ଫଟୋ ସୌଜନ୍ୟ: ଡ. କୈଳାସ ଚନ୍ଦ୍ର ଦାଶ

ମୋହନ ନାୟକ ସମସ୍ତ ମାନବଧର୍ମରେ ପୂର୍ଣ ଜଣେ ସରଳ ନିରାଡମ୍ବର ମାନବସେବୀ । ଦରିଦ୍ର, ଅବହେଳିତ, ଅନୁନ୍ନତଙ୍କ ସେବା ନିମନ୍ତେ ସେ ଯାହା କରିଛନ୍ତି ତାହା ଅବିସ୍ମରଣୀୟ-ପ୍ରଜାତନ୍ତ୍ର ଅକ୍ଟୋବର ୮, ୧୯୮୩ ମସିହାର ଏହି ମୂଲ୍ୟାୟନ ୟଥାର୍ଥ ମନେହୁଏ । ୧୯୩୭ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଦୀ଼ର୍ଘ ଚାରି ଦଶନ୍ଧୀରୁ ଉର୍ଦ୍ଧ୍ୱ କାଳ ସେ ଉଚ୍ଚମହଲ ନିକଟରେ ଦଳିତ ଅବହେଳିତ ଜାତିର ଅଧିକାର ଓ ଉପଯୁକ଼୍ତ ଦାବି ଉପସ୍ଥାପନ କରି ଯେଉଁ କର୍ତ୍ତବ୍ୟ ସମ୍ପା଼ଦନ କରି ବହୁମୂଲ୍ୟ ଆଦର୍ଶ ରଖିଯାଇଛନ୍ତି ତାହା ବାସ୍ତବିକ୍ ଅସାଧାରଣ ।

୧୯୨୧ ମସିହା ଜୁନ୍ ୩ ତାରିଖରେ ବ୍ରହ୍ମପୁର ସହରର ଉତ୍ତର ଦିଗରେ ଧାନମେରା ହାଡିସାହିରେ ମୋହନ ଏକ ହରିଜନ ପରିବାରରେ ଜନ୍ଣଗ୍ରହଣ କରିଥିଲେ । ପିତା ବିଜୁଳି ନାୟକ ଓ ମାତା ଅନ୍ନପୂର୍ଣ୍ଣା । ସେମାନେ ମ୍ୟୁନିସିପାଲଟି ର ଝାଡୁଦାର୍ କାମ କରୁଥିଲେ । ଶିକ୍ଷକ ଓ ସଂସ୍କାରକ ଇଶ୍ୱର ସାହୁ ତାଙ୍କର ବ୍ରହ୍ମପୁର ମ୍ୟୁନିସିପାଲଟି ମଇ ସ୍କୁଲରେ ପାଠ ପଢାଇବାର ବ୍ୟବସ୍ଥା କଲେ । ସେଠାରୁ ଉତ୍ତୀର୍ଣ୍ଣ ହୋଇ ସେ ଖଲିକୋଟ୍ କଲେଜିଏଟ୍ ସ୍କୁଲରେ ପାଠପଢିଲେ । ସପ୍ତମ ଅଷ୍ଛମ ଶ୍ରେଣୀରେ ପଢିବାବେଳେ ସେ କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ସମ୍ପାଦିତ ନବୀନ ଏବଂ ଶିଶିର ପତ୍ରିକାରେ ଅସ୍ପୃଶ୍ୟତା ଏବଂ ହରିଜନ ସମସ୍ୟା ଉପରେ ପ୍ରବନ୍ଧ ଓ କବିତାମାନ ଲେଖିଥିଲେ । ଜନସେବକ ଗଙ୍ଗାଧର ଶାସ୍ତ୍ରୀ, ମାଷ୍ଛର୍ ସାନ୍ନୟା ପନ୍ତୁଲୁ, ଶ୍ୟାମସୁନ୍ଦର ମିଶ୍ର ଓ ବାଞ୍ଛାନିଧି ପଟ୍ଟନାୟକଙ୍କପରି ଜନସେବୀମାନଙ୍କ ସମ୍ପର୍କରେ ଆସି ଦଳିତ ଜା଼ଗରଣ କାର୍ଯ୍ୟରେ ନିଜକୁ ବିନିଯୋଗ କରିଥିଲେ । ମାଷ୍ଟର ସାନ୍ନାୟା ତାଙ୍କୁ ମହାନ୍ ଠକ୍କର ବାପାଙ୍କ ସହିତ ପରିଚିତ କରାଇଥିଲେ ।

