ଫଟୋ: ଜୟନ୍ତ ମହାପାତ୍ର ଆର୍କାଇଭ୍ସ

ଯେଉଁ ନିଦ ତମେ ପିନ୍ଧେଇଛ ନିଜକୁ
ଜ୍ୱଳମାନ ମଶାଣି ଘାଟ ଦେଇ
ତମ ମୁଗୁନି ଆଖିରେ
ଅବା ଗ୍ରୀଷ୍ମ ମଣ୍ଡଳର ଘନନୀଳ ଜଳରାଶି ଉପରେ
ପକ୍ଷୀଙ୍କ ନିସ୍ତେଜ ଉଡାଣ ଦେଇ
ବର୍ଣହୀନ, ସ୍ୱପ୍ନହୀନ, ପତ୍ରହୀନ ଆଲୁଅ, ଅନ୍ଧକାରର
ସେଇ ଗୁପ୍ତ ରହସ୍ୟର ସତ୍ୟକୁ କାଢିପାରିବନି
ଯହା ଝୁଙ୍କିପଡେ ହେଟାବାଘର ଚିତ୍କାରରେ
ଅଥବା ଭାଲୁର କୃଦ୍ଧ ଗର୍ଜନରେ
ଯେତେବେଳେ ନୀରବତାର ଭୟ ଛପିଥାଏ
ତମ ଚିକମିକ୍ ହସର ଭୋରରେ
ମୋ ଦୁଃଖଭରା ହୃଦୟର ହଜାର ଝର୍କା
ତମ ଜୀବନର ଅନିୟନ୍ତ୍ରିତ ଘଟଣା ଦେଖେ
ଯା’ ବୁଲି ବାହାରେ ବର୍ଷାର ଅମର ଅର୍ଧ ଆଲୁଅ ପାଇଁ ।

ଏହା କ’ଣ କେବଳ ମତେ ଯିବାକୁ ଦେବାର କାମନା
ଆଜିର ତିକ୍ତତାର ଠୋପେ ଓଷଦ
ମୋ ହୃଦୟ ଖାତରେ ପୋତି ଦେବା ପାଇଁ ?
କାହାପ୍ରତି ଡର ଆସେନା ମତେ
ଗୋଟେ ଦୀପଶିଖା ଭଳି, ଯାହା
ମୃତକଙ୍କ ବେଦୀ ଉପରେ ଶୋକଗୀତି ଗାଏ
ଶିରାଠୁଁ ରକ୍ତ କାଢିବା
କ’ଣ କଠିଣ ନୁହଁ ?

ବାପା, ତମ ଶାନ୍ତିର ବୋଝ
ଜୀବନର ସାର ସଂଗୀତ, ଯାହା ମୋ ଜିଭକୁ ପୋଡାଏ
ଶିଶୁଙ୍କ ସ୍ୱର, ଯାହାର ଭୁଲ୍ ଅର୍ଥ କରାଯାଏ
ଆଉ ଏବେ, ତମେ, ମୋର ଶତ ନାଁର ପୁରାତନ ପ୍ରେମ
ବର୍ଷାର ଆଉ ସୀମାହୀନ ଆକାଶର, ଆଉ
ଚିନ୍ତାର ଓ ସକାଳର କାକର
ପେଚା ଡାକର ପବନ-ତାଡିତ୍ ସଂଧ୍ୟାର
ଏବଂ ପୌଷ ଅମଳ ବେଳର
ସୁନାର ଗୁଣା ଓ ହସକୁରି ଦୁଲ୍‌-ର, ମୋ ପ୍ରେମ
ଅନ୍ଧକାରର ବିଶାଳ ଶିଳାର ଧ୍ୱଂସାବଶେଷ
ଅନୁଗତ ସିଂହର, ଯା’ ମନ୍ଦିର ହୀରାର ପ୍ରହରୀ
ସୁବର୍ଣ ଦ୍ରବଣ-ସ୍ତନ ଓ ଗୋପନ ବାହୁମୂଳର
କାନ୍ଦଣାର ଓ ଜଂଘର କୋମଳ ଇସ୍ପାତର
ଆଉ ମୋ ନିୟତିର ପୁରୁଣା ଅସାରତାର;

