ଦିନେ, ଗୁଡ୍ଡୁ ଘରେ ଥିଲା । କିନ୍ତୁ ସେ ଟିକେ ବିରକ୍ତ ହୋଇଯାଇଥିଲା । ନା ତାକୁ ଖେଳନା ସହିତ ଖେଳିବାକୁ ଇଚ୍ଛା ହେଉଥିଲା ନା ଟିଭି ଦେଖିବାକୁ ।

ସେ ବହୁତ ବିରକ୍ତ ହୋଇ ଭବିଲା - ଏମିତି କଣ କରିବି, ଯାହା ଫଳରେ ବହୁତ ମଜା ଆସିବ ।

ଗୁଡ୍ଡୁ ନିକଟରେ ଏକ ପୁସ୍ତକ ଥିଲା, ଯେଉଁଥିରେ ଏକ ଯାଦୁ ବଗିଚାରେ ରହୁଥିବା କୀଟମାନଙ୍କ ଚିତ୍ର ଆଉ ଲେଖା ଥିଲା । ସେହି ପୁସ୍ତକକୁ ନେଇ ସେଥିରେ ଥିବା ରଙ୍ଗୀନ ଚିତ୍ରଗୁଡିକୁ ଦେଖିବା ଆରମ୍ଭ କଲା ଗୁଡ୍ଡୁ । ପୁସ୍ତକଟିରେ ପ୍ରଜାପତି ଏବଂ ପିମ୍ପୁଡ଼ି ବ୍ୟତୀତ ବହୁ ରଙ୍ଗୀନ କୀଟମାନଙ୍କର ସୁନ୍ଦର ସୁନ୍ଦର ଚିତ୍ର ରହିଥିଲା । ଗୁଡ୍ଡୁ ସେଗୁଡ଼ିକୁ ଆଗ୍ରହ ସହକାରେ ଦେଖୁଥିଲା । ଯଦିଓ ସେ ପୂର୍ବରୁ ପ୍ରଜାପତି ଏବଂ ପିମ୍ପୁଡ଼ି ଦେଖିଥିଲା, ତେବେ ବହିରେ ଥିବା ଅନ୍ୟ ରଙ୍ଗୀନ କୀଟଗୁଡ଼ିକୁ ସେ ପୂର୍ବରୁ ଦେଖିନଥିଲା ।

ୱା । ଏଗୁଡ଼ିକ କେତେ ଚମତ୍କାର ବୋଲି କହିଉଠିଲା ଗୁଡ୍ଡୁ । ସେହି ରଙ୍ଗୀନ କୀଟମାନଙ୍କ ମଧ୍ୟରୁ କିଛି କୀଟଙ୍କ ସହ ସାକ୍ଷାତ କରିବା ନେଇ ଗୁଡ୍ଡୁ ଇଚ୍ଛା ପ୍ରକାଶ କଲା ।

ବହି ଦେଖିବାର କିଛି ସମୟ ପରେ ଗୁଡ୍ଡୁକୁ ନିଦ ଲାଗିଲା । ଯଦିଓ ଗୁଡ୍ଡୁ ସେ ପୁସ୍ତକ ଦେଖିବାକୁ ଆଗ୍ରହୀ ଥିଲା କିନ୍ତୁ ତାକୁ ଜୋରରେ ନିଦ ଲାଗିବାରୁ ସେ ସଙ୍ଗେ ସଙ୍ଗେ ଶୋଇପଡ଼଼ିଲା ଆଉ ଏକ ସୁନ୍ଦର ସ୍ୱପ୍ନ ଦେଖିବା ଆରମ୍ଭ କଲା । ସେ ସ୍ଵପ୍ନରେ ଦେଖିଲା ଯେ - ସେ ଏକ ବିଶାଳ ବଗିଚାରେ ଅଛି । ଯେଉଁଠାରେ ସେ ପୁସ୍ତକରେ ଦେଖିଥିବା ସମସ୍ତ କୀଟପତଙ୍ଗଗୁଡିକ ରହିଛନ୍ତି । ବଗିଚାରେ କୀଟପତଙ୍ଗଗୁଡିକ ଶାନ୍ତିପୂର୍ଣ୍ଣ ଭାବରେ ଅନେକ ରଙ୍ଗୀନ ଫୁଲ ଉପରେ ଉଡ଼ିବୁଲୁଛନ୍ତି ।

