ଜୀବନ ଓ ମୃତ୍ୟୁର ଖେଳ, ଫଟୋ: ୱିକି କମନ୍ସ

ୟୁରୋପର ମଧ୍ୟଯୁଗୀୟ ପ୍ଲେଗ୍ ମହାମାରୀର ପଟ୍ଟଭୂମିରେ ବର୍ଗମାନ୍ ୧୯୫୭ରେ ୯୬ ମିନିଟ୍ ଅବଧିର ଗୋଟେ କଳା-ଧଳା ଚଳଚ୍ଚିତ୍ର ସ୍ୱିଡିସ୍ ଭାଷାରେ ନିର୍ମାଣ କରିଥିଲେ । ଚଳଚ୍ଚିତ୍ରର ନାଁ ଥିଲା ‘ଦ ସେଭେନ୍ଥ ସିଲ୍’ । ବିଶ୍ୱ ଚଳଚ୍ଚିତ୍ରରେ ‘ଦ ସେଭେନ୍ଥ ସିଲ୍’ କୁ ସର୍ବକାଳୀନ ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ଦିଆଯାଏ । ଅସ୍ତିତ୍ୱକୁ ପ୍ରଶ୍ନ, ଅମରତ୍ୱ, ନିସଙ୍ଗତା ଓ ଧର୍ମ ବିଶ୍ୱାସ ଥିଲା ବର୍ଗମାନ୍ ଙ୍କ ଚଳଚ୍ଚିତ୍ରମାନଙ୍କର ଅସଲ ଭିତିରି କଥା ।

ଅନେକ ବର୍ଷ ତଳେ ଭୁବନେଶ୍ୱରର ଏକ ସିନେମା ଉତ୍ସବରେ ମୁଁ ଚଳଚ୍ଚିତ୍ରଟିକୁ ଦେଖିଥିଲି । ଚଳଚ୍ଚିତ୍ରଟି ଏତେ ମାତ୍ରାରେ ମୋତେ ପ୍ରଭାବିତ କରିଥିଲା ଯେ ଅନେକ ଦିନ ଧରି ସେଥିରୁ ମୁକୁଳି ପାରିନଥିଲି । ତାପରେ ଅନେକ ଥର ବର୍ଗମାନ୍ ଙ୍କ ଅଲଗା ସିନେମା ସହ ସେଭେନ୍ଥ ସିଲ୍ କୁ ନିଶ୍ଚୟ ଦେଖିଛି । ଗଲା ବର୍ଷ ମାର୍ଚ୍ଚ ମାସରେ ବି ଦେଖିଥିଲି, ଯେବେ ସିନେମାର ନାୟକ ଭୂମିକାରେ ଅଭିନୟ କରିଥିବା ମାକ୍ସ ଭନ୍ ସିଡୋଙ୍କର ୯୦ ବର୍ଷ ବୟସରେ ନିଧନ ହୋଇଥିଲା । କ୍ଲାସିକ୍ ସିନେମାକୁ ବାର ବାର ଦେଖିବା କଥା । ଏକଥା ଥରେ ନୀରଦ ମହାପାତ୍ର କହିଥିଲେ । ଯେତେ ଯେତେ ବାର ଦେଖିବ ସେତେ ସେତେ ନୂଆ ନୂଆ କଥା ଦିଶିବ । ସହରରେ ଲକ୍ ଡାଉନ୍ ଲାଗୁ ହେଲା ପରେ ପୁଣିଥରେ ସେଭେନ୍ଥ ସିଲ୍ ଦେଖୁଥିଲି । ଏଥର ବି କିଛି ନୂଆ ଲାଗିଲା । କରୋନା ମହାମାରୀର ଭୟଙ୍କର କାଳରେ ସିନେମାଟିକୁ ଆଉଟିକେ ଅଧିକ କରି ବୁଝିହେଲା ଏବଂ ଆଜିର ମହାମାରୀ ସମୟରେ ସେତେବେଳର ପରିବେଶ ଓ ପରିସ୍ଥିତିକୁ ଏବେକାର ପରିପ୍ରେକ୍ଷୀରେ ଭଲରେ ତଉଲି ହେଲା । ଲାଗିଲା, ଆଜି ଆମେ ସମସ୍ତେ ମୃତ୍ୟୁ ସାଙ୍ଗରେ ସାମ୍ନାସାମ୍ନି ବସି ଚେସ୍ ଖେଳୁଛେ । ଖେଳକୁ ଯିଏ ଯେତେ ଲମ୍ବା ଲମ୍ବାଇ ପାରୁଛି ସେ ସେତେ ସମୟ ବଂଚିଛି । ନହେଲେ କିଏ ଜାଣେ କୋଉ ଛଟକରେ ଦୃଶ୍ୟମାନ ଅଦୃଷ୍ଟ ତମ ରାଜାକୁ ଚେକ୍ ଦେଇ ନଦେବ ?

