କବିତା- ରାତିର କମାରଶାଳ, କବି- ଦୀପକ କୁମାର ମିଶ୍ର, ପ୍ରକାଶକ- ପଶ୍ଚିମା ପବ୍ଲିକେସନ୍ସ

କବି ଦୀପକ କୁମାର ମିଶ୍ର (ଜନ୍ମ: ୧୯୭୦) ପ୍ରଖର କଳ୍ପନାଶକ୍ତିସମ୍ପନ୍ନ । ସେ ବହୁ ବିପରୀତଧର୍ମୀ ଓ ଦୂରଗାମୀ ଶବ୍ଦମାନଙ୍କୁ ଅନାୟାସରେ ଯୋଚି ପାରନ୍ତି ଏବଂ ସୃଷ୍ଟି କରିପାରନ୍ତି ନୂଆ ବାସ୍ତବତା ଓ ନୂଆ ସମ୍ଭାବନା ଓ ନୂଆ ଅର୍ଥସନ୍ଧାନ ।

ଆଜି ଓଡିଆ କବିତାରେ କଳ୍ପନାର ନିନ୍ଦା ବେଶୀ (କଳ୍ପନା ଏକ ବିଳାସ ବୋଲି ? ), ବାସ୍ତବତାର ଜୟଗାନ ବେଶୀ । ବୋଧହୁଏ ଆମ କବିତାରେ ଚାଲିବାର ଶକ୍ତି ବେଶୀ, ଉଡିବାର ଶକ୍ତି କମ୍ । ମାଟିର ଭରପୂର ସଂପଦରେ ଏହା ତୃପ୍ତ, କଳ୍ପନା ଆକାଶରେ ସେ ଅନିଚ୍ଛୁକ କପୋତ । ସେଇ ଦୃଷ୍ଟିରୁ କବି ଦୀପକ କୁମାର ମିଶ୍ର ତାଙ୍କ ସମସାମୟିକ ଯଥା ପବିତ୍ର, ଅଖିଳ, ଭାରତ ପରି କବିଙ୍କଠୁଁ ଭିନ୍ନ । ତାଙ୍କ କବିତାଗଢଣ କୌଶଳ ବରଂ କବି ଅମରେନ୍ଦ୍ର ଖଟୁଆଙ୍କ ନିକଟତର ।

ଶବ୍ଦ ଦୁଇଟି ଆମ ଅଭିଧାନରେ କାହିଁ ଦୂର ଦୂରରେ ଥାଆନ୍ତି । ସେମାନଙ୍କର ନିଜ ନିଜର ଅର୍ଥ ସହିତ । ଏପରି ଦୂର ଦୂରାନ୍ତର ଶବ୍ଦକୁ କବି ଯୋଡିଦିଏ । ଦୁଇଟି ଧାତୁକୁ ମିଶେଇ ଏକ ମିଶ୍ରଧାତୁ ନିର୍ମାଣ କଲା ପରି । ଏଇ ମିଶ୍ରଧାତୁର ଗୁଣ ମୌଳିକ ଧାତୁଙ୍କର ଗୁଣାବଳୀଠୁଁ ଅଲଗା ହୋଇଯାଏ । ଶବ୍ଦ ଦୁଇଟି ଏକାକୀ ଥିଲାବେଳେ ଯେପରି ଥାଆନ୍ତି, ସଂଯୁକ୍ତ ହୋଇଗଲାପରେ ସେମାନେ ଭିନ୍ନ ହୋଇଯାନ୍ତି, ଅଭିନବ ହୋଇଯା'ନ୍ତି । ଦୁଇ ଜଣ ହାତ ଧରାଧରି ହୋଇ ଚାଲିଲା ପରି ଖୁସିରେ ଖୁସିରେ ।

କବି ଦୀପକ କୁମାର ମିଶ୍ରଙ୍କ ଦ୍ବିତୀୟ ସଂକଳନ "ରାତିର କମାରଶାଳ" ରେ ଆମେ ଏପରି ବହୁ ସଫଳ ପ୍ରୟୋଗ ପାଇଥାଉ । ଯେପରି: ଆସକ୍ତିର ଧୂଳି, ଖଣିର ପେଟ, ଗୀତର ଲୁଣ, ଆତଙ୍କର ଚାଳ, ମର୍ମର ସଉଦା, ଇଚ୍ଛାର ଗଳା, ଝର୍କାର ପରାଜୟ, ସ୍ପର୍ଶର ଅରଣ୍ୟ, କିମ୍ବଦନ୍ତୀର କପୋତ, ରାତିର କମାରଶାଳ, ପବନର ଭାସମାନ ଠିକଣା...