ମୁଁ ଜାଣେ, ମୁଁ କେବେ ଜିଇଁ ଆସିପାରିବିନି
ଯଦି ମୁଁ ମୋ ସୃଷ୍ଟିର ବେଦୀରେ
ଉତ୍ସର୍ଗକୁ ପ୍ରତ୍ୟାଖ୍ୟାନ କରେ
ଯେଉଁଠି ପୋଲା ଶିଂଗା ବାଜେ ପ୍ରତି ସକାଳେ
ଆଉ ସହର ତଳିର ଶବ୍ଦ ସଟଳ ହୁଏ
ସତର୍କରେ
ତମ ଜ୍ୟୋତ୍ସ୍ନା ବିଜଡିତ ଅଳସ ନିଦରେ ।

ଏବେ ଏ’ଠି ଏଇ ବୟୋବୃଦ୍ଧି, ମୋ ସୁଯୋଗ ଓ ଦଣ୍ଡ
ଚକ୍ରିମାରେ, ଶାନ୍ତ ଭାବେ ଛଞ୍ଚାଣ ଭଳି
ମୁଣ୍ଡ ଉପରେ, ଶିକାର ସନ୍ଧାନରେ
ଯେମିତି ପ୍ରାଚୀନ ପାହାଡକୁ ନେଇ ଚିକମିକ୍ ଏଇ ପୃଥିବୀ
ଆଉ କାନ୍ଦଣାରତ ନଈ ଦିଏ ତୃପ୍ତି ନିର୍ଜନତାକୁ
ଯାହା ଦୀର୍ଘସ୍ଥାୟୀ ହୁଏ ମଣିଷର ଖୋଲାମେଲା
କଥାବାର୍ତାରେ ।

ହେଲେ ମୋ ନିର୍ଜନତା ଉପରେ ଶୋଇ ରହି
ଏଇ ପିତ୍ତଳ ଶାରଦୀୟ ଅପରାହ୍ନ,
ନଗ୍ନ ବେଳାଭୂମିରେ ନିଶ୍ଚୁପ୍ ଗଂବୁଜ
ପୁରୁଣା ନିଆଁରେ ପୋଡି କଳା ହୁଏ
ଓ ବିଚ୍ଛୁରିଯାଏ ବିକ୍ଷିପ୍ତ
ପିକନିକ୍ କାଗଜ ଓ ଖାଲି ବୋତଲ୍‌,
ମୁଁ ମୋର ପ୍ରାର୍ଥନା ସାରିବାକୁ ଚାହେଁ
ଯାହା ଆରମ୍ଭ ହୋଇଥିଲା
ଆମ୍ବଗଛର ଅସାର ମର୍ମର ଭଳି
ଯେଉଁ ପ୍ରାର୍ଥନା ମୋ’ ଦେହକୁ
ହଜାର ବର୍ଷ ଭିତରୁ ଟାଣିଆଣେ
ଆଉ ପ୍ରତିଫଳିତ କରେ ପୃଥିବୀର ହଜାଇଥିବା ବିସ୍ତାର
ବର୍ଷାରେ ନୃତ୍ୟରତ ମୟୂରଙ୍କ ବିବାହର ପଦଚିହ୍ନ ସବୁ
ଆଉ ଆସନ୍ନ ଗୋଧୂଳିର ଗରମ ପାପୁଲି
ଯେଉଁ ଅଜ୍ଞାତ ସୂର୍ଯ୍ୟାଲୋକରେ
ନିବିଡ ଭାବେ ଭାସେ ଗାଡ ଲାଲ୍ ହୃଦୟରେଖା
କୋମଳ, ବିକ୍ଷିପ୍ତ ମେଘ ଯେମିତି ସ୍ଥାନ ଛାଡେ
ଉପର ଆକାଶେ,
ଆଉ ମୋର ବିଷଣ୍ଣ ହୃଦୟ ବାଟ ଭାଙ୍ଗେ ତମ ଅଶ୍ରୁତ ବିଳାପର ଗୋଟେ ପରରେ
ଗୋଟେ ପ୍ରତିଧ୍ୱନିରେ କ୍ଳାନ୍ତ ତମ ବିଦାୟ ସମ୍ଭାଷଣର ସ୍ୱାଦହୀନ ପାଉଁଶରେ ।