ଏଥର ଉତ୍ସ ଫାଉଣ୍ଡେସନ୍ ଅଫ୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ୱରର ରେସିଡେନ୍ସିରେ ଯୋଗ ଦେଇଥିଲେ ଯୁବଶିଳ୍ପୀ ଗୋପାଳକୃଷ୍ଣ ଜେନା । ମାତ୍ର ୨୦ ଦିନ ଅବଧିରେ ସେ ପ୍ରସ୍ତୁତ କରିଥିଲେ ଚାରି ଚାରିଟି ଭାସ୍କର୍ଯ୍ୟ । ଗୋପାଳ ଅନେକ ବର୍ଷ ହେଲାଣି ଧାନ ଗଛର ନଡ଼ାରେ ତାଙ୍କ କଳାକୃତି ପ୍ରସ୍ତୁତ କରୁଛନ୍ତି । ଏଥର ମଧ୍ୟ ସେ ସେଇ ନଡ଼ାରେ ହିଁ କରିଛନ୍ତି ତାଙ୍କ କାମ । ଭଦ୍ରକ ବନ୍ତ ଛକରୁ ୧୦ କିଲୋମିଟର ଗଲେ ପଡ଼ିବ ଆଡ଼ିଆ ଗାଁ । ସେଇଠି ଶିଳ୍ପୀ ଗୋପାଳକୃଷ୍ଣଙ୍କର ଜନ୍ମ ମେ ୨୫, ୧୯୮୯ରେ । ପିଲାବେଳୁ ଚିତ୍ର ଆଙ୍କିବା ଲାଗି ଶିକ୍ଷକମାନଙ୍କର ସେ ବେଶ୍ ପ୍ରିୟ ଥିଲେ । ସନ୍ଧ୍ୟା ହେଲେ ଘର ପାଖ ଓ ପାଖ ସାହିମାନଙ୍କଠୁ ଆରମ୍ଭ କରି ସ୍କୁଲ୍ ର ଶିକ୍ଷକମାନଙ୍କ ପର୍ଯ୍ୟନ୍ତ ଆସି ପହଞ୍ଚି ଯାଆନ୍ତି ଗୋପାଳଙ୍କ ପାଖରେ ନିଜ ନିଜ ଟି.ଏଲ୍.ଏମ୍ ଖାତା ଧରି । ବରାଦ ଥାଏ ଲେସନ୍ ପ୍ଲାନ୍ ମାନଙ୍କ ପାଇଁ ଚିତ୍ର କରିବାର ।

