ଚିତ୍ର: ସର୍ବଧର୍ମ ସମଭାବ, ୱିକି କମନ୍ସ

ସୁକୁରୁ ହେମ୍ବ୍ରମ । ଘର କନ୍ଧମାଳ । ବୟସ ପଚିଶ । ଘରେ ରୋଗୀଣା ମାଆ । ବିକ୍ରମଦେଵ କଲେଜ ରୁ ଇତିହାସରେ ଗ୍ରାଜୁଏସନ । କଲେଜ ପଢ଼ୁଥିବା ସମୟରେ ସେ ଥିଲା ଜଣେ ମେଧାବୀ ଛାତ୍ର । ସରକାର ଙ୍କ ଆଦିବାସୀ ଉନ୍ନୟନ ନୀତି ନିୟମ ଅନୁସାରେ ଥଇଥାନର ପ୍ରତିଶୃତି ବି ଥିଲା । କିନ୍ତୁ ପାଠ ପଢା ପରେ ଏକପ୍ରକାର ବେକାର ହେଇ ପାଞ୍ଚବର୍ଷ ବସିଲା ପରେ, ସେ ଜାଣିପାରିଲା ସରକାରୀ କଳର ସତ୍ୟତା । ଶେଷରେ ଦୂର ସମ୍ପର୍କୀୟ ଦାଦାଙ୍କ ଜରିଆରେ, ଶଙ୍କରଖୋଲ ଗାଁ ପାଖେ ଗୋଟେ ଚର୍ଚ୍ଚ ରେ ମିଳିଲା ଚାକିରୀ । କାମ ହେଉଛି ଚର୍ଚ୍ଚର ପଇସା ପତ୍ର ହିସାବ ରଖିବା । ହାନିଲାଭ ବୁଝିବା ଇତ୍ୟାଦି ଇତ୍ୟାଦି ।

ସମୟ ରାମନବମୀ । ଏକଦା ଏ ଅଞ୍ଚଳରେ ପ୍ରସିଦ୍ଧ ଥିବା ଜଣେ ସନ୍ୟାସୀଙ୍କ ହତ୍ୟାକାଣ୍ଡ ପରଠୁ ଠିକ ଏଇ ସମୟ ରେ ଖୁବ ଉତ୍ତେଜନା ପ୍ରବଣ ରହେ କନ୍ଧମାଳ ଅଞ୍ଚଳ। ଘରେ ମନାକଲେ ଚର୍ଚ୍ଚ କୁ ଯିବାକୁ । କିନ୍ତୁ ସୁକୁରୁ କୁ ଯିବାକୁ ହେବ । ଚର୍ଚ୍ଚ ଦ୍ୱାରା ପରିଚାଳିତ ଅନାଥାଶ୍ରମ ପାଇଁ କିଣିବାକୁ ହେବ କିଛି ରାସନ । ମୁହଁ ସଂଜ ବେଳ । ରାମଧୂନ ର ତୀବ୍ରତା ଆଵଶ୍ୟକତା ଠୁ ସାମାନ୍ୟ ଅଧିକ । ଅତର୍କିତ ଭାବରେ ଗେରୁଆ ପିନ୍ଧା କେଇଜଣ ଲୋକ ପଶି ଆସିଲେ ଚର୍ଚ୍ଚ ଭିତରକୁ । ହାତରେ ଠେଙ୍ଗା ।

ତୋ ନାଁ ?

କେହିଜଣେ ଦୃଢ଼ ସ୍ୱର ରେ ପଚାରିଲା

ସୁକୁରୁ ହେମ୍ବ୍ରମ ।

ଶଳା ଖ୍ରୀଷ୍ଟିଆନ । ପଛରୁ କେହିଜଣେ ଉଚ୍ଚ ସ୍ୱର ରେ କହିଲା ।

ମୁଁ ହିନ୍ଦୁ ।

ସୁକୁରୁ ଆସ୍ତେ ଉତ୍ତର ଦେଲା । ମୁହଁ ରେ ଭୟ ଝାଳ ସ୍ପଷ୍ଟ ।

ଶଃ ହିନ୍ଦୁ ହେଇ ଚର୍ଚ୍ଚ ରେ ଗୋଲାମୀ କରୁଚୁ । ଲାଜ ନାହିଁ ?

