ଫଟୋ: କେଦାର ମିଶ୍ର

(ବମ୍ବେ ରୁ ପ୍ରକାଶ ପାଉଥିବା ଚର୍ଚ୍ଚିତ ପତ୍ରିକା "କୁଙ୍କୁମ" ର ମାର୍ଚ୍ଚ, ୧୯୪୯ ସଂଖ୍ୟାରେ ମନୋଜ ଦାସଙ୍କ ଏ ଲେଖା ପ୍ରକାଶ ପାଇଲା ବେଳକୁ ତାଙ୍କ ବୟସ ମାତ୍ର ୧୫ ବର୍ଷ । ଜଣେ ହାଇସ୍କୁଲ ଛାତ୍ରଙ୍କ ଦ୍ଵାରା ରଚିତ ଏ ଲେଖାଟି ପରବର୍ତ୍ତୀ ଜୀବନରେ ମହାନ ଲେଖକ ମନୋଜ ଦାସଙ୍କ ସୃଜନ ପ୍ରକ୍ରିୟାର ଏକ ଦିଗବାରେଣୀ ବୋଲି ଆମେ କହିପାରିବା । ରହସ୍ୟବିଦ୍ୟା ଓ ଅଲୌକିକତା ପ୍ରତି ତାଙ୍କର ପ୍ରଗାଢ ଆକର୍ଷଣ ଏ ଲେଖାରୁ ସ୍ପଷ୍ଟ । ଉତ୍ତର ଜୀବନରେ ସେ ସମ୍ମୋହନ ଓ ବଶୀକରଣ ପ୍ରସଙ୍ଗକୁ ନେଇ "ଶେଷ ତାନ୍ତ୍ରିକର ସନ୍ଧାନରେ" ଓ "ତନ୍ଦ୍ରାଲୋକର ପ୍ରହରୀ " ଭଳି ଉପନ୍ୟାସ ଲେଖିଛନ୍ତି । "କୁଙ୍କୁମ" ର ଏହି ଲେଖାଟି ଅନେକାଂଶରେ ମନୋଜ ଦାସଙ୍କ ଲେଖକୀୟ ଜୀବନର ଏକ ନିର୍ଣ୍ଣାୟକ ବୌଦ୍ଧିକ ସୂଚକାଙ୍କ ବୋଲି ଆମେ କହିପାରିବା - ସମ୍ପାଦକ)

ବିଂଶ ଶତାବ୍ଦୀର ବୟସ ବୃଦ୍ଧି ସଙ୍ଗେସଙ୍ଗେ ଅଧୁନା ଲୁପ୍ତ ଅନେକ ପ୍ରାଚୀନ ସଂସ୍କୃତିର ପୁନରାଲୋଚନା ସଭ୍ୟ ସମାଜରେ ସ୍ଥାନ ପାଉଅଛି । ସୁତରାଂ ଆଲୋଚ୍ୟ ବିଷୟ ପ୍ରତି ସୁଧି ପାଠକବୃନ୍ଦଙ୍କର ବକ୍ରଦୃଷ୍ଟି ପତିତ ହେବାର ଆଶା କରି ଲେଖନୀ ଧାରଣ କରୁଅଛି । ଯେଉଁ ବିଦ୍ୟା ପ୍ରଭାବରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ସୂକ୍ଷ୍ମ ଆତ୍ମାକୁ କରାୟତ୍ତ କରି ତାହା ଦ୍ୱାରା ଅତ୍ୟାଶ୍ଚର୍ଯ୍ୟ କ୍ରିୟାମାନ ସମ୍ପାଦନ କରାଯାଏ, ତାହାକୁ ସମ୍ମୋହନ ବିଦ୍ୟା କୁହାଯାଏ । ସମ୍ମୋହନ ବିଦ୍ୟାକୁ ଇଂରାଜୀରେ "ମେସ୍ମାରିଜମ" ବା "ହିପ୍ନୋଟିଜମ" କୁହାଯାଏ । (ମେସ୍‌ମାରିଜମ ଓ ହିପ୍ନୋଟକିସ୍ ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ବିଷୟରେ ପରେ ଆଲୋଚନା କରାଯିବ ।) ଗ୍ରୀକ୍ ଶବ୍ଦ ହିପ୍ନସ୍ ରୁ ହିପ୍ନୋଟିକସ୍ ଶବ୍ଦଟି ଗଠିତ ହୋଇଅଛି । "ହିପ୍ନସ୍‌'ର ଅର୍ଥ ନିଦ୍ରା, ସୁତରାଂ ହିପ୍ନୋଟିଜମ୍‌କୁ ଓଡ଼ିଆରେ ନିଦ୍ରାକର୍ଷଣ ବା ମାୟାନିଦ୍ରା ଆଖ୍ୟା ଦିଆ ଯାଇପାରେ ।

