Source: Twitter

ଭାରତୀୟ ସିନେ ଜଗତର ସୌନ୍ଦର୍ଯ୍ୟ ଦେବୀ ମଧୁବାଲା ଅଭିନୟ ଆଉ ନିଜର ସୁନ୍ଦରତା ପାଇଁ କେବଳ ଭାରତରେ ନୁହେଁ ବରଂ ବିଶ୍ୱବ୍ୟାପି ଧ୍ୟାନ ଆକର୍ଷଣ କରିଥିଲେ । ହିନ୍ଦୀ ସିନେମା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ମଧୁବାଲା । ତାଙ୍କର ସୌନ୍ଦର୍ଯ୍ୟ ଓ ଅଭିନୟ ତାଙ୍କୁ ବଲିଉଡର ମାର୍ଲିନ ମୁନରୋ ବୋଲି ପରିଚୟ ଦେଇଥିଲା । ୫୦-୬୦ ଦଶକର ଗ୍ଲାମରସ ତଥା ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଥିଲେ ମଧୁବାଲା । ତାଙ୍କର ସୁନ୍ଦର ଚେହେରା ସାଙ୍ଗକୁ ଚମତ୍କାର ଅଭିନୟରେ ସେ ଦର୍ଶକଙ୍କୁ ଦିଓ୍ୱାନା କରିଥିଲେ । ୫୦-୬୦ ଦଶକରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ତଥା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଚଳଚ୍ଚିତ୍ର ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ ମଧୁବାଲା । ତାଙ୍କର ଚମତ୍କାର ଅଭିନୟ ସହିତ ଅପରୂପ ସୌନ୍ଦର୍ଯ୍ୟ ତାଙ୍କୁ ‘କୁଇନ୍ ଅଫ ଇଣ୍ଡିଆନ୍‌ ସିନେମା’ ତଥା ‘ବ୍ୟୁଟି ଅଫ ଟ୍ରାଜେଡି’ର ଆଖ୍ୟା ଦେଇଥିଲା । ସିନେ ସମୀକ୍ଷକମାନେ ତାଙ୍କ ଅଭିନୀତ ସମୟକୁ ସିନେମାର ସୁବର୍ଣ୍ଣ ଯୁଗ ବୋଲି ଅଭିହିତ କରିଛନ୍ତି । ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ପ୍ରେମଦିବସ ଅର୍ଥାତ ଭାଲେଣ୍ଟାଇନ ଡେ’ରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୩୩ ମସିହା ଫେବୃଆରୀ ୧୪ ତାରିଖରେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ମଧୁବାଲାଙ୍କ ଅସଲ ନାମ ମୁମତାଜ ଜହାଁ ଦେହଲବୀ ଥିଲା ।

ଘରର ଆର୍ଥିକ ସ୍ଥିତିକୁ ଦେଖି ସେ କମ୍ ବୟସରୁ ପେଶାଦାର ଅଭିନୟ ଆରମ୍ଭ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ୧୯୪୨ରେ ଫିଲ୍ମ ବସନ୍ତ ଜରିଆରେ ସେ ବଲିଉଡ ଡେବ୍ୟୁ କରିଥିଲେ । ଏଥିରେ ସେ ଶିଶୁ କଳାକାର ରୂପେ ନଜର ଆସିଥିଲେ । ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଦେବିକା ରାନୀ ମଧୁବାଲାଙ୍କ ଅଭିନୟରେ ବହୁତ ପ୍ରଭାବିତ ହେବା ସହିତ ତାଙ୍କ ନାମ ମଧୁବାଲା ଦେଇଥିଲେ ।

୧୯୪୯ ମସିହାରେ କେଦାର ଶର୍ମା ମଧୁବାଲାଙ୍କୁ ମୁଖ୍ୟ ଚରିତ୍ର ପାଇଁ ପ୍ରଥମେ ସୁଯୋଗ ଦେଇଥିଲେ । 'ନୀଲ୍‌ କମଲ୍‌' ଫିଲ୍ମରେ ମଧୁବାଲା ଅଭିନେତା ରାଜ କପୁରଙ୍କ ସହିତ ନଜର ଆସିଥିଲେ । ଏହି ଫିଲ୍ମରେ ମଧୁବାଲାଙ୍କ ଅଭିନୟ ତାଙ୍କୁ ସିନେମାର ସୌନ୍ଦର୍ଯ୍ୟ ଦେବୀ ଭାବରେ ଲୋକପ୍ରିୟ କରାଇଥିଲା । ଏହାର ଦୁଇ ବର୍ଷ ପରେ ମଧୁବାଲା ବମ୍ୱେ ଟକିଜ୍‌ର ଫିଲ୍ମ 'ମହଲ୍‌'ରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ସଫଳତା ପାଇବା ପରେ ମଧୁବାଲା ଆଉ ପଛକୁ ଚାହିଁ ଦେଖି ନ ଥିଲେ । ସେହି ସମୟରେ ସମସ୍ତ ଲୋକପ୍ରିୟ ପୁରୁଷ କଳାକାରଙ୍କ ସହିତ ମଧୁବାଲାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଆସିବାକୁ ଲାଗିଲା ।