ଚଳଚ୍ଚିତ୍ରଟି ଦେଖିଲା ପରେ କିଛି ମନେ ରହୁ ବା ନରହୁ ଗୋଟିଏ କଥା କିନ୍ତୁ ନିଶ୍ଚୟ ମନେ ରହିଯାଏ । ସେଇ କଥାଟି ହେଲା, ମୃତ୍ୟୁ ସାଙ୍ଗରେ ସିନେମା ନାୟକର ଚେସ୍ ଖେଳ । ସିନେମାରେ ଅନେକ ଥର ଚେସ୍ ଖେଳର ଦୃଶ୍ୟ ଦୃଶ୍ୟାୟନ ହେଇଛି । ନ୍ୟୁ ଟେଷ୍ଟାମେଣ୍ଟର ‘ବୁକ୍ ଅଫ୍ ରେଭେଲେସନ୍’ ରୁ ସିନେମାର ଶୀର୍ଷକଟିକୁ ଚୟନ କରାଯାଇଛି । ଅନୁମାନ କରାଯାଏ ବର୍ଗମାନ୍ ତାଙ୍କର ଏକ ନାଟକ ଉଡ୍ ପେଣ୍ଟିଙ୍ଗ୍ ରୁ ଏଇ ସିନେମାକୁ ତିଆରି କରିଛନ୍ତି ।

ସିନେମାର କାହାଣୀ ହେଉଛି ନାଇଟ୍ ଆଣ୍ଟୋନିଅସ୍ ବ୍ଳକ୍ ଏବଂ ତାଙ୍କ ସହଯୋଗୀ ଜୋନସ୍ ପୁରା ଦଶ ବର୍ଷ ପରେ ଏକ ଧର୍ମଯୁଦ୍ଧରୁ ଆପଣା ଘରକୁ ଫେରିଲା ବେଳକୁ ଦେଖୁଛନ୍ତି ପ୍ଲେଗ୍ ମହାମାରୀର କରାଳ ପଞ୍ଝାରେ ସାରା ସ୍ୱିଡେନ । ଦିନେ ନାଇଟ୍ ବ୍ଳକ୍ ସମୁଦ୍ର କୂଳରେ ଏକା ଏକା ଚେସ୍ ଖେଳୁଥିବା ବେଳକୁ କଳା ପୋଷାକ ପରିହିତ ଧଳା ମୁହାଁ ମଣିଷ ଜଣେ ଆସି ତାଙ୍କ ପାଖରେ ପହଂଚିଯାଏ; ପରିଚୟ ଦେଇ କୁହେ ସେ ମୃତ୍ୟୁ । ଓ କୁହେ ସେ ଅନେକ ବେଳୁ ତାଙ୍କ ସାଙ୍ଗରେ ଅଛି, ଅନୁଧାବନ କରୁଛି । ନାଇଟ୍ ବ୍ଳକ୍ ତାଙ୍କ ସାଙ୍ଗରେ ଚେସ୍ ଖେଳିବାକୁ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି । କଥା ଛିଡେ ଯେ, ଯେତେବେଳ ଯାଏଁ ଖେଳ ଚାଳିବ ସେ ଯାଏଁ ତାଙ୍କୁ ମୃତ୍ୟୁ ନେଇପାରିବନି ।

