ଚିତ୍ର: ଓଡିଲନ ରିଡେନ, ୱିକି କମନ୍ସ

ଏବେ କାନ୍ଦ କାନ୍ଦ ଲାଗୁଚି
ମୋ ଦେଶର ମୁହଁ
ତଥାପି କେହି ଦେଖିପାରୁ ନାହାନ୍ତି ।

ଘରେ ତାଲା ପକେଇ ହଜେଇ ଦେଇଚି
ଚାବିକାଠି
ଚାବି ଭାଙ୍ଗିବାକୁ ସାହସ ନାହିଁ କାହାରି ।

ଗାଁରେ ଅଧାଗଢା
ଅପରିଚିତ ଦେବତାଙ୍କ ମନ୍ଦିର ପରି
ଏବେ ପିଲାଙ୍କ ଭବିଷ୍ୟତ ।

କୁକୁର୍ ପିଟା ଖାଇ
ଘରକୁ ଫେରିଚି ଗେରସ୍ତ
ଅଣ୍ଟା ପିଠି ସବୁ ଦରଜ ।

ସାନିଟାଇଜର୍ ପରି ସଂପର୍କ
ବାସୁଚି ଅତର ଅତର
କିନ୍ତୁ ଭାରି ବିରକ୍ତିକର..

ଛକ ଛକରେ ପୋଲିସର
ଫାଇନ୍ ଖାତା
ହାତ ଠାରି ଡାକୁଚି

ନିଶ୍ବାସ ସରକାର ପରି
ଧୋକାବାଜ୍
ଅମ୍ଳଜାନ ନୁଚାନୁଚି ଖେଳୁଚି
ଅନ୍ଧାର ଘରେ ।

ଆଖି ଆଗରେ ହଜାରେ
ଚରିତ୍ର ପାଲଟି ଯାଉଛନ୍ତି
ଚିତ୍ର.....

ମୋ ଦେଶ ମୁହଁରେ
ମାକ୍ସ ପିନ୍ଧି
କରୁଚି ନିରବ ପ୍ରାର୍ଥନା....