ଗର୍ଭାଗ୍ନି, କବି: ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ପ୍ରକାଶକ: ଇଭେଣ୍ଟ୍ସ ବୁକ୍ସ, ଭୁବନେଶ୍ୱର

ଏଇ ମାସେ ଦେଢ଼ ମାସ ତଳେ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ କବିତା ବହି ‘ଗର୍ଭାଗ୍ନି’ର ଅନ୍‌ଲାଇନ୍ ଲୋକାର୍ପଣ ହୋଇଥିଲା ଓ ପୁସ୍ତକ ସମ୍ପର୍କରେ ମତ ରଖିବାକୁ ମୋତେ କୁହାଯାଇଥିଲା । ହେଲେ ଆୟୋଜକ ଓ କବିଙ୍କ ଅନୁସାରେ, ସ୍ୱଭାବସୁଲଭ ଭାବେ ମୁଁ ଏଥିରେ ସାମିଲ ହୋଇପାରିନଥିଲି । ସେ କଥା ଛାଡନ୍ତୁ! ଏଇନା ମୋ ହାତରେ ଏହି ୧୫୨ ପୃଷ୍ଠାର କବିତା ସଂକଳନ, ଯାହାର ପ୍ରକାଶକ ଇଭେଂଟ୍‌ସ୍ ପବ୍ଲିକେଶନ୍‌, ଭୁବନେଶ୍ୱର ଆଉ ଏହାର ମୂଲ୍ୟ ଦେଢ଼ ଶହ ଟଙ୍କା।

ବର୍ତ୍ତମାନର ଓଡିଆ କବିତାରେ ଶୁଭଶ୍ରୀ ଶୁଭସ୍ମିତା ଅପରିଚିତ ନୁହଁନ୍ତି, କବିତାରେ ସେ ସର୍ବତ୍ର ସୁଦୃଶ୍ୟ ଓ ସମପରିମାଣରେ ଆଲୋଚିତ । ନିଜସ୍ୱ ଭାବନା ଓ ତାକୁ ବ୍ୟକ୍ତ କରିବାର ଭଙ୍ଗି ତାଙ୍କୁ ମୋ ଭାଷାର କବିତା-ପାଠକଙ୍କ ନିକଟତର କରିଚାଲିଛି । ଏହି ଖିଅକୁ ଧରି ଆଗେଇଲେ ପହିଲେ ମୋ ମନରେ ଗୋଟେ ପ୍ରଶ୍ନ- ‘ଗର୍ଭାଗ୍ନି’ ପଢ଼ିସାରିବା ଶୁଭଶ୍ରୀ ଶୁଭସ୍ମିତାଙ୍କ ଏହି ଭାବନାଟି କ’ଣ? ସମାନ ପ୍ରଶ୍ନ ଆପଣଙ୍କ ମନରେ ବି ଆସିପାରେ । ଏନେଇ ଆପଣ କଣ ଜବାବ ଦେବେ ଜାଣିନି, ହେଲେ ଏହି ପ୍ରଶ୍ନର ଜବାବ ବହି ପ୍ରଚ୍ଛଦର ପଛପଟେ ପୁସ୍ତକର ପ୍ରକାଶକ (ଇଭେଣ୍ଟସ୍ ପବ୍ଲିକେଶନ୍ ମୁଖିଆ ତଥା ସୁପରିଚିତ କଥାଶିଳ୍ପୀ ପ୍ରକାଶ ମହାପାତ୍ର) ଦେଇ ଦେଇଛନ୍ତି । ତାଙ୍କ କହିବା କଥା ହେଲା - ଏ ବହିର “ଆତ୍ମପ୍ରକାଶ ପଛରେ ଏକ ଅଲିଖିତ ଇତିହାସ ଅଛି, ତାହା ଏକ ବିଦ୍ରୋହ ତଥା ପ୍ରତିକ୍ରିୟାର ଇତିହାସ ଏବଂ ଏହାର କାରଣ ଖୋଜିବାକୁ ଗଲେ କେବଳ ଏତିକି ମିଳିବ ଯେ- ମୋ ଇପ୍‌ସିତ ପୃଥିବୀରେ ମୁଁ ନାହିଁ । ସବୁ ବିଦ୍ରୋହର କାରଣ ବୋଧେ ଇଆଇ।” ଏଠାରେ ପୁଣି ଗୋଟେ ଜାଟି । ସେ ଜାଟିରୁ ପୁନଶ୍ଚ ଏକ ପ୍ରଶ୍ନ, ତାହା ହେଲା - ଏ କବି ବିଦ୍ରୋହୀ ନା ପ୍ରତିକ୍ରିୟାଶୀଳ? ମୁଁ ଜଣେ ପାଠକ ଭାବେ ମୋ ନିଜ କାଟରେ ଏ ବହିକୁ ପଢ଼ିସାରି ମନକୁ ଏକାଧିକ କଥା ଆଣିଲି ଏବଂ ପ୍ରକାଶକ ପ୍ରକାଶଭାଇଙ୍କ କଥା ପାଖରେ ହିଁ ନିଜକୁ ପହଞ୍ଚାଇ ଦେଲି । ଏ କବିତା ବହିରେ ବିଦ୍ରୋହ ଯେତେ, ସେତେ ସେତେ ବାରିହେଉଛି ପ୍ରତିକ୍ରିୟା ।