ଭିଏନା ନଗରୀର ଡାକ୍ତର ମେସମାରଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବାରୁ ସମ୍ମୋହନ ବିଦ୍ୟାର ଆଉ ଗୋଟିଏ ନାମ ହେଉଛି ମେସ୍ମାରିଜମ ।

ସକଳ ଶରୀରସ୍ଥ ଆତ୍ମା ସାଧାରଣତଃ ଦୁଇ ଭାଗରେ ବିଭକ୍ତ ଯଥା: ସ୍ଥୂଳ ଆତ୍ମା ଓ ସୂକ୍ଷ୍ମ ଆତ୍ମା । ସେଥିମଧ୍ୟରୁୁ ମାନସିକ କ୍ରିୟାରେ ମାନବ ଦେହସ୍ଥ ସୂକ୍ଷ୍ମ ବୃତ୍ତିଗୁଡ଼ିକ ଯେତେବେଳେ ସମ୍ପୂର୍ଣ୍ଣ ଅସାଡ ହୋଇ ଯାଏ, ସେତେବେଳେ ତାହାକୁ ସମ୍ମୋହିତ ବୋଲି ଧରାଯାଏ । ଏହି ସମ୍ମୋହିତ ଅବସ୍ଥାରେ ଲୋକମାନଙ୍କୁ କ୍ରମାନ୍ୱୟରେ ଛଅଗୋଟିି ସ୍ତର ଅତିକ୍ରମ କରିବାକୁ ହୋଇଥାଏ । ପ୍ରଥମ ସ୍ତରରେ ଉପନୀତ ହେଲେ ପାତ୍ରର ଚକ୍ଷୁ ଧୀରେ ଧୀରେ ନିମୀଳିତ ହୋଇ ଆସେ ଏବଂ ଦ୍ୱିତୀୟ ଓ ତୃତୀୟ ସ୍ତର ବେଳକୁ ପାତ୍ର ସମ୍ପୂର୍ଣ୍ଣ ସନ୍ୟାସ ପ୍ରାପ୍ତ ହୁଏ । ଏହିପରି ଭାବରେ ଯେଉଁ ପାତ୍ର ସୁପ୍ତ ସ୍ତରର ଲକ୍ଷଣମାନ ଅନୁଭବ କରେ । ସେ ହିପ୍ନୋଟିକ୍ସ୍‌ର ସର୍ବୋଚ୍ଚ ସ୍ତରରେ ଉପନୀତ ହେଲା ବୋଲି ଜାଣିବାକୁ ହେବ ।

ପାଶ୍ଚାତ୍ୟଞ୍ଚଳରେ ଉକ୍ତ ବିଦ୍ୟାର ଚର୍ଚ୍ଚା ଏତେ ଅଧିକ ହେଉଛି ଯେ ଅନେକ ସମୟରେ ବଡ଼ ବଡ଼ ସଭାସମିତିରେ ଉପସ୍ଥିତ ଅସଂଖ୍ୟ ଲୋକଙ୍କ ଏତେ ସମୟରେ ସମ୍ମୋହିତ କରି ନାନାପ୍ରକାର ଲୋମହର୍ଷଣ ବ୍ୟାପାରମାନ ସଂଘଟନ କରାଯାଏ ।

ସମ୍ମୋହନ ବିଦ୍ୟାରେ ପାରଙ୍ଗମ ହେବାକୁ ହେଲେ ତିନୋଟି ଶକ୍ତିକୁ କରାୟତ୍ତ କରିବାକୁ ହେବ ଯଥା - ଦୃଷ୍ଟି ଶକ୍ତି, ସ୍ପର୍ଶ ଶକ୍ତି ଓ ଇଚ୍ଛା ଶକ୍ତି । ଏହି ତ୍ରିଶକ୍ତି ଉପରେ ଆଧିପତ୍ୟ ବିସ୍ତାର କରିବାକୁ ସକ୍ଷମ ହେଲେ ମେସ୍‌ମେରିଜମ୍ ଏକ ସାଧାରଣ କଥା । ଅନେକ ପ୍ରଶ୍ନ କରିଥାନ୍ତି ମେସ୍‌ମେରିଜମ୍ ଓ ହିପ୍ନୋଟକିସ୍ ମଧ୍ୟରେ ପ୍ରଭେଦ କ'ଣ ? ମେସ୍‌ମାରିଜମ୍ ଓ ହିପ୍ନୋଟିଜମ ବ୍ୟାବହାରିକ ମନୋବିଜ୍ଞାନରେ ସମୁନ୍ନତ ଶାଖା । ମେସ୍‌ରିଜମ୍‌ରେ ଇଚ୍ଛାଶକ୍ତିର ଅଧିକ ପ୍ରୟୋଜନ ବୋଲି ମନେହୁଏ । ସମ୍ମୋହକଙ୍କର ପ୍ରବଳ ମାନସିକ ଶକ୍ତି ଦ୍ୱାରା ମେସ୍‌ମାରିଜମ୍ ଅଧିକାଂଶ କ୍ରିୟା ସାଧିତ ହୋଇଥାଏ । କିନ୍ତୁ ହିପ୍ନୋଟିଜସ୍ କରିବା ସମୟରେ କୌଣସି କ୍ରିୟା କାର୍ଯ୍ୟକାରୀ ନହେଲେ କୃତ୍ରିମ ବା ଯାନ୍ତ୍ରିକ ଉପାୟରେ ତାହା କରାଯାଏ ।

