ମୁଁ  ନଈକୁ ଉତୁରି ପଶେ 

ଧୀବର ଜାଲରେ ପଡିଥିବା 

ମାଛର ଶୋଷ ଧରି ! 


ମୋ ଉର୍ଦ୍ଧ୍ଵାଙ୍ଗରେ ଜଡେଇ 

ଯାଇଥିବା ଶାଢୀଟି ମୋ ଲଜ୍ଜାକୁ 

ଧରି ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଥାଏ 

ଆଉ ମୁଁ ପାଣିକୁ ସଅଁପି ଦେଇଥାଏ ଦେହ, 

ଚଳନ୍ତା ପାଣି ଧୋଇନିଏ 

ମୋର ଦେହର ବାକିଥିବା ହଳଦୀ 

ହଳଦୀ ସହ ମିଶି ଧୋଇ ହୋଇଯାଏ କିଛି ମଳି । 


ଚଳନ୍ତା ପାଣି ବାରମ୍ବାର ମୋ ମୁଣ୍ଡ ଉପରକୁ 

ଉଠି ଯିବାର ଚେଷ୍ଟାରେ 

ଛୁଇଁ ଦେଇଥାଏ ଗାଲ ଆଉ ଓଠ 

ନାକରେ ପାଣି ପଶି ମୁଁ ଏଣେ ଆକ୍ତାମାକ୍ତା । 


ମୁଁ ଖୁବ ରଗଡୁ ଥାଏ ପାଣିକୁ ମୋ ଦେହରେ 

ପାଣି, ପାଣି ପରି ପି' ଯାଉଥାଏ ମୋତେ 

ଆଉ ମୁଁ ଚଳ ଚଳ କରି ପାଣି ରେ କୁଳୁକୁଞ୍ଚା କରେ 

ତା' ପରେ ଦୁଇ ଭାଗ କରେ ପାଣିକୁ । 


ଆଞ୍ଜୁଳାରେ ପାଣି ଟେକି ଦିଏ 

ସୂର୍ଯ୍ୟନାରାୟଣଙ୍କୁ, 

ଓଦାଲୁଗା ଚିପୁଡୁ ଚିପୁଡୁ 

ନିଜର ସ୍ବାଦ ଛାଡି ଆସେ ପାଣିରେ ।  


ହେଲେ ମୋ ପାଦ ତ୍ଵଚାର ସୁଆଦ 

କେବଳ ଜାଣେ ସେ ତୁଠ ପଥର 

ଯାହା ଉପରେ ମୁଁ ନିତି ପାଦ ଘଷି ଚିକ୍କଣ କରେ ! 


ଏବେ ବୁଝିଲେ,

ପାଣିର ବି ଶୋଷ ଥାଏ ଆଜ୍ଞା 

ଆଉ ତା ଶୋଷ କେବେ ବି ସରେ ନାହିଁ  !