ଗୋଟେ ଶକ୍ତ ଆଘାତ ରେ ସୁକୁରୁ ଧୀରେ ଧୀରେ ଚେତାଶୂନ୍ୟ ହେଉଥିଲା।

ଏମାନଙ୍କ ପରି ସ୍ୱାର୍ଥପରଙ୍କ ପାଇଁ ସ୍ୱାମୀ ଜୀବନ ଦେଲେ ।

ଲଗାଅ ନିଆଁ । ବୋଲୋ ଜୟ ଶ୍ରୀରାମ ! .... ଏବେ ପୂରା ଭିଡର ସ୍ୱର ଏକ ଥିଲା ।

ଲାଲ ଟହଟହ ନିଆଁ, ଚର୍ଚ୍ଚ ର ମଥାନ ଛୁଉଁଥିଲା ।

ହାଇଦର ଅଲ୍ଲୀ । ଉତ୍ତରପ୍ରଦେଶ ର ଜୋନପୁର ଅଞ୍ଚଳରେ ତା ଘର । ଜଣେ ସଚ୍ଚା ମୁସଲମାନ । ତା ବାପା , ଜେଜେବାପାମାନେ ଇଂରେଜ ବିରୁଦ୍ଧରେ ଲଢ଼ି ସହିଦ ହେଇଛନ୍ତି । ତା ପରିବାର ରେ କେତେ ନାଁ ଡାକ ଥିଲା । ଅବଶ୍ୟ ଏବେ କଥା ଅଲଗା । ଯଦି ତୁମେ ମୁସଲମାନଟେ ହେଇ ଜନ୍ମ ହେଲ, ତେବେ ସ୍ୱତଃ ଜଣେ ଆତଙ୍କବାଦୀ ବୋଲି ଲୋକଙ୍କ ଧାରଣା ତିଆରି ହେଇଚି । ଦେଶ ବଦଳୁଛି !

ସ୍ୱାଧୀନତା ପରେ ପରେ ତା ପାଖ ପଡୋଶୀ ବହୁ ଲୋକ କୁଆଡେ ଦେଶ ଛାଡି ପାକିସ୍ତାନ ଗଲେ । ବେଇମାନ ଯିଏ ସେ ପାକିସ୍ଥାନ ଯିବ । ସେ ଦେଶ ପାଇଁ ଲଢେଇ କରିଛି ..... ଯିବନି ତା ଦେଶ ଛାଡି । ହାଇଦର ଅଲ୍ଲୀ ର ବାପା, ଦେଶ ଛାଡି ଯିବାକୁ ମନା କରିଦେଲେ ।

ସେଇଦିନ ଠୁ ସେମାନେ ଏଇଠି । ଏ ଗାଁ ରେ ପ୍ରାୟ ଶହେ ହିନ୍ଦୁ ପରିବାର ଭିତରେ ତିନୋଟି ମୁସଲମାନ ପରିବାର । ଭାଇଚାରା, ତରକାରୀ ଦିଆନିଆ, ଭୋଜିଭାତ ଭିତରେ ହାଇଦର କେବେ ଭାବିନି ଯେ ତା ଧର୍ମ ଭିନ୍ନ ବୋଲି । ହାଇଦର ର ସ୍ତ୍ରୀ ନସିଫା ଆଉ ଗୋଟିଏ ଝିଅ, ହସିନା । ବଢ଼ିଲା ଝିଅ । ତା ଉପରେ ହଜାରେ ଲୋକ ଙ୍କ ଆଖି ଘୁରି ବୁଲିଲାଣି । ବେଶି ଦିନ ଘରେ ଆଉ ରଖି ହେବନି । ତା ହାତ ରେ ମେହେନ୍ଦୀ ଲଗେଇଦେଲେ ଚିନ୍ତା ଯିବ । ବାକି ଜୀବନଟା ଆଲ୍ଲା ଙ୍କ ଦରବାର ରେ ନମାଜ ପଢି କଟିଯିବ । ସେଇ ଆଶା ରେ ହାଇଦର କେଇଥର ଚାଦର ଚଢ଼େଇଲାଣି ମସଜିଦ ରେ ।

ଆଜିକାଲି ସବୁଦିନ ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ସେନାମାନେ ନିହତ ହେଉଛନ୍ତି । ଟିଭିରେ ଖାଲି ସେଇ ଖବର । ଲୋକମାନେ ଧର୍ମ ନାଁ ରେ ପ୍ରାଣ କେମିତି ନେଇପରାନ୍ତି ! ଏସବୁ କୋରାନ ର ଖିଲାପ୍ ରେ । ଏମାନେ ପାପୀ । ହାଇଦର ଆଶ୍ଚର୍ଯ୍ୟ ହୁଏ ।