ଏଥିରୁ ଗୋଟିଏର ନିକଟତର ହେବାକୁ ଏଠାରେ ଚେଷ୍ଟା କରିବା ଆମେ: ରାତିର କମାରଶାଳ । ସଂକଳନର ଶୀର୍ଷକ କବିତା 'ରାତିର କମାରଶାଳ' କୁ ଅନୁଧ୍ୟାନ କଲେ ଆମେ ଏ ସଂକଳନର ମୁଖ୍ୟ ଉପାଦାନ ମାନଙ୍କୁ ପାଇଯିବା । ଏହା:

  1. ରାତି
  2. କମାରଶାଳ
  3. କମାର
  4. ଗପ ବା ଗୀତ

ରାତି: ହାଟ, ପାହାଡୀ ନାଚ ପରି କେତୋଟି କବିତାକୁ ଛାଡିଦେଲେ ସଂକଳନର ପ୍ରାୟ କବିତାର କାନଭାସରେ ରାତି ରହିଛି । ରାତିକୁ କବିତାର ଶୀର୍ଷକ କରି 'ରାତି ଯେମିତି' (ପୃ ୯) , 'ରାତିର କମାରଶାଳ' (ପୃ ୫୭), 'ରାତି ଭଳି ଅନ୍ୟ କିଛି' (ପୃ ୮୮) - ଏଇ ତିନୋଟି କବିତା ୧୦୧ ପୃଷ୍ଠାର ଏ ସଂକଳନରେ ଏକ ତ୍ରିଭୂଜ ଅଂକନ କରନ୍ତି । କେବଳ ସେତିକି ନୁହେଁ, ସଂକଳନର ବହୁ କବିତାରେ ହଠାତ୍ ବିଷୟ ଭିତରକୁ, ପରିବେଶ ସ୍ଥଳକୁ ଧସେଇ ପଶିଛି ରାତି । ଦୀପକଙ୍କ କବିମାନସରେ ରାତି ବାସ୍ତବିକ ଏକାଧାରରେ କୁହୁକ ବି ଦେହ ବି, ଥିବା ବି ନଥିବା ବି, ଗପ ବି ଯାତ୍ରା ବି । ସେଥିପାଇଁ ଦୀପକ ଠାଏ କହିଛନ୍ତି: 'ଠିକ ରାତି ନୁହେଁ ରାତି ଭଳି କିଛି' କବିତା 'ରାତି ଭଳି କିଛି' (ପୃ୯୦) । ଦୀପକଙ୍କ କବିତାରେ ରାତିର ଏତେ ବଡ ସ୍କେଲ୍ କୁ ବୁଝିବାକୁ ଆସନ୍ତୁ ଏଇ କେତୋଟି ଉକ୍ତିକୁ ନେବା ତାଙ୍କ କବିତାରୁ:

କ) ରାତି ଯେମିତି ଫେରେଇଦେବ ସବୁକିଛି ।
(କବିତା: ରାତି ଯେମିତି, ପୃ୯ )

ଖ) ରାତି ପାହିଲାବେଳକୁ ତୁମେ ଆଉ ନ ଥାଅ ।
(କବିତା: ଅଳ୍ପ ଦିନର ଅତିଥି, ପୃ୮୭)
ଦ୍ରଷ୍ଟବ୍ୟ: ରାତି ସବୁ ଫେରେଇ ଦିଏ, ପୁଣି ରାତି ଚାଲିଯିବା ଦେଖି କିଏ ବି ଚାଲିଯାଏ ,କଣ ବି ଚାଲିଯାଏ ।

ଗ) ରାତିର ଅବିଶ୍ବାସୀ ମନ ଏକା ଏକା ବୁଲୁଥାଏ ଇଚ୍ଛାର କୁହୁଡିରେ
(କବିତା: ଯିବାକୁ ହେବ, ପୃ୫୪)

ଘ) ରାତି ଆମକୁ ଫେରେଇ ଦେଇଛି ଦେହର ବିସ୍ମୟ
(କବିତା: ଦୁଇ କୂଳ, ପୃ୩୪)

ଙ) ଆଖିଏ ଆକାଶ ମାଗେ ଗୋଟିଏ ନିରାପଦ ରାତି
(କବିତା: ଭୋକର ଗୀତ, ପୃ୪୧)

