ଶ୍ରୀମତୀ ଶର୍ମାଙ୍କ ପାଖକୁ ଗଲା ପରେ ଗୁଡ୍ଡୁର ବହି ପଢିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ସେଥିପାଇଁ ସେ ଘରେ ବହୁତ ଗୁଡ଼ିଏ ବହି ରଖିଥିଲା । କିଛି ବହି ମଧ୍ୟ ସ୍କୁଲର ପାଠାଗାରରୁ ଆଣି ରଖିଥିଲା । ସେ ରୋମାଞ୍ଚପୂର୍ଣ୍ଣ ଗଳ୍ପ ପଢିବାକୁ ଭଲ ପାଉଥିଲା ।

ଦିନେ ଗୁଡ୍ଡୁ କିଛି ବହି ଆଣିବାକୁ ସ୍କୁଲର ପାଠାଗାରକୁ ଗଲା । ପାଠାଗାରରେ ବହି ଖୋଜୁଥିବା ସମୟରେ ଏକ ଅଜବ ବହିଟିଏ ତା ଆଖିରେ ପଡ଼ିଲା । ଗୁଡ୍ଡୁ ସଙ୍ଗେ ସଙ୍ଗେ ସେ ବହିଟିକୁ ଉଠାଇ ନେଇ ବହିର ନାଁ ପଢିବାକୁ ଲାଗିଲା । ‘ଦ ହଣ୍ଟେଡ୍ ହାଉସ’ ବୋଲି ପଢି ଅଧିକା ଜାଣିବାକୁ ଇଚ୍ଛା କରି ସେ ବହିଟିକୁ ଘରକୁ ନେଇଆସିଲା ।

ଘରକୁ ଆସି ସଙ୍ଗେ ସଙ୍ଗେ ସେ ବହି ପଢିବାକୁ ବସିଗଲା । ଯେତେବେଳେ ସେ ବହିଟିର ଦୁଇଟି ଅଧ୍ୟାୟ ପଢିସାରିଲା, ଗୁଡ୍ଡୁ ବୁଝିଗଲା ଯେ ଏହା ଏକ ଭୂତ ଗଳ୍ପ ବିଷୟରେ ଲେଖା ହୋଇଛି । ବହିଟିରେ ଏକ ଭୂତ ବିଷୟରେ ଲେଖାହୋଇଥିଲା । ସେହି ଗଳ୍ପରେ ଗୋଟିଏ ପୁରୁଣା ଘରେ ରହୁଥିବା ଏକ ପରିବାର ବିଷୟରେ ଲେଖା ହୋଇଥିଲା । ଗଳ୍ପଗୁଡ଼ିକୁ ପଢି ଗୁଡ୍ଡୁ କହିଲା - “ଆରେ ବାପରେ ୟେ ତ ଗୋଟିଏ ଡରାଉଥିବା ଗଳ୍ପ" । ବେଶୀ ପଢିଲେ ରାତିରେ ଦୁସ୍ଵପ୍ନ ଆସିବ ଭାବି ଗୁଡ୍ଡୁ ବହି ପଢାକୁ ଅଧାରୁ ବନ୍ଦ କଲା ।

ତେଣୁ ସେ ବିଛଣାରେ ବହିକୁ ରଖି ତଳମହଲାରେ ଥିବା ମା ପାଖକୁ କଥା ହେବାକୁ ଗଲା ।

ମା'ଙ୍କ ପାଖରେ ଗୁଡ୍ଡୁ ପହଞ୍ଚି କହିଲା ମାମା …ମୁଁ ଗୋଟିଏ ଭୟାନକ ଗଳ୍ପ ପଢିଲି । ମୋତେ ଏବେ ଡର ଲାଗୁଛି । ମୁଁ ଏବେ କଣ କରିବି ।

