ଫଟୋ: ୱିକି କମନ୍ସ

କିଛି ଓଡ଼ିଆ ପୁରାଣରେ ବର୍ଣ୍ଣନା ରହିଛି ନାରଦ ମୁନିଙ୍କର ବାହାନ ହେଲା ଢିଙ୍କି । ମୁନିବର ସବୁଦିନ ସକାଳୁ ସକାଳୁ ଢିଙ୍କି ଚଢ଼ି ତିନି ଲୋକ ଭ୍ରମଣ କରନ୍ତି ଓ ସାରା ଦିନ ଖବର ଦିଆନିଆ କରନ୍ତି । ୟା କଥା ନେଇ ତା’ ଆଗରେ କହି କଳି ଲଗାନ୍ତି ବୋଲି ନାରଦଙ୍କୁ କଳିଆ ନାରଦ କୁହାଯାଏ । ଅନ୍ୟ ଦେବାଦେବୀଙ୍କ ପାଇଁ କିଛି ନା କିଛି ପଶୁ କିମ୍ବା ପକ୍ଷୀକୁ ବାହାନ ଭାବରେ ଖଞ୍ଜି ଦିଆଯାଇଥିବା ବେଳେ ନାରଦ ମୁନିଙ୍କ ଭାଗ୍ୟରେ ଢିଙ୍କି କାହିଁକି ? ଢିଙ୍କି ବାହାନର ବେଗ ଅନ୍ୟ ଯାନବାହାନ ଠାରୁ ଅଧିକା କି ? ମୁଁ ଜାଣିନି । ତେବେ ମୂଳ ପୁରାଣମାନଙ୍କରେ ନାରଦ ଢିଙ୍କି ଚଢ଼ନ୍ତିନି । ହଁ ଅନ୍ୟ ମାନଙ୍କ ପାଖରେ ବାହାନ ଥିବା ବେଳେ ନାରଦ ମୁନିଙ୍କ ପାଖରେ ଯାନ ଖଣ୍ଡେ ଥିଲା । ଏ ବିଷୟରେ ନିଶ୍ଚିନ୍ତ ହେବାକୁ ବିଶିଷ୍ଠ ଗବେଷକ ପ୍ରସନ୍ନ ପଟ୍ଟନାୟକ ସାର୍ ଙ୍କୁ ପଚାରିଲି । ସାର୍ “ଚରିତ ଚିନ୍ତାମଣୀ”ରୁ ଗୋଟେ ଶ୍ଳୋକ ପଠାଇଲେ ।

“ତସ୍ମାତ୍ ଲୋକେଷୁ ତେ ମୂଢ଼ ନ ଭବେତ୍ ଭ୍ରମତଃ ପଦମ୍ ।”

ଅର୍ଥାତ୍ ବ୍ରହ୍ମାଙ୍କ ଅଭିଶାପରେ ନାରଦ ସଦା ସର୍ବଦା ଯାଯାବର ଜୀବନ ଯାପନ କରିବା କଥା । “ଚରିତ ଚିନ୍ତାମଣୀ”ରେ ନାରଦଙ୍କ ଢିଙ୍କି ବାହାନ କଥା ନାହିଁ । ତେବେ ଓଡ଼ିଆ ପୁରାଣରେ ନାରଦଙ୍କୁ ଢିଙ୍କି ଦେଲା କିଏ ?