ପାରିପାଶ୍ୱିର୍କ ଘଟଣା କ୍ରମରେ ଆଣ୍ଟୋନିଅସ୍ ଈଶ୍ୱରଙ୍କ ଉପରେ ଆସ୍ଥା ହରେଇ ବସିଥା’ନ୍ତି ଓ ଏମିତି ଘଟଣା କାହିଁକି ଘଟୁଛି ତା’ର କାରଣ ଖୋଜୁଥା’ନ୍ତି । ମୃତ୍ୟୁ ଆଗରୁ ତାଙ୍କୁ କିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ ସାରିବାର ଇଛା ବି ମନ ଭିତରେ ସେ ସାଇତି ଥାଆନ୍ତି । ମୃତ୍ୟୁ ସାଙ୍ଗରେ ସାମ୍ନାସାମ୍ନି ଚେସ୍ ଖେଳର ପ୍ରକ୍ରିୟାକୁ ଜୀବନର ଶେଷ ପରିଣତି ବିଷୟରେ ଜାଣି ରଖିବାର ରୂପକ ଭାବରେ ଗ୍ରହଣ କରାଯାଇପାରେ । ଏଥିସହ ସିନେମାରେ ଆଉ ଗୋଟେ କାହଣୀ ମଧ୍ୟ ସମାନ୍ତରାଳରେ ଆଗକୁ ବଢୁଛି । କଳାକାରଙ୍କର ଗୋଟେ ନାଟଦଳଙ୍କୁ ଭେଟୁଛନ୍ତି ନାଇଟ୍ ଓ ତାଙ୍କ ସହଯୋଗୀ ଜୋନସ୍ । ଦଳରେ ଅଛନ୍ତି ଜୋଫ୍, ତାଙ୍କ ସ୍ତ୍ରୀ ମିଆ ଓ ସେମାନଙ୍କ ସାନ ପୁଅ ମାଇକେଲ୍ ଏବଂ ନାଟ ଦଳର ମ୍ୟାନେଜର୍ ଜୋନସ୍ ସ୍କାଟ୍ ।

ନାଇଟ୍ ଆଣ୍ଟୋନିଅସ୍ ବ୍ଳକ୍ ବାଟରେ ଗୋଟେ ଚର୍ଚ୍ଚକୁ ଯାଇଛନ୍ତି । ଯେଉଁଠି ଜଣେ ଚିତ୍ରଶିଳ୍ପୀ ଚର୍ଚ୍ଚର କାନ୍ଥରେ ମୃତ୍ୟୁ ନାଚର ଭିତ୍ତିଚିତ୍ର ଆଙ୍କୁଥାଏ । ଆଣ୍ଟୋନିଅସ୍ ବ୍ଳକ୍ ଚର୍ଚ୍ଚର କନଫେସନ୍ ବକ୍ସ ଭିତରେ ତାଙ୍କର ବିଶ୍ୱାସର ଅଭାବ ଓ ମୃତ୍ୟୁ ଆଗରୁ କିଛି ଅର୍ଥପୂର୍ଣ୍ଣ କାମ କରିବାର ଇଛା ସମ୍ପର୍କରେ ସ୍ୱୀକାରୋକ୍ତି କରୁଛନ୍ତି । ଇଶ୍ୱରଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି । ତା’ ସାଙ୍ଗରେ ସେ କେମିତି ମୃତ୍ୟୁକୁ ବିଳମ୍ବିତ କରବାକୁ ମୃତ୍ୟୁକୁ ଚେସ୍ ଖେଳରେ ବ୍ୟସ୍ତ ରଖିଛନ୍ତିସେ କଥା ବି କହିଛନ୍ତି ଓ ପର ମୁହୂର୍ତ୍ତରେ ଆବିଷ୍କାର କରିଛନ୍ତି ଯେ, ଚର୍ଚ୍ଚର ପାଦ୍ରୀ ଭାବି ସେ ଯାହା ଆଗରେ ସ୍ୱୀକାରୋକ୍ତି କରୁଛନ୍ତି ସେ ହିଁ ସ୍ୱୟଂ ମୃତ୍ୟୁ । ଚର୍ଚ୍ଚରେ ସ୍ୱୀକାରୋକ୍ତି ସମୟରେ ନାଇଟ୍ ଓ ମୃତ୍ୟୁ ମଝିରେ ଥିବା ଜାଲିକୁ ଜୀବନ ଆତ୍ମା ରୂପକ ବନ୍ଦୀଶାଳାରେ ଅଟକ ରହିବାର ରୂପକାତ୍ମକ ଚିତ୍ରାୟନ ଭାବରେ ନିଆଯାଇପାରେ ।

