ଫଟୋ: ଜୟନ୍ତ ମହାପାତ୍ର ଆର୍କାଇଭ୍ସ

ଆଜି ମୁଁ ଝର୍କା ଦେଇ ଦେଖେ
ମୋ ମା’ର ସମାଧି
ସାମ୍ନାକରେ ଅତୀତର ଲାଲ୍ ଓ ହଳଦିଆ ଆବେଗ
ଶୈଶବର ଧଳାଛାତରେ ଖଡିଲେଖା
ଦୂର ଗୁଞ୍ଜନରତ ବେଳାଭୂମିରେ
କେଉଁ ଯାଦୁକରର ଦର୍ଶକ ଭିତରୁ କେହି
ଯେତେବେଳେ ଦେଖେ ଗୋଟେ ଧଳା ଠେକୁଆ
ଝଲସିଉଠେ ଉଚ୍ଚ ପ୍ରଶଂସା ଭିତରେ
ଆଉ ହୋଇଯାଏ ଅଦୃଶ୍ୟ
ଅଥବା ମିଛ ପ୍ରତିଫଳନ ହେଇ ହଟିଆସେ ଗ୍ରୀଷ୍ମର ଖରାବେଳୁ,
ଯେମିତି ମୋ ମାଂସପେଶୀର ଖୋଲା ଦ୍ଵାର ଦେଇ
ଆଲୁଅର ପତଳା ଆବରଣ ଛାଡିଆସେ
ଦୂର ପର୍ବତମାଳା
ଆଉ ଚିହ୍ନି ହେଉନଥିବା ମୃତ ଛାୟା
ମୋ ମୁହଁର ଚମ ଓଲାରିନିଏ
ଆଉ ଅନ୍ତିମ ସତେଜ ବସନ୍ତର ଦେହରୁ
ସ୍ମୃତି ଧରେ ଗୋଟେ ରାସ୍ତା, ଯାହା
ଆଘାତ ଓ ନିର୍ଜନତାର ଦୂରତ୍ଵରେ ଅସ୍ପଷ୍ଟ
ଆକାଶ ଆଉ ତା’ର ଅରଣ୍ୟାନିର
ଭୟାନକ ଦୃଷ୍ଟିଠୁ ଦୂରରେ
ଯେଉଁଠି ଘେରିଥିବା ନୀରବତାର ସୀମା
ନିଛ୍ରେଶ କରେ ସାରସ
ମେଘସବୁ ଚାଲିଯା’ନ୍ତି
ଆମ ବଞ୍ଚିବାର ଆହତ ଜଳାଶୟର ଅଶ୍ରୁ ନେଇ ।

ମାଙ୍କଡ଼ସା ପରି ଆକାଶରେ ଗୁରୁଣ୍ଡିବୁଲେ କାଳପୁରୁଷ
ଯେତେବେଳେ ଅଜ୍ଞାତ ରାଜାମାନଙ୍କର ତରବାରୀ
ଧୀରେ ଧୀରେ ଜଙ୍କ୍ ଲାଗେ ଆମ ଅପରାଧବୋଧର ଯାଦୁଘରେ,
ଯେତେବେଳେ ଖୋଦିତ ଶିଳା ହରାଏ ଔଜଲ୍ୟ
ଆଉ ସ୍ମୃତିଧାରୀ ଲୋକଟି ବୁଝିପାରେନା
କ’ଣ କରିବ ସ୍ମୃତିକୁ ନେଇ
ତା’ ଅନ୍ଧକାର ମଧ୍ୟ ଦେଇ ମନ୍ଥର ଗତିରେ ବହିଯାଏ ନଈ
କାରଣ ଯେଉଁସବୁ ଡଙ୍ଗା ସେ ଛାଡିଚି ପାଣିରେ
ସେଗୁଡିକ ଉବୁଟୁବୁ, ଗତିହୀନ
ଯେମିତି ଇତିହାସର ଘାସ
କେବଳ ଚିକ୍ମିକ୍ କରେ କେଇ ମୁହୁର୍ତ୍ତ ରାତିର କାକରରେ
କେବଳ ସେ’ୟା -
ଆଉ ମୋ ସ୍ମୃତିସବୁ ଅନ୍ୟ ପୃଥିବୀର ସ୍ବର
କଣ୍ଠରୁ ଛଳ
ଯେଉଁଠି ତାରାର ଦୂରବର୍ତୀ ସଙ୍ଗୀତ ଟିକ୍ ଟିକ୍ କରେ ରକ୍ତ
ଆଉ ପୃଥିବୀର ରକ୍ତ ଫେରିଆସେ
ଶୀତରେ ଫେରୁଥିବା ଆଜ୍ମା ପରି ବର୍ଷ ପରେ ବର୍ଷ ।

ଏବେ ଦ୍ରୁତ ବୁଢା ହେଉଥିବା ବାପାଙ୍କ ଭଳି
ମୋ ମନ କନାଏ ପାଉଁଶର କ୍ଷୀଣ ଦାନାରେ
ମୋର ସ୍ମୃତି ମୂଷା ପରି ଦୌଡ଼ି ପଳାଏ ଅନ୍ଧକାରରେ
କାଟିବାକୁ ରଦି କାଗଜ
ବଙ୍କା ଧାତୁଖଣ୍ଡ, ପଚରା ମାଂସ
ତା’ ଅଭିଶାପର କିଛି ଅଂଶ ନେବାର
ଯେମିତି ମୁଁ ଭୁଲିଯାଏ ସହଜରେ
ଆଉ ପୁରୁଣା ଗାଁର ଚମ, ଯାହା ଚବ୍ ଚବ୍ କରେ, ବର୍ଷାରେ
ଆଉ ମୋର ସୁଧାର ଝିଅର ନିସ୍ତର ଦେହ ଭୁଲିଯାଏ ଇଚ୍ଛା
ଯାହା ଗଡିଆସେ କୋଣାର୍କର ଖଂଡିତ ପଥର ଦେହରୁ
ବେଙ୍ଗରଡି କୋଳେଇନିଏ ଶୁଭ୍ର ସିକ୍ତ ଚନ୍ଦ୍ରାଲୋକକୁ
ଅଦ୍ଧୁତ ଗୋଟେ ନିଆଁ ହେଇ
ଯାହା ଖସେଇ ଆଣେ ବର୍ଷାରେ,
ଶାନ୍ତ ପାହାଡ ଶିଖରୁ ।