ଏଠାରେ ସ୍ମରଣୀୟ: ଆଖିରେ ଆଖିଏ ଆକାଶ ପାଇଁ ନିରାପଦ ରାତିଟିଏର କାମନା କରୁଥିବା କବି କବିତା 'ଦୂରତା' ରେ ଏକଥା କହିବାକୁ ଭୁଲିନାହାଁନ୍ତି ଯେ "ରାତିର ଅଜଣା ଗାଁରେ/ବାପା ସହ ଶୋଇ ଯାଇଥିବା/ଦୁଇଟି ଶିଶୁର ପୋଡାମାଂସ"। ସମସାମୟିକ ଘଟଣାବଳୀର ନିକଟରେ ଥାଆନ୍ତି କବି ।

କମାରଶାଳ: ଯେଉଁମାନେ କମାରଶାଳ ଦେଖିନଥିବେ, ସେମାନେ ଏତିକି ଜାଣନ୍ତୁ ଯେ କମାରଶାଳରେ ଫାଳ ପଜାଯାଏ । କମାରଶାଳରେ ଥାଏ କିଛି କଳା କଟକଟ କୋଇଲା, ଥାଏ କିଛି ଲାଲ୍ ଟକଟକ ଆଞ୍ଚ, ଥାଏ ଗୋଟେ ଫୁଉ ଫୁଉ ଫୁଙ୍କିଦେଉଥିବା ଫୁଙ୍କା, ଥାଏ ଦା' ହାତୁଡି ଆଉ ଥାଏ କମାର ଓ ତା' ପୁଅ ।

କବିତା 'ବୁଲା ବିକାଳୀ' ରେ କବି ସ୍ମରଣ କରିଛନ୍ତି: ବାସୀ ସଞ୍ଜର ଗୀତ ଯାହା ଆଣିଥିଲି ଉଜୁଡିଯାଇଥିବା ଗାଁର କମାରଶାଳରୁ (ପୃ୨୪)

ନଥିବା (ଉଜୁଡା) ଗାଁରେ ନା ଥିବ କମାରଶାଳ ନା ଥିବ ବାସୀ ସଞ୍ଜର ଗୀତ ? ସେ ଗୀତକୁ ବୁଲି ବୁଲି ବିକୁଥିବା ବୁଲା ବିକାଳୀଟିଏ ତଥାପି ଜୀଇଥିବ । ଆମେ ଏ ପଙକ୍ତିରେ ସଂକଳନର ଚାରୋଟିଯାକ ଉପାଦାନ ପାଇଗଲେ: ସଞ୍ଜ (ଅଥବା ରାତି), ରାତିର କମାରଶାଳ, ରାତିର କମାରଶାଳର କମାର ଓ କମାରର ଗୀତ ଅଥବା ଗପ । କବିଙ୍କ ଭାଷାରେ:

"ତୁମେ ଅପଲକ ଦେଖୁଥିବ
ଆଖି ସାମ୍ନାରେ ବଦଳିଯାଉଥିବା ମାମୁଲି କମାରଶାଳ,
କମାରଶାଳ ତଳେ ଶୋଇଯାଇଥିବା ପୁରୁଣା ଗପ
ସେ ଗପ ପାଖକୁ ଫେରିବାକୁ ହୁଏ ଆମକୁ, ତୁମକୁ"
(କବିତା: ରାତିର କମାରଶାଳ, ପୃ୫୮)

କାହିଁକି? କାହିଁକି ସେ ଗପ, ସେ ଆର୍ତ୍ତନାଦ ପାଖକୁ ଫେରିବାକୁ ହେବ ?
କାରଣ (କବିଙ୍କ ଭାଷାରେ):
'ରାତି ମାଗେ ଗୋଟି ଗୋଟି ଗପର ହିସାବ'
(କବିତା :ନଦୀ ଜାଣେ, ପୃ୬୨)

କମାର: "ରାତିର କମାରଶାଳ" ଗପର ନାୟକ କମାର ସମ୍ପର୍କରେ ଅତି ସଂକ୍ଷେପରେ କହିବାକୁ ହେବ। ତା' ପାଇଁ କବି କହନ୍ତି:
କମାରର ରକ୍ତରେ ଭିଜିଯାଏ
ଧାତୁର ଲେଲିହାନ ଧାର
(କବିତା: ରାତିର କମାରଶାଳ, ପୃ୫୯)