ସମ୍ମୋହନ ବିଦ୍ୟା ଭାରତର ସମ୍ପୂର୍ଣ୍ଣ ବିଶ୍ୱସ୍ତ ବିଦ୍ୟା । ଗ୍ରୀକ୍ ଗ୍ରନ୍ଥାଦିରୁ ଜଣାଯାଏ, ଆନୁମାନିକ ଖ୍ରୀଷ୍ଟ ପୂର୍ବ ୪୫୦ ବର୍ଷ ପୂର୍ବେ 'ପାଇଥାଗୋରସ୍' ନାମକ ଜଣେ ଗ୍ରୀକ୍ ଦେଶୀୟ ପଣ୍ଡିତ ଭାରତରୁ ଦୀକ୍ଷା ଗ୍ରହଣ କରି ବନ୍ୟ ପଶୁ ବଶୀକରଣ ଓ ଆକାଶଗାମୀ ପକ୍ଷୀର ଗତିରୋଧ ପ୍ରଭୃତି ଅତି ଅଦ୍ଭୁତ କ୍ରିୟାମାନ ପ୍ରଦର୍ଶନ କରୁଥିଲେ । ନୀବିଡ଼ ଅରଣ୍ୟ ମଧ୍ୟରେ ଆଜି ସୁଦ୍ଧା ଅସଂଖ୍ୟ ଯୋଗୀ ଓ ତାନ୍ତ୍ରିକ ଉକ୍ତ ବିଦ୍ୟା ସାହାଯ୍ୟରେ ବନ୍ୟ ହିଂସ୍ର ଜନ୍ତୁମାନଙ୍କ କରାଳ କବଳରୁ ନିଜକୁ ରକ୍ଷା କରୁଅଛନ୍ତି ବୋଲି ପ୍ରମାଣ ମିଳେ । ଅଧୁନା ୟୁରୋପ ଇତ୍ୟାଦିରେ ପ୍ରଚଳିତ ସମ୍ମୋହନ ବିଦ୍ୟା ପ୍ରାଚ୍ୟ ଯୋଗ ଶାସ୍ତ୍ରର ଅଣିମା, ଲଘିମା ଇତ୍ୟାଦି ଅଷ୍ଟସିଦ୍ଧି ମଧ୍ୟରେ ବଶିତ୍ୱ ସିଦ୍ଧର ଅନ୍ତର୍ଗତ ଓ ତନ୍ତ୍ର ଶାସ୍ତ୍ରରେ ଥିବା ମାରଣ, ଉଚ୍ଚାଟନ, ବିଦ୍ୱେଷଣ ଇତ୍ୟାଦି ଷଟ୍‌କର୍ମ ମଧ୍ୟରୁ ବଶୀକରଣ କର୍ମର ଅନ୍ତର୍ଗତ ।

