ଚିତ୍ର: ଗୋଲାପ ମଣ୍ଡଳ, ୱିକି କମନ୍ସ

କହିବୁ ଯଦି
ମୋ ନାରୀ ହେବାର ସବୁ ଅହଙ୍କାରକୁ
କାଗଜଡଙ୍ଗା କରି ଭସେଇ ଦେବି
ତୋ ପ୍ରେମର ଶେଷ ବୁନ୍ଦା ଲୁହରେ ।

ତା ପରେ କଣ ହେବ କହ ?

ତୋତେ ଖୋଜିବାକୁ ବାହାରି ପଡିବି
ଆକାଶ ରୁ ପାତାଳ
ତୋ ଥିବାର ଠିକଣା କାହା ପାଖରେ ନଥିବ
କିନ୍ତୁ ତୁ ଯେ' ଥିବୁ ଏତକ ସତ ।

ହରମାନ୍ ହେସଙ୍କ ସିଦ୍ଧାର୍ଥ ପରି
କୋଉ ଅଜଣା ନଈ କୂଳରେ ବସି ଜୀବନର ଅର୍ଥ ଖୋଜୁଥିବୁ

କିନ୍ତୁ କିଛି ଲୋକ କୁହନ୍ତି
ସେମାନେ କୁଆଡେ ତୋତେ ଦେଖିଛନ୍ତି
ମହାନଗରୀର କୋଉ ବଦନାମ୍ ଗଳିରେ
ତୁ ବୁଲୁଥିଲୁ ବଂଶୀ ବଜାଇ ବଜାଇ ।

ଆଉ କେହି କେହି କୁହନ୍ତି
ତୁ କେଉଁଠି ରେସକୋର୍ସର ଘୋଡ଼ାଦୌଡ଼ରେ ଥିଲୁ ,
ହାରିଥିବା ଶେଷ ଘୋଡାର ନାଲକୁ ତେଲ ଦେଉଥିବା ବେଳେ ।

କିଏ କହେ ତୁ କାଳେ କ୍ୟାସିନୋରେ ବିପୁଳ ଟଙ୍କା ବାଜି ଲଗେଇ
ଜୀବନକୁ ଉପଭୋଗ କରୁଛୁ ଲସ୍ ଆଞ୍ଜେଲସରେ !

ଆଉ କେହି କୁହନ୍ତି
ତୁ ତୋର ଅଜଣା ପିଲାଦିନ ଖୋଜିବାକୁ
ଦିଗବଳୟ ସେପାଖକୁ ଯାଇଛୁ ,

ମୁଁ ତୋତେ ଖୋଜିଛି ଅରଣ୍ୟରେ
ଭେଟିଛି କିଛି ଗୀତ ଗାଉଥିବା ପକ୍ଷୀଙ୍କୁ
ମୟୁରକୁ ରାଣ ଦେଇ ପଚାରିଛି ତୋ ଠିକଣା ।

ଚିତ୍କାର କରିଛି ପାହାଡ ଉପରୁ,
ହେଲେ ତୁ ଫେରିନୁ
ଫେରିଛି ମୋ ବିକଳ ଚିତ୍କାର ପ୍ରତିଧ୍ବନି ହୋଇ ।

ମୁଁ ମହାକାଳ ଅଣାକ୍ଷର ମନ୍ତ୍ରରେ ତୋତେ ଆବାହନ କରିଛି
ଯଜ୍ଞକୁଣ୍ଡରେ ଆହୁତି ଦେଇଛି ଧମନୀ କାଟି ରକ୍ତ
କୁଣ୍ଡଳିତ ଧୂଆଁ ଭିତରୁ କେବଳ ଶୁଭିଛି ତୋ ବଂଶୀ ର ଧାରେ ସୂର ।

ମୁଁ ପାଗେଳୀ ହେଇଛି, ଛାତି ପିଟି ପିଟି ତୋତେ ଖୋଜିଛି
ଆଉ ଖୋଜିଛି , ଆଉ ଖୋଜିଛି ।

କିନ୍ତୁ କେହି ଜାଣି ନପାରିବା କଥାଟି ହେଉଛି,
ତୁ ସବୁବେଳେ ଏଇଠି ଅଛୁ । ମୁଁ ତୋତେ ଅନେକଥର ଆବିଷ୍କାର କରିଛି ମୋ ନିଜ ଭିତରେ ....

ଯେବେ ଯେବେ ମୁଁ ନିଶ୍ବାସ ନେଇଛି !!