ମଧୁବାଲା ୩୦ରୁ ଅଧିକ ହିନ୍ଦୀ ସିନେମାରେ ନାୟିକା ଭୂମିକା ନିଭାଇଥିଲେ । ମଧୁବାଲାଙ୍କ ଶ୍ରେଷ୍ଠ ଫିଲ୍ମ ମଧ୍ୟରେ ରହିଛି ‘ମୁଗ୍‌ଲ-ଏ-ଆଜମ୍‌’ । ୧୯୬୦ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପାଇଁ ମଧୁବାଲାଙ୍କୁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା । ଏହି ଫିଲ୍ମରେ ମଧୁବାଲା ଅନାରକଲି ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ସେ ଘଣ୍ଟା ଘଣ୍ଟା ଲୁହାର ଜଞ୍ଜିରରେ ବାନ୍ଧି ହୋଇ ରହୁଥିଲେ । ୧୦ ବର୍ଷର କଡା ପରିଶ୍ରମ ପରେ ଏଇ ଫିଲ୍ମଟି ପରଦାକୁ ଆସିଥିଲା । ଯାହା ୧୫ ବର୍ଷ ପର୍ଯ୍ୟନ୍ତ ରେକର୍ଡ କରିଥିଲା । ଆଜି ବି ମଧୁବାଲାଙ୍କ ଅନାରକଲି ଚରିତ୍ରଟି ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିଛି ।

ମଧୁବାଲା ତାଙ୍କ ଜୀବନ କାଳ ମଧ୍ୟରେ ବହୁ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ କଳାକାର ମାନଙ୍କ ସହ କାମ କରିଛନ୍ତି । ୧୯୬୨ରେ ‘ହାଫ୍ ଟିକେଟ୍’ ରେ ମଧୁବାଲା ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଥିଲେ। ଏହି ଫିଲ୍ମରେ କିଶୋର କୁମାର ଏବଂ ମଧୁବାଲା ଅଭିନୟ କରିଥିଲେ । ଏହି ଯୋଡ଼ିଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ମଧୁବାଲାଙ୍କ ଫିଲ୍ମମାନଙ୍କ ମଧ୍ୟରେ ‘ହାୱଡା ବ୍ରିଜ୍‌’, ‘ଚଲତି କା ନାମ ଗାଡ଼ି’, ‘ମହଲ’, ‘ଜ୍ୱାଲା’, ‘ବସନ୍ତ’, ‘ଶରାବୀ’, ‘ବୟଫ୍ରେଣ୍ଡ’ ଏବଂ ‘ଜାଲି ନୋଟ’ ଅନ୍ୟତମ । ‘ହାୱଡା ବ୍ରିଜ୍‌’ ରେ ମଧୁବାଲା କ୍ୟାବରେ (cabaret) ଡ୍ୟାନ୍ସର ରୂପେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଅଭିନୟ କରିଥିବା ଏକ ଗୀତ ‘ଆଇଏ ମେହେରବାନ୍ ....’ ଆଜି ବି ବେଶ୍ ଲୋକପ୍ରିୟ ।

କଳାକାରଙ୍କ ପରଦା ଉପରର ଜୀବନୀ ଯେତିକି ଚର୍ଚାରେ ଥାଏ ତା’ଠୁ ଅଧିକ ଚର୍ଚାରେ ରହିଥାଏ ତାଙ୍କ ବାସ୍ତବ ଜୀବନ । ମଧୁବାଲାଙ୍କ ପ୍ରେମ-ଜୀବନ କୁ ନେଇ ଆଜି ବି କଳ୍ପନା ଜଳ୍ପନା ଲାଗିରହିଛି । ମଧୁବାଲା ଅଭିନେତା ତଥା ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ । କିନ୍ତୁ ଦିଲୀପ କୁମାରଙ୍କ ସହ ତାଙ୍କର ଏକ ଦୀର୍ଘ ସମ୍ପର୍କ ଥିଲା । ଫିଲ୍ମ ‘ଜୁଆର ଭଟ୍ଟା’ ରୁ ଦୁହିଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା କିନ୍ତୁ ମଧୁବାଲାଙ୍କ ପିତା ଏହି ସମ୍ପର୍କକୁ ସ୍ୱୀକୃତି ନ ଦେବାରୁ ଦୁହେଁ ବିବାହ କରିପାରିନଥିଲେ । ଏହାପରେ ୧୯୬୦ ମସିହାରେ ମଧୁବାଲା କିଶୋର କୁମାରଙ୍କୁ ବିବାହ କରିଥିଲେ । ମଧୁବାଲାଙ୍କୁ ବିବାହ କରିବା ପାଇଁ କିଶୋର କୁମାର ଧର୍ମ ମଧ୍ୟ ପରିବର୍ତ୍ତନ କରିଥିଲେ ।

