ଫଟୋ- ତାରୁଣ୍ୟର ତୀରେ, ଜୟନ୍ତ ଓ ରୁନୁ ମହାପାତ୍ର, ଜୟନ୍ତ ମହାପାତ୍ର ଆର୍କାଇଭ୍ସ

ତେଣୁ ମୁଁ ଖୋଜିବି ନିଦ୍ରାଭ୍ୟାସ
ସ୍ୱର୍ଣ୍ଣମୃଗର, ସଇତାନ ସ୍ୱାଦର
ଯାହାଦ୍ୱାରା ମୁଁ ଦେଖିପାରିବି
ହୃଦୟର ବିଶାଳ ଜଙ୍ଗଲରେ ଅଙ୍କିତ ବଞ୍ଚିବାର କିମିଆଁ,
ଯାହା ଲାଗି ଅନ୍ୟମାନେ ଦେଖାନ୍ତି ସହାନୁଭୂତି ମତେ
ଯାହା ଲାଗି ସରେନା ସ୍ୱପ୍ନ ମୋର
ଶିବ ଭଳି ପୁରାଣ ପ୍ରସିଦ୍ଧ ବରଯାତ୍ରୀ
ଆଉ ବଞ୍ଚିବା ଲାଗି
ମିଥ୍ୟା ଓ ବିଶ୍ୱାସଘାତକତାର ବିବିଧ ପରିମାପ
ସେ ଅଚିହ୍ନା ଦେଶ, ଯେଉଁଠି ତମେ ବୁଣିଚାଲ
ତମର ଜଳନ୍ତା ଖେଳ ।

ଦରକାର ଥିଲା ଏ ନିଦ
ଛଳନା କରି ଚାଲିବା ଲାଗି ଗଭୀର ସ୍ପନ୍ଦନ
ଧୂସର ସ୍ୱପ୍ନରେ, ଖୋଜିପାଇବାକୁ
ପିଲାଦିନର ମୁଗ୍ଧ ଅଞ୍ଚଳ ଆଉ ମର୍ଯ୍ୟାଦା
ଯେଉଁଠି ଭୂପତିତ କୋଣାର୍କର ପୋଡା ଗ୍ରାନାଇଟ୍
ବାନ୍ଧିରଖେ ସୂର୍ଯ୍ୟକୁ ଆକାଂକ୍ଷାର ତାଳରେ,
ଆଉ କୋମଳ ପ୍ରତିମୂର୍ତି ସବୁ ବଢେଇ ଦିଅନ୍ତି
ସେମାନଙ୍କ ବାକ୍ୟହୀନ ପ୍ରତିଧ୍ୱନି ପଥରରେ, ଭିନ୍ନ ନିଆଁର ।

କେଉଁ ଶରତ ରାତିର ଶେଷ ପହରେ
ଆଉ କେଉଁ ଉତ୍ତର ବା ଚିନ୍ତାକରେ କିଏ
ଯେତେବେଳେ ଶତ ବର୍ଷ ରାଶିକୃତ ବାୟୁମଣ୍ଡଳରେ
ଠିକ୍ ଶିଶିର ଭଳି ଉଠି ଆସେ ବାଷ୍ପ ଉତ୍ସ ନଈରୁ
କାହାର ଏ କାଳ୍ପନିକ ଅଂଶର ।

ଏଭଳି ନଗ୍ନ ପ୍ରାଚୀର ଧନ୍ଦି ହୁଏ ବତାସ ଓ ବୃଷ୍ଟିରେ
ଯାହା କହିଯାଏ ବିନା ଶବ୍ଦ ଓ ସ୍ୱରରେ
ତଥାପି ଆମ ଆଖିରେ ଲେପିଦିଏ ରକ୍ତ
ନଷ୍ଟ କରିଦେବାକୁ ଉନ୍ମତ୍ତ ପ୍ରତିଶୋଧ
ତା’ର ଅମ୍ଳ ମାଟିରେ;
ଗୋଟେ ନିଦ, ଯାହା ସନ୍ତସନ୍ତିଆ ଘାସ ଓ ହେନ୍ତାଳ ବଣର
ଗୋଟେ ଆର୍ଦ୍ର ଜ୍ୱର ଭଳି
ଯାହା ରକ୍ଷାକରେ ଜୀବନର ଉପକୂଳକୁ
ଭୟାନକ ଝଡରୁ ।

କେଉଁ ସମୁଦ୍ର ବାଟ ଦେଖାଏ ତମ ଚିହ୍ନିତ ନଦୀଙ୍କୁ
ଆଗେଇ ଆସିବାକୁ ନିଜ ଆଡେ ?
ତମେ କ’ଣ ଭୟାର୍ତ, ସେଇ ଅସ୍ପଷ୍ଟ ସ୍ଥାନର
ସେସବୁ ସ୍ୱର୍ଣ୍ଣ ପଥର ଖାଦାନଗୁଡାକୁ ନେଇ
ଯେଉଁଠି ପ୍ରେତ ଭଳି ଅନ୍ଧକାର ଜଳି ରହିଲା
ଲାଲ୍ ରକ୍ତ ପରି ? ତମେ କ’ଣ ନିୟନ୍ତ୍ରିତ ଥିଲ
ସେସବୁ ଭୟାର୍ତ କୁମାରୀଙ୍କ ଅକାଳ ମୃତ୍ୟୁରେ ?
ଯେଉଁମାନେ ଲଢିଥିଲେ ତାରାଙ୍କ ଆଲୁଅ ସାଥୀରେ
ଗୋପନରେ ଗୁମ୍ଫାରେ କେବଳ ପଡିବାକୁ
କ୍ଷୟିଷ୍ଣୁ ଶକ୍ତିର ତତ୍କାଳ ବଦଳରେ ?

ଏଇ ନିଦ ଗୋଟେ ସଙ୍ଗୀତ
ଯାହା ଦଶଦିଶରୁ ଶୁଭେ ସବୁବେଳେ
ଗୋଟେ ଦଂଥଡା ପିଞ୍ଜରା, ଯାହା ଧରି ରଖିପାରେ ଗୋଟେ ଜୀବନ
ଗୋଟେ ସମୟ, ଯାହା ମନର ଉଜ୍ଜ୍ୱଳ ଲାଲିମାକୁ
ଆହୁରି ପ୍ରସାରିଦିଏ
ଆମ ହୃଦୟର ଆକାଶକୁ ଶୋଭିତ କରେ ଶାନ୍ତ ବତାସରେ,
ଲୁପ୍ତ ସ୍ଥାନ ଆଦି କିମ୍ବା ଅନ୍ତ ଛଡା
ଆଉ ସବୁଠୁ ବଡ ବୃତ୍ତ, ଯାହା ଅତିକ୍ରମ କରେ
ମଣିଷ-ଚେତନାର ସମସ୍ତ କୋଣ
ଗୋଟେ ଅନ୍ଧ ଆଖି, ଯା’ ସୃଷ୍ଟି କରେ ବିଶେଷ ଦୃଷ୍ଟି
ଆମ ମର୍ମଭେଦୀ ତାତ୍ପର୍ଯ୍ୟର ।