ଗୋପାଳଙ୍କର କିନ୍ତୁ ବିଶେଷ ରୁଚି ଥିଲା ଭାସ୍କର୍ଯ୍ୟରେ । ଗଣେଷ ପୂଜା, ଦୁର୍ଗାପୂଜା, ରଜ ଆଦି ବିଭିନ୍ନ ଅବସରରେ ଗାଁ ରେ ମୂର୍ତ୍ତି ଗଢ଼ା ହେବାର ମନେଥିବ ଅନେକଙ୍କର । ଗୋପାଳଙ୍କ ଗାଁ ରେ ବି ହୁଏ । ଆଖପାଖ ଗାଁ ରୁ ଆସନ୍ତି ମୂର୍ତ୍ତିକାରମାନେ । ଗୋପାଳ ଘରୁ ବାହାରି ସ୍କୁଲ୍ ଯିବା ବାଟରେ ପଡେ଼ ହରିହାଟ ଘର, ଯେଉଁଠି ମୂର୍ତ୍ତିକାରମାନେ ଦିନରାତି ଲାଗି ତିଆରି କରୁଥା’ନ୍ତି ମୂର୍ତ୍ତି । ସେମାନଙ୍କୁ ଦେଖିଦେଲା ପରେ ସେଇ କେତେ ଦିନ ଗୋପାଳଙ୍କର ସ୍କୁଲ୍ ଯିବା ବନ୍ଦ ଜାଣ ନିଶ୍ଚୟ । ବହି ବସ୍ତାନୀ ହରିହାଟ ଘର ବାରଣ୍ଡାରେ ଥୋଇଦେଇ ଏକ ଲୟରେ ଅନେଇ ରହନ୍ତି ଗୋପାଳ ମୂର୍ତ୍ତିକୁ, ନିରେଖି ଦେଖନ୍ତି ମୂର୍ତ୍ତି ଗଢ଼ା କୌଶଳ । ପଚାରନ୍ତି, ‘ମୁଁ ଟିକେ ସାହାଯ୍ୟ କରିବି କି ?’ ପିଲାଟିର ଆଗ୍ରହ ଦେଖି ମୂର୍ତ୍ତିକାରମାନେ ପ୍ରଥମେ ପ୍ରଥମେ ତାଙ୍କ ହାତକୁ ନଡ଼ା, ମାଟି, ଝୋଟ ଦଉଡ଼ି ଆଦି ବଢେ଼ଇ ଦେବାକୁ ଗୋପାଳଙ୍କୁ କୁହନ୍ତି । ପରେ ପରେ ମାଟି ଚକଟା, ନଡ଼ା ବନ୍ଧା ଆଦି କାମ । ତଥାପି ମନ ବୁଝେନି ଗୋପାଳଙ୍କର । କୁହନ୍ତି, ‘ପାଖ ଆଖ ଗାଁ କୁ ଆପଣମାନେ ଯେତେବେଳେ ଯାଉଛନ୍ତି ସେତେବେଳେ ମୋତେ ଟିକେ ସାଙ୍ଗରେ ନିଅନ୍ତେନି ?’ ପିଲାଟିର ଆଗ୍ରହରେ ପାଣି ପକେଇବାର ଇଚ୍ଛା ହୁଏନି ମୂର୍ତ୍ତିକାର ମାନଙ୍କର । ସେମାନେ ‘ହଁ’ ଭରନ୍ତି ଗୋପାଳଙ୍କ କଥାରେ । ନିଜ ଆଗ୍ରହର କାମ କରିବାରେ ଓ ଶିଖେଇବାରେ ସେମାନଙ୍କର ଆନନ୍ଦ । ପ୍ରକୃତ ଶିକ୍ଷକଟିଏ ସବୁବେଳେ ଏମିତି । ପିଲାର ଆଗ୍ରହକୁ ମାର୍ଗଦର୍ଶକଟିଏ ପରି ଖାଲି ଯାହା ବାଟ କଢ଼େଇ ନିଏ ସିଏ । ଆମ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷଣ ପ୍ରକ୍ରିୟାରେ ଯଦିଓ ଏମାନଙ୍କ ସଂଖ୍ୟା ନଥିବା ପରି ।

Gopal Krushna Jena

ଗୋପାଳ ବଡ଼ ଖୁସିରେ ଯାଆନ୍ତି ଆଖପାଖ ଗାଁ କୁ ମୂର୍ତ୍ତିକାର ମାନଙ୍କ ସହ । ମୂର୍ତ୍ତି ଗଢ଼ା ଦେଖନ୍ତି, ଶିଖନ୍ତି ଆଉ ସାହାଯ୍ୟ ବି କରନ୍ତି । ତାପରେ ପରେ ବିଭିନ୍ନ ପୂଜା ପର୍ବାଣୀରେ ସ୍କୁଲ୍ ରେ ହିଁ ଗଢ଼ିବା ଆରମ୍ଭ କରନ୍ତି ସରସ୍ୱତୀ, ଗଣେଷ ଆଦିଙ୍କର ମୂର୍ତ୍ତି । ପ୍ରଶଂସା ପାଆନ୍ତି ବି ଅନେକ । ଗୋପାଳଙ୍କୁ କିନ୍ତୁ ସବୁବେଳେ ପ୍ରଥମେ ନଡ଼ାରେ ତିଆରି ହେଉଥିବା ମୂର୍ତ୍ତିର ଛାଞ୍ଚଟି ହିଁ ସବୁଠୁ ବେଶୀ ଆକର୍ଷିତ କରେ, ସମ୍ପୂର୍ଣ୍ଣ ମନେହୁଏ, ଅରିଜିନାଲ୍ ଲାଗେ । ଗୋପାଳଙ୍କ କଳାକର୍ମ ଏଇ ବିନ୍ଦୁରୁ ହିଁ ଆରମ୍ଭ ହୋଇଛି । ଏଥିସହିତ ଚାଷୀ ଘରର ପିଲା ସିଏ । ଆଜନ୍ମ ଚାଷ ସହ ପରିଚିତ । ଏବେବି ପ୍ରତିବର୍ଷ ନିଜେ ଚାଷ କରନ୍ତି ଘର ଜମିରେ । ବଖରା ଦିଅନ୍ତିନି । ଚାଷ ବାଷ ସହ ଆତ୍ମିକ ସମ୍ପର୍କ ବି ରହିଛି ତାଙ୍କର, ରହିଛି ନିଜସ୍ୱ ପରିଚୟ । ସେଥିପାଇଁ ତାଙ୍କୁ ନଡ଼ାରେ କାମ କରିବାକୁ ବୋଧହୁଏ ସହଜ ଲାଗେ ।