ଆମ ଚଉପାଖରେ ରାଶି ରାଶି କ୍ରିୟା- ସାନ କ୍ରିୟା, ବଡ କ୍ରିୟା, ଦୃଶ୍ୟମାନ କ୍ରିୟା, ଅଦୃଶ୍ୟ କ୍ରିୟା । ମୋ ଭାଷାରେ କହିଲେ ଚୁଇଁ କ୍ରିୟା, ବୁତ୍‌ରୁ କ୍ରିୟା, ପୋରୁହାଁ କ୍ରିୟା, ମଝିଆ କ୍ରିୟା (ସାନ ମଝିଆ କ୍ରିୟା, ବଡ ମଝିଆ କ୍ରିୟା), କ୍ଷୁଦ୍ର କ୍ରିୟା, ଅତିକ୍ଷୁଦ୍ର କ୍ରିୟା, ସୂକ୍ଷ୍ମ କ୍ରିୟା, ସୂକ୍ଷ୍ମାତିସୂକ୍ଷ୍ମ କ୍ରିୟା ଆଦି ଇତ୍ୟାଦି । ଏଗୁଡିକ ସାମାଜିକ, ବ୍ୟବସ୍ଥାଜନିତ, ଧାର୍ମିକ, ରୁଢ଼ିଗତ, କୁସଂସ୍କାରଜନିତ ଆଉ ଦୃଷ୍ଟିଭଙ୍ଗି ଜନିତ । ଏଭଳି ରାଶି ରାଶି କ୍ରିୟାଙ୍କୁ ସାମ୍ନା କଲାବେଳେ କବି ବେଳେବେଳେ ଟିକେ ପ୍ରତିକ୍ରିୟାଶୀଳ ଲାଗିବା ସ୍ୱାଭାବିକ । ଏହାର ଅନେକ ଉଦାହରଣ ଏହି କବିତା ବହିରୁ ଦେଇହେବ । ତେବେ ବଡକଥାଟି ହେଉଛି, ଏ କବି କୌଣସି କ୍ରିୟାର ପ୍ରତିକ୍ରିୟା ପ୍ରକାଶ କରି ତା ସାମ୍ନାରେ ପବିତ୍ର ସାହସ ଟିକକ ସହ ଛିଡା ହେଲା ବେଳେ ଠଉରିଆ-ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି, ଅର୍ଥାତ୍ ଯାହା କହୁଛନ୍ତି ରୋକଠୋକ୍ ଆଉ କ୍ରିୟାକୁ ବାଧିଲା ଭଳି ।

