ଫଟୋ ସୌଜନ୍ୟ: ଜୟନ୍ତ ମହାପାତ୍ର ଆର୍କାଇଭ୍ସ

ପୁଣି ଥରେ ଏକାନ୍ତରେ, ମୁହଁ ଲୁଚାଇଦେବାକୁ ପଡିବ
ନିଷିଦ୍ଧ ମିଥର ଏଇ ପୃଥିବୀ କୋଳରେ,
ବିଶାଳ ପଥରର ଲିଂଗ ପଛପଟେ,
ଯେଉଁଠି ଏକ ଅସ୍ଥିର ଶାଗୁଣାର ପ୍ରଲମ୍ବିତ ଛାଇ
ଉପତ୍ୟକାର ଶକ୍ତ ଓ ଶାନ୍ତ ଦେବଦାରୁକୁ ଆଉଁଷିଦିଏ
ଆଉ ଯେଉଁଠି ପ୍ରଜାପତିର ସମୟ
ବଣୁଆ ଭାଲୁର ହିଂସ୍ର ଶରୀରରେ ବୁଲୁଥାଏ
ଏବଂ ମହାନଦୀର ଗୋପନ ଝରର ପବିତ୍ର ପାଣି ପାଖରେ
ପଥରର ଉତ୍ତେଜିତ ମାଂସପେଶୀ ଅନୁଭବ କରେ,
ଯାହା ଭାଗ୍ୟକୁ ନିର୍ଣ୍ଣୟ କରୁଥିବା ଗୁପ୍ତ ରୀତିର ରହସ୍ୟକୁ ଛୁଏଁ
ଆଉ ପଥରର ଧୀର ଗଡାଣିଆ ସ୍ଥାନକୁ ଜଡେଇ ଧରେ
ଯାହା ଉଠିଆସେ ମୃତକଙ୍କ ରାଜ୍ୟ
ଗଡାଣିଆ ସ୍ଥାନଗୁଡିକର ଦୁଃଖିତ, ଶାନ୍ତ ମୁହଁ
ଯାହା ଆଉଁଷିଦିଏ ମନକୁ
ଶୀତୁଆ ସୂର୍ଯ୍ୟର ଉଷୁମ ଟାଣିବା ପାଇଁ
ସାଂକୁଡେଇଦିଏ ବୁଢାବୁଢୀଙ୍କୁ
ଆଉ ଯେମିତି ଗୈରିକ ଯୁବ ଧର୍ମ ପ୍ରବର୍ତ୍ତକମାନେ
ଆଗାମୀ ଦିନର ନିରବ ସାଧନାରେ ଭାରାକ୍ରାନ୍ତ ।

ସ୍ବପ୍ନର ଗୋପନ ବେଶରେ ଆମେ ଆସିଚୁ
ସ୍ଥପତି, ଆସିଚୁ ଚେତନାର ଦୂତ ହେଇ
ବାର ଶହ ଅକୁଶଳୀ ଧୁସର ଫୁଲଙ୍କ ଆବେଗରେ
ରୀତିର ବିନୀତ ଭାଇଚାରାରେ,
ପୁରୁଷ ପୁରୁଷ ବରଗଛର ବାୟବୀୟ ଚେରରେ ।

ଏତେ ଗୁରୁତ୍ଵ ଦେଇନୁ ଜୀବନକୁ
କାରଣ ଆମ ଜୀବନଟା ସ୍ବପ୍ନର ବୀଜ,
ଆମେ ଭୁଲିବାକୁ ବସିଚୁ ନିଷ୍ଠୁର ରାଜାଙ୍କ ନିର୍ଦ୍ଦୟତା
ଯେଉଁ ରାଜାମାନେ, ଶିଳା ଦେହରେ ରକ୍ତରେ
ଲେଖି ରଖିଲେ ଶାନ୍ତିର ଅନୁଶାସନ
ଭୁଲିବାକୁ ବସିଚୁ ଆମର ଚିତ୍କାର, ଆର୍ତି
ବାରୁଦ ଓ ପୋଡାମାଂସର ଗନ୍ଧ
ଭୁଲିବାକୁ ବସିଚୁ କୌଶଳ ଓ ଚାଲ୍
ଯାହା ଆମ ଆମ ଓଦା ଖପୁରିରେ
ଗଢିଲା ଅସୀମ ଦୂରତ୍ଵ ।