ମୂର୍ତ୍ତି ଗଢ଼ାରେ ଆଗ୍ରହ, ଉତ୍କଣ୍ଠା ଭିତରେ ସରିଗଲା ସ୍କୁଲ୍ ଶିକ୍ଷା । ପରେ କ’ଣ ପଢ଼ିବେ ସେ ନେଇ କିଛି ସ୍ଥିର ହୋଇନଥାଏ । ଆର୍ଟ କଲେଜ୍ ଥାଏ ଓ ସେଠାରେ ଏସବୁ ବିଷୟରେ ଆହୁରି ଅଧିକ ପଢ଼ି ହୁଏ ବୋଲି ସେତେବେଳେ ନା ଗୋପାଳ ଜାଣିଥିଲେ ନା ତାଙ୍କ ବାପା ମାଆ । ତାଙ୍କର କାମ ଓ ଚିତ୍ର ସହ ଭାସ୍କର୍ଯ୍ୟରେ ଥିବା ଆଗ୍ରହକୁ ଦେଖି ମୂର୍ତ୍ତିକାରମାନେ ହିଁ ତାଙ୍କୁ ବତେଇଦେଲେ ବାଟ । ଜଣେଇଲେ ଆର୍ଟ କଲେଜ ବିଷୟରେ । ବାପା ନାରାୟଣ ଚନ୍ଦ୍ର ଓ ମାଆ ରାଧାରାଣୀଙ୍କର କୌଣସି ଆପତ୍ତି ନଥିଲା ଗୋପାଳଙ୍କ ଚିତ୍ରଶିକ୍ଷାରେ । ସେମାନେ ଗୋପାଳଙ୍କୁ ସବୁମତେ ସହଯୋଗ କରିଛନ୍ତି ସବୁବେଳେ ।

Gopal Krushna Jena

ଖଲ୍ଲିକୋଟ କଲେଜରେ ପଢ଼ିବାକୁ ଚାହୁଁଥିଲେ ବି ଆର୍ଥିକ ଦିଗରୁ ତାହା ସମ୍ଭବ ହୋଇପାରିନଥିଲା ଗୋପାଳଙ୍କ ପକ୍ଷେ । ତେଣୁ ମୂର୍ତ୍ତିକାର ଜଣକ ତାଙ୍କୁ ନେଇଯାଇଥିଲେ ଭଦ୍ରକ ସ୍ଥିତ ଚାରୁକଳା ମହାବିଦ୍ୟାଳୟକୁ । ସାଙ୍ଗରେ ଯାଇଥିଲେ ବି ବାପା ନାରାୟଣ ଚନ୍ଦ୍ର । ସେଇ ଭଦ୍ରକ କଲେଜ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟରେ ୨୦୦୯ରେ ଚାରୁକଳାରେ ସ୍ନାତକ କରିବା ପାଇଁ ଯୋଗଦେଲେ ଗୋପାଳ । ସେଠାରୁ ପଢ଼ା ସାରି ଆସିଲେ ଉତ୍କଳ ୟୁନିଭର୍ସିଟି ଅଫ୍ କଲଚର୍ କୁ ସ୍କଲପ୍ଚର୍ ରେ ସ୍ନାତକୋତ୍ତର କରିବା ପାଇଁ ୨୦୧୩ରେ । ଏଠାରେ ଆସି ବ୍ରୋଞ୍ଜ, ଆଇରନ୍, ପ୍ଲାଷ୍ଟିକ୍ ଆଦି ବିଭିନ୍ନ ଜିନିଷରେ କେମିତି ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଭାସ୍କର୍ଯ୍ୟ କରୁଛନ୍ତି ତାହା ଦେଖିଲେ । ଦେଖିଲେ ବି ଏସବୁ କରିବା ଲାଗି କେତେ ଅଧିକ ଖର୍ଚ୍ଚ ହେଉଛି, କେତେ କେତେ ପ୍ରଦୂଷିତ ହେଉଛି ପରିବେଶ । ଦିନ ଦିନ ଧରି ଭାସ୍କର୍ଯ୍ୟଗୁଡ଼ିକ ଜାଗା ମାଡ଼ି ବସିବା ସହ ବାୟୋଡିଗ୍ରେଡେବଲ୍ ହୋଇନଥିବାରୁ କେମିତି ପୁଣି ତିଆରି ହେଉଛି ଅଳିଆ । ତେଣୁ ସବୁପ୍ରକାର ଉପାଦାନକୁ ନେଇ କଳାକୃତି କରିବା ଶିଖିଥିଲେ ବି ସେ ବାଛିନେଲେ ନଡ଼ା ଓ ଝୋଟ ଦଉଡ଼ି ନିଜ କଳାକର୍ମ ସୃଷ୍ଟି ପାଇଁ । ଏସବୁରୁ ନା ପରିବେଶ ପ୍ରଦୂଷିତ ହେବ, ନା ପଡ଼ିରହିବ ଏସବୁ ବର୍ଷ ବର୍ଷ ଧରି । ସବୁଦିନ ନୂଆ କରି କଳା କ୍ଷେତ୍ରକୁ ଆସୁଥିବା ଶିଳ୍ପୀମାନଙ୍କୁ ନିଜ ସୃଜନଶୀଳତା ପ୍ରଦର୍ଶିତ କରିବା ପାଇଁ ଜାଗାର ଅଭାବ ବି ରହିବନି, ଯେଉଁ ଅଭାବ ସେ ପଢ଼ିବା ବେଳେ ଅନୁଭବ କରିଥିଲେ ।