ଏବେ ବଜାରରେ ଚିହ୍ନା ଲୋକ ବି ଦୁରେଇ ରହୁଛନ୍ତି ହାଇଦର ପାଖରୁ । କଣ ଏସବୁ ଘଟୁଛି ।

ସେଦିନ ରାତି ପ୍ରାୟ ଦୁଇଟା ରେ କେହି ଜଣେ କବାଟ ବାଡେଇଲା । ଏତେ ରାତିରେ କିଏ ହେଇପାରେ ! ହାଇଦର କବାଟ ଖୋଲୁଖୋଲୁ ଧସେଇ ପଶିଲେ ପନ୍ଦର ସରିକି ଯୁବକ । ମୁହଁରେ କଳା କନା ବନ୍ଧା ହେଇଚି । ଭଣ ଭଣ ମଦ ର ଗନ୍ଧ । ହାଇଦର କିଛି କହିବା ଆଗରୁ ଜଣେ ଚାପି ଧରିଲା ତା ମୁହଁ କୁ । ଆଉ ଦୁଇଜଣ ଝପଟି ବାନ୍ଧି ପକେଇଲେ ତାକୁ ଘର ଖୁଣ୍ଟ ରେ । ବେକରେ ତାର ଲାଗେଇଦେଲେ ଛୁରୀ । ଆଉ ତା ଜୀବନ ପ୍ରତିବଦଳରେ ତାରି ଆଖି ସାମ୍ନା ବାରମ୍ବାର ଦୁଷ୍କର୍ମ କରିଚାଲିଲେ ନସିଫା ଆଉ ହସିନାଙ୍କୁ । ଏବେ ଆତଙ୍କବାଦୀଙ୍କୁ ଠିକ ଶିକ୍ଷା ମିଳିବ । ଆମେ ତାଙ୍କ ଘରେ ପଶି ...... । ଜଣେ ଯୁବକ ଚିତ୍କାର କରୁଥିଲା ।

ସ୍ୱରଟା ହାଇଦରକୁ ପରିଚିତ ଲାଗିଲା । ୟେ ତ ଚୌଧୁରୀ ବାବୁଙ୍କ ପୁଅ ବବଲୁ । ହାଇଦର କୁ ଚାଚା ବୋଲି ଡାକେ ହସିନା ର ସହପାଠୀ ।

ହାଇଦର ଆଖିରୁ ଲୁହ ଦି ଠୋପା ଝରିଗଲା ।

ଏଇମିତି ଘୃଣ୍ୟ କାମ ପ୍ରାୟ ଦୁଇ ତିନି ଘଣ୍ଟା ଯାଏଁ ଚାଲିଲା । ମନବୁଝିଗଲା ପରେ ଯୁବକ ମାନେ ଗଲେ । ହାଇଦର ର ଦଉଡି ବି ଖୋଲିଦେଲା ଜଣେ । ଘର ଵାହରେ "ପାକିସ୍ଥାନ ମୂର୍ଦବାଦ …ହିନ୍ଦୁସ୍ଥାନ ଜିନ୍ଦାବାଦ" ର ନାରା ।

ଚଟାଣ ଉପରେ ନସିଫା ଆଉ ହସିନା ଅଚେତ ହେଇ ପଡି ଥାଆନ୍ତି । ଏତେ ଲୋକ ଙ୍କ ଅତ୍ୟାଚାର ସହିବା କି ବଡ଼ କଥା ।

ପାହାନ୍ତା ହେଇଗଲାଣି । ନମାଜ ପଢିବା ସମୟ । ଆଖିରେ ଆଉ ଲୁହ ନାହିଁ । ନମାଜ ପଡ଼ିଲା ହାଇଦର ।

କିଛି ସମୟ ଚୁପ ହେଇ ବସିଲା ହାଇଦର । ଆଖି ସାମ୍ନା ରେ ପଡିଛି ଗୋଟେ ଛୁରୀ । ଯୁବକଟି ନେବାକୁ ଭୁଲି ଯାଇଛି ବୋଧେ ।