ଏହା ଶୁଣି ତା ମା’ ଟିକିଏ ଚିନ୍ତା କରି କହିଲେ “ଗୁଡ୍ଡୁ … ତୁ ଏମିତି ବହି ସବୁ କଣ ପାଇଁ ଘରକୁ ନେଇଆସୁଛୁ । ଗୁଡ୍ଡୁ କହିଲା “ଏହି ଗଳ୍ପ ପଢିବାକୁ ମଜା ଲାଗୁଛି, ଡର ବି, ଏବେ କିନ୍ତୁ ଦୁଃଖ ବି ଲାଗୁଛି ଯେ ମୁଁ ଏହାକୁ ପଢି ଶେଷ କରି ପାରିଲି ନାହିଁ” ଆଉ ମୋତେ ଏହି ବହିଟିକୁ ସକାଳେ ଫେରେଇ ଦେବାକୁ ହେବ ।

ଗୁଡ୍ଡୁ ତା କକ୍ଷକୁ ଗଲା ଆଉ ସେ ବହିଟିକୁ ଆଉ ନ ପଢି ତା ବ୍ୟାଗରେ ରଖିଦେଲା କିନ୍ତୁ ତାକୁ ପଢିବାକୁ ବହୁତ ଇଚ୍ଛା ହେଉଥିଲା କାରଣ ସେ ଜାଣିବାକୁ ଚାହୁଁଥିଲା ଯେ ସେ ପୁରୁଣା ଘରେ ରହୁଥିବା ପରିବାରର ଶେଷରେ ପରିଣାମ କଣ ହେଲା । ସେମାନେ ସେ ଘରକୁ ଛାଡି ଦେଲେ ନା ଏବେ ବି ସେ ଭୂତ ସାଙ୍ଗରେ ରହୁଛନ୍ତି ।

ଏମିତି ଭାବନା ଆଉ ଜାଣିବାର ଇଚ୍ଛା ଶେଷରେ ତାକୁ ସେ ବହିଟିକୁ ପଢିବାକୁ ବାଧ୍ୟ କଲା । ଏକୁଟିଆ ପଢିଲେ ଡର ଲାଗିବ ବୋଲି ତା ସାଙ୍ଗ ଜୟକୁ ଡାକି ପଠାଇଲା । ଜୟ ଗୁଡ୍ଡୁର ପଡୋଶୀ ଥିଲା ଓ ପାଖରେ ରହୁଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ତା ପାଖକୁ ଆସିଗଲା ଆଉ ଦୁଇ ସାଙ୍ଗ ମିଶି ସେ ବହିଟିକୁ ପଢି ଶେଷ କରିବାକୁ ମନସ୍ଥ କଲେ । ଆଉ ପଢି ସାରି ଦୁଇଜଣ ଡରିବାକୁ ଲାଗିଲେ ।

ବହୁତ ଭୟାନକ ଥିଲା ବୋଲି କହି ଜୟ କାନ୍ଦିବାକୁ ଲାଗିଲା । ଆଉ କହିଲା ମୁଁ ଏ ବହି ପଢିବାର ନ ଥିଲା । “ମୁଁ ଆଜି ରାତିକ ପାଇଁ ଏଠି ରହି ପାରିବି କି ? ଯଦି ମୁଁ ଏବେ ଘରକୁ ଯିବି ତେବେ ମୋତେ ଏକୁଟିଆ ଶୋଇବାକୁ ପଡ଼ିବ । ଯଦି ଭୂତ ଆସେ ମୁଁ କଣ କରିବି ବୋଲି କହିଲା ଜୟ ।

ଗୁଡ୍ଡୁ ବିଳିବିଳେଇ ହୋଇ କହିଲା ଭୂତମାନେ କେବେ ସତରେ ନ ଥାନ୍ତି । କିନ୍ତୁ ସେ ଜୟଠୁ ବି ଅଧିକା ଡରି ଯାଇଥିଲା । ଜୟ କାନ୍ଦି କାନ୍ଦି କହିଲା ତେବେ ସେମାନେ କଣ .... !!