କିଛି ପ୍ରଜାପତି ଗୁଡ୍ଡୁ ନିକଟକୁ ଉଡ଼ିଆସିଲେ । ଏହା ଦେଖି ଗୁଡ୍ଡୁ ସେମାନଙ୍କ ଆଡ଼କୁ ହାତ ବଢାଇଲା । ପ୍ରଜାପତିମାନେ ମଧ୍ୟ ଆରାମରେ ଗୁଡ୍ଡୁର ବାହୁରେ ଅବତରଣ କଲେ । ଗୁଡ୍ଡୁ ପ୍ରତ୍ୟେକ ପ୍ରଜାପତିର ସୌନ୍ଦର୍ଯ୍ୟକୁ ପ୍ରଶଂସା କଲା । ସେଇ ପ୍ରଜାପତିଗୁଡିକ ମଧ୍ୟରେ କେତେକ ହଳଦିଆ ଏବଂ ବାଇଗଣୀ ରଙ୍ଗର ଥିଲେ ଓ ଅନ୍ୟ କେତେକ କମଳା ରଙ୍ଗର ଥିଲେ ଯେଉଁ ମାନଙ୍କ ଉପରେ କଳା ଦାଗ ରହିଥିଲା । ଏହି ପ୍ରଜାପତିକୁ ଦେଖି ଗୁଡ୍ଡୁ ଭବିଲା ଏମାନେ ବୋଧେ ରାଜକୀୟ ପ୍ରଜାପତି । ପ୍ରଜାପତିମାନେ ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲ ଉପରେ ଉଡ଼ି ବୁଲୁଥିଲେ ଓ କେତେବେଳେ ଫୁଲ ଉପରେ ବସି ରହୁଥିଲେ । ଗୁଡ୍ଡୁ ସେଇ ବଗିଚାରେ ଚାଲିଲା ବେଳେ, ସୁଗନ୍ଧିତ ବାସ୍ନା ଏବଂ ପବନ ତା ଗାଲକୁ ଛୁଇଁ ଯାଉଥିଲା । କିଛି କଙ୍କି ତା ନିକଟକୁ ଆସିଲେ ଏବଂ ପରେ ଉଡ଼ିଗଲେ । ଏହା ଦେଖି ଗୁଡ୍ଡୁ ଭବିଲା - “ଏମାନେ ସତରେ କେତେ ଆକର୍ଷଣୀୟ” । ହଠାତ ଗୁଡ୍ଡୁକୁ ଏକ ଅଜବ ଶବ୍ଦ ଶୁଣାଗଲା । ସିଏ ତୁରନ୍ତ ଉପରକୁ ଚାହିଁଲା ଆଉ ଦେଖିଲା ଗଛର ଗୋଟିଏ ଶାଖା ଉପରେ ଏକ ବିରୁଡ଼ିର ବସା ଥିଲା ଯେଉଁଥିରେ ହଜାର ହଜାର ବିରୁଡ଼ି ପଶୁଥିଲେ ଓ ବାହାରୁଥିଲେ । ଗୁଡ୍ଡୁ ସେମାନଙ୍କ ସହ କୌଣସି ଗଣ୍ଡଗୋଳ କରିବା ଉଚିତ୍ ନୁହେଁ ବୋଲି ଭବିଲା, ତେଣୁ ସେ କିଛି ସମୟ ପାଇଁ ସେହି ବିରୁଡ଼ିମାନଙ୍କ ଆଡକୁ ଚାହିଁଲା ଆଉ ଆଗକୁ ଚାଲିଲା ।

ଲେଡି ବଗ୍, ଝିଣ୍ଟିକା, ରଙ୍ଗୀନ ପୋକ ପରି ଏମିତି ଅନେକ ପ୍ରକାରର ଶହ ଶହ କୀଟପତଙ୍ଗ ତା ଚାରିପଟେ ଉଡ଼ି ବୁଲୁଥିଲେ, ଯାହାର ନାମ ଗୁଡ୍ଡୁ ମନେ ପକାଇ ପାରିଲା ନାହିଁ । ସେହି ସବୁ କୀଟପତଙ୍ଗଗୁଡ଼ିକ ମୁକ୍ତ ଭାବରେ ଉଦ୍ୟାନରେ ଘୂରି ବୁଲୁଥିଲେ । ଗୁଡ୍ଡୁ ମଧ୍ୟ ମୁକ୍ତ କୀଟପତଙ୍ଗ ପରି ଖୁସିରେ ଘୂରିବୁଲିବା ପାଇଁ ଇଚ୍ଛା ପ୍ରକଟ କଲା । ହଠାତ ସେହି ମୁହୂର୍ତ୍ତରେ ଏପରି କିଛି ଘଟିଲା, ଯାହାକୁ ଦେଖି ଗୁଡ୍ଡୁ ଆଶ୍ଚର୍ଯ୍ୟ ହୋଇଗଲା ।