ଓଡ଼ିଶା ଲଳିତକଳା ଏକାଡେମୀ, ବୈତରଣୀ ମହୋତ୍ସବ, ଶାଳନ୍ଦୀଶ୍ରୀ, ଯାଜପୁର ଚିତ୍ରକଳା ଏକାଡେମୀ ଆଦି ବିଭିନ୍ନ ଜାଗାରେ ପୁରସ୍କୃତ ହୋଇଥିବା ଗୋପାଳଙ୍କର ଏବେ ନିଜ ଗାଁରେ ଥିବା ଘରେ ର‌ହିଛି ନିଜସ୍ୱ ଷ୍ଟୁଡିଓ ସ୍ପେସ୍ । ସେଇଠି ସେ ନିଜର କଳାଭ୍ୟାସ ଜାରି ରଖିଛନ୍ତି । କଳାଭ୍ୟାସ ପାଇଁ ଯେ ନିହାତି ସହରରେ ରହିବା ଆବଶ୍ୟକ, ଷ୍ଟୁଡିଓ ସ୍ପେସ୍ ନେବା ଆବଶ୍ୟକ ଓ ବହୁ ଅର୍ଥ ବ୍ୟୟ କରି କଳାକୃତି ପାଇଁ ମେଟେରିଆଲ୍ କିଣିବା ଆବଶ୍ୟକ ସେସବୁ ଧାରଣାକୁ ସେ ଭୁଲ୍ ପ୍ରମାଣିତ କରି ପାରିଛନ୍ତି । ଦିଲ୍ଲୀ, ଭୁବନେଶ୍ୱର ଓ ଯୋଧପୁର ଆଦି ବିଭିନ୍ନ ସହରକୁ ସେ ଭାସ୍କର୍ଯ୍ୟ କରିବା ପାଇଁ ସମୟ ସମୟରେ ଯାହା ଯାଆନ୍ତି । ତାଙ୍କର କଳାକୃତିଗୁଡ଼ିକ ସବୁବେଳେ ସେଇ ମୂର୍ତ୍ତି ତିଆରି ପ୍ରକ୍ରିୟାରୁ ହିଁ ପ୍ରଭାବିତ । ଆକାର, ପ୍ରକାର ରୂପ ବଦଳିଯାଏ କେବଳ । ପ୍ରକ୍ରିୟା ଓ ଉପାଦାନ ସବୁବେଳେ ସମାନ ଥାଏ କିନ୍ତୁ । ଚାଷ ସହ ଜଡ଼ିତ ଥିବାରୁ ବିଲବାଡ଼ିରେ ନିତିପ୍ରତି ଦେଖୁଥିବା ନଡ଼ା, ବାଉଁଶ, ଝୋଟଦଉଡ଼ିରେ ତିଆରି ପାଳଭୂତର ସ୍କଲ୍ପଚରାଲ୍ ଫର୍ମ ବି ତାଙ୍କ ଅବଚେତନକୁ ନିଶ୍ଚୟ ପ୍ରଭାବିତ କରିଥିବ ବୋଲି ମୋର ଅନୁମାନ ।

