Devika Rani on a 2011 stamp of India (Source: Wikipedia)

ଭାରତୀୟ ସିନେମାର ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଦେବିକା ରାନୀ । ଯେଉଁ ସମୟରେ ଭାରତରେ ମହିଳାମାନେ ଘରୁ ବାହାରକୁ ଗୋଡ କାଢିବାକୁ ଡରୁଥିଲେ ଠିକ୍ ସେହି ସମୟରେ ଦେବିକା ରାନୀ ଫିଲ୍ମରେ ଅଭିନୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ୩୦ରୁ ୪୦ ଦଶକ ମଧ୍ୟରେ ଦେବିକା ରାନୀ ଭାରତୀୟ ସିନେମା ଜଗତରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

୧୯୦୮ ମସିହା ମାର୍ଚ୍ଚ ୩୦ ତାରିଖରେ ଆନ୍ଧ୍ରପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ ଦେବିକା । ଦେବିକା ରାନୀ ମାତ୍ର ୯ ବର୍ଷ ବୟସରେ ପାଠ ପଢିବା ପାଇଁ ଇଂଲଣ୍ଡ ଯାଇଥିଲେ । ଦେବିକା ଫିଲ୍ମରେ କ୍ୟାରିୟର କରିବାକୁ ନିଶ୍ଚୟ କରିଥିଲେ । ମାତ୍ର ଏଥିଲାଗି ତାଙ୍କ ପରିବାରର ସ୍ୱୀକୃତି ମିଳିନଥିଲା । ଦେବିକା ଏକ ସମ୍ଭ୍ରାନ୍ତ ବଂଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କର୍ଣ୍ଣେଲ ଏମ.ଏନ୍ ଚୌଧୁରୀ ଏକ ଧନୀ ବଙ୍ଗୀୟ ପରିବାରର ଥିଲେ । ଯିଏ ପରବର୍ତୀ ସମୟରେ ଭାରତର ପ୍ରଥମ ସର୍ଜନ ଜେନେରାଲ୍ ହୋଇଥିଲେ ।