ଥରେ ନସିଫା ଆଉ ହସିନା ଆଡେ ଚାହିଁଲା ହାଇଦର । ଏଯାଏ ଚେତା ଫେରିନି । ହାଇଦର ଛୁରୀ କୁ ହାତରେ ଧରିଲା ।
ହେ ଆଲ୍ଲା...... ଜୋର ରେ ଚିତ୍କାର କଲା ସେ । ଠିକ ପରେ ପରେ ଦାଗିଦେଲା ସେ ଛୁରୀ ହସିନା ଆଉ ନସିଫା ବେକରେ । ପ୍ରତିରୋଧ ନାହିଁ । ଅଳ୍ପ ସମୟ ଛଟପଟ ପରେ ମାଆ ଝିଅ ଙ୍କ ଶରୀର ନିଶ୍ଚଳ ହେଇଗଲା ।

ଆଉ ବିଳମ୍ବ କରି ଲାଭ ନାହିଁ । ନିଜ କଚଟି କୁ ଚର୍ କିନା କାଟିଦେଲା ହାଇଦର । ବୋହିଗଲା କିଛି ରକ୍ତ । ଏବେ ହାଇଦର ଶୋଇଗଲା ମାଆ ଝିଅ ଙ୍କ କଡ଼ରେ । କିଛି ସମୟ ପରେ ତା ଦେହ ବି ନିଶ୍ଚଳ ହେଇଗଲା । ସକାଳ ଗୋଟେ ମିଶ୍ରିତ ପ୍ରତିକ୍ରିୟା ନେଇ ଆସିଲା । କିଛି ଆତ୍ମଘୋଷିତ ଦେଶଭକ୍ତ ଙ୍କ ଛାତି ଗର୍ବ ରେ ଫୁଲି ଉଠୁଥିଲା ।

ଲୋକମାନଙ୍କ ଥାଟପଟାଳି । ବଳି ପ୍ରଥା ବନ୍ଦ ପାଇଁ ସରକାଙ୍କ କଡା ନିର୍ଦେଶ । କର୍ମକର୍ତ୍ତା ଙ୍କ ଜିଦ । ମାଆ ପାଖେ ମଇଁଷି ବଳି ଦିଆଯିବ। ଏଇଟା କେଉଁ ଯୁଗର ପରମ୍ପରା । ଏ ବର୍ଷ ବି ପାଳନ ହେବ । ପ୍ରଶାସନ ତରଫରୁ କେଇ ପ୍ଲାଟୁନ୍ ପୋଲିସ ବି ମୁତୟନ ହେଇ ସାରିଛି । ପ୍ରବଳ ଉତ୍ତେଜନା । ଠେଲାପେଲା । ହରିବୋଲ, ହୁଳହୁଳି ରେ ପୂଜା ମଣ୍ଡପ କମ୍ପୁଛି । ପୂଜାରୀ ତୈୟାର । ଖଣ୍ଡା ରେ ଦାଢ଼ ଦିଆଗଲା । ମଇଁଷି ବେକରେ ପିନ୍ଧେଇ ଦିଆଗଲା ମନ୍ଦାରମାଳ ।

ପୋଲିସ ପ୍ରସ୍ତୁତ । ଭିଡ଼ ବି ପ୍ରସ୍ତୁତ ।

ଜୟ ମାଆ ହିଙ୍ଗୁଳାଙ୍କ ର .....ଜୟ .... ସମବେତ ସ୍ୱର ରେ ଭକ୍ତ ଚିତ୍କାର । ଜୟଜୟକାର । ଏ ଭକ୍ତ ଙ୍କ ଭିଡ଼ ଭାଙ୍ଗିବାକୁ ପୋଲିସ ର ଚେଷ୍ଟା ବିଫଳ ହେଲା । ପୋଲିସ ଙ୍କ ଭିତରେ ବି ଅନେକ ଭକ୍ତ ଥିଲେ କି କଣ ।

ନିମିଶକ ଭିତରେ ମଇଁଷିର ଗଣ୍ଡି ରୁ ମୁଣ୍ଡ କୁ ଅଲଗା କରିଦେଲା କାଳିଶି । ଏବେ ଦେବୀ ଖୁବ ଖୁସି । ଭକ୍ତ ବି ଖୁସି ।
ଦେବୀଙ୍କ ଜିଭ, ଦେହରେ ସିନ୍ଦୁର, ରକ୍ତ ରଞ୍ଜିତ ପୂଜାମଣ୍ଡପ, ବୁଡିଯାଉଥିବା ସୂର୍ଯ୍ୟ ... ସବୁକିଛି ଲାଲ୍ ଦିଶୁଥିଲା ।