ମୋ ଅଜା ପ୍ରତିଦିନ ସକାଳୁ ଗାଧେଇ ସାରି ଢିଙ୍କି କୁଟା ଚୁଡ଼ାକୁ ପଖାଳ କରି ଖାଉଥିଲେ । କେଉଟ ବା ଧୀବର ସମ୍ପ୍ରଦାୟର ମିଣିପିମାନେ ଡଙ୍ଗା ବାହିବା ଓ ମାଛ ମାରିବା ଆଦି କାମ କଲାବେଳେ ଘରର ସ୍ତ୍ରୀ ଲୋକମାନେ ଢିଙ୍କିରେ ପ୍ରତିଦିନ ଚୁଡ଼ା କୁଟି ଗାଁ ଲୋକଙ୍କୁ ଯୋଗାଉଥିଲେ । ମାମୁଁ ଘରର ଖଣ୍ଡେ ଦୂରରେ ଥିଲା କେଉଟ ସାହି । କୁକୁଡ଼ା ରାବିବାର ଘଡ଼ିଏ ଆଗରୁ ଢିଙ୍କି କୁଟା ଶବ୍ଦ ସ୍ପଷ୍ଟ ଶୁଭିଯାଏ । ଆଲାର୍ମ ନଥିବାର ସମୟରେ ଗାଁ ଲୋକମାନଙ୍କର ସମୟ ଜାଣିବାର ଏମିତି ଅନେକ ବ୍ୟବସ୍ଥା ସବୁ ଥିଲା । ଅଜା ମୋତେ ପ୍ରବଳ ଗପ କୁହନ୍ତି । ଅଜାଙ୍କ ଗପରୁ ଢିଙ୍କି ଚଢ଼ା ନାରଦଙ୍କ କଥା ମନରେ ରଖି ମୁଁ ପିଲାଦିନେ ଅନେକ ସମୟରେ ମାମୁଁ ଘର ଢିଙ୍କିର ପିଠିରେ ବସି ପଡୁଥିଲି । ସେତେବେଳେ ଢିଙ୍କି ମୋତେ ଗୋଟେ ବିଶାଳ ଚଢେ଼ଇ ପରି ପ୍ରତେ ହେଉଥିଲା । ଚଢେ଼ଇର ଥଣ୍ଟ, ପକ୍ଷ ଓ ଲାଞ୍ଜ ସବୁ ଯାହା ରହିବା କଥା, ସବୁକିଛି ଢିଙ୍କିର ଥିଲା । ପରେ ଉଡ଼ାଜାହାଜ ଦେଖିଲା ପରେ (ସେବେ ଆମେ ଉଡ଼ାଜାହାଜକୁ କେବଳ ଦୂର ଆକାଶ ଓ ବହିର ଛବିରେ ଦେଖିଥିଲୁ) ଲାଗିଲା ଢିଙ୍କି ଗୋଟେ ଉଡାଜାହାଜ । ତେବେ କ’ଣ ନାରଦ ମୁନିଙ୍କ ପାଖରେ ସେମିତି କିଛି ଗୋଟେ ଉଡ଼ିବା ଯନ୍ତ୍ର ଥିଲା କି ? ସେମିତି ଦେଖିଲେ ଉଡ଼ାଜାହାଜ ଓ ଢିଙ୍କିର ସରଳ ଡ୍ରଇଂଟି ଏକା ପରି ଦିଶେନି କି ?

ଗୋଟେ ସମୟ ଥିଲା ଓଡ଼ିଆ ଘରମାନଙ୍କରେ ଢିଙ୍କିର ଗୁରୁତ୍ୱ ଥିଲା । ଢିଙ୍କିକୁ ସ୍ଥାନ ବିଶେଷରେ ଢେଙ୍କି ମଧ୍ୟ କୁହାଯାଏ । ପ୍ରାୟ ଘରର ପଛପଟକୁ କିମ୍ବା ଆଗ ଅବା ମଝି ଅଗଣାରେ ନିଶ୍ଚୟ ଗୋଟେ ଢିଙ୍କି ଚାଳି ରହୁଥିଲା । ଦିନକୁ ତିନିଓଳି ଭାତ ଖାଉଥିବା ଓଡ଼ିଆଙ୍କ ପାଇଁ ଢିଙ୍କି ଏକ ଆବଶ୍ୟକତା ଥିଲା । ମୋ ପିଲାଦିନ ବେଳକୁ ପାଖ ଗାଁରେ ଧାନକଳ ଅବଶ୍ୟ ବସିଗଲାଣି । ତଥାପି ଢିଙ୍କିର ବ୍ୟବହାର କମି ନଥାଏ । ଧାନକଳ ଅପେକ୍ଷା ଲୋକମାନେ ଢିଙ୍କି କୁଟା ଚାଉଳକୁ ବେଶୀ ପସନ୍ଦ କରୁଥା’ନ୍ତି । କେହି କେହି ଧାନ କଳରୁ ଧାନ କୁଟେଇ ଆଣୁଥା’ନ୍ତି ହେଲେ ଓଷା ବ୍ରତର ଦିନମାନଙ୍କରେ ଲୋଡ଼ା ପଡ଼ୁଥାଏ ଢିଙ୍କି । ଓଷାରେ କଳ କୁଟା ଚାଉଳ ବ୍ୟବହାର ନିଷିଦ୍ଧ ଥିଲା । ଢିଙ୍କି ବ୍ୟବହାର କରି ଧାନରୁ ଉଷୁନା ଓ ଅରୁଆ ଚାଉଳ, ଚାଉଳରୁ ଚୁନା, ଧାନରୁ ଚୁଡ଼ା କରାଯାଏ । ଆହୁରି ମାଣ୍ଡିଆ କେଣ୍ଡାକୁ କୁଟାଯାଏ । ଖଇ ଚରା, ଯଅକୁ କୁଟି ଛତୁଆ ବି ପ୍ରସ୍ତୁତ କରାଯାଏ ।