ଇଂଲଣ୍ଡରେ କିଛି ବର୍ଷ ରହିବା ପରେ ଦେବିକା ରାନୀ ରୟାଲ୍ ଏକାଡେମୀ ଅଫ୍ ଡ୍ରାମାଟିକ୍ ଆର୍ଟରେ ଶିକ୍ଷା ଅର୍ଜନ କରିଥିଲେ । ଏହା ପରେ ସେ ବାସ୍ତୁକଳାରେ ଡିପ୍ଲୋମା ମଧ୍ୟ କରିଥିଲେ । ସେହି ସମୟରେ ତାଙ୍କର ଫିଲ୍ମ ନିର୍ମାତା ବ୍ରୁସ୍ନ ୱଲ୍ଫଙ୍କ ସହ ସାକ୍ଷାତ ହୋଇଥିଲା । ବ୍ରୁସ୍ନ ଦେବିକାଙ୍କ ବସ୍ତୁକଳାର ଦକ୍ଷତା ଦେଖି ପ୍ରଭାବିତ ହେବା ସହିତ ତାଙ୍କୁ ଡିଜାଇନର ରୂପେ ନିଯୁକ୍ତି ଦେଇଥିଲେ । ଏହା ମଧ୍ୟରେ ଲୋକପ୍ରିୟ ନିର୍ମାତା ହିମାଂଶୁ ରାୟଙ୍କ ସହ ତାଙ୍କର ଦେଖା ହୋଇଥିଲା । ଏହାପରେ ଦେବିକା ଫିଲ୍ମ ପ୍ରତି ଆକର୍ଷିତ ହୋଇଥିଲେ । ୧୯୨୯ ମସିହାରେ ଦେବିକା ନିର୍ବାକ ସିନେମା ‘ଏ ଥ୍ରୋ ଅଫ୍ ଡାଇସ୍’ ପାଇଁ ପୋଷାକ ଡିଜାଇନ୍ ଏବଂ କଳା ନିର୍ଦ୍ଦେଶନାରେ ସାହାଯ୍ୟ କରିଥିଲେ । ପ୍ରଥମ ସାକ୍ଷାତ ପରେ ଦେବିକା ତାଙ୍କୁ ବିବାହ କରିଥିଲେ । ହିମାଂଶୁ ଦେବିକାଙ୍କ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ତାଙ୍କ ପରବର୍ତ୍ତୀ ପ୍ରଡକ୍ସନରେ ହିରୋଇନ୍ ଭାବରେ ଚୟନ କରିଥିଲେ । ୧୯୩୩ ମସିହାରେ ଭାରତୀୟଙ୍କ ଦ୍ଵାରା ପ୍ରଥମ ଇଂରାଜୀ ଭାଷାର ଫିଲ୍ମ ରୂପେ ‘କର୍ମ’ ଇଂଲଣ୍ଡରେ ପ୍ରିମିୟର୍ ହୋଇଥିଲା । ଏହି ଫିଲ୍ମ ଟି ଏକକାଳୀନ ଇଂରାଜୀ ଏବଂ ହିନ୍ଦୀରେ ନିର୍ମିତ ହୋଇଥିଲା । ଏହି ଫିଲ୍ମରେ ହିମାଂଶୁ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ତେବେ ଏହି ଫିଲ୍ମରେ ୪ ମିନିଟର ଏକ ଚୁମ୍ବନ ଦୃଶ୍ୟ ରହିଥିଲା । ଯାହା ଦେବିକା ଓ ହିମାଂଶୁଙ୍କ ଉପରେ ଚିତ୍ରିତ ଥିଲା । ତେବେ ଏହି ଦୃଶ୍ୟକୁ ନେଇ ସେତେବେଳେ ବହୁ ଆଲୋଚନା ହୋଇଥିଲା । ଏହାପରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଯାଇଥିଲା । ଦେବିକା ରାନୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଇଂରାଜୀ ଏବଂ ହିନ୍ଦୀରେ ଏକ ଦ୍ୱିଭାଷୀ ଗୀତ ଗାଇଥିଲେ । ୧୯୩୪ ମସିହାରେ ଏହି ଦମ୍ପତି ଭାରତକୁ ଫେରିଥିଲେ, ଯେଉଁଠାରେ ହିମାଂଶୁ ରାୟ ଅନ୍ୟ କେତେକ ଲୋକଙ୍କ ସହଭାଗିତାରେ ବମ୍ବେ ଟକିଜ୍ ନାମରେ ଏକ ପ୍ରଡକ୍ସନ୍ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ । ଏହି ଷ୍ଟୁଡିଓ ପରବର୍ତ୍ତୀ ୫-୬ବର୍ଷ ମଧ୍ୟରେ ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଥିଲା । ​​ଏହି ବ୍ୟାନରରେ ବହୁ ସୁପରହିଟ ଫିଲ୍ମ ନିର୍ମିତ ହୋଇଥିଲା । ଅଶୋକ କୁମାର, ଦିଲୀପ କୁମାର, ମଧୁବାଲା, ରାଜ କପୁର ଆଦିଙ୍କ ଅଭିନୟ କ୍ୟାରିୟର ଗଢିବା ଦିଗରେ ଦେବିକାଙ୍କ ହାତ ରହିଥିଲା । ବଲିଉଡରେ ଅଶୋକ କୁମାରଙ୍କ କ୍ୟାରିଅରର ସମସ୍ତ ଶ୍ରେୟ ଦେବିକାଙ୍କୁ ଦିଆଯାଇଥାଏ । ଅଶୋକ କୁମାରଙ୍କ ସହ ତାଙ୍କର ଅନ୍-ସ୍କ୍ରିନ୍ ଯୋଡି ଭାରତରେ ବେଶ ଲୋକପ୍ରିୟ ।

ଦେବିକା ପ୍ରଖ୍ୟାତ ଜର୍ମାନ ଅଭିନେତ୍ରୀ ମାର୍ଲେନ ଡିଟ୍ରିଚଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ତେବେ ତାଙ୍କର ଅଭିନୟ ଶୈଳୀକୁ ଗ୍ରେଟା ଗାର୍ବୋଙ୍କ ସହ ତୁଳନା କରାଯାଇଥିଲା । ଏଥିପାଇଁ ଦେବିକା ରାନୀ "ଭାରତୀୟ ଗାର୍ବୋ" ଭାବରେ ପରିଚିତି ପାଇଥିଲେ ।

ଦେବିକାଙ୍କ ଅଭିନୀତ ଫିଲ୍ମ ଗୁଡିକ ମଧ୍ୟରେ ‘ଅଛୁତ କନ୍ୟା’, ‘ଜୀବନ ପ୍ରଭାତ’, ‘ଦୂର୍ଗା’, ‘ଜବାନୀ କି ହୱା’, ‘ମମତା ଔର ମିଆନ୍ ବିୱି’, ‘ଜୀୱନ୍ ନଇୟା’, ‘ଜନ୍ମଭୂମି’, ‘ଇଜ୍ଜତ’, ‘ସାବିତ୍ରୀ’, ପ୍ରେମ କହାନୀ’, ନିର୍ମଳା, ‘ୱଚନ’, ‘ଅନଜାନ’ ଏବଂ ‘ହମାରି ବାତ୍’ ଆଦି ଉଲ୍ଲେଖନୀୟ ।

