ପିତା ଓ ପୁତ୍ର; ଜୟନ୍ତ ମହାପାତ୍ରଙ୍କ କାବ୍ୟିକ ସମ୍ପର୍କ: ଜୟନ୍ତ ମହାପାତ୍ର ଆର୍କାଇଭ୍ସ

ଏଇଠାରେ, ଏ ବର୍ଷର ପ୍ରଥମ ବର୍ଷାର ଝୋଟି
ଗୋଟେ ସେନା ବାହିନୀ ଭଳି, ଖାକି ପୋଷାକରେ
ହେଲ ଅନୁତପ୍ତ, ଆଣ୍ଠେଇ !

କ’ଣ କିଛି ଧୋଇଦେଇପାରେ
ତା’ କଣ୍ଠସ୍ୱରର ଗଭୀର ସୁଦୀର୍ଘ କ୍ଷତ ?

ଏହା ଏବେ କହିବା କଠିନ
କିଏ ଖୋଲିଦେଇଥିଲା ଉତ୍କଣ୍ଠିତ ଆକାଶ,
କେମିତି ପ୍ରାଚୀନ ଗର୍ବିତ ଶିଳାରାଶି
ହରାଇଲେ ସେମାନଙ୍କ ଶକ୍ତି ଓ ପଡିରହିଲେ
ଆଉ କେମିତି ଦୟାନଦୀର ପାଣି
ଗନ୍ଧାଏ ମୋ ପୂର୍ବପୁରୁଷଙ୍କ ଦେହରୁ
ଏବେ ମୋର ଦୁଇ ଆଖି ବନ୍ଦ
କାରଣ ଗୋଟେ ଭୟ ମୋ ଦେହକୁ ଥରେଇଦେଇଚି,
ଆକ୍ରମଣକାରୀମାନେ ଚାଲିଯା’ନ୍ତି ସେମାନଙ୍କର
ଏକମାତ୍ର ଚିହ୍ନାବାଟରେ
ଯାହା ନେଇଆସେ ସେମାନଙ୍କ ରକ୍ତାକ୍ତ ବିଜୟ ।

ଓଃ, ବାପା!
ଆସିବା ଆଗରୁ ତମେ ଚିହ୍ନିପାର
ତମ ପିଲାଙ୍କ ହସ,
ତମ ପିଲାଙ୍କ ପାଦତଳେ ଚକଟିହେବା ପୂର୍ବରୁ
ତମେ ଶୁଣିପାର ଦେବତାଙ୍କ ଫିସଫିସ୍
ଏସବୁ ରାତି କ୍ରମବର୍ଦ୍ଧିଷ୍ଣୁ ଜହ୍ନର
ଆମକୁ ତୃପ୍ତ କରେ ମଧୁର ଅନୁଭୂତିରେ
ତାହା ଇ ତମେ ଚାହିଁଥିଲ ଆମ ପାଇଁ,
ନୁହଁ ବାପା ?

ନିଦାଘ ଧୂଳିର ବାୟୁ ପ୍ରବାହରେ କ’ଣ
ଭାସିଯିବ ଆମର ସମସ୍ତ ସାହସ ?
ଚାହିଁଥିଲ, ଆମେ ପଢିଚାଲିବୁ ମହାକାବ୍ୟ
ଆମ ମା’ର ଶୁଖିଲା ଲୋଚା ସ୍ତନ ଶୋଷି
ଦେଖିବୁ, ଯେଉଁ ଅନ୍ଧକାରରେ ମିଶିଯାଏ ହାଲୁକା ଜହ୍ନ
ଯେଉଁଠି ପୁରୁଷ ବେଶ୍ୟା, ଭାଡୁଆ ଓ ଚରିତ୍ରହୀନ
ହାଉଯାଉ ହୁଅନ୍ତି ଉତ୍ତେଜନାରେ ଅଦ୍ଭୁତ ଫୁଲଙ୍କ ଭାଷାରେ ।