ଆମ ଦେବା-ଦେବୀମାନଙ୍କ ମୂର୍ତ୍ତି ଗଢ଼ିଲା ବେଳେ କାରିଗରମାନେ ଘଟଣାକୁ ଗୋପନ ରଖିବାକୁ ଚେଷ୍ଟା କରନ୍ତି ସବୁବେଳେ । ମୂର୍ତ୍ତି ଗଢ଼ା ସମ୍ପୂର୍ଣ୍ଣ ହେଲା ପରେ ଓ ସେମାନଙ୍କ ଚକ୍ଷୁଦାନ ହେଲାପରେ ଯାଇଁ ସାଧାରଣରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦିଆଯାଏ । ଦେବା ଦେବୀ ମାନଙ୍କ ମୂର୍ତ୍ତି ଗଢ଼ାରୁ ଆପଣା କଳାଶିକ୍ଷାର ଖଡ଼ିଛୁଆଁ କରିଥିବା ଗୋପାଳ ମୂର୍ତ୍ତି ଗଢ଼ାର ପୁରା ପ୍ରକ୍ରିୟାକୁ କିନ୍ତୁ ଅନୁସରଣ କରନ୍ତିନି । ସେ ତାଙ୍କ ଭାସ୍କର୍ଯ୍ୟରେ କେବଳ ନଡ଼ାବନ୍ଧା ପର୍ଯ୍ୟନ୍ତ ଯାଇ ଅଟକି ଯାଆନ୍ତି । ଏକମାଟିଆ, ଦୋମାଟିଆ ଓ ବନକଲଗି ପର୍ଯ୍ୟନ୍ତ ସେ ଯାଆନ୍ତିନି । ଗୋଟିଏ ବର୍ଷ ପୁରୁଣା ପରମ୍ପରାରୁ କୌଶଳ ଆହରଣ କରି ସେ ତାକୁ ଭିନ୍ନ ଭାବରେ ପରିବେଷଣ କରିଦିଅନ୍ତି । କାରିଗରଙ୍କ ଗୋପନୀୟତାକୁ ଏକପ୍ରକାର ଦର୍ଶକଙ୍କ ଆଗରେ ଖୋଲିଦିଅନ୍ତି ।

ଏଥର ଉତ୍ସ ରେସିଡେନ୍ସିରେ ଶିଳ୍ପୀ ଗୋପାଳ ନଡ଼ାରେ କିପରି ବିଭିନ୍ନ ଫର୍ମ କରିହେବ ତାହା ପରୀକ୍ଷାନୀରିକ୍ଷା କରିଥିଲେ । ସରଳ ଜୀବନ ଶୈଳୀ ତାଙ୍କର, ସରଳ ତାଙ୍କ ଚିନ୍ତାଧାରା । କଳାକୃତି ପ୍ରସ୍ତୁତି ବେଳେ ଲକ୍ଷ୍ୟ ତାଙ୍କର ଥିଲା ପରିବେଶକୁ କେମିତି ପ୍ରଦୂଷିତ ନକରିବେ, ପରିବେଶରେ ପଡ଼ି ରହିଥିବା ଜିନିଷର କେମିତି ସଦୁପଯୋଗ କରିବେ ଓ ସର୍ବଶେଷରେ ଦର୍ଶକଙ୍କୁ ସୁନ୍ଦର ଲାଗୁଥିବା କଳାକୃତିଟିଏ କିପରି ଭେଟି ଦେବେ । ସେଥିରେ ସେ ସଫଳ ବି ହୋଇଛନ୍ତି।