ତାପରେ ନାଇଟ୍ ସଇତାନ ସହ ସମ୍ପର୍କ ରଖିଥିବା ଦୋଷରେ ଦୋଷୀ ଏକ ଯୁବତୀକୁ ଲୋକମାନେ ଜୀଅନ୍ତା ପୋଡିବାକୁ ନେଉଥିବାର ଦେଖନ୍ତି ଓ ଆଶା କରନ୍ତି ସେ ଯୁବତୀଟି ହୁଏତ ତାଙ୍କୁ ମୃତ୍ୟୁ ପରର ଜୀବନ ବିଷୟରେ କିଛି କହିବ । ବ୍ଲକ୍ ଓ ଜୋନ୍ ଏକ ପରିତ୍ୟକ୍ତ ଗାଁରେ ପିଇବା ପାଣି ସଂଗ୍ରହ କଲା ବେଳକୁ ଜୋନ୍ ଏକ ମୂକ ଝିଅକୁ ରାଭେଲ୍ ନାମକ ଗୋଟେ ଚୋରର ଧର୍ଷଣ ପ୍ରୟାସରୁ ରକ୍ଷା କରୁଛନ୍ତି ଓ ପରିଚାରିକା ଭାବରେ ସାଙ୍ଗରେ ନେଇଯାଉଛନ୍ତି । ଚୋର ରାଭେଲ୍ ପ୍ଳେଗ୍ ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଖରୁ ଅଳଙ୍କାର ଚୋରି କରୁଛି । ଆଜିର କରୋନା ମହାମାରୀ ସମୟରେ ରାଭେଲ୍ ପରି ଲୋକମାନଙ୍କର ଅଭାବ ନାହିଁ । ଲୋକଙ୍କ ଅସୁବିଧା ସମୟରେ କେବଳ ଆପଣା ଲାଭ କଥା ଚିନ୍ତା କରୁଥିବା ମଣିଷଙ୍କର ଆଜି ବି ଅଭାବ ନାହିଁ ।

ଆଣ୍ଟୋନିଅସ୍ ବ୍ଳକ୍ ଙ୍କୁ ଜଣେ ମଧ୍ୟଯୁଗୀୟ ମଣିଷ ଭାବରେ ନୁହେଁ ବରଂ ଜଣେ ଜିଜ୍ଞାସୁ ଆଧୁନିକ ମଣିଷ ଭାବରେ ଦେଖାଯାଇପାରେ । ଅନ୍ଧ ଭାବରେ ସେ ମଧ୍ୟଯୁଗୀୟ ଜନ୍ମ ମୃତ୍ୟୁ ପରର ଜୀବନ ଓ ମଣିଷର ଅସ୍ଥିତ୍ୱ ସମ୍ପର୍କୀୟ ଧାରଣାକୁ ଗ୍ରହଣ କରନ୍ତିନି’ । ତାଙ୍କ ସହଯାଗୀ ଜୋନସ୍ ଜଣେ ଆଧୁନିକ ନାସ୍ତିକ ହେଇଥିବା ବେଳେ ସେ ଜଣେ ଆଧୁନିକ ଈଶ୍ୱର ବିଶ୍ୱାସୀ ମଣିଷ, ଯିଏକି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହଜାରେ ପ୍ରଶ୍ନ କରୁଛନ୍ତି । ଜୋନସ୍ ଙ୍କର ନା ସ୍ୱର୍ଗ ଉପରେ ବିଶ୍ୱାସ ଅଛି ନା ନର୍କ ଉପରେ ଅଛି । ଏପରିକି ସେ ପ୍ରେମରେ ବି ବିଶ୍ୱାସ କରନ୍ତିନି’ ।

