କାନ ଅଛି ତ କେଉଁ ହାତର ଦାନ୍ତ !

କାହା ହାତର ହାତ ଅଛି କାହା ହାତ ପାଦ କାହା ହାତର ଓଠ ଅଛି ତ କାହା ହାତର ଆଖି ।

କିଛି ହାତ କେବଳ ମୁହଁଟେ ଯେଉଁ ମୁହଁରେ ନାକ, କାନ, ପାଟି ଓଠ, ଜିଭ, ଦାନ୍ତ କିଛି ନାହିଁ ।
ସେଇଟା କେବଳ ଗୋଟେ ମୁହଁ !

ଆଉ କିଛି ହାତ କେବଳ ବଢିଛନ୍ତି କାରଣ ଅନ୍ୟ କିଛି ହାତ ଲମ୍ବି ରହିଛନ୍ତି ।

କିଛି ହାତ ଯେଉଁମାନେ ହାତ ରୂପି କାନ
ସେମାନେ କାନେଇଛନ୍ତି ହାତ ରୂପି ପାଟିକୁ

କିଛି ହାତ ରୂପି ଜିଭ ମାନେ ହାତ ପରି ଦାନ୍ତ ମାନଙ୍କ ତଳେ ଛପି ବସିଛନ୍ତି
ସୁବିଧାରେ ଖୋଲିଯିବେ ଖର ଖର ହେଇ ।

କିଛି ହାତ ପରି ହାତ ଜଗି ରହିଛନ୍ତି ଗୋଟେ ଦୁର୍ବଳ ମୁହୂର୍ତ୍ତ ଅପେକ୍ଷାରେ ।

ପାଦ ରୂପି ହାତ ମାନେ ତ ଅଥୟ ହେଲେଣି ସୁଯୋଗ ମିଳୁ ମିଳୁ ଦଳି ଦେଲେ ଗଲା ଆଉ ଆଖିପରି ହାତ ମାନେ କ୍ୟାମେରା ପାଲଟି ଗଲେଣି ପ୍ରତିଟି ଭଙ୍ଗୁର ସମୟକୁ କଏଦ କରୁଛନ୍ତି ରେଟିନାର ଫ୍ଲାସ୍ ରେ ।

ଫଟୋ ମାନେ ଘୂରି ବୁଲୁଛନ୍ତି ଏ ଆଖିରୁ ସେ ହାତ ସେ ହାତରୁ ଏ ଆଖିକୁ ।

ଖୁବ ଗୁଡାଏ ହାତ ଲମ୍ବି ରହିଛନ୍ତି କେବଳ ମୋ ଆଡକୁ ସେ ହାତମାନେ ଜାଣନ୍ତିନି ମୁଁ ଅସ୍ପୃଶ୍ୟା ନାରୀଟେ

ଯେ

ସେ ସବୁ ହାତକୁ ପଛକରି , ବେପରୱା ବସିଛି ନିଜ ସହ ନିରୋଳାରେ ମୋ ପ୍ରେମିକର ଅଦୃଶ୍ୟ ହାତଟେ ଧରି ।