ମନେପଡେ, ଗତ ସପ୍ତାହରେ ମୁଁ ଗଣିବସିଲି
ମୋ ସାଙ୍ଗକୁ ଆଉ ଲାଗିଲା
ଯେମିତି ମୁଁ ଦୁଃଖଦ ନିର୍ବାସନରେ:
ବନ୍ଧୁତ୍ୱ ଗୋଟେ ଛୋଟ ଜଳାଧାର ପରି
ଯେଉଁଠି ଛାଇ ଗତିକରେ ଆଉ ନାଚେ
ଆଉ ସନ୍ଦେହରେ ପବନ ମେଘିଲା କରି ରଖେ
କିଛି ବିଚଳିତ ମୁହଁ,
ଈର୍ଷାର ସୂର୍ଯ୍ୟ ଶୋଷିନିଏ ଅନ୍ୟମାନଙ୍କୁ ।

ଧୂଳି ଆଉ ସୂର୍ଯ୍ୟ ଛିଣ୍ଡେଇ ଖୋଲି ପକାନ୍ତି ଆମ ଭୀରୁ କଣ୍ଠସ୍ୱର ।
ଏଇଟା କ’ଣ ଶୁଣିବାକୁ ଚାହେଁ
ଯେତେବେଳେ ମୁଁ ଅନାଏ ଶିକାରୀର ଆଖି
ଯେମିତି ଲୌହ - କୁହୁଡି କାବୁ କରିନିଏ ମତେ
ଯେମିତି ମୋର ଶବ୍ଦ ସବୁ, ଯାହା ଚାହେଁ ବର୍ଷା
କିନ୍ତୁ ଧରେ କେବଳ ଏଇ ନୂଆ ସଂସ୍କୃତିର
ଦନ୍ତୁରିତ ବିଜୁଳି ଚମକ
ଆଉ ତା’ର ଐଶ୍ୱରିକ ଲାଭ ।

ଅନ୍ଧାରରୁ ଭସ୍ମ:
ମୁଁ ଛୁଇଁବିନି ତାକୁ
ମୋର ଆଙ୍ଗୁଳି ଦାନା ସବୁକୁ ଖସେଇଦିଏ
ହିଂସ୍ର ଜୀବନ ପାଇଁ ମୋର ଦୁଇ ହାତ ଦୁର୍ବଳ
ମୋ ସ୍ୱପ୍ନକୁ ସୁରକ୍ଷା ଦିଏ ଝର୍କା,
ଯା’ ଦେଇ ମୁଁ ଦେଖେ ମୋ ମା’ର ସମାଧି
ଯାହାକୁ ମୁଁ ବର୍ଷ ବର୍ଷ ଧରି କେବେ ବୁଝି ହିଁ ପାରିନି,
ସତେ ଯେମିତି ତାହା ଗୋଟେ ଆକାଶ,
ଯା’ ଭରିଯାଇଚି ଧରାଶାୟୀ ପକ୍ଷୀରେ
ଯେମିତି ତା’ର ଗଭୀରତାରୁ
ବାଦଲ ଖଣ୍ଡେ ଖରାଏ ବର୍ଷା
ଗଭୀର ନିରବତାରେ, ନିଆଁର ପଥର ଉପରେ

ଏବେ ତମେ ଏପରିକି
ମତେ କବିତା ଲେଖେଇଦେବନି
ସେସବୁ ଶବ୍ଦକୁ ନେଇ ଯା’ ବାନ୍ତି କରେ ରକ୍ତ
ଆଉ କୁହେ ବିଦ୍ୱେଷର କଥା
ହେଲେ ସେସବୁ କଥା ହିଁ
ଯାହା ବନ୍ଦକରେ ପବନର ଚଳାଚଳ
ଆଉ ପଥରର ଅନ୍ଧକାର ରନ୍ଧ୍ରେ ରନ୍ଧ୍ରେ
ଶୁଆଇଦିଏ ସେସବୁକୁ
କାରଣ ସବୁ ଜନ୍ମ ମିଶିଯାଏ
ଆଉରି ଅନ୍ଧକାରମୟ ଜନ୍ମରେ
ଯା’ ଖୋଜି ବାହାରେ ମୋ ମୃତ୍ୟୁର ବୟୋବୃଦ୍ଧ ଘାସ
ତା’ର ଧ୍ୟାନ ଓ ଝାଉଁଳିଯିବାର ବାହାରେ ।