ବ୍ଲକ୍ ଏକ ଖୋଲା ପ୍ରାନ୍ତରରେ ଜୋଫ୍ ଙ୍କ ପରିବାର ସହ କିଛି ସମୟ ବିତାଇଛନ୍ତି । ସେଇଠି ମିଆ ସତେଜ ଦୁଧ ଓ ଷ୍ଟ୍ରବେରୀ ବ୍ଲକ୍ ଙ୍କୁ ଖାଇବାକୁ ଦେଇଛନ୍ତି । ଯାହାକୁ ଖ୍ରୀଷ୍ଟିୟ ଧର୍ମ ଧାରଣାରେ ଖ୍ରୀଷ୍ଟଙ୍କ ଲାଷ୍ଟ୍ ସପର ବା ଶେଷ ରାତ୍ରକାଳୀନ ଭୋଜନ ଭାବରେ ଧରାଯାଏ । ଜୋଫ୍ ଙ୍କ ପରିବାରକୁ ବ୍ଲକ୍ ଆପଣା ଦୂର୍ଗକୁ ନିମନ୍ତ୍ରଣ କରିଛନ୍ତି । ବ୍ଲକ୍ ସେଇ ନାଟୁଆ ପରିବାର ସହ ବିତାଇଥିବା ସମୟକୁ ସବୁଦିନ ପାଇଁ ମନେରଖିବେ ବୋଲି କହିଛନ୍ତି ।

ଚୋର ରାଭେଲ୍ ଶେଷରେ ପାଣି ଟୋପେ ନପାଇ ପ୍ଲେଗ୍ ରେ ମରିଛି । ଆଗରୁ ତ ଜଙ୍ଗଲ ଭିତରେ ନାଟ ଦଳର ମ୍ୟାନେଜର ସ୍କର୍ଟ ଯିଏକି କମାର ପ୍ଲଗ୍ ର ସ୍ତ୍ରୀ ଲିସାକୁ ଧରି ଛୁ ମାରିଥିଲା ଧରାପଡିଲା ପରେ ମୃତ୍ୟୁର ଅଭିନୟ କରୁ କରୁ ସତରେ ମୃତ୍ୟୁ ତା’ ପାଖରେ ପହଂଚି ଯାଇଛି । ସେ ଚଢି ଆଶ୍ରୟ ନେଇଥିବା ଗଛକୁ କରତରେ କାଟି ପକାଉଛି ମୃତ୍ୟୁ । ସାରା ସିନେମାରେ ମହାମାରୀ ସମୟର ମୃତ୍ୟୁ ଆତଙ୍କ ଓ ତା’ ସାଙ୍ଗରେ ଖ୍ରୀଷ୍ଟୀୟ ଧର୍ମଧାରଣା, କର୍ମକାଣ୍ଡ ଏବଂ ଜୀବନ ଓ ଭୟରେ ଜଡସଡ ମଣିଷମାନଙ୍କୁ ଦେଖିବାକୁ ମିଳିଛି ।