ଗୁଡ୍ଡୁ କହିଲା ଠିକ ଅଛି ଆଜି ରାତି ଏଠି ରହି ଯା । ଆଉ ସେ ମନେ ମନେ ଖୁସି ହେଉଥିଲା ଯେ ତାକୁ ରାତିରେ ଏକୁଟିଆ ଶୋଇବାକୁ ପଡିବ ନାହିଁ ।

“ତା’ପରେ ବି ଏମିତି ଭୂତ ଗଳ୍ପ ପଢିଲା ପରେ କିଏ ଏକୁଟିଆ ରହିବାକୁ ଚାହିଁବ ଯେ“ ।

ଆଉ ଏ ବିଷୟରେ ତା ମା’ କୁ ଜଣାଇଦେଲା ଆଉ କହିଲା ଆମେ ଆଜି ରାତିରେ ଏକାଠି ରହିବୁ ଆଉ ତମେ ଏକଥା ତାଙ୍କ ଘରେ ଜଣାଇ ଦେଇପାର ।

ଗୁଡ୍ଡୁ ସେ ରାତିରେ ଜମା ଶୋଇ ପାରିଲା ନାହିଁ । ତାକୁ ଝରକା ବାହାରୁ କିଛି ଅଜବ ଶବ୍ଦ ସବୁ ଶୁଣାଗଲା ଆଉ ଶେଷରେ ସେ ଘରର ଆଲୁଅ ଜଳାଇବାକୁ ବାଧ୍ୟ ହେଲା ।

ଜୟ ମଧ୍ୟ ଉଠି ପଡ଼ିଲା ଆଉ ପଚାରିଲା “ଏଟା କଣ“ ।

ଗୁଡ୍ଡୁ ଚିଲ୍ଲେଇ କହିଲା ତୁ କେମିତି ଶୋଇବୁ, ଝରକା ବାହାରେ ଗୋଟେ ଭୂତ ଅଛି .. “

ନା । ସେ କେମିତି ଘର ଭିତରକୁ ଆସିପାରିବ … ଜୟ ଚିଲ୍ଲେଇ କହିଲା ।

ମୁଁ ଯାଉଛି ଏ ପରଦାକୁ ଆଡ଼େଇ ଦେବି ଆଉ ଘର ଭିତରକୁ ଆଲୁଅ ଆସିବ ଆଉ ଭୂତମାନେ ଆଲୁଅକୁ ଡରନ୍ତି ।

ଜୟ ଏହା ଶୁଣି ମୁଣ୍ଡ ହଲାଇ ହଁ କଲା ଆଉ ଗୁଡ୍ଡୁ ଯାଇକି ଆସ୍ତେ କରି ପରଦାକୁ ଆଡେଇ ଦେଲା, ବାହାରେ ଆଲୁଅ ବିଛୁରିତ ହୋଇ ପଡିଥିଲା ଏବଂ ଝରକାରେ ଗୋଟିଏ ଗଛର ଡାଳ ଘଷି ହେଉଥିଲା ଆଉ ଘଷି ହୋଇ ବିକଟାଳ ଶବ୍ଦ କରୁଥିଲା ।

ଏହା ଦେଖି ଗୁଡ୍ଡୁ ଟିକିଏ ହାଲୁକା ହୋଇ କହିଲା “ଓଃ ତେବେ ଏହା ଗଛର ଡାଳ ଥିଲା … ଚାଲ ଶୋଇବା । ଶୋଇବାକୁ ଯିବାର ପ୍ରାୟ ଘଣ୍ଟାଏ ପରେ ଗୁଡ୍ଡୁକୁ ବିଛଣା ତଳୁ ଖସ ଖସ ଶବ୍ଦ ଶୁଣାଗଲା । ଗୁଡ୍ଡୁ ଭୟଭୀତ ହୋଇଗଲା ଆଉ ଭାବିଲା ଭୂତ ତା ଘର ଭିତରକୁ ପଶି ଆସିଲା କି !!

ଗୁଡ୍ଡୁ ଭୟରେ ବିଛଣାରୁ ଡେଇଁପଡ଼ି ଜୟକୁ ଉଠାଇଲା ।

ଜୟ ଆଖି ମଳି ମଳି ଉଠିଲା ଆଉ କହିଲା “ଏବେ ପୁଣି ତୋର କଣ ହେଲା....!!''