ଦେଖନ୍ତୁ- (୧) ମୁଁ ବି କବିତା ଲେଖୁଛି,/ ମୋ କବିତାରେ ଦୁଇଟି ତ ଶବ୍ଦ/ ସ୍ତନ ଆଉ ଯୋନି,/ ଲୋକ ନାକ ଟେକୁଛନ୍ତି,/ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛି ଫଟୋ/ ସ୍କ୍ରିନ୍‌ସଟ୍ ବୁଲୁଛି ଇନ୍‌ବକ୍ସ୍‌ରୁ ଇନ୍‌ବକ୍ସ୍ / ହେଲେ ସୁଧୁରି ପାରୁନି ସ୍ତ୍ରୀଲୋକ,/ ସୁଧୁରି ପାରିନି ମୁଁ/ ସୁଧୁରି ପାରୁନି ସମାଜ!

(୨) କିଛି କରିବାର ନାହିଁ,/ ମୁଁ ମା ହେବାକୁ ବାଧ୍ୟ ତୁମର,/ ମୁଁ ଭଉଣୀ ହେବାକୁ ବାଧ୍ୟ ତୁମମାନଂକର/ ମୁଁ ସ୍ତ୍ରୀ ହେବାକୁ ବାଧ୍ୟ ତୁମମାନଙ୍କର/ ମୁଁ ସେସବୁ ସ୍ତ୍ରୀଲିଙ୍ଗ ହେବାକୁ ବାଧ୍ୟ/ ଯାହାକୁ ତୁମେ ଆଦର କର/ ଆଉ ଯାହାଙ୍କଠୁ ତୁମେ ବସ୍ତ୍ର କାଢ଼ିନିଅ/ ସମଗ୍ର ପୃଥିବୀ ଆଗରେ ।

କବି ସବୁବେଳେ କବି । ନାରୀ-କବି ଓ ପୁରୁଷ-କବି ଭିତରେ ବାଛବିଚାର ନଥାଏ । ମାନେ କବି ତ କବି । ବାସ୍ତବରେ କିନ୍ତୁ ଏଭଳି ମାନସିକତାରେ ହୁଏତ ଆମେ ବଞ୍ଚୁନା । ନାରୀ ସମ୍ପର୍କିତ ରଚନା ଲିଖନ ବା ବିମର୍ଶ ନିର୍ମାଣ ବେଳେ ଖରଖର ଏମିତି ଅନେକ କଥା ଲେଖିବାକୁ ବା କହିବାକୁ ହୁଏ । ଏହା ଏକ ପ୍ରଚଳିତ-ପ୍ରପଞ୍ଚ ଓ ଏହା ପଛରେ ଛପି ରହିଛି ଏକ ରାଜନୀତି । (ଏକଥାକୁ ନେଇ ଆପଣ କେହି ଯୁକ୍ତି ଭିଆଇପାରନ୍ତି ବା ଫାନ୍ଦିପାରନ୍ତି, ହେଲେ ଏହା ମୋ ନିଜସ୍ୱ ମତ ।) ଏ ପ୍ରସଂଗରେ ମଧ୍ୟ ଯାବତୀୟ କ୍ରିୟା ହିଁ କାମକରେ ଓ ଜଣେ କବି, ଯିଏ ନାରୀ, ସେ ସଚେତନ ଭାବେ ଏ କାରସାଦିଗୁଡିକ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ବାଧ୍ୟ ହୁଏ, ଯାହା କବି ଶୁଭଶ୍ରୀ ଶୁଭସ୍ମିତାଙ୍କ କ୍ଷେତ୍ରରେ ଘଟିଛି ।