ସେଦିନ ରାତିରେ ଆଣ୍ଟୋନିଅସ୍ ବ୍ଲକ୍ ଓ ମୃତ୍ୟୁର ଚେସ୍ ଖେଳକୁ ଜୋଫ୍ ଦେଖିନେଇଛି ଓ ଭୟରେ ରାତାରାତି ସ୍ତ୍ରୀ ପିଲାଙ୍କୁ ଧରି ଜାଗା ଛାଡି ପଳେଇ ଯାଇଛି । ଜୋଫ୍ ର ପଳାୟନ କଥା ବ୍ଲକ୍ ଜାଣିଛନ୍ତି ଓ ସେକଥା ମୃତ୍ୟୁ ନଜାଣୁ ବୋଲି ଚେସ୍ ଖେଳ ଚାଲୁ ରଖିଛନ୍ତି । ଏଥର ଖେଳରେ ବ୍ଲକ୍ ହାରିଛନ୍ତି ଓ ମୃତ୍ୟୁ କହିଛି ପର ସାକ୍ଷାତରେ ସେ ତାଙ୍କୁ ଓ ତାଙ୍କ ସାଙ୍ଗରେ ଯିଏ ସବୁଥିବେ ସମସ୍ତଙ୍କୁ ନେଇଯିବ। ଜୀବନର ଗୁରୁତ୍ୱପୂର୍ଣ୍ଣ କାମଟି ସରିଛି କି ନାହିଁର ଉତ୍ତରରେ ନାଇଟ୍ କାମଟି ସରିଛି ବୋଲି କହିଛନ୍ତି । ସେପଟେ ଜଙ୍ଗଲ ରାସ୍ତାରେ ଜୋଫ୍ ଓ ମିଆ ଭୟଙ୍କର ଝଡର ସାମ୍ନା କରିଛନ୍ତି । ବ୍ଲକ୍ ଅନ୍ୟମାନଙ୍କୁ ସାଙ୍ଗରେ ଧରି ଆପଣା ଦୂର୍ଗକୁ ଫେରିଛନ୍ତି । ବ୍ଲକ୍ ଙ୍କ ପତ୍ନୀ କରିନ୍ ପ୍ରସ୍ତୁତ କରିଥିବା ରାତ୍ରକାଳୀନ ଭୋଜନ ପାଖରେ ସମସ୍ତେ ଥିବାବେଳେ ଦରଜାରେ କରାଘାତ କରିଛି ମୃତ୍ୟୁ ।

ପରଦିନ ସମୁଦ୍ର ପାଖରେ ଝଡ଼ ପରର ସଫା ନୀଳ ଆକାଶର ତଳେ ଜୋଫ୍ ଓ ମିଆ ଦେଖୁଛନ୍ତି ସେମାନେ ବଂଚି ଯାଇଛନ୍ତି । ସେମାନେ ନାଟୁଆ । କଳାକାର ଓ କଳାର ପୂଜାରୀ । କଳା ଶାସ୍ୱତ ଓ ପୂର୍ଣ୍ଣାଙ୍ଗ । ଜୋଫ୍ ଓ ମିଆଙ୍କ ପରିବାରକୁ ଏକ ପବିତ୍ର ପରିବାର ଭାବରେ ଗ୍ରହଣ କରାଯାଏ । ଜୋଫ୍ ଙ୍କୁ ସ୍ୱର୍ଗୀୟ ଚରିତ୍ରମାନେ ଦୃଶ୍ୟମାନ ହୁଅନ୍ତି । ସେ ଦିନେ ସକାଳୁ ଭର୍ଜିନ୍ ମେରୀ ଓ ଶିଶୁ ଯୀଶୁଙ୍କୁ ଦେଖିଛନ୍ତି । ନାଇଟ୍ ବ୍ଲକ୍ ଙ୍କ ସହ ମୃତ୍ୟୁର ଚେସ୍ ଖେଳ ବେଳେ ମୃତ୍ୟୁକୁ ବି ଦେଖିପାରିଛନ୍ତି । ଜୋଫ୍ ଯାହା ଦେଖନ୍ତି ତାହା ଅନ୍ୟମାନେ ଅବଶ୍ୟ ଦେଖି ପାରନ୍ତିନି ।