କଳା ରାତି, କଳାରାତିର କମାରଶାଳ, ଶାଳର କଳାଭୁଷୁଣ୍ଡା କମାର । ସେଇ କମାରର ଶ୍ରମରେ, ଝାଳରେ, ରକ୍ତରେ ଲୁହାକୁ ଲେଲିହାନ ଧାର ପ୍ରଦାନ କରାଯାଏ ଯାହାକୁ ଅନ୍ୟ ଭାଷାରେ କହନ୍ତି ଫାଳ ପଜେଇବା, ଦା'ରେ ଶାଣ ଦେବା ।

ଗପ ବା ଗୀତ: କମାରର କାମ କ'ଣ ଏତିକି ? କମାରର କାମ ବି ଶାଳର ନିଆଁ ହେବା, ରାତିର ଅନ୍ଧାର ହେବା, ମୁକ୍ତିର ଗୀତ ହେବା । ସେଥିପାଇଁ କବି କହନ୍ତି:
"କମାରର ପାହାର
ଖୋଲୁଥାଏ
ବେଡ଼ି
ତୁମର, ମୋର,
ଆମକୁ ଘେରି ଯାଇଥିବା ଅନ୍ଧାରର
ଝାଳୁଆ, ଧାତବ ବେଡି !"
(କବିତା: ରାତିର କମାରଶାଳ, ପୃ୫୯)

ଏପରି ଗୀତ ବା ଗପ, ଏପରି କମାରଶାଳ, ଏପରି କମାର ଓ ଏପରି ରାତି - ଏଇ ଚାରିଗୋଟି ଶକ୍ତ ସ୍ତମ୍ଭ ଉପରେ ପର୍ଯ୍ୟବସିତ "ରାତିର କମାରଶାଳ" ମନ୍ତ୍ରିତ ହୋଇଛି ଶ୍ରମ, ସଂଘର୍ଷ ଓ ନିର୍ମାଣର ମନ୍ତ୍ରରେ, ସ୍ବପ୍ନରେ ଓ ସ୍ମୃତିରେ ।

ସମସାମୟିକ ଘଟଣା, ଚରିତ୍ର, ଉପାଦାନ ଗୁଡିକ ତାଙ୍କ କବିତାର ମୂଳ ଥିମ୍ ନହେଲେ ବି ସେମାନେ ତାଙ୍କ କବିତାକୁ ଅନୁପ୍ରବେଶ କରନ୍ତି ଏକ ଉଲ୍କା ପରି ଓ ଅନ୍ତର୍ହିତ ହୋଇଯାନ୍ତି କବିତାଟି ସରିବା ଆଗରୁ । ସେଇ ସ୍ବଳ୍ପ ସମୟର ରହଣି ଭିତରେ ସେମାନେ ଆମକୁ ଅଭିଭୂତ କରିଦିଅନ୍ତି । ସଂକଳନରେ ସନ୍ନିବେଶିତ 'ହାଟ', 'ପାହାଡି ନାଚ', 'ଭୋକର ଗୀତ' ଆଦି କବିତାରେ କବିଙ୍କର ବହୁମୁଖୀନତାର ସୁସ୍ପଷ୍ଟ ।

କବିଙ୍କର ପ୍ରଥମ ସଂକଳନ "ନିଆଁଗୀତ"କୁ (୨୦୧୧) କବି ଉତ୍ସର୍ଗ କରିଥିଲେ ବାପା-ମା'ଙ୍କୁ ଏବଂ ସେ ସଂକଳନର ଶେଷ କବିତାଟିରେ ରହିଛି ଶବର-ଶବରୀଙ୍କ କଥୋପକଥନ:
"ନିଆଁ ଚାରିଜାତିର କହଲୋ ଶବରୀ ନିଆଁ ଚାରିଜାତି କହ/ ନିଆଁ ଚାରିଜାତି କହି ନ ପାରିଲେ ମାଘର ଜାଡ ତୁ ସହ"

କବିଙ୍କର ଦ୍ବିତୀୟ ସଂକଳନ "ରାତିର କମାରଶାଳ" କୁ (୨୦୨୦) କବି ସମର୍ପି ଦିଅନ୍ତି 'ସାନଭାଇ ରାକେଶକୁ ଯିଏ ଗୀତ ଗାଇବାକୁ ଭଲ ପାଉଥିଲା'