ସମୟ
ଆଉ ନୌକା ଆଉ ଶାନ୍ତିର ରହସ୍ୟ-ଦୀକ୍ଷିତ,
ପାଲଟଣା ଜାହାଜ, ସେଇ ସାମୁଦ୍ରିକ ପୂର୍ବଜଙ୍କର
ଯେଉଁମାନେ ଅନ୍ତର୍ଧାନ, କୌଣସି ଚିହ୍ନ ନରଖି
କୃଷ୍ଣ ଉପସାଗରରେ
ଯାହାକି ଜୀବିତ କେବଳ ଢେଉଙ୍କ ଶବ୍ଦରେ,
ଯାହାକି ବିକ୍ଷିପ୍ତ
ଚିଲିକାଠୁ ଚାନ୍ଦିପୁରର ଅନ୍ଧାରି କୂଳରେ,
ହେଲେ ସମୟର ପାଟି ନାଇଁ
ସମୁଦ୍ର କୂଳ ଝାଉଁ ଗଛଙ୍କ କଳା କୁଜ୍ଝଟିକା
ବନ୍ଦ କରିଦିଏ ଆକାଶର ଚିରନ୍ତନ ବିସ୍ତୃତି
ଲମ୍ବା ଆଉ ନିର୍ଦ୍ଦୟ,
ଜାଲ ପକେଇନିଏ ସଂଧ୍ୟାର ତାରାଙ୍କୁ ଆଉ ସେଇ ନିଃସଙ୍ଗ ପର୍ଯ୍ୟଟକଟି
ଯିଏ ବୁଝିନିଏ ମହାସାଗରରେ ଅଦ୍ଭୁତ ଓ ତିକ୍ତ
ଗଭୀରତାର ଦୀପ୍ତ ରଙ୍ଗଗୁଡିକୁ
ପଥର ଖଣ୍ଡର ଅନ୍ତସ୍ଥ ନଈ
ଯାହା ତାକୁ ଗ୍ରହଣ କରିନିଏ ସମ୍ମାନରେ
ପ୍ରବାହର ନୂଆ ଚମକରେ ।

ଏବେ ସମୟ ସୁଅରେ ଧରାପଡି
ମୁଁ ଦେଖେ, ଆକାଶର ନୀଳିମା
ଧୀରେ ଧୀରେ ବାହାରି ଆସୁଚି
ଶୁଣେ, ପୁରାତନ ଢେଉଙ୍କର ଶବ୍ଦ
ଯାହା ଭାସିଯାଏ ନିରବତାକୁ
ତଥାପି ଶିଳାରେ ନିହିତ ମୋ ସ୍ଥିତି
ବୋହିଚାଲେ ମୋର ପଦପାତକୁ
ଗୋଟେ ଦିନରୁ ଆଉ ଗୋଟେ ଦିନକୁ
ଅସୀମ ଦୂରତ୍ଵକୁ, ଗହନ ଜଙ୍ଗଲ ଆଡକୁ ।

ଯେଉଁଠି ବାଘର ଆଖିସବୁ ଜ୍ୱଳନ୍ତ ନିଆଁ
ମୃତ ଶିଶୁ ଓ ସ୍ତ୍ରୀଲୋକଙ୍କ ବସନ୍ତ ଫୋଟକା ପରି
ଆଉ ଯେଉଁଠି ଗହନ ଜଙ୍ଗଲୀ କାଠର ଅଦ୍ଭୁତ ସକାଳ
ଆଉ କିଛି ନୁହେଁ, ଧରିରଖେ କେବଳ ଜୀବନ ଧାରଣା
ଯେଭଳି ମୁଁ ଜାରିରଖେ ଯାତ୍ରା
ଥରେ ପଛକୁ, ପୁଣି ଆଗକୁ
ଜାରିରଖେ ଯାତ୍ରା, ମୁଁ ଜାଣେନା
ଶେଷରେ ପୃଥିବୀ ମତେ ଖୋଜେଇଦେଇ ପାରିବ କି ତା’ର ପାଟି
କେବଳ ପଥରଗୁଡା ମୋର ଆପଣାର ଥିଲେ
ଯେଉଁମାନେ ମାଆ, ଦେବୀ କି ଡାହାଣୀ ପରି
ଅପେକ୍ଷା କରିଥିଲେ
ଯେମିତି ମୋର ଜନ୍ମ ବଞ୍ଚିରହିଚି ତାକୁ ଖାଇ
ସତେ ଯେମିତି ତାହା ଯାଦୁକରୀ ଚିନ୍ତାର ଶୁଖିଲା ଥନ ।