ଘରେ ଢିଙ୍କିରେ ଧାନ କି ଚାଉଳ କୁଟିଲା ବେଳେ ଢିଙ୍କି ଲାଞ୍ଜିରେ ଜଣରୁ ତିନି ଜଣ ପର୍ଯ୍ୟନ୍ତ ସ୍ତ୍ରୀ ଲୋକ ପାଦ ମାରନ୍ତି । ଜଣେ କେହି ରୁହନ୍ତି ଭରାଣ୍ଡି ପାଖରେ । ଢିଙ୍କି କୁଟାର ତାଳ ବା ରିଦିମ୍ କୁ ଲକ୍ଷ୍ୟ କରି ସେ ଭରାଣ୍ଡିରେ ହାତ ପୁରାନ୍ତି ଓ ଚଟାପଟ୍ ବାହାର କରିଆଣନ୍ତି । ଏଇ କାମଟିକୁ ଶୁଖାଇବା କହନ୍ତି । ମୁଁ ଏଇ ଶୁଖାଇବା କାମକୁ ମନ ଦେଇ ଦେଖେ । କାମଟି ମୋତେ ମ୍ୟାଜିକ୍ ଠାରୁ କିଛି କମ୍ ଲାଗେନି । କାରଣ ସାମାନ୍ୟ ଅସାବଧାନତା ଭୟଙ୍କର ଦୁର୍ଘଟଣାର କାରଣ ହେଇପାରେ । ଅକାଳେ ସକାଳେ ଦୁର୍ଘଟଣା ବି ଘଟେ । ସେ ଭୟଙ୍କର କଥା ବି ମନେ ଅଛି ମୋର । କେଉଟୁଣୀ ମାନେ ଚୁଡ଼ା କୁଟିବା ପାଇଁ ବ୍ୟବହାର କରୁଥିବା ଢିଙ୍କିରେ ଲୁହାର ସମା ନଥାଏ । ସେମାନେ ଗୋଟେ ଦିନ ଆଗରୁ ଧାନକୁ ବମ୍ଫେଇ ପାଣି ଦେଇ ରଖିଥା’ନ୍ତି । ବଡ଼ି ସକାଳୁ ସେଇ ଧାନକୁ ଜଣେ ଢିଙ୍କି ପାଖରେ ଚୁଲିରେ ହାଣ୍ଡି ବସେଇ ଭାଜି କୁଟିବା ପାଇଁ ଭରାଣ୍ଡିରେ ପକାଉଥାଏ । ପ୍ରତି ଗାଁରେ କିଛି ପେଶାଦାର ଧାନକୁଟାଳୀ ସ୍ତ୍ରୀ ଲୋକ ବି ଥାଆନ୍ତି । ସେମାନଙ୍କୁ କୁଟୁଣୀ କୁହାଯାଏ । ସ୍ୱଛଳ ପରିବାରର ଢିଙ୍କି କୁଟା କାମଟି ସେଇମାନେ ନିର୍ବାହ କରନ୍ତି ।

ଢିଙ୍କି କୁଟିବା ବେଳେ ସ୍ତ୍ରୀ ଲୋକମାନେ ଗୀତ ବି ଗାଇଥା’ନ୍ତି । ଅବଶ୍ୟ ମୁଁ କେବେବି ସେମିତି କିଛି ଗୀତ ଶୁଣିନି । ଯାହା ସବୁ ଶୁଣିଛି ସେଗୁଡ଼ା ନିତ୍ୟାନ୍ତ ଗସିପ୍ ପର୍ଯ୍ୟାୟର । ତେବେ ଚକ୍ରଧର ମହାପାତ୍ରଙ୍କ ‘ଉତ୍କଳର ଗ୍ରାମ୍ୟଗୀତ ଓ କଥା’ ବହିରୁ ଢିଙ୍କି ଗୀତରୁ କେଇ ଧାଡ଼ି ନିମ୍ନରେ ଉଦ୍ଧାର କରୁଛି ।