ଗୁଡ୍ଡୁ ମହୁମାଛି ଏବଂ ଲେଡିବଗସ୍ ସହ ସେହି ସୁନ୍ଦର ଫୁଲଗୁଡ଼ିକ ଉପରେ ଖୁସିରେ ଉଡ଼ିବୁଲୁଥିଲା । ଖୁସିରେ ଗୁଡ୍ଡୁର ହୃଦୟରେ କମ୍ପନ ସୃଷ୍ଟି ହେଉଥିଲା । ସେ ପବନରେ ଘୂରି ବୁଲୁଥିଲା ସତେଯେମିତି ସେ ଫୁଲଗୁଡ଼ିକ ମଧ୍ୟରେ ହଜି ଯାଉଥିଲା । ଆଉ ସେଇ ଫୁଲଗୁଡ଼ିକର ସୁଗନ୍ଧିତ ବାସ୍ନାକୁ ମନଭରି ଉପଭୋଗ କରୁଥିଲା ।

ଠିକ୍ ସେତିକିବେଳେ, ଗୁଡ୍ଡୁ ନିଦରୁ ଉଠିପଡ଼ିଲା ଓ ତା ସ୍ୱପ୍ନ ଭାଙ୍ଗିଗଲା । ସେ ବହୁତ ଖୁସି ଥିଲା ଏବଂ ଉଡ଼ିବାକୁ ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲା । “ଏହା କେବଳ ଏକ ସ୍ୱପ୍ନ ଥିଲା, କିନ୍ତୁ ଏହା ଚମତ୍କାର ଥିଲା”, ବୋଲି ଗୁଡ୍ଡୁ ନିଜକୁ କହିଲା ।

ଗୁଡ୍ଡୁ ନିଦରୁ ଉଠି ମାଆଙ୍କୁ ଖୋଜିଲା ଓ ମା’ଙ୍କୁ ପାଇକି କହିଲା, “ମା’ ! ମୁଁ ପାର୍କକୁ ଯିବାକୁ ଚାହୁଁଛି ! ସେଠାରେ ଥିବା ଉଦ୍ୟାନକୁ ଉପଭୋଗ କରିବାକୁ ଚାହୁଁଛି । ”

“ଏହା ଏକ ଚମତ୍କାର ଆଇଡିଆ । ତେବେ ଆମେ ଯଦି ସପ୍ତାହନ୍ତରେ ସେଠାକୁ ଯିବାର ବ୍ୟବସ୍ଥା କରିବା ତେବେ କିପରି ହେବ ? ଆମେ ଗୋଟିଏ ଦିନ ସହରଠାରୁ ଦୂରରେ ଯାଇ ଟିକେ ଆରାମ କରିପାରିବା ବୋଲି ଗୁଡ୍ଡୁର ମା’ କହିଲେ ।” ଗୁଡ୍ଡୁ ମା’ଙ୍କର ଉତ୍ତରରେ ଖୁସି ହୋଇଗଲା ।

ପରିଶେଷରେ ସେଇ ଦିନଟି ଆସିଲା, ଏବଂ ସେମାନେ ପାର୍କକୁ ଗଲେ । ସେମାନେ ସେଠାରେ ପହଞ୍ଚିବା ପରେ ଗୁଡ୍ଡୁ ବଗିଚାରେ ଏପଟ ସେପଟ ହୋଇ ଦୌଡ଼ିଲା । ସେଠାରେ ଫୁଲ ଏବଂ ଅନ୍ୟାନ୍ୟ ଉଦ୍ଭିଦ ଥିଲା ସତ କିନ୍ତୁ କେବଳ ଅଳ୍ପ କିଛି କୀଟପତଙ୍ଗ ଥିଲେ ଏହା ଦେଖି ଗୁଡ୍ଡୁ ନିରାଶ ହୋଇଗଲା ।

ସେଠାରେ କିଛି ଫୁଲ ଓ ଗଛଗୁଡ଼ିକ ମଉଳିଯିବା ଅବସ୍ଥାରେ ଥିଲେ । ଏହା ଦେଖି ଗୁଡ୍ଡୁ ମାଙ୍କୁ କହିଲା, “ମା, ଦେଖ ଏହି ଉଦ୍ୟାନଟି କିପରି ମୁମୁର୍ଷୁ ଅବସ୍ଥାରେ ପଡ଼ି ରହିଛି” ।