ଦେବିକାଙ୍କ ‘ଅଛୁତ କନ୍ୟା’ ଭାରତୀୟ ସିନେମାର ଏକ ମାଇଲଖୁଣ୍ଟ ବୋଲି କୁହାଯାଏ । ଏଇ ଫିଲ୍ମରେ ଭାରତର ଜାତିପ୍ରଥାକୁ ଉପସ୍ଥାପନ କରଯାଇଥିଲା । ସେହିପରି ଦେବିକାଙ୍କ ଅନ୍ୟ ଫିଲ୍ମ ଗୁଡିକ ମଧ୍ୟ ସାମାଜିକ ସମସ୍ୟା ଉତଥାପନ କରିବା ସହିତ ପ୍ରାୟତଃ ମହିଳା କେନ୍ଦ୍ରିକ ରହିଥିଲା । ସାଂପ୍ରତିକ ସମୟରେ ଯେତେବେଳେ ନାରୀ ଓ ପୁରୁଷ ମଧ୍ୟରେ ଲିଙ୍ଗଗତ ପ୍ରଭେଦ ଶୀର୍ଷରେ ରହିଥିଲା ସେତେବେଳେ ଦେବିକା ରାନୀ ସିନେମାରେ ଅଭିନୟ କରି ନିଜର ସ୍ଥିତି ସୁଦୃଢ କରିଥିଲେ । ସେ ୧୯୪୩ ମସିହାରେ ଶେଷଥର ପାଇଁ 'ହମାରି ବାତ୍’ ରେ ନଜର ଆସିଥିଲେ । ଏହି ଫିଲ୍ମରେ ରାଜ କପୁର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ହିମାଂଶୁଙ୍କ ମୃତ୍ୟୁ ଓ ବମ୍ବେ ଟକିଜର ବିଭାଜନ ପରେ ଦେବିକା ପୂରାପୂରି ଭାଙ୍ଗି ପଡିଥିଲେ । ସେହି ସମୟରେ ରୁଷୀୟ ଚିତ୍ରକର ସ୍ବେଟୋସ୍ଲାଭ୍ ରୋରିଚ୍ ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହା ପରେ ଦେବିକା ତାଙ୍କୁ ବିବାହ କରି ଫିଲ୍ମ ଜଗତରୁ ବିଦାୟ ନେଇଥିଲେ । ଏହାପରେ ଦୁହେଁ ହିମାଚଳ ପ୍ରଦେଶର ମନାଲିକୁ ଯାଇ ସେଠାରେ କିଛିଦିନ ରହିଥିଲେ। ମନାଲିରେ ରହିବା ସମୟରେ ଦେବିକା ରାନୀ ବନ୍ୟଜନ୍ତୁ ଉପରେ କିଛି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲେ । କିଛି ବର୍ଷ ମନାଲିରେ ରହିବା ପରେ ସେମାନେ କର୍ଣ୍ଣାଟକର ବାଙ୍ଗାଲୋରକୁ ଆସି ସେଠାରେ ରହିଥିଲେ । ୧୯୯୪ ମାର୍ଚ୍ଚ ୯ ତାରିଖରେ ସେ ୮୫ ବର୍ଷ ବୟସରେ ଦେବିକା ଏଇ ଦୁନିଆରୁ ବିଦାୟ ନେଇଥିଲେ।

ଭାରତୀୟ ସିନେମା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଦେବିକାଙ୍କୁ ୧୯୫୮ ମସିହାରେ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରଯାଇଥିଲା । ସେହିପରି ଭାରତୀୟ ସିନେମା ଲାଗି ଉତ୍ସର୍ଗୀକୃତ ଜୀବନ ପାଇଁ ୧୯୬୯ ମସିହାରେ ସିନେମାର ସର୍ବୋଚ୍ଚ ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାରର ପ୍ରଥମ ବିଜେତା ରୂପେ ଦେବିକା ସମ୍ମାନିତ ହୋଇଥିଲେ । ସେହିପରି ସୋଭିଏତ୍ ରୁଷ ତାଙ୍କୁ "ସୋଭିଏତ୍ ଲ୍ୟାଣ୍ଡ୍ ନେହେରୁ ପୁରସ୍କାର"ରେ ସମ୍ମାନିତ କରିଥିଲା ​​। ୨୦୧୧ ମସିହାରେ ତାଙ୍କ ଜୀବନକୁ ସ୍ମରଣ କରୁଥିବା ଏକ ଡାକ ଷ୍ଟାମ୍ପ ମଧ୍ୟ ପ୍ରକାଶ ପାଇଥିଲା । ନିଃସନ୍ଦେହ, ଭାରତୀୟ ସିନେମାରେ ଦେବିକା ରାନୀଙ୍କ ଅବଦାନ ଅତୁଳନୀୟ ଏବଂ ଏହା ସର୍ବଦା ସ୍ମରଣୀୟ ।