‘ଦୁଲୁଦୁଲୁ ଢିଙ୍କି ଦୁଲୁକା
ବ୍ରହ୍ମା ନ ପାଇଲେ ତା’ ଭେଦ ଏକା,
ଦେ ସମକେଇ ଲୋ ସମା କୁଟଇ ଧାନ
ଢିଙ୍କି ଦେ ସମକେଇ ଲୋ
ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜରେ ଖାଆନ୍ତି ବଙ୍ଗାଳୀ ପାନ ।
ଦେ ସମକେଇ ଲୋ ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜରେ ଖାଆନ୍ତି ବଙ୍ଗାଳୀ ପାନ ।’

‘ଢିଙ୍କି ଭରାଣ୍ଡି ତ ନିଘୋଡ଼ ଶୋଇଛି ମୂଷଳ ମାରୁଛି ଠାର
ଢିଙ୍କି ପକ୍ଷୀ ଦେଖି ସପନ ଦେଖୁଛି ଢିଙ୍କି ମୁଣ୍ଡା ଥରଥର ଲୋ
ଦେ ସମକାଇ ଲୋ ସମା କୁଟଇ ଧାନ
ଢିଙ୍କି ଦେ ସମକେଇ ଲୋ ସମା କୁଟଇ ଧାନ ।’

ଢିଙ୍କି ଓଡ଼ିଶା ଛଡ଼ା ଆମ ପଡୋଶୀ ରାଜ୍ୟ ବଙ୍ଗ ପ୍ରଦେଶରେ ମଧ୍ୟ ଧାନ କୁଟାରେ ବ୍ୟବହାର କରାଯାଏ । ୨୦୦୦ ମସିହାରେ ଏକଦା ଗୌହାଟୀ ଭ୍ରମଣ ବେଳେ ଜଣେ ଅହମିୟା କବି ବନ୍ଧୁଙ୍କ ସାଙ୍ଗରେ ମଦନକାମଦେବ ମନ୍ଦିରକୁ ଯିବା ବେଳେ ବାଟରେ କିଛି ଗାଁ ବୁଲିଥିଲି । ସେ ସବୁ ଗାଁ ମାନଙ୍କରେ ଢିଙ୍କି ଦେଖିଥିଲି । ସେ ଗାଁ ସବୁ ମୋତେ ଅବିକଳ ଆମ କଟକି ଗାଁ ପରି ଲାଗିଥିଲେ । ନେପାଳରେ ମଧ୍ୟ ଢିଙ୍କିର ବ୍ୟବହାର ରହିଛି । ଜାପାନୀମାନେ ଧାନରୁ ଚାଉଳ ବାହାର କରିବାକୁ ପାରମ୍ପରିକ ଭାବରେ ଯେଉଁ ସରଳ ଯନ୍ତ୍ରର ବ୍ୟବାହର କରନ୍ତି ତାହା ଆମ ଢିଙ୍କିର ମାଉସୀ ଝିଅ ଭଉଣୀ ପରି ଦିଶେ । ଏଇଥିରୁ ଜଣାଯାଏ ଯେ, ଚାଉଳ ଖାଉଥିବା ମଣିଷମାନେ ଧାନରୁ ଚାଉଳ ବାହାର କରିବା ପାଇଁ ପ୍ରାୟତଃ ଢିଙ୍କି ପରି କିଛି ଯନ୍ତ୍ରର ବ୍ୟବହାର ବର୍ଷ ବର୍ଷ ଧରି କରିଛନ୍ତି ।