ଯଦିଓ ମଧୁବାଲା ହଲିଉଡରେ ପ୍ରଥମ ଭାରତୀୟ ଅଭିନେତ୍ରୀ ନ ଥିଲେ ତେବେ ସେ ହଲିଉଡରେ ପ୍ରଥମ ଭାରତୀୟ ମହିଳା ରୂପେ ନିଜର ଯୋଗଦାନ ଦେଇଛନ୍ତି । ୧୯୫୦ ଦଶକର ପ୍ରାରମ୍ଭରେ, ମଧୁବାଲା ଲୋକପ୍ରିୟ ହେବାପରେ, ପ୍ରସିଦ୍ଧ ଫଟୋଗ୍ରାଫର ଜେମ୍ସ ବୁର୍କ ଭାରତ ଗସ୍ତ କରିଥିଲେ । ସେତେବେଳେ ସେ ଲାଇଫ ମାଗାଜିନ ପାଇଁ ମଧୁବାଲାଙ୍କ ଫଟୋସୁଟ କରିଥିଲେ । ସେ ଆମେରିକୀୟ ମାଗାଜିନ୍ ଥିଏଟର ଆର୍ଟରେ ମଧୁବାଲାଙ୍କ ଫଟୋ ପ୍ରଦର୍ଶନ କରିଥିଲ । ଅଗଷ୍ଟ ୧୯୫୨ ମସିହାରେ, ମଧୁବାଲାଙ୍କ ସମ୍ପର୍କରେ ଏକ ପୂର୍ଣ୍ଣ ପୃଷ୍ଠାର ଫଟୋ ସହିତ ଏକ ଆର୍ଟିକିଲ ସ୍ଥାନ ପାଇଥିଲା । ଏହି ଆର୍ଟିକିଲରେ ଭାରତରେ ମଧୁବାଲାଙ୍କର ଅପାର ଲୋକପ୍ରିୟତା ବିଷୟରେ ବର୍ଣ୍ଣନା କରାଯାଇଥିଲା । ତାଙ୍କୁ ହଲିଉଡ ପାଇଁ ସୁଯୋଗ ବି ମିଳିଥିଲା ମାତ୍ର ତାଙ୍କ ପିତା ଅତୁଲ୍ଲା ଖାନ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ହିନ୍ଦୀ ସିନେମାର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜୀବନରେ ଯନ୍ତ୍ରଣା କିଛି କମ ନଥିଲା । ପ୍ରେମ ଓ ବିବାହକୁ ନେଇ ମଧୁବାଲାଙ୍କ ଜୀବନ ଦୋଛକିରେ ରହିଥିଲା । ମଧୁବାଲା ତାଙ୍କର ପ୍ରଥମ ପ୍ରେମ ଦିଲ୍ଲୀପ କୁମାରକୁ ଭୁଲିପାରିନଥିବା ବେଳେ କିଶୋର କୁମାରଙ୍କ ସହ ତାଙ୍କର ବିବାହକୁ ଠିକରେ ଗ୍ରହଣ କରିପାରିନଥିଲେ । ଜୀବନରେ ଏମିତି ଏକ ମୋଡରେ ସେ ରୋଗାଗ୍ରସ୍ତ ହୋଇପଡିଥିଲେ । ଦୀର୍ଘ ୯ ବର୍ଷ ଧରି ଶର୍ଯ୍ୟାଶାୟୀ ହେବା ପରେ ମାନସିକ ଓ ଶାରୀରିକ ସ୍ତରରେ ସେ ଖୁବ ଭାଙ୍ଗିପଡିଥିଲେ । ତଥାପି ସେ ଫିଲ୍ମ କାର୍ଯ୍ୟରେ ମନୋନିବେଶ କରିଥିଲେ । ନିଜେ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ । ମାତ୍ର ନିଜର ୩୬ ତମ ଜନ୍ମ ଦିବସରେ ସେ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାର ୯ ଦିନ ପରେ ଅର୍ଥାତ ୧୯୬୯ ମସିହା ଫେବୃଆରୀ ୨୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ମଧୁବାଲା ଜଣେ ସଫଳ ଅଭିନେତ୍ରୀ ରୂପେ ଭାରତୀୟ ସିନେମା ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ବିଶ୍ୱବ୍ୟାପୀ ଧ୍ୟାନ ଆକର୍ଷଣ କରିଥିଲା । ମୃତ୍ୟୁର ବହୁ ଦିନ ପରେ ବି ମଧୁବାଲା ଭାରତୀୟ ସଂସ୍କୃତିର ଆଇକନ୍ ଭାବରେ ପରିଚିତି ପାଇଥିଲେ । ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ୨୦୦୮ ମସିହାରେ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ଉପରେ ଏକ ଡାକ ଟିକେଟ ଜାରି ହୋଇଥିଲା । ସେହିପରି ନୂଆଦିଲ୍ଲୀଠାରେ ଥିବା ମ୍ୟାଡାମ ତୁଷାଦ ସେଣ୍ଟରଠାରେ ତାଙ୍କର ଏକ ମହମ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ସର୍ବଦା ସ୍ମୃତିରେ ରହୁଥିବା ତାରକାଙ୍କ ମଧ୍ୟରେ ଅଭିନେତ୍ରୀ ମଧୁବାଲା ଅନ୍ୟତମ ।