ଗୁଡ୍ଡୁ କହିଲା ଆମ ବିଛଣା ତଳେ ଭୂତ ଅଛି … ଏବେ ଆମେ କଣ କରିବା ।

ଏତିକି ବେଳେ ବିଛଣା ତଳୁ ସେଇ ଶବ୍ଦ ଶୁଣାଗଲା ।

ଜୟ ଚମକି ପଡ଼ି କହିଲା …”ହେ ଭଗବାନ ମୁଁ ବି ଶୁଣିପାରିଲି ସେ ଶବ୍ଦ … ବିଛଣା ତଳେ ନିଶ୍ଚୟ କିଛି ଅଛି … ଏବେ ଆମେ କଣ କରିବା ।

ଗୁଡ୍ଡୁ କହିଲା ଚାଲ ଗୋଟେ ଝାଡୁ ଆଣିବା ଆଉ ବିଛଣାକୁ ପିଟିବା ।

ଜୟ ଚିଲ୍ଲେଇକି କହିଲା ତୁ ପାଗଳ ହେଲୁ କି … “ଏମିତି କଲେ ଭୂତ ରାଗିଯିବ ..''

ଗୁଡ୍ଡୁ କହିଲା ଚାଲ ତେବେ ବାପା ମା କୁ ଡାକିବା … ତୁ ଏଇଠି ଥା ମୁଁ ଡାକି କି ଆସୁଛି …।

ନା … ମୁଁ ବି ଯିବି । ମୁଁ ଏଠୁ ଭୂତ ସାଙ୍ଗରେ ରହି ପାରିବିନି .... ଜୟ କହିଲା ।

ଆଉ ସେମାନେ ସେ ଘରୁ ଦଉଡିକି ବାହାରିଗଲେ ଆଉ ଯାଇକି ବାପା ମା' ଶୋଇଥିବା ଘରର କବାଟକୁ ହାତରେ ଜୋରରେ ବାଡେଇଲେ … ଏହା ଶୁଣି ଗୁଡ୍ଡୁର ବାପା କବାଟ ଖୋଲିଲେ ।

କଣ ହେଲା ଗୁଡ୍ଡୁ … !!

ଗୁଡ୍ଡୁ କାନ୍ଦିକାନ୍ଦି କହିଲା ମୋ ବିଛଣା ତଳେ ଗୋଟିଏ ଭୂତ ଅଛି …

“ଆଚ୍ଛା … ଚାଲ ତୋ ଶୋଇବା ଘରକୁ ଆମେ ସେ ଭୂତକୁ ଦେଖିବା … ତା ବାପା କହିଲେ ।

ତା’ପରେ ତିନିହେଁ ଗୁଡ୍ଡୁର ଶୋଇବା ଘରକୁ ଗଲେ । ସେଠାରେ ପହଞ୍ଚି ବିଛଣା ତଳେ ଆଣ୍ଠେଇ ପଡି ଆଲୁଅ ମାରି ଦେଖିବାକୁ ଲାଗିଲେ ।

“ଏହେ … ତା'ହେଲେ ଏଇଟା ଭୂତ .... ନୁହେଁ !!

ଆଉ ହାତ ପୂରାଇ ତାଙ୍କର ପୋଷା ବିରାଡି ଛୁଆକୁ ବାହାର କରି ଆଣିଲେ ।

ଆଉ ଏହା ଦେଖି ଗୁଡ୍ଡୁ ଓ ଜୟ ଦୁହେଁ ହସିବାକୁ ଲାଗିଲେ … ସେମାନେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ ଏଇ ଛୋଟ ବିରାଡ଼ି ଛୁଆ ସେମାନଙ୍କୁ ଏତେ ଡରାଇଦେବ ବୋଲି ।

ତା ପରଦିନ ଗୁଡ୍ଡୁ ବହିଟିକୁ ପାଠାଗାରକୁ ଫେରାଇ ଦେଲା ଆଉ କେବେ ଏମିତି ଡରାଉଥିବା ଗଳ୍ପ ନ ପଢିବାକୁ ମନେ ମନେ ନିଷ୍ପତ୍ତି ନେଲା । ଅନ୍ତତଃ ସେ ଟିକେ ବଡ଼ ହେଲା ଯାଏଁ ଏପରି ଗପ ନ ପଢିବାକୁ ମନସ୍ଥ କଲା ।