ଗୁଡ୍ଡୁର କଥା ଶୁଣି ମା କହିଲେ, “ଏହା ନିଶ୍ଚିତ ଭାବରେ ଏକ ଦୁଖଦ ଘଟଣା । ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଏହି ବଗିଚା ବହୁତ ବଡ଼ ଏବଂ ସବୁଜିମାରେ ଭରପୂର ଥିଲା” ।

ଆମେ ଏଥିପାଇଁ କିଛି କରିପାରିବା କି ? ଯଦି ଏହି ବଗିଚା ନଷ୍ଟ ହୋଇଯାଏ ତେବେ କୀଟପତଙ୍ଗମାନେ ଆସି ଉପଭୋଗ କରିପାରିବେ ନାହିଁ ବୋଲି ଗୁଡ୍ଡୁ କୋହଭରା କଣ୍ଠରେ କହିଲା ।

Guddu and Nature

ଏହାପରେ ଗୁଡ୍ଡୁର ମା’ ପାର୍କର ଜଣେ ସୁରକ୍ଷାକର୍ମୀଙ୍କ ନିକଟକୁ ଯାଇ କିଛି ସମୟ ତାଙ୍କ ସହ କଥାବାର୍ତ୍ତା କଲେ । ଗୁଡ୍ଡୁ ସେହି ସମୟରେ ସେଇ ଶୁଖିଲା ବଗିଚାକୁ ଦେଖି ମନ ଦୁଖ କଲା ଏବଂ ସେ ସ୍ୱପ୍ନର ଦେଖିଥିବା ଉଦ୍ୟାନର ଶୋଭାରାଜିକୁ ମନେପକାଇଲା । ଯଦି ସେ ଏହି ନଷ୍ଟ ହୋଇ ଯାଉଥିବା ବଗିଚା ପାଇଁ କିଛି କରିପାରନ୍ତା ତେବେ ସେ ବହୁତ ଖୁସିରେ ତାହା କରନ୍ତା । ଏ ସମ୍ପର୍କରେ ମା’ ଗୁଡ୍ଡୁକୁ କହିଲେ, “ଗୁଡ୍ଡୁ, ଏହି ଉଦ୍ୟାନକୁ ପୁନରୁଦ୍ଧାର କରିବାକୁ ଆମକୁ ଅନୁମତି ରହିଛି । ‘’

ଏହା ଶୁଣି ଗୁଡ୍ଡୁ ଖୁସି ହୋଇ କହିଲା, “ଏହା ଚମତ୍କାର, ମା ! ଆମେ ଏହି କାର୍ଯ୍ୟ କେବେ ଆରମ୍ଭ କରିବା ବୋଲି ଉତ୍ସାହିତ ହୋଇ ପଚାରିଲା ।

“ଆସନ୍ତାକାଲିଠାରୁ ବୋଲି ମା’ କହିଲେ ! ତେବେ ଆଜି ଆମେ ନର୍ସରୀକୁ ଯାଇ କିଛି ଉଦ୍ଭିଦ ଏବଂ ଫୁଲ ଚାରା ଏଠାକୁ ଆଣିପାରିବା ବୋଲି ମା’ ଉତ୍ତର ଦେଲେ ।

ତା’ପରେ ଦୁହେଁ ନର୍ସରୀକୁ ଯାଇ ସେହି ବଗିଚାକୁ ପୁନରୁଦ୍ଧାର କରିବା ପାଇଁ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ଆଣିଲେ ।

ପରଦିନ ସେମାନେ ସବୁକିଛି ଆଣି ବଗିଚାକୁ ନେଇଯିବେ ବୋଲି ଚିନ୍ତା କଲେ । ଏହାକୁ ନେଇ ଗୁଡ୍ଡୁ ବେଶ୍ ଉତ୍ସାହିତ ଥିଲା, ତେଣୁ ସେ ପରଦିନ ସଅଳ ଉଠି ନିଜ ମାଆଙ୍କ ସହ ନର୍ସରୀକୁ ଗଲା ।

ବୃକ୍ଷରୋପଣ ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ଆଣିବା ସହିତ ସେମାନେ ଉଦ୍ୟାନରେ ପହଞ୍ଚି ତୁରନ୍ତ କାମ ଆରମ୍ଭ କରିଦେଲେ । ଗୁଡ୍ଡୁ ଏବଂ ତା’ ମା’ ଖୁସି ହୋଇ କାମ କରୁଥିଲେ । କାରଣ ସେମାନେ ଜାଣିଥିଲେ ଏହି ନିଷ୍ପତ୍ତି ସର୍ବୋତ୍ତମ ଅଟେ |