ତାଙ୍କର କଳାକୃତିମାନ ଦେଖିବା ପରେ ମୋର କିନ୍ତୁ ମନେହେଲା ଭାରତୀୟ ଦର୍ଶନର ପଞ୍ଚଭୂତ ଯେମିତି ରୂପ ପାଇଛନ୍ତି ସେସବୁରେ । ଏ ସମଗ୍ର ବ୍ରହ୍ମାଣ୍ଡ ସେଇ ପଞ୍ଚଭୂତରୁ ତିଆରି । ପଞ୍ଚଭୂତ ମଧ୍ୟରେ ଅଗ୍ନିର ବିଶେଷ ଭୂମିକା ରହିଛି । ବେଦରେ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅନେକ ସୂକ୍ତ ମଧ୍ୟ ରହିଛି । ଗୋଟେ ଅଲୋଡ଼ା ଗଛଗଣ୍ଡିରେ ଆକାଶ ଆଡ଼କୁ ଉଦ୍ଧ୍ୱାର୍ୟିତ ଅଗ୍ନି ଶିଖା ପରି ନଡ଼ାରେ ତିଆରି ଆକାର ସବୁ ରହିଛନ୍ତି । ପ୍ରବଳ ଦହନକାରିକା ଶକ୍ତିସମ୍ପନ୍ନ ନଡ଼ାରେ ଅଗ୍ନିଶିଖାକୁ ରୂପ ଦେବା ଏକ ଚମତ୍କାର ପରିଯୋଜନ । ଜଳ ପାଇଁ ଅଛି ନଡ଼ା ତିଆରି ଗୋଟେ ବିଶାଳ ଅକ୍ଟୋପସ୍ । ଉପକୂଳବର୍ତ୍ତୀ ଓଡ଼ିଶାକୁ ଘେରିରହିଥିବା ଚାରିଶହ କିଲୋମିଟରରୁ ଅଧିକ ସମୁଦ୍ର ସହ ଯେମିତି ତାହା ସମ୍ପର୍କିତ । ସେମିତି ଆକାଶର ପ୍ରତିନିଧି ଭାବରେ ସେ ତିଆରି କରିଥିବା ଉଡ୍ଡୀୟମାନ ରାଜ ହଂସକୁ ନିଆଯାଇପାରେ । ମହୁମାଛି କରୁଛି ବାୟୁର ପ୍ରତିନିଧିତ୍ୱ । ଭାସ୍କର୍ଯ୍ୟମାନେ ଆଶ୍ରୟ ନେଇଥିବା ଆଧାରମାନଙ୍କୁ ପୃଥିବୀର ପ୍ରତିନିଧି ଭାବରେ ଅବସ୍ଥାପିତ କରିଦେଲେ ପଞ୍ଚଭୂତ ଚକ୍ର ସମ୍ପନ୍ନ ହେଉଛନ୍ତି । ଉଦାହରଣ ଭାବରେ ଯେମିତି ଉଦ୍ଧ୍ୱାର୍ୟିତ ଅଗ୍ନି ଶିଖା ଆଧାର କରିଥିବା ପୁରୁଣା ଗଛର ଗଣ୍ଡିକୁ ନିଆଯାଇପାରେ ।

Gopal Krushna Jena

ନିଜର କଳାକୃତି ପ୍ରସ୍ତୁତି ପାଇଁ ଗୋପାଳ ଚୟନ କରିଥିବା ଉପାଦାନ ଗୁଡ଼ିକ ମଧ୍ୟ ସ୍ୱତନ୍ତ୍ର । କାଠଗଣ୍ଡି, ନଡ଼ା, ଝୋଟ ଦଉଡ଼ି ଆଦି ବାୟୋଡିଗ୍ରେଡେବଲ୍ ଜିନିଷରେ ସସସ୍ତ କଳାକୃତି ପ୍ରସ୍ତୁତ କରିଥିବା ବେଳେ ଅଧିକ ଦିନ ରହିପାରିବା ପାଇଁ ଛୋଟ ମହୁମାଛିଟିରେ ସେ ଅଳ୍ପ କିଛି ରେଜିନ୍ ବ୍ୟବହାର କରିଛନ୍ତି । ଏଥିସହିତ ଉତ୍ସ ପରିସରରେ ପଡ଼ିଥିବା କିଛି ଲୁହା ଖଣ୍ଡ ଓ ଆଲୁମିନିୟମ୍ ପାଇପ୍ କୁ କେବଳ ଡିସପ୍ଲେ ପାଇଁ ବ୍ୟବହାର କରିଛନ୍ତି । କରୋନାର ଦ୍ୱିତୀୟ ଲହରୀ ପାଇଁ ଓପନ୍ ହାଉସ୍ ହୋଇପାରି ନଥିଲେ ବି କଳାକୃତିଗୁଡ଼ିକ ଉତ୍ସ ପରିସରରେ ସାଇତା ହୋଇ ରହିଛି । ଚାହିଁଲେ ଆପଣମାନେ ପରେ ଯାଇ ଦେଖିପାରିବେ ।

Gopal Krushna Jena