ବହୁ ଶତାବ୍ଦୀ ପୂର୍ବରୁ ଯୋଗୀ ଋଷିମାନେ ଏହି ବିଦ୍ୟା ପ୍ରଭାବରେ ରୋଗୀମାନଙ୍କୁ ରୋଗମୁକ୍ତ କରି ସଂସାରର ଅନେକ କଲ୍ୟାଣ ସାଧନ କରୁଥିଲେ । କିନ୍ତୁ ମଧ୍ୟଯୁଗରେ ଏହି ବିଦ୍ୟାର ବହୁଳ ପ୍ରଚାର ଫଳରେ ଦୁଷ୍ଟ ଓ ଖଳ ପ୍ରକୃତିର ବ୍ୟକ୍ତିମାନେ ଏହାର ଅତିଶୟ ଅପବ୍ୟବହାର କଲେ । ଗାଁ ଗହଳରେ ପ୍ରଚଳିତ କାପାଳିକମାନଙ୍କର ଜନସାଧାରଣଙ୍କ ଉପରେ ସମ୍ମୋହନ ବିଦ୍ୟାଜନିତ ଅତ୍ୟାଚାରର କିମ୍ବଦନ୍ତୀମାନ ସମ୍ପୂର୍ଣ୍ଣ ଅମୂଳକ ନୁହେଁ । ସମାଜରେ ଏହିପ୍ରକାର ଅହେତୁକ ବିପଦମାନ ସୃଷ୍ଟି ହେବାରୁ ସାଧୁବ୍ୟକ୍ତିମାନେ ଏହି ବିଦ୍ୟାକୁ ଲୋକଲୋଚନରେ ଅଗୋଚରରେ ରଖିଲେ । ଏହି ବିଦ୍ୟା ପ୍ରାୟ ପ୍ରତ୍ୟେକ ଦେଶରେ ବିଭିନ୍ନ ଭାବରେ ଅଳ୍ପାଧିକ ବ୍ୟାପ୍ତ ଅଛି । ଇତିହାସରୁ ଜଣାପଡ଼େ ରୁଷିଆ ଦେଶରେ ଅତି ପ୍ରାଚୀନ କାଳରେ 'ରାସପୁଟିନ୍‌' ନାମକ କୌଣସି ଯାଦୁଗର ସମ୍ମୋହନ ବିଦ୍ୟାରେ ଦକ୍ଷତା ଲାଭ କରି ସମ୍ରାଟ ଓ ସାମ୍ରାଜ୍ଞୀଙ୍କ ଉପରେ ଅକଥନୀୟ ଆଧିପତ୍ୟ ବିସ୍ତାର କରିଥିଲା । ଅଧିକନ୍ତୁ ଏହି ଲୁପ୍ତ ପ୍ରାୟ ବିଦ୍ୟାର ପୁନରୁଦ୍ଧାର ସକାଶେ ପାଶ୍ଚାତ୍ୟ ଜଗତରେ - Newyork Institute of Science, American Hypnotics Association ପ୍ରଭୃତି ଗବେଷଣାପୂର୍ଣ୍ଣ ସମିତିମାନ ଯଥେଷ୍ଟ ଚେଷ୍ଟା କରୁଅଛନ୍ତି । ଉକ୍ତ ସମ୍ମୋହନ ବିଦ୍ୟା ସାହାଯ୍ୟରେ ଅତୀବ ଦୁରାରୋଗ୍ୟ ବ୍ୟାଧିମାନ ଭଲ କରି Dr. Friedrich - ପ୍ରଭୃତି ସମ୍ମୋହକମାନେ ଦେଶର ସେହି କଲ୍ୟାଣ ସାଧନ କରୁଅଛନ୍ତି ।

ଭାରତୀୟ 'ତ୍ରାଟକ ଯୋଗ' ସାହାଯ୍ୟରେ ଦିବ୍ୟଦୃଷ୍ଟି ଲାଭ କଲେ ସମ୍ମୋହନ ବିଦ୍ୟା ଅତିଶୟ ତୁଚ୍ଛ ବ୍ୟାପାର । ଆଜିକାଲି ସହସ୍ର ସହସ୍ର ମୁଦ୍ରା ବ୍ୟୟ କରି (Crystal) (କ୍ରିଷ୍ଟାଲ୍) ନାମକ ଦୁର୍ମୂଲ୍ୟ ପ୍ରସ୍ତର ଦ୍ୱାରା ପାଶ୍ଚାତ୍ୟ ବୈଜ୍ଞାନିକଗଣ ଦିବ୍ୟଦୃଷ୍ଟି ବିକାଶ କରି ମାନବ ଚକ୍ଷୁର ଅନ୍ତରାଳରେ ଅବସ୍ଥିତ ଦ୍ରବ୍ୟାଦିର ସମ୍ପଦ ନେବା ପାଇଁ ଯେଉଁ ବିପୁଳ ଉଦ୍ୟମ କରୁଅଛନ୍ତି, ପୂର୍ବେ "ନଖଦର୍ପଣ'' ଦ୍ୱାରା ଭାରତୀୟ ସାଧକମାନେ ସାମାନ୍ୟ ନଖାଗ୍ରରେ ତାହା ଜାଣିପାରି ସେମାନଙ୍କ ଭୂତ ଭବିଷ୍ୟତ ନିରୂପଣ କରିବାକୁ ସକ୍ଷମ ହୋଇଥିଲେ । କାଳର କି ବିଚିତ୍ର କ୍ଷତି, ଯେଉଁ ଭାରତ ଏହି ମହା ଐଶୀ ଶକ୍ତିର ଜନ୍ମସ୍ଥାନ, ସେହି ଭାରତର ଶିକ୍ଷାର୍ଥୀ ବୃନ୍ଦ ପାଶ୍ଚାତ୍ୟ ଜଗତରୁ ଆଧ୍ୟାତ୍ମିକ ବିଦ୍ୟା ଶିଖିବା ପାଇଁ ଚେଷ୍ଟା କରୁଅଛନ୍ତି ।