ଗୁଡ୍ଡୁ କିଛି ବୀଜ ବପନ କରୁଥିଲା ଏବଂ ତା’ ମା’ ସୁନ୍ଦର ଚାରା ରୋପଣ କରୁଥିଲେ । ସେଇ ବଗିଚା ଦେଇ ଯାଉଥିବା ବା ଅତିକ୍ରମ କରୁଥିବା ସମସ୍ତେ ଏହି କାର୍ଯ୍ୟକୁ ଦେଖୁଥିଲେ ।

ହଠାତ ସେଇ ପାର୍କ ମଧ୍ୟରେ ଯାଉଥିବା ଜଣେ ମହିଳା ପଚାରିଲେ – ଏଠାରେ କଣ ହେଉଛି ?

ଏହା ଶୁଣି ଗୁଡ୍ଡୁ ର ମା’ କହିଲେ, - “ମୁଁ ଏବଂ ମୋ’ ପୁଅ ଏହି ବଗିଚାକୁ ଫୁଲ ଏବଂ କୀଟପତଙ୍ଗରେ ପରିପୂର୍ଣ୍ଣ ଦେଖିବାକୁ ଚାହୁଁ । ତେଣୁ ଆମେ ବଗିଚାକୁ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଛୁ ।

“ଏହା ଚମତ୍କାର! ଏଥିନିମନ୍ତେ ମୁଁ କିଛି ସାହାଯ୍ୟ କରିପାରିବି କି ବୋଲି ଉକ୍ତ ମହିଳା ଜଣକ ପଚାରିଲେ । ମୋ ଘରେ କିଛି ଗଛ ଅଛି, ଆଉ ମୋ ଘର ଏଇ ନିକଟରେ, ମୁଁ ତୁରନ୍ତ ଯାଇ ଆଣି ଆସୁଛି କହି ମହିଳା ଜଣକ ଚାଲିଗଲେ ।

କିଛି ସମୟ ପରେ, ମହିଳାଜଣକ କିଛି ଗଛ ଓ ଚାରା ସହିତ ଆସିଲେ । ସଙ୍ଗେ ସଙ୍ଗେ ସେଇ ସମସ୍ତ ଗଛ ଓ ଚାରାକୁ ରୋପଣ କଲେ । ଏହି ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଗୁଡ୍ଡୁ ସେମାନେ କରିଥିବା କାର୍ଯ୍ୟ ପାଇଁ ଗର୍ବ ଅନୁଭବ କଲା । କିଛି ଦିନ ଅନ୍ତରରେ ଯେତେବେଳେ ସେମାନେ ପୁଣି ଥରେ ସେହି ଉଦ୍ୟାନକୁ ଆସିଲେ, ସେତେବେଳେ ନୂତନ ବୃକ୍ଷ ସହ ଉକ୍ତ ଉଦ୍ୟାନଟି ସତେ ଯେମିତି ଜୀବନ୍ୟାସ ପାଇଁ ଖୁସିରେ ଝୁଲୁଥିବାର ଦେଖାଗଲା ।

ଗୁଡ୍ଡୁ ସେଇ ବଗିଚାକୁ ଦେଖି ଖୁସି ହେଲା । ସେଇ ବଗିଚାରେ ଅଧିକ ନୂଆ ପ୍ରଜାତିର କୀଟପତଙ୍ଗ ସବୁ ଉଡ଼ି ବୁଲୁଥିଲେ, ଯାହାକୁ ଦେଖି ଗୁଡ୍ଡୁ ଖୁସି ହୋଇଗଲା । ପ୍ରତି ମାସ ଗୁଡ୍ଡୁ ଆଉ ତା ମା’ ସେଇ ବଗିଚାକୁ ଯାଇ କିଛି ନୂଆ ଫୁଲ ଗଛ ଆଉ ଚାରା ରୋପଣ କରୁଥିଲେ । ବଗିଚାଟି ପୁନର୍ଜୀବିତ ହୋଇଯିବା ପରେ ବହୁ କୀଟ ପତଙ୍ଗ ଆସି ସବୁଜିମାକୁ ଉପଭୋଗ କରିବାକୁ ଲାଗିଲେ । ଏହା ଗୁଡ୍ଡୁକୁ ବହୁତ ଖୁସି ପ୍ରଦାନ କରୁଥିଲା ।