ଏହାର ପରବର୍ତ୍ତୀ କଥାଟି ହେଉଛି, ବିଦ୍ରୋହ । ଶୁଭଶ୍ରୀଙ୍କ ବିଦ୍ରୋହ ବି ସେହି ନିଜେ ଜଣେ ନାରୀ ଭାବରେ । ସେ ଦେବୀ ହେବାକୁ ଚାହାନ୍ତି ନାହିଁ, ମାନବୀର ଉଧ୍ୱରୋହଣ ଚାହାନ୍ତି ନାହିଁ, ସୁଦୁ ମାନବୀଟିଏ ହେବାରେ ତାଙ୍କର ଆନନ୍ଦ । ମାନବୀର ପରିଚୟ ଦେବାକୁ ଯାଇ ସେ ଦେବୀତ୍ୱକୁ ବି ପ୍ରଶ୍ନ କରିବାକୁ ପଛାଇନାହାନ୍ତି । ନାରୀକୁ ଦେବୀ ଭଳି ସଜାଇ ଯେଉଁ କାଂଡକାରଖାନା ଆମର ପ୍ରଚଳିତ, ତାକୁ ନେଇ ଏ କବି ପ୍ରଶ୍ନଖୋର୍‌- “ପୁରୁଷ ପୂଜକ;/ ବିନା ମର୍ଜିରେ ଛୁଇଁ ଦେଉଥାଏ/ ଦେବୀର ଦେହ, ମାର୍ଜନାରେ ଦେବୀ  ଅଥୟ/ ତା’ର ଚିତ୍କାର ସବୁ ଚମତ୍କାର ଭିତରେ ଅଣନିଃଶ୍ୱାସୀ!”

ଆଉ ପଦେ- “ହତ୍ୟା କରି ମୋତେ ଫିଙ୍ଗି ଦେଇ ଆସ!/ ମୋତେ ଯେଉଁଠି ଫିଙ୍ଗିବ/ ମୁଁ ଗଛ ହେବି/ ମୋତେ ଯେଉଁଠୁ କାଟିବ/ ସେହିଠାରୁ କଅଁଳିବି, ନୂଆ କରି ଫୁଟିବି ।”

ଶୁଭଶ୍ରୀ ଶୁଭସ୍ମିତାଙ୍କ ଏ ପ୍ରକାର ବିଦ୍ରୋହକୁ ଆମ ଆଗରେ ଥୋଇବା ଲାଗି ସେ ଅନେକ ଜାଗାରେ ମିଥ୍‌ର ସାହାରା ନେଇଛନ୍ତି । ବୈଦେହୀ, ଶର୍ମିଷ୍ଠା, ଅଳକାନନ୍ଦ, ଆଦିଗଙ୍ଗା, ମନ୍ଦାକିନୀ, ଭାଗୀରଥି, ଜାହ୍ନବୀ, ସୀତା, ସୂର୍ପଣଖା, ଅହଲ୍ୟା ଭଳି ଚରିତ୍ରସେମାନଙ୍କୁ ପୁରୁଣା ପୃଷ୍ଠାରୁ ଆଣି ସେମାନଙ୍କ ଜରିଆରେ ସମକାଳୀନ ନାରୀର ବିଦ୍ରୋହ ଓ ବିରାଗକୁ କବିତାର ରୂପ ଦେଇଛନ୍ତି । ମିଥ୍‌କୁ ନେଇ କବିତା କରିବା ବଡ କଷ୍ଟକର ବ୍ୟାପାର । ତେବେ ଶୁଭଶ୍ରୀ ଏ କ୍ରମରେ ପୂରା ସଫଳ ହୋଇନଥିଲେ ବି ବିଫଳ ହୋଇନାହାଁନ୍ତି । ସ୍ଥଳ ବିଶେଷରେ ସେ ପୂରା ମିଥ୍‌କୁ ଥୋଇଦେଇଛନ୍ତି ନିଜ ବାଗରେ, ହେଲେ ତା ଭିତରେ ଯେଉଁ ସମକାଳୀନ ନାରୀର ପ୍ରସଂଗ ଉଠାଉଛନ୍ତି, ସେ କେତେକ ଜାଗାରେ ସ୍ପଷ୍ଟ ଦିଶୁନାହିଁ । ଏହା କବିଙ୍କର ଅପାରଗତା ନୁହେଁ, କାରଣ ତାଙ୍କର କାବ୍ୟ-ଯାତ୍ରା ଆହୁରି ଅନେକ ବାକି ଅଛି । ମୋ ଭଳି ଓଡିଆ କବିତା ପାଠକ ଲାଗି ଆଉ ଏକ ଆଶ୍ୱାସନାର ବିଷୟ ହେଉଛି, ଶୁଭଶ୍ରୀ ଶୁଭସ୍ମିତା କବିତାରେ କେଉଁ ଅମୂର୍ତ ଜଗତର କଥା କହୁନାହାନ୍ତି କି କେଉଁ ଜଗତି ଉପରେ ବସି ଆମକୁ କବିତା ଶୁଣାଇଲା ଭଳି ଲାଗୁନାହାନ୍ତି । ସେ ସମକାଳର ସାକ୍ଷୀ ଭାବେ ସାକ୍ଷ୍ୟ ପ୍ରଦାନ କରୁଛନ୍ତି ।