୧୯୩୮ରେ ସେ ବ୍ରହ୍ମପୁର ହରିଜନ ସଂଘ ଗଠନ କରି ହରିଜନ ଜାଗରଣପାଇଁ ଏକ ହାତଲେଖା ପାକ୍ଷିକ ପତ୍ରିକା ବାହାର କରିଥିଲେ । ସରକାରଙ୍କ ବିନା ଅନୁମତିରେ ପତ୍ରିକା ବାହାର କରିଥିବାରୁ ପ୍ରେସ୍ ଆଇନ୍ ଏବଂ ଭାରତ ରକ୍ଷା ଆଇନ୍ ବଳରେ ସେ ୧୪ଦିନ ଜେଲ୍ ଦଣ୍ଡ ଭୋଗିଲେ । ପରିଣତିରେ ନବମ ଶ୍ରେଣୀରୁ ପାଠପଢା ଛା଼ଡି କଂଗ୍ରେସର ଚାରିଅଣିଆ ସଭ୍ୟ ହେଲେ । ୧୯୪୦ରେ ବ୍ୟକ୍ତିଗତ ସତ୍ୟାଗ୍ରହ ଏବଂ ୧୯୪୨ରେ ଅଗଷ୍ଚ ଆନ୍ଦୋଳନ ବେଳେ ନିଉଜ୍ ବୁଲେଟିନ୍ ବାଣ୍ଚିବା ଅପରାଧରେ ବିଚାରାଧୀନ ଅପରାଧୀ ହୋଇ ବ୍ରହ୍ମପୁର ଜେଲରେ ୧୯୪୫ ପର୍ଯ୍ୟନ୍ତ ରହିଲେ । ଜେଲରୁ ଖଲାସ ହେବାପରେ ଧାଡିମେରା ସାହିରେ ହରିଜନ ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ଖୋଲିଲେ ଏବଂ ବ୍ରହ୍ମପୁର ହରିଜନ ସଂଘ ମାଧ୍ୟମରେ ହରିଜନ ଆନ୍ଦୋଳନକୁ ପ୍ରସାରିତ କଲେ । ୧୯୪୬ ମସିହା ଏପ୍ରିଲ୍‌ ୨ ତାରିଖରେ ହରିଜନ ସମସ୍ୟା ସମ୍ପର୍କିତ ତାଙ୍କର ମୌଳିକ ପ୍ରବନ୍ଧ ହୃଦୟ ଓ ଅନୁଷ୍ଠାନ ବ୍ରହ୍ମପୁରରେ କୃପାସିନ୍ଧୁ ନରେନ୍ଦ୍ର ଦେବ ସମ୍ପାଦିତ ନବୀନ ସାପ୍ତାହିକରେ ପ୍ରକାଶ ପାଇଥିଲା । ତାଙ୍କର ମୁଖ୍ୟ ପ୍ରସଙ୍ଗଗୁଡିକ ସମସ୍ତଙ୍କର ପ୍ରଣିଧାନ ଯୋଗ୍ୟ । ସେ ଲେଖିଥିଲେ-ହରିଜନ ସମସ୍ୟା ଭାରତର ଏକ ପ୍ରଧାନ ସମସ୍ୟା ବୋଲି ସମସ୍ତେ ଉପଲବ୍ଧି କରୁଥିଲେ ମଧ୍ୟ ସେ ସମସ୍ୟାର ସମାଧାନ ଆ଼ଜି ପର୍ଯ୍ୟନ୍ତ କି ହେତୁ ପୂର୍ଣ୍ଣଭାବରେ ହୋଇପାରିନାହିଁ ଏହା ହେଉଛି ବିଚାର୍ଯ୍ୟ ।

ଏହି ସମସ୍ୟାର ସମାଧାନ କରିବାକୁ ଗଲେ ପ୍ରଥମେ ଦରକାର ହୃଦୟ । ଲୋକ ଯଦି ସଚ୍ଚା ହୃଦୟ ନ ହୁଅନ୍ତି, କିମ୍ବା ପୃଥିବୀର ମାନବ ସମା଼ଜ ଏକ ବୋଲି ମନେ ନ କରନ୍ତି ତାହାହେଲେ ଉକ୍ତ ସମସ୍ୟାର ସମାଧାନ ଅସମ୍ଭବ ।ଏ ହି ସମସ୍ୟାର ସମାଧାନ ଲାଗି ଭାରତର ଅନେକ ଲୋକ ଲାଗିପଡିଛନ୍ତି ସତ ବିଶେଷଭାବେ କଂଗ୍ରେସର କର୍ମକ୍ଷେତ୍ର ଭିତରେ ହରିଜନ କାମ ଏକ ପ୍ରଧାନ ହୋଇଉଠିଛି । କାର୍ଯ୍ୟତଃ ମଧ୍ୟ ଏହି ଅନୁଷ୍ଠାନ ହିଁ ହରିଜନ ସମସ୍ୟାର ସମାଧାନ କରିଆସୁଛି ଓ ଭବିଷ୍ୟତରେ ମଧ୍ୟ କରିପାରେ । କିନ୍ତୁ ସମଷ୍ଟିଗତ ଅନୁଷ୍ଟାନ ସହିତ ବ୍ୟକ୍ତିଗତ ଜୀବନର ଯେବେ ତୁଳନା କରିବା ତେବେ ଆକାଶପାତାଳ ପ୍ରଭେଦ ଦେଖାଯିବ । ଉଦାହରଣ ସ୍ୱରୂପ ଅନେକ ଲୋକ ଅଛନ୍ତି ଯେଉଁମାନେକି କଂଗ୍ରେସ କର୍ମକ୍ଷେତ୍ରରେ ସାଧାରଣ ସଭାସମିତିରେ ହରିଜନମାନଙ୍କ ସହିତ ମିଶିବାପାଇଁ କୁଣ୍ଠାବୋଧ କରନ୍ତିନାହିଁ । ଅଥଚ ନିଜ ଗୃହରେ ବିବାହ ବ୍ରତଆଦି ଭୋଜିଭାତରେ ହରିଜନମାନଙ୍କୁ ନିମନ୍ତ୍ରଣ କରିବା କିମ୍ବା ନିଜ ଘରଭିତରେ ହରିଜନମାନଙ୍କୁ ନିଜ ଜାତି ଲୋକଭଳି ବ୍ୟବହାର କରିବା ପାଇଁ ଆଦୌ ସାହାସ କରନ୍ତି ନାହିଁ । ଏଥିରୁ ସ୍ପଷ୍ଟ ଜଣାଯାଏ ହୃଦୟ ଏବଂ ଅନୁଷ୍ଠାନ ଦୁଇଟି ଜିନିଷ ସମ୍ପୂର୍ଣ୍ଣ ଅଲଗା । ହରିଜନ ସମସ୍ୟା କାହିଁକି ଅଗ୍ରସର ହୋଇପାରୁନାହିଁ - ତାହାର ମୂଳକାରଣ ଜନସାଧାରଣଙ୍କର ବ୍ୟକ୍ତିଗତ ଜୀବନର ଅପରିବର୍ତ୍ତନ । ଭାରତର ପରିବର୍ତ୍ତନ ପାଇଁ ଅଣ୍ଟାଭିଡି ଠିଆହୋଇଥିବା ଲୋକମାନଙ୍କ ଆଗରେ ପ୍ରଥମେ ହରିଜନ ସମସ୍ୟାର ସମାଧାନ ଦାବି ଦୃଢିଭୂତ କରିବା ଆବଶ୍ୟକ । ୧୯୪୬ ମସିହା ଜୁଲାଇ ମାସ ସୁଦ୍ଧା ଗୋପବନ୍ଧୁ ସାହିତ୍ୟ ମନ୍ଦିର ଦ୍ୱାରା ମୋହନ ନାୟକଙ୍କ କଳଙ୍କମୋଚନ - ଅସ୍ପୃଶ୍ୟତା ନିବାରଣର ମୁଖ୍ୟ ଇତିହାସ ପୁସ୍ତକ ପ୍ରକାଶିତ ହୋଇଥିଲା । ସେ ସମୟରେ ସେ ଗଞ୍ଜାମ ହରିଜନ ସେବକ ସଂଘର ସଭାପତି ହିସାବରେ ହରିଜନ ଜାଗରଣ ପାଇଁ ବିଶେଷ ଆନ୍ଦୋଳନ ଚଳାଇଥିଲେ ।

୧୯୪୮ ମସିହାର ଅବିସ୍ମରଣୀୟ ଘଟଣା ଥିଲା ହିନ୍ଦୁ ମନ୍ଦିରରେ ହରିଜନ ପ୍ରବେଶାଧିକାର । ଏହି ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା ଥିଲେ ମୋହନ ନାୟକ । ଫେବୃଆରୀ ୧୩, ୧୯୪୮ରେ ପୁରୀ ଜଗନ୍ନାଥ ମନ୍ଦିରରେ ହରିଜନମାନେ ଦେବତା ଦର୍ଶନ କରିବା ଅଭିଳାଷରେ ଆନୁଷ୍ଠାନିକ ଭାବେ ପ୍ରବେଶ କରୁଥିଲେ । ଏଥି ନିମିତ୍ତ ଯେଉଁ ଆନ୍ଦୋଳନ ହୋଇଥିଲା ମୋହନ ସେଥିରେ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ । ଏହାପରେ ମଧ୍ୟ ଅନ୍ୟାନ୍ୟ ହିନ୍ଦୁ ମନ୍ଦିରରେ ଦେବଦର୍ଶନ ପାଇଁ ହରିଜନମାନଙ୍କୁ ମୋହନ ଉତ୍ସାହିତ କରିଥିଲେ । ହରିଜନ କଲ୍ୟାଣ ପାଇଁ ୧୯୫୨ ମସିହାରେ ସେ ନିମଖଣ୍ଡିଠାରେ ଠକ୍କର ବାପା ସେବକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ସେ ମଧ୍ୟ ହରିଜନ ସମସ୍ୟାର ନିରାକରଣ ପାଇଁ ସେବକ ନାମକ ପତ୍ରିକା ପ୍ରକାଶ କରିଥିଲେ । ନିମଖଣ୍ଡି ଠକ୍କର ବାପା ଆଶ୍ରମକୁ କେନ୍ଦ୍ରକରି ୧୯୫୦ ଏବଂ ୧୯୬୦ ଦଶକରେ ସେ ଦଳିତ ଜାଗରଣକୁ ପ୍ରସାରିତ କରିଥିଲେ । ନଭେମ୍ବର ୧୦-୧୧ ୧୯୫୯ରେ ଠକ୍କର ବାପା ଆଶ୍ରମରେ ତାଙ୍କ ନେତୃତ୍ୱରେ ନିଖିଳ ଓଡିଶା ମେହେନ୍ତର ସମ୍ମିଳନୀ ସଫଳ ହୋଇଥିଲା । ସେ ୧୯୫୭ ଏବଂ ୧୯୬୨ରେ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଏବଂ ଭଂଜନଗରରୁ ଜୟଯୁକ୍ତ ହୋଇ ଦଶବର୍ଷକାଳ ଦିଲ୍ଲୀରେ ସାଂସଦ ଥିଲେ ।

ସେ ମଧ୍ୟ ଓଡିଶା ମନ୍ତ୍ରୀମଣ୍ଡଳରେ ପ୍ରଥମେ ରାଷ୍ଚ୍ରମନ୍ତ୍ରୀ ଓ ପରେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀରୂପେ ଗ୍ରାମଗୋଷ୍ଠି ଉନ୍ନୟନ, ପଂଚାୟତ ରାଜ ଏବଂ ସମାଜକଲ୍ୟାଣ ଦାୟିତ୍ୱ ତୁଲାଇଥିଲେ । ଜଣେ ବ୍ୟବସ୍ଥାପକ, ମନ୍ତ୍ରୀ, ସମାଜସେବୀ ଓ ସଂଗଠକ ହିସାବରେ ମୋହନ ଦକ୍ଷତାର ପରିଚୟ ଦେଇଥିଲେ ମଧ୍ୟ ଜଣେ ନାଗରିକ ଓ ସାଧାରଣ ମଣିଷ ହିସାବରେ ସୁପରିଚିତ ଥିଲେ । ସମାଜ କଲ୍ୟାଣ କ୍ଷେତ୍ରରେ ତାଙ୍କର କୃତିତ୍ୱ ପାଇଁ ଜାନୁଆରୀ ୨୬, ୧୯୬୯ରେ ତାଙ୍କୁ ପଦ୍ମଶ୍ରୀ ଉପାଧି ଦିଆଯାଇଥିଲା । ଅସହାୟ ଅବହେଳିତ ତଥା ନିଷ୍ପେଷିତ ହରିଜନ ଓ ଆଦିବାସୀ ଗୋଷ୍ଠିର ସମୂହ କଲ୍ୟାଣ ଓ ଅସ୍ପୃଶ୍ୟତା ନିବାରଣ ପାଇଁ ତାଙ୍କର ଅସାଧାରଣ ତ୍ୟାଗ ଓ କର୍ମପଦ୍ଧତି ନିମିତ୍ତ ଓଡିଶା ଇତିହାସରେ ତାଙ୍କର ସ୍ଥାନ ସ୍ୱତନ୍ତ୍ର । ସେପ୍ଟେମ୍ବର ୨୬, ୧୯୮୩ରେ କର୍କଟ ରୋଗାକ୍ରାନ୍ତ ହୋଇ ଏହି ମହାନ୍ ସମାଜସେବୀ ତଥା ଦଳିତ ନେତା ମୃତ୍ୟୁବରଣ କରିଥିଲେ ।