ସାନଭାଇର ସ୍ମୃତି ଓ ସ୍ବପ୍ନରେ ଏ ବହି ।

ରାକେଶକୁ ହରେଇବାର ଦୁଃଖ ଯେପରି ଉତ୍ସର୍ଗ ପୃଷ୍ଠାରେ ଉତ୍କୀର୍ଣ୍ଣ, ସେହିପରି ସଂକଳନର ଶେଷ କବିତା 'ଫେରିବି ନିଶ୍ଚୟ' ର ନାୟକ ଯେପରି ନିଜେ ରାକେଶ ଓ ତାରି କଣ୍ଠ:

ଏବେ ବି ସେ ଫେରିବାର
ଚପଳ ପଦପାତରେ
ଗଢି ହେଉଛି ମୋର ନିର୍ଜନ ଶୈଶବ ।

ଏକବିଂଶ ଶତାବ୍ଦୀରେ ଏପର୍ଯ୍ୟନ୍ତ ପ୍ରକାଶିତ କବିତା ସଂକଳନସବୁ ମଧ୍ୟରେ "ରାତିର କମାରଶାଳ" ସ୍ବତନ୍ତ୍ର ଓ ଅନନ୍ୟ । ଏତେ ଗୁଡିଏ ଭଲ କବିତାର ସମାବେଶ ଓ ଏହାର ପ୍ରତ୍ୟେକ କବିତା ସହ ଅନ୍ୟ ସବୁ କବିତାର ସମନ୍ବୟକୁ ନେଇ ସଂକଳନଟି ଖ୍ୟାତିସମ୍ପନ୍ନ ହେବ । ଏପରି ମୂଲ୍ୟବାନ କବିତା ସଂକଳନର ପ୍ରକାଶନ ପାଇଁ ଧନ୍ୟବାଦ ପଶ୍ଚିମା ପବ୍ଲିକେଶନକୁ । କବିତା ବହିଟି ଆମାଜନରେ ଉପଲବ୍ଧ ।

ଶେଷରେ ସଂକଳନରୁ ଗୋଟିଏ ସମ୍ପୂର୍ଣ୍ଣ କବିତା: ଗପ

ଯେଉଁମାନଙ୍କ କାହାଣୀର ଅଭିଶାପ ବୋହି
ନୀରବରେ ଚାଲିଆସିଛି ଏତେ ବାଟ
ଯେଉଁମାନଙ୍କ ତୃଷାର୍ତ୍ତ ଓଠରେ
ବାକିଥିବା ପାପର ବାରଣ ଡେଇଁ
ଧାଇଁ ଆସିଛି ଏଯାବତ

ସେମାନେ କେହି ନଥିଲେ
କ୍ରମଶଃ ଅପସରି ଯାଉଥିବା
ପାଦଶବ୍ଦମାନଙ୍କ ସୀମାବଦ୍ଧତାରେ
ସତରେ କେହି ବୋଲି କେହି ନଥିଲେ ସେମାନେ

କାହାଣୀର ଗୁମ୍ଫା ଭିତରେ
ଚରିତ୍ର ଖୋଜୁଥିବା ସେ ସମାପ୍ତିମାନେ
କାହିଁ କେବେଠୁ
ଉଡି ଯାଇଥିଲେ ଗପରୁ
ଗପର ଶାଣିତ ଭାଗ୍ୟରୁ!

ସେମାନଙ୍କୁ
ଅନାମ ସେମାନଙ୍କର ଅବଶିଷ୍ଟ ପଳାୟନକୁ
ବରଂ ବିତି ଯିବାକୁ, ଥକି ଯିବାକୁ ଦିଅ,
ଧୂଳି ଧୂସରିତ ବର୍ତ୍ତମାନର ଜଉଘର ଭିତରେ
ନିଷ୍ପାପ ଗୌଣତା ଭଳି ଜଳିଯିବାକୁ ଦିଅ ।

ଛଦ୍ମବେଶର ସନ୍ଧାନରେ
ତୀର ଭଳି ମାଡିଯାଉଥିବା ଏ ଯାତ୍ରାରେ
ବରଂ କିଛି ରାତି ଖଞ୍ଜିଦିଅ
ଫେଣ୍ଟିଦିଅ କିଛି ଆନମନା
ଦିଶାହୀନ ପ୍ରହର

ଚଟିଘରର ଅଧା ଅନ୍ଧାରରେ
ଘଟଣାର ନିଆଁ ତେଜି ଦିଅ !