ବର୍ଗମାନ୍ ଙ୍କ ସେଭେନ୍ଥ ସିଲ୍ ସିନେମାରେ ପିକାସୋଙ୍କ ଟୁ ଆକ୍ରୋବାଟସ୍ ଛବିର ପ୍ରଭାବ ରହିଛି । ତା’ ଛଡା ସୁଇଡିସ୍ ଚିତ୍ରଶିଳ୍ପୀ ଆଲବରଟସ୍ ପିକ୍ଟର୍ ଙ୍କ ଛବି ଓ ହାର୍କେବର୍ଗା ଚର୍ଚ୍ଚର ଫ୍ରେସ୍କୋ ଦ୍ୱାରା ମଧ୍ୟ ଅନୁପ୍ରାଣିତ ହେଇଥିଲେ । ପିକ୍ଟର ଉତ୍ତର ଷ୍ଟକହୋମ୍ ର ତାବେ ଚର୍ଚ୍ଚରେ ୧୪୮୦ରେ ଗୋଟେ ଫ୍ରେସ୍କୋ ଆଙ୍କିଥିଲେ, ଯେଉଁଥିରେ ମୃତ୍ୟୁ ସାଙ୍ଗରେ ଚେସ୍ ଖେଳର ଗୋଟେ ଛବି ଅଛି । ବର୍ଗମାନ୍ ପିଲାଦିନରୁ ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ୍ ପରିବାରର କଡା ଶାସନ ଭିତରେ ବଢିଥିଲେ । ତା’ର ପ୍ରଭାବ ରହିଛି ସିନେମାରେ । ୧୯୫୭ରେ ସେଭେନ୍ଥ ସିଲ୍ ସିନେମା ବର୍ଗମାନ୍ ଙ୍କୁ ବିଶ୍ୱ ସିନେମା ଇତିହାସରେ ଅନ୍ୟତମ ଶ୍ରେଷ୍ଠ ନିର୍ଦ୍ଦେଶକର ଆସନ ଦେଇଥିଲା ଓ ସିନେମାଟି କାନ୍ସ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ହେଇଥିଲା । ମୃତ୍ୟୁକୁ ଧଳା ରଙ୍ଗର ମୁହଁ ଓ କଳା ପୋଷାକରେ ଚେସ୍ ଏବଂ ଅଲଗା ଖେଳ ଖେଳୁଥିବାର ପରବର୍ତ୍ତୀ ସମୟରେ ଅନ୍ୟ ସିନେମା ଓ ଟେଲିଭିଜନରେ ମଧ୍ୟ ଦେଖିବାକୁ ମିଳିଥିଲା ।

ସିନେମାର ଶେଷରେ ଦେଖିବାକୁ ମିଳିଛି ଜୋଫ୍ ଙ୍କ ପରିବାର ଛଡା ମୃତ୍ୟୁ ସମସ୍ତଙ୍କୁ ନେଇଯାଉଛି । ଜୋଫ୍ ଶେଷରେ ଦେଖୁଛନ୍ତି ଦୂର ଦିଗ୍ ବଳୟ ତଳେ ପାହାଡ ଉପରେ ନାଇଟ୍ ଓ ତାଙ୍କ ଅନୁଗାମୀ ଅନ୍ୟ ଚରିତ୍ରମାନେ କେମିତି ମୃତ୍ୟୁ ନାଚରେ ସାମିଲ ହେଇଯାଇଛନ୍ତି । ଏସବୁ ଛଡା ଆହୁରି ଅନେକ ଘଟଣା ରହିଛି ସିନେମାରେ । ପୁରା କାହାଣୀ ମୁଁ କହିନି । ସିନେମାକୁ ଦେଖିଲେ ଆହୁରି ଅନେକ କିଛି ଜାଣିହେବ । ୟୁଟ୍ୟୁବ୍ ରେ ସିନେମାଟି ଅଛି । ମୂଳରୁ ବର୍ଗମାନ୍ ସିନେମାଟିକୁ କଳା-ଧଳାରେ ତିଆରି କରିଥିଲେ ମଧ୍ୟ ପରେ ରଙ୍ଗୀନ ପ୍ରିଣ୍ଟ୍ ମଧ୍ୟ ଏବେ ଉପଲବ୍ଧ ଅଛି । ଆଜିର କରୋନା ମହାମାରୀର ସମୟକୁ ବୁଝିବାକୁ ସିନେମାଟିକୁ ଦେଖିବାକୁ ଅନୁରୋଧ ।