ଶୁଭଶ୍ରୀ ଶୁଭଶ୍ମିତାଙ୍କ ଏ କବିତା ପୁସ୍ତକରେ ଅଯୋଧ୍ୟା ଶୀର୍ଷକରେ ୮ଟି କବିତା ରହିଛି । ଏସବୁ କବିତା ଭିତରେ ପୁରାଣ, ଇତିହାସ ଓ ଚଳିତ ସମୟକୁ ଦେଖିହେଉଛି, ଏକ ଦୀର୍ଘ କାଳର ବୟାନ କରୁଛନ୍ତି ଏ କବିତା ଗୁଡିକ । ସେହିପରି କ୍ୱାରେଂଟାଇନ୍ କବିତା ଶୀର୍ଷକରେ ରହିଛି ୯ଟି କବିତା, ଯେଉଁଥିରେ କୋଭିଡ୍ କାଳର ମାନବିକ ଅସହାୟତା ଓ ସମବେଦନା ଆନ୍ଦୋଳିତ କଲା ଭଳି । ଏ କାଟର ଗୋଟେ କବିତାରେ ସେ କହୁଛନ୍ତି- “ଏ ଦୁଃସହ ଜୀବନରେ କବିତା ଛଡା / ମୋ ପାଖରେ ଆଉ ଅଛି ବା କ’ଣ?” ସେହିପରି ସୂର୍ପଣଖାଙ୍କୁ ନେଇ ଦୁଇଟି, ଅହଲ୍ୟାଙ୍କୁ ନେଇ ଦୁଇଟି କବିତା ଏ ପୁସ୍ତକରେ ସନ୍ନିବେଶିତ ହୋଇଥିବାବେଳେ ବୈଦେହୀ (ସୀତା) ଙ୍କୁ ନେଇ ରହିଛି ଚାରିଟି କବିତା । ସବୁଠି ସେଇ ନାରୀ-ଅସ୍ମିତାର ପ୍ରଶ୍ନ ଓ ପ୍ରତିବାଦ ।

ମା’ର ଗର୍ଭ ଏଭଳି ଏକ ଆଂଚ, ଯାହା କେବେ ଲିଭେନା, ନଲିଭିବାପଣଠୁ ବଡ ବିଦ୍ରୋହ ବା ପ୍ରତିବାଦ କ’ଣ ବା ଥାଇପାରେ? ‘ଗର୍ଭାଗ୍ନି’ ଏହି ପ୍ରଶ୍ନର ଏକ ପ୍ରତୀକ ।

ଅନ୍ତିମ ପ୍ରଶ୍ନ- “ଯୁଗାନ୍ତରେ/ ନାରୀ ଆଉ ନଦୀ ହିଁ କେବଳ/ ଈଶ୍ୱରର ବି ପାପ ଧୋଇପାରେ/ ନୁହେଁ?”