ଢିଙ୍କି ଚାଳି ଲିପାପୋଛା ହେଇ ସବୁବେଳେ ସଫା ସୁତୁରା ଥାଏ । ସାନ ସାନ ପିଲାଙ୍କ ଖରାବେଳିଆ ଖେଳଘର ହେଲା ଢିଙ୍କି ଚାଳି । ତଅପୋଇ ବି ଏକଦା ତା’ ସାଙ୍ଗସାଥିଙ୍କ ସାଙ୍ଗରେ ତାଙ୍କ ଢିଙ୍କି ଚାଳିରେ ଖେଳୁ ଖେଳୁ ମା’ ମଙ୍ଗଳାଙ୍କୁ କୁଣ୍ଡା ପିଠା ଦେଇ ପୂଜା କରିଥିଲା । ମଙ୍ଗଳାଙ୍କ ଆରାଧନା ପାଇଁ ଶେଷରେ ତଅପୋଇକୁ ସେଇ ମା’ ମଙ୍ଗଳା ହିଁ ଭରସା ହେଇଛନ୍ତି । ସାତଭାଇ ଭଲରେ ଫେରିଆସିଛନ୍ତି । ଦୁଷ୍ଟ ଭାଉଜମାନେ ଦଣ୍ଡ ପାଇଛନ୍ତି । ଏକଦା ତଅପୋଇ ପୂଜା କରିଥିଲେ, ସେଥିପାଇଁ ଗାଁ ଗହଳରେ ଅନେକ ଭାଲୁକୁଣୀ ବା ଖୁଦୁରୁକୁଣୀ ଓଷା ଢିଙ୍କି ଚାଳିରେ ହିଁ କରନ୍ତି । ଖୁଦୁରୁକୁଣୀ ଚିତା ପକାଇ ଭାଦ୍ରବ ମାସରେ ଅବିବାହିତ ଝିଅମାନେ ଭାଇମାନଙ୍କ ମଙ୍ଗଳ କାମନା କରି ଚାରି ରବିବାରରେ ଚାରି ପାଳି ଓଷା କରିଥା’ନ୍ତି ।

ଢିଙ୍କି, ଢିଙ୍କି ଚାଳି, ସମା, ଭରାଣ୍ଡି, ଲାଞ୍ଜି, ପକ୍ଷୀ, ଶୁଖାଇବା ଓ ଗଣ୍ଡି ଆଦି ଶବ୍ଦ ଓ ଧାନ କୁଟା ଗୀତସବୁ କ୍ରମେ ମରି ହଜି ଗଲାଣି । ଧାନ କୁଟା ଜାଣି ନଥିବା ନୂଆ ଭୁଆଶୁଣୀକୁ ଶାଶୁ ପାଖରୁ ଆଉ ଉଲୁଗୁଣା ଶୁଣିବାକୁ ମିଳୁନି । ଦଶ ପ୍ରାଣୀ କୁଟୁମ୍ବର ଘରେ ଶାଶୁ ଧାନ କୁଟେଇ କୁଟେଇ ବୋହୁ ଉପରେ ଓରିମାନା ମେଣ୍ଟଉନି । ଓଡ଼ିଆ ଜନ ଜୀବନରୁ ଢିଙ୍କି କ୍ରମେ ଅପସରି ଗଲାଣି । ପରମ୍ପରାରୁ ଇତିହାସ ହେଇଗଲାଣି ।

ଅଶୀ ଦଶକର ଶେଷ ଭାଗ ଯାଏଁ ଗାଁ ଗଣ୍ଡାରେ ତଥାପି ଢିଙ୍କି ଥିଲା । ଆମର ବି ଗୋଟେ ବନି କାଠରେ ତିଆରି ଢିଙ୍କି ଥିଲା । ସେଇଟିକୁ ମୋ ବୁଢ଼ୀମା ତିଆରି କରେଇଥିଲା । ଆମେ ଦେଖିଲା ବେଳକୁ ସେଇଟା ଆଉ ବ୍ୟବାହାରରେ ଲାଗୁନଥିଲା । ଏମିତି ବାଡ଼ି ଚାଳି ତଳେ ବିନା ପକ୍ଷୀ ଓ ସମା ଲଗା କାଠ ବିନା କୁମ୍ଭୀର ଭଳିଆ ଶୋଇଥିଲା । କୁମ୍ଭୀର କଥାରୁ ମନେ ପଡ଼ିଲା, ‘ଓଡ଼ିଆରେ ଘର ଢିଙ୍କି କୁମ୍ଭୀର’ ବୋଲି ଢଗଟେ ଏବେବି ପ୍ରଚଳିତ ଅଛି । ହେଲେ ଆଜିର ପିଲାଏ ଢିଙ୍କି କ’ଣ ବୋଲି ଜାଣିବେନି । ଅନେକ ତ ଗଛରେ ଧାନ ଫଳେ ନା ଚାଉଳ ଫଳେ ଜାଣନ୍ତିନି । ଏବେ ପିଲାଙ୍କୁ ଢିଙ୍କି କ’ଣ ବୁଝାଇବାକୁ ହେଲେ ମ୍ୟୁଜିୟମ ନେବାକୁ ହେବ । କଥା ହେଲା ମ୍ୟୁଜିୟମରେ ଢିଙ୍କି ଅଛି ତ ?