କବି: ନିଖିଳେଶ ମିଶ୍ର
ପ୍ରକାଶକ: ବ୍ଲାକ୍ ଇଗଲ୍ ବୁକ୍ସ୍
ମୂଲ୍ୟ: ୧୫୦
ପୃଷ୍ଠା: ୧୦୩

ବର୍ତ୍ତମାନ ସମୟର ଅନେକ ଯୁବକବିଙ୍କର କବିତା ଆପଣମାନେ ପଢ଼ିଥିବେ, ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କୁ ଛୁଇଁଥିବା ବେଳେ କିଛି କେତେକାଂଶରେ ନିରାଶ କରିଥିବେ । ହେଲେ ନିଖିଳେଶ ମିଶ୍ରଙ୍କର ସଦ୍ୟତମ କବିତା ପୁସ୍ତକ "କବିଟିଏ ମରିଗଲା ପରେ" ଆପଣଙ୍କୁ ନିରାଶ କରିବନି ବୋଲି କହିହେବ । କାରଣ ଏହି ବହିରେ ଥିବା କବିତା ସବୁ ନିଖିଳେଶଙ୍କର ନୁହଁ, ଏହା ଚଳନ୍ତି ସମୟର । ବେସ୍ ସରଳ ଏବଂ ସାବଲୀଳ ଭାବରେ କଲମର ହାତ ଧରି ସମୟ ଲେଖିଛି ତା କଥା । ସମୟ ଉଠେଇଛି ସ୍ୱର ସମୟକୁ ଭୁଲ୍ କରି ଇତିହାସ ରଚୁଥିବା ସରକାର ବିରୁଦ୍ଧରେ, ସାଥି ହୋଇ ସମୟକୁ ନଷ୍ଟ/ଦୁଷ୍ଟ କରିବା କହି ହଷ୍ଟେଲରେ ରହିଯାଇଥିବା ପ୍ରେମିକା ବିଷୟରେ, ଠିକଣା ସମୟରେ ଠିକଣା ଭୁଲି ବାଟବଣା ହେଇଯାଇଥିବା ନିଦ ବିଷୟରେ, ପଦକୁ ପଦ ଯୋଡ଼ି କବିତା ହେଉ ନଥିବା ଶବ୍ଦ ବିଷୟରେ, ମାନବିକତା ଭୁଲି ଜାତି ଧର୍ମ ନାଁରେ ମଣିଷକୁ ଭାଗଭାଗ କରୁଥିବା ମଣିଷ ବିଷୟରେ । ସମୟ ତାର ପୂର୍ବ ପୁରୁଷକୁ ଲଣ୍ଠନ ଧରି ଚିହ୍ନେଇଛି ବର୍ତ୍ତମାନର ଦୂନିଆ, ଶିଖେଇଛି କେମିତି ଝିଅଟିଏ ପାଇଁ ମୂହୂର୍ତ୍ତ ପାଲଟି ଯିବାକୁ ନିଅଣ୍ଟ ପଡ଼େ ଜୀବନ । ସେଇ ସମୟ ହିଁ କହିଛି କବିଟିଏ ମରିଗଲା ପରେ କିଛି ହୁଏ ନାହିଁ ।

ମୋଟାମୋଟି ଭାବରେ କହିବାକୁ ଗଲେ ଏହି ବହିରେ ଥିବା ୩୫ଟି ଯାକ କବିତା ନିଜ ନିଜର ବିଷୟବସ୍ତୁ ଏବଂ ପରିପାଟୀରେ ବେଶ୍ ବଳିଷ୍ଠ, ସମସ୍ତ କବିତା ସୁଖପାଠ୍ୟ ବୋଲି ମନେହୁଏ । ନିଖିଳେଶଙ୍କର ପ୍ରାୟ କବିତାରେ ଚିତ୍ରନାଟ୍ୟ ଏତେ ପ୍ରଭାବଶାଳୀ ଯେ ଚରିତ୍ର ଏବଂ ଘଟଣାବଳୀ ସହ ଆପଣ ପରିଚିତ ନଥିଲେ ମଧ୍ୟ ଆପଣଙ୍କ ଆଖି ଆଗରେ ଭାସି ଉଠିବ ଏକ ସମୟ ଖଣ୍ତ ।