ଓଡ଼ିଶାର ପ୍ରଥମ କଥାକୁହା କଳାଧଳା ଓଡ଼ିଆ ଚଳଚ୍ଚିତ୍ର ହେଉଛି ‘ସୀତା ବିବାହ’ । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପୌରାଣିକ ବିଷୟବସ୍ତୁକୁ ନେଇ ଗତିଶୀଳ ହୋଇଥିଲା । ମହାକାବ୍ୟ ରାମାୟଣ ଉପରେ ଆଧାରିତ ହୋଇଥିବାବେଳେ ଏହି ଚଳଚ୍ଚିତ୍ରରେ ଭଗବାନ ରାମ - ସୀତାଙ୍କ ବିବାହ ଉପସ୍ଥାପନ କରଯାଇଥିଲା ।

ଏପ୍ରିଲ ମାସ ୧୯୩୬ ମସିହା, ଓଡିଶା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ । ଏପ୍ରିଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିବା ବେଳେ ୨୮ ଏପ୍ରିଲରେ ଓଡିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର “ସୀତା ବିବାହ” ମୁକ୍ତିଲାଭ କରିଥିଲା । ୧୯୩୬ ମସିହା ଏପ୍ରିଲ ମାସଟି ଉଭୟ ରାଜନୈତିକ ଓ ସାଂସ୍କୃତିକ ଇତିହାସରେ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜନୈତିକ ଇତିହାସରେ ରାଜ୍ୟ ଗଠନ ଯେମିତି ଏକ ସ୍ଵର୍ଣ୍ଣିମ ଘଟଣା, ସାଂସ୍କୃତିକ ଇତିହାସରେ ପ୍ରଥମ କଥାକୁହା ଚଳଚ୍ଚିତ୍ର ନିର୍ମାଣ ସେମିତି ଏକ ବିରଳ ଅନୁଭବ ରହିଥିଲା । ଭାରତରେ ପ୍ରଥମ ସବାକ ବା କଥାକୁହା ଚଳଚ୍ଚିତ୍ର ‘ଆଲାମ ଆରା’ ୧୯୩୧ ମସିହାରେ ପ୍ରଦର୍ଶିତ ହୋଇଥିବାବେଳେ ଏହାର ମାତ୍ର ୫ବର୍ଷ ପରେ ଓଡ଼ିଆରେ ଏକ ସଂପୂର୍ଣ୍ଣ କଥାକୁହା ଚଳଚ୍ଚିତ୍ର ନିର୍ମାଣ ହେବା କମ ବଡ଼ କଥା ନୁହେଁ । ପ୍ରଥମ ସିନେମା ନିର୍ମାଣ ହେବାର ପ୍ରାୟ ୧୧ବର୍ଷ ପରେ ଅର୍ଥାତ ୧୯୪୮ ମସିହାରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ।

୧୯୩୨ରେ ଗୋସେଇଁ କାମପାଳ ମିଶ୍ରଙ୍କ ଚର୍ଚ୍ଚିତ ପୌରାଣିକ ନାଟକ “ସୀତା ବିବାହ” କୁ ନେଇ ଏକ କଥାକୁହା ଚଳଚ୍ଚିତ୍ର ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ଵାମୀ । ତେବେ ସେଇ ସମୟରେ ଏଇ କଥାକୁହା ଚଳଚ୍ଚିତ୍ର ସମ୍ପର୍କରେ କିଛି କାହାକୁ ଜଣାନଥିଲା । ସେତେବେଳେ ଯାଏଁ ମଞ୍ଚରେ ପୁରୁଷମାନେ ନାରୀ ଭୂମିକା ତୁଲାଇ ଆସୁଥିଲେ । ଠିକ ସେହିପରି କ୍ୟାମେରା, ସାଉଣ୍ଡ, ଲାଇଟ …ଏସବୁ ତ କେହି ଦେଖି ନଥିଲେ କି ଶୁଣି ନଥିଲେ । ସେଇ ଅଦେଖା ମାଧ୍ୟମରେ ପ୍ରଥମ ଓଡ଼ିଆ ଛବି କରିବାର ଦୁଃସାହସ ଓଡ଼ିଶାରେ ଏକ ନୂଆ ଇତିହାସ ତିଆରି କଲା । କଲିକତାରେ ଏହାର ସୁଟିଂ ହେଲା । ସିନେମାରେ ରାମ ଭୂମିକାରେ ଅଭିନୟ କଲେ ମାଖନଲାଲ ବାନାର୍ଜୀ, ଲକ୍ଷ୍ମଣ ଭୂମିକାରେ ଅଦ୍ଵୈତ ଚରଣ ମହାନ୍ତି, ସୀତା ଭୂମିକାରେ ପ୍ରଭାବତୀ ଦେବୀ ଓ ବିଶ୍ଵାମିତ୍ର ଭୂମିକାରେ ସ୍ଵୟଂ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଅଭିନୟ କରିଥିଲେ । ଏତଦବ୍ୟତୀତ ଏହି ଫିଲ୍ମରେ କୃଷ୍ଣଚନ୍ଦ୍ର ସିଂହ, ବୁଦ୍ଧିମତୀ, ରାଧାରାଣୀ, ଲକ୍ଷ୍ମୀପ୍ରିୟା, ରାମଚନ୍ଦ୍ର ଲାଲ ପ୍ରମୁଖ ଅଭିନୟ କରିଥିଲେ । ଆହୁରି ମଧ୍ୟ ପୂର୍ବରୁ ଅନ୍ୟାନ୍ୟ ଭାଷାରେ ନିର୍ବାକ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାବେଳେ ଓଡ଼ିଆରେ କୌଣସି ନିର୍ବାକ ଚଳଚ୍ଚିତ୍ର ନିର୍ମାଣ ନ ହୋଇ ସିଧାସଳଖ ଧ୍ୱନି ସ‌ହ ଏହି ସିନେମାଟି ନିର୍ମିତ ହୋଇଥିଲା ।

ଚଳଚ୍ଚିତ୍ରର ଅବଧି ୨ ଘଣ୍ଟା ରହିଥିବାବେଳେ ଏହା ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା ଏବଂ ପରେ କଟକ ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା । ଏହି ସିନେମା ପାଇଁ ୨୯,୭୮୧ଟଙ୍କା ଏବଂ ୧୦ଅଣା ଖର୍ଚ୍ଚ ହୋଇଥିଲା । ଏହି ଚଳଚ୍ଚିତ୍ରର ସହକାରୀ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଭଗବାନ୍ ମହାନ୍ତି । ଏହାର ସଂଳାପ ଲେଖିଥିଲେ ଅଦ୍ଵୈତ ମହାନ୍ତି । ଏହି ସିନେମା ପାଇଁ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ନିଜ ଘର ବନ୍ଧକ ରଖି ଏହି ଅର୍ଥ ଯୋଗାଡ କରିଥିଲେ । ମାଖନଲାଲ ଏହି ଚଳଚ୍ଚିତ୍ର ପାଇଁ ୧୨୦ ଟଙ୍କା, ଆଦିତ୍ୟ ବଲ୍ଲଭ ମହାନ୍ତି ୩୫ ଟଙ୍କା ପାରିଶ୍ରମିକ ପାଇଥିବା ବେଳେ ସୀତା ଭୂମିକାରେ ଅଭିନୟ କରିଥିବା ପ୍ରଭାବତୀ ସବୁଠୁ ଅଧିକ ଦେଢଶହ ଟଙ୍କା ପାଇଥିଲେ ।

ଏହି ଚଳଚ୍ଚିତ୍ରରେ କୈବର୍ତ୍ତ ଭୂମିକାରେ ନରସିଂହ ନନ୍ଦଶର୍ମା ଅଭିନୟ କରିଥିଲେ । ଶ୍ରୀରାମଙ୍କ ଭୂମିକାରେ ମାଖନଲାଲ ବାନାର୍ଜୀଙ୍କ ଅଭିନୟ ବେଶ ଉଚ୍ଚକୋଟିର ଥିଲା । ପୌରାଣିକ ବ୍ୟାଖ୍ୟା ମଧ୍ୟରେ ଚଳଚ୍ଚିତ୍ରରେ ଚଉଦଟି ଗୀତ ମୋହନ ସୁନ୍ଦର ଏବଂ ନନ୍ଦଶର୍ମା ଲେଖିଥିଲେ । ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଏଥିରେ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରରେ ମୋହନ ସୁନ୍ଦର ଦେବ ପାରମ୍ପରିକ ସଂଗୀତ ଅର୍ଥାତ୍ ସିନେମାରେ ଓଡ଼ିଶୀ ସଙ୍ଗୀତକୁ ବଜାୟ ରଖିଥିଲେ । ୧୨ରିଲ ବିଶିଷ୍ଟ ଏହି ଚଳଚ୍ଚିତ୍ରଟି କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା ।

ଇତି ମଧ୍ୟରେ ପ୍ରଥମ ଓଡିଆ ଚଳଚ୍ଚିତ୍ର 'ସୀତା ବିବାହ' ୮୪ ବର୍ଷ ଅତିକ୍ରମ କରିସାରିଛି । ଭାରତୀୟ ସିନେମା ଇତିହାସରେ ‘ସୀତା ବିବାହ’ ଓଡିଆ ସାଂସ୍କୃତିକ ପରିଚୟର